News18 Odia Digital
ଭୁବନେଶ୍ୱର: ମାଓବାଦୀଙ୍କ କବଳରୁ ମୁକ୍ତ ହେଲା ରାଜ୍ୟର ପାଞ୍ଚଟି ଜିଲ୍ଲା l ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼କୁ ମାଓବାଦୀ ମୁକ୍ତ ଘୋଷଣା କରିଛନ୍ତି ରାଜ୍ୟ ସରକାର l ଗତ ଦୁଇ ବର୍ଷ ଭିତରେ ଏହି ୫ଟି ଜିଲ୍ଲାରେ ନା ନକ୍ସଲଙ୍କ କୌଣସି ଗତିବିଧି ରହିଛି ନା କୌଣସି ଅଘଟଣ ଘଟାଇଛନ୍ତି ମାଓବାଦୀ l ମାଓ ମୁକ୍ତ ଘୋଷଣା ନେଇ କେନ୍ଦ୍ରକୁ ଜଣାଇଛନ୍ତି ରାଜ୍ୟ ସରକାର l ଆଗକୁ ଏହି ୫ଟି ଜିଲ୍ଲାର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଦେଉଥିବା ଏସଆରଇ ଫଣ୍ଡ ରହିବ l
ଦିନେ ଯେଉଁଠି ଗର୍ଜୁଥିଲା ନକ୍ସଲଙ୍କ ଗୁଳି ଆଜି ସେଠି ଶାନ୍ତିରେ ଅଛନ୍ତି ଲୋକେ l ୨୦୧୮ ପର ଠାରୁ ରାଜ୍ୟରେ କମୁଛି ମାଓ ହିଂସାକାଣ୍ଡ l ଆଦିବାସୀଙ୍କ ପାଖରେ ପହଞ୍ଚୁଛି ସରକାରୀ ଯୋଜନା l ନକ୍ସଲଙ୍କ ହାତ ଛାଡ଼ି ସରକାରଙ୍କୁ ସମର୍ଥନ କରୁଛନ୍ତି ଆଦିବାସୀ l ଏହାର ବଡ ସଫଳତା ହେଲା ୫ଟି ନକ୍ସଲ ପ୍ରଭାବିତ ଜିଲ୍ଲା ଏବେ ନକ୍ସଲ ମୁକ୍ତ ହୋଇଛି l
‘‘ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ରେ ଗତ ଦୁଇ ବର୍ଷ ଭିତରେ ସେ ଭଳି କୌଣସି ମାଓ ଗତିବିଧି ନ ଥିଲା କିମ୍ବା କୌଣସି ହିଂସାକାଣ୍ଡ ଘଟାଇବାରେ ମାଓବାଦୀ ସଫଳ ହୋଇ ନାହାନ୍ତି,’’ କହିଛନ୍ତି ଡିଜିପି ଅଭୟ ।

ସାମ୍ବାଦିକ ସମ୍ମିଳନୀରେ କହୁଛନ୍ତି ଡିଜିପି ଅଭୟ ।
ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ମଡର୍ଣ୍ଣ ଟେକନୋଲୋଜି ବ୍ୟବହାର ଦ୍ୱାରା ନକ୍ସଲଙ୍କ ଉପରେ ଭାରି ପଡୁଛି ପୋଲିସ ଫୋର୍ସ l ୨୦୧୯ରେ ୧୩ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୨୦୨୦ ଜୁନ ସୁଦ୍ଧା ୧୭ ଜଣ ଆତ୍ମସମର୍ପଣ କରିଛନ୍ତି l ୨୦୧୯ରେ ଜଣେ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ୮ ଜଣ ନକ୍ସଲ ଓ ୧୪ ଥର ପୋଲିସ ସହ ନକ୍ସଲଙ୍କ ମୁହାଁମୁହିଁ ହୋଇଛି l
୨୦୨୦ ଜୁନ ସୁଦ୍ଧା ନଅ ଥର ନକ୍ସଲଙ୍କ ସହ ପୋଲିସର ଗୁଳିବିନିମୟ ହୋଇଛି l ଛଅ ଜଣ ନକ୍ସଲ ପ୍ରାଣ ହରାଇଥିବା ବେଳେ ଜଣକୁ ଲୋକେ ପିଟିପିଟି ମାରିଦେଇଥିଲେ l ଫେବୃୟାରୀରେ ହୋଇଥିବା ଅପରେସନରେ ସ୍ଵାଭିମାନ ଅଞ୍ଚଳରେ ମାଟି ତଳେ ପୋତା ହୋଇ ରହିଥିବା ନକ୍ସଲଙ୍କ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା l ଏହା ଥିଲା ଓଡ଼ିଶା ପୋଲିସ ଇତିହାସରେ ସବୁ ଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଜବତ l
‘‘ପାଞ୍ଚଟି ଜିଲ୍ଲା ମାଓବାଦୀ କାର୍ଯ୍ୟକଳାପରୁ ବାଦ ପଡ଼ିବା ପରେ ବାକି ୧୦ଟି ଜିଲ୍ଲା ଉପରେ ଆମର ଫୋକସ ଅଧିକ ରହିବ l ଆଗକୁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରେ ଆଣ୍ଟି ନକ୍ସଲ ଅପରେଶନକୁ ଯୋରଦାର କରାଯିବ l ଏବେ ବି ସମୟ ଅଛି ଯେଉଁମାନେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି ସେମାନେ ଆତ୍ମସମର୍ପଣ କରନ୍ତୁ,’’ କହିଛନ୍ତି ଡିଜିପି ଅଭୟ ।
ସ୍ଵତନ୍ତ୍ର ଡିଜି (ଗୁଇନ୍ଦା) ସତ୍ୟଜିତ ମହାନ୍ତି କହିଛନ୍ତି, ‘‘ଧିରେ ଧିରେ ନକ୍ସଲ ଗଡ଼ ଦୁର୍ବଳ ହେବାରେ ଲାଗିଛି l ପୂର୍ବ ଭଳି ଆଦିବାସୀମାନେ ଆଉ ନକ୍ସଲଙ୍କୁ ସମର୍ଥନ କରୁନାହାଁନ୍ତି l ସରକାର ଗାଁ ଗାଁରେ ରାସ୍ତାଘାଟ ତିଆରି କରୁଛନ୍ତି l ସରକାରୀ ଯୋଜନା ଗାଁରେ ପହଞ୍ଚୁଛି l ଲୋକଙ୍କ ସମର୍ଥନ ସରକାରଙ୍କ ସାଙ୍ଗରେ ଅଛି l ନକ୍ସଲ ଦମନରେ ଓଡିଶା ପୋଲିସକୁ ସଫଳତା ମିଳୁଛି ।’’
ଏହା ବି ପଢ଼ନ୍ତୁ:
ଏନକାଉଣ୍ଟରର ଦିନକ ଆଗରୁ ସୁପ୍ରିମ କୋର୍ଟରେ ଦାଖଲ ପିଟିସନରେ ଅନୁମାନ ହୋଇଥିଲା ଯେ ଦୁବେକୁ ମାରିଦେବ UP ପୋଲିସ୍ପୂର୍ବତନ ଡିଜିପି ସଞ୍ଜିବ ମାରିକ କହିଛନ୍ତି, ‘‘ସରକାରଙ୍କ ବିକାଶମୂଳକ ଯୋଜନା ପାଇଁ ନକ୍ସଲଙ୍କୁ ଗାଁ ଲୋକଙ୍କ ସମର୍ଥନ ଆଉ ମିଳୁନି l ଧିରେ ଧିରେ ଭାଙ୍ଗିବାରେ ଲାଗିଛି ନକ୍ସଲ ଗଡ଼ l ଓଡ଼ିଶାରେ ନାହାନ୍ତି ଆଉ ଓଡ଼ିଆ କ୍ୟାଡର l ଓଡ଼ିଆ କ୍ୟାଡର ନ ଥିବାରୁ ସ୍ଥାନୀୟ ଲୋକଙ୍କ ସମର୍ଥନ ମିଳୁନି ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।