News18 Odia Digital
ଅନୁଗୁଳ: ବାଘ ଶୂନ୍ୟ ହୋଇଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ। ଏଠାରେ ଥିବା ଏକ ମାତ୍ର ବୁଢ଼ୀ ବାଘୁଣୀର ପ୍ରାୟ ୫ମାସ ହେଲା ପତ୍ତା ମିଳୁନି। ଏଭଳି ସ୍ଥିତିରେ ବନ ବିଭାଗ ପୁଣି ଥରେ ବାହାର ରାଜ୍ୟରୁ ବାଘ ଆଣି ଛାଡ଼ିବାକୁ ଭିତ୍ତିଭୂମି ସଜାଡ଼ିବାରେ ଲାଗିଛି। ତେଣୁ ଏହା କେତେ ସଫଳ ହୋଇ ପାରିବ ତାହାକୁ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।
ଦିନ ଥିଲା ସତକୋଶିଆରେ ୨୨ରୁ ଅଧିକ ମହାବଳ ବାଘ ଥିଲେ। କିନ୍ତୁ ସୁରକ୍ଷା ଅଭାବରୁ ସେମାନଙ୍କ ସଂଖ୍ୟା ଲୋପ ପାଇଗଲା। ହେଲେ ଏକ ମାତ୍ର ବାଘୁଣୀ ଏଠାରେ ଚଳ ପ୍ରଚଳ କରୁଥିଲା। କିନ୍ତୁ ଗତ ବର୍ଷ ନଭେମ୍ବର ମାସରୁ ଆଉ ସେ ବାଘୁଣୀର କୌଣସି ପତ୍ତା ମିଳୁ ନାହିଁ। ବନ ବିଭାଗ ତରଫରୁ ସ୍ୱତନ୍ତ୍ର ଟିମ ଜଙ୍ଗଲର ସବୁ ଜାଗାରେ ଖୋଜା ଖୋଜି ଚଳାଇଛନ୍ତି। କିନ୍ତୁ କିଛି ଖୋଜ ଖବର ମିଳି ପାରୁ ନାହିଁ। ଜଙ୍ଗଲ ଭିତରେ ଲଗା ଯାଇଥିବା କ୍ୟାମେରା ସମ୍ମୁଖକୁ ମଧ୍ୟ ସେ ଆସୁ ନଥିବାରୁ ଚିତ୍ର ଉତ୍ତୋଳନ ହୋଇ ପାରୁ ନାହିଁ। ଗତ କିଛି ମାସ ପୂର୍ବରୁ ଏଠାରେ ବାଘ ଗଣନା ମଧ୍ୟ ହୋଇଥିଲା। ବହୁ ସଂଖ୍ୟାରେ କର୍ମଚାରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। କିନ୍ତୁ ବାଘୁଣୀର କୌଣସି ପତ୍ତା ମିଳି ନଥିଲା। ଶେଷରେ ବନ ବିଭାଗ ହାତ ଟେକି ଦେଇଛି। ସେ ବାଘୁଣୀ ଏବେ ବଞ୍ଚିଛି କି ନାହିଁ ତାହା ସ୍ପଷ୍ଟ ହୋଇ ପାରୁ ନାହିଁ।
ବନ ବିଭାଗ କେବଳ ମନ ବୁଝାଇବାକୁ ବାଘୁଣୀର ପାଦ ଚିହ୍ନ ଦେଖିବାକୁ ମିଳୁଥିବା କହୁଛି। ଅନ୍ୟ ପକ୍ଷରେ ଗତ ୨୦୨୧ ନଭେମ୍ବର ମାସରେ ବନ୍ତଳା ରେଞ୍ଜର ନୂଆଖେତା ଗାଁ ନିକଟ ଜଙ୍ଗଲରେ ଏକ ବାଘ ମରି ପଡ଼ିଥିବା କିଛି ଛେଳି ଚରାଳି ଦେଖିଥିଲେ। ସତକୋଶିଆର ରାଇଗୋଡା ରେଞ୍ଜକୁ ଏହି ଜଙ୍ଗଲ ଲାଗିଛି ଯେଉଁଠି ବାଘୁଣୀ ବୁଲୁଥିବା ନଜରକୁ ଆସୁଥିଲା। ବନ ବିଭାଗ ଏକଥା ଜାଣିବା ପରେ ରାତାରାତି ସେଠାକୁ ଯାଇ ସବୁକିଛି କରି ଠିକ ଅଛି ଓ କୌଣସି ବାଘ ମରି ନାହିଁ ବୋଲି ସଫେଇ ଦେଇଥିଲା। ତେଣୁ ଘଟଣାଟି ନିକଟସ୍ଥ ଗ୍ରାମବାସୀ ଓ ପରିବେଶ କର୍ମୀ ମାନଙ୍କ ସହଜରେ ହଜମ ହେଉନି।
“ସରକାର ଆବଶ୍ୟକ ଅର୍ଥ, କର୍ମଚାରୀ ଓ ଗାଡ଼ି ଆଦି ସୁବିଧା ଯୋଗାଇ ଦେବାପରେ ମଧ୍ୟ ବନ ବିଭାଗ ସତକୋଶିଆରେ ଥିବା ଏକମାତ୍ର ବାଘୁଣୀକୁ ୫ମାସ ହେଲା ଠାବ କରିବାରେ ବିଫଳ ହୋଇଛି। ଏହାର ଅର୍ଥ ବାଘୁଣୀ କୌଣସି ଶିକାରୀର ଶିକାର ହୋଇ ଯାଇଥିବା ସନ୍ଦେହ ହେଉଛି। ତେଣୁ ଘଟଣାର ସିବିଆଇ ତଦନ୍ତ ହେବା ଆବଶ୍ୟକ। ନଚେତ କେବଳ ବ୍ୟାଘ୍ର ପ୍ରକଳ୍ପ ନାଁରେ ଅର୍ଥ ବ୍ୟୟ ହୋଇ ଚାଲିଥିବ। କିନ୍ତୁ ବାଘ ବଂଶ ବୃଦ୍ଧି ହୋଇ ପାରିବ ନାହିଁ,“ କହିଛନ୍ତି ପରିବେଶବିତ ପ୍ରସନ ବେହେରା।
“ସାତକୋଶିଆ କର୍ତ୍ତୃପକ୍ଷ ପ୍ରାକୃତିକ ପରିବେଶରେ ଥିବା ଏକ ମାତ୍ର ବାଘୁଣୀକୁ ସୁରକ୍ଷା ଦେଇ ପାରୁ ନାହାଁନ୍ତି। ତଥାପି ବ୍ୟାଘ୍ର ପ୍ରକଳ୍ପ କରିବାକୁ ଯୋଜନା କରୁଛନ୍ତି। ଏହା ଦ୍ୱାରା ଅଯଥାରେ କିଛି ଗାଁ ଉଚ୍ଛେଦ ହେଉଛି। ଜଙ୍ଗଲ ଅଧୀନ ଅଞ୍ଚଳର ଲୋକଙ୍କ ଉପରେ କଡ଼ା କଟକଣା ଲଦି ଦେଉଛନ୍ତି। ଫଳରେ ସେମାନଙ୍କ ଜୀବନ ଜୀବିକାରେ ବାଧା ସୃଷ୍ଟି ହେଉଛି,“କହିଛନ୍ତି ଜଣେ ସାତକୋଶିଆ ବାସିନ୍ଦା ପ୍ରଭାକର ବିଶୋଇ।
ଏହି ପ୍ରସଙ୍ଗକୁ ନେଇ ସାତକୋଶିଆ ଡିଏଫଓ ଏସ.କେ.ପଣ୍ଡା କହିଛନ୍ତି,” ଏହା ସତ ଯେ କିଛି ମାସ ହେଲା ବାଘୁଣୀର କୌଣସି ସନ୍ଧାନ ମିଳୁନି। କିନ୍ତୁ ଆମେ କିଛି ଦିନ ପୂର୍ବେ ବାଘ ପାଦ ଚିହ୍ନ ପାଇଛୁ। ଜଙ୍ଗଲ ଭିତରେ ଲଗା ଯାଇଥିବା ସବୁ କ୍ୟାମେରା ଯାଞ୍ଚ କରୁଛୁ। ଆହୁରି ଅଧିକ କ୍ୟାମେରା ଲଗାଇବା ବ୍ୟବସ୍ଥା କରୁଛୁ। ତେଣୁ ଖୁବ ଶୀଘ୍ର ବାଘୁଣୀର ସନ୍ଧାନ ମିଳି ପାରିବ ବୋଲି ଆଶା ରଖିଛୁ।“
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।