News18 Odia Digital
ବ୍ରହ୍ମପୁର: ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ଘଟିଛି ଏକ ଦୁଃଖଦ ଓ ଅଭାବନୀୟ ଘଟଣା । ଗୋଟେ ସ୍କୁଲର ଅଟୋରିକ୍ସାରୁ ଖସି ପଡ଼ି ଜଣେ ପାଞ୍ଚ ବର୍ଷର ଛାତ୍ରର ଆକାଳ ମୃତ୍ୟୁ ଘଟିଛି ।
ଘଟଣା ଘଟିଛି ଦିଗପହଣ୍ଡି ଥାନା ଅନ୍ତର୍ଗତ ତିଳେଶ୍ବର ନିକଟରେ । ଆଜି ସକାଳେ ଏକ ଅଟୋରିକ୍ସାରେ ପିଲାମାନେ ସ୍ଥାନୀୟ ଶିଶୁମନ୍ଦିର ବିଦ୍ୟାଳୟକୁ ଯାଉଥିବାବେଳେ ପାଞ୍ଚ ବର୍ଷର ଛାତ୍ର ଅଜୟ ପ୍ରଧାନ ଅଟୋରୁ ଖସିପଡ଼ିଥିଲା । ସଙ୍ଗେ ସଙ୍ଗେ ତାକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, ହେଲେ ଘଟଣା ସ୍ଥଳରେ ହିଁ ତା’ର ମୃତ୍ୟୁ ହୋଇସାରିଥିଲା ।
ଅଟୋ ଡ୍ରାଇଭର ଜଣକ ହଠାତ୍ ବ୍ରେକ୍ ମାରିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଉଛି । ତେବେ ଅଟୋରେ କେତେ ଜଣ ପିଲା ବସିଥିଲେ, ଅଟୋଟି ଘଟଣା ସମୟରେ କେତେ ବେଗରେ ଯାଉଥିଲା, ଅଟୋଟିର ଫିଟନେସ୍ କେମିତି ଥିଲା ଓ ଡ୍ରାଇଭର୍ ଗାଡ଼ି ଚ଼ଳେଇବା ପାଇଁ ପ୍ରଶିକ୍ଷିତ ଥିଲେ କି ନାହିଁ ଏ ସବୁ ବିଷୟ ପୋଲିସ ତଦନ୍ତରୁ ଜଣା ପଡ଼ିବ । ଦିଗପହଣ୍ଡି ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଅଟୋର ଡ୍ରାଇଭରକୁ ପୋଲିସ୍ ଅଟକ ରଖିଛି ।
ବାରମ୍ବାର ସ୍କୁଲ୍ ପିଲାଙ୍କୁ ନେବା ଆଣିବାରେ ସୁରକ୍ଷାର ନିୟମସବୁ ପାଳନ କରିବା ପାଇଁ ସଚେତନତା ସୃଷ୍ଟି କରାଯାଉଥିବା ସତ୍ୱେ ଏପରି ଦୁର୍ଘଟଣା ଘଟିଥିବାରୁ ଏ ଅଞ୍ଚଳରେ ଗଭୀର ଜନ ଅସନ୍ତୋଷ ପ୍ରକାଶ ପାଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଅନେକ ଗାଇଡଲାଇନ ଥିବା ସତ୍ୱେ ଏହି ସ୍କୁଲ୍ କର୍ତ୍ତୃପକ୍ଷ କେମିତି ସେ ସବୁ ପ୍ରତି ଧ୍ୟାନ ଦେଉ ନ ଥିଲେ ସେ ନେଇ ମଧ୍ୟ ପ୍ରକାଶ ପାଇଛି ଅସନ୍ତୋଷ ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।