ମାନବ ସେବାକୁ ସଲାମ: ପୁରୀର ଦୁଇ ମତ୍ସ୍ୟଜୀବୀଙ୍କୁ ମିଳିଲା ଆଣ୍ଡାମାନ ଓ ନିକୋବରର ଦ୍ୱୀପ ସେବା ପୁରସ୍କାର

ବଙ୍ଗୋପ ସାଗରରେ ଏକ ଭଙ୍ଗା ଦଦରା ଡଙ୍ଗାରେ ଦିଗହରା ହୋଇ ଦୁଇ ମାସ ଧରି ଘୁରି ବୁଲୁଥିଲେ ସେ । ତାଙ୍କ ସହ ଥିବା ତାଙ୍କ ବନ୍ଧୁଙ୍କର ମୃତ୍ୟୁ ଘଟିଥିଲା । ପୁରୀର ଏହି ମତ୍ସ୍ୟଜୀବୀ ଦ୍ୱୟ ତାଙ୍କୁ ଉଦ୍ଧାର କରି ତାଙ୍କ ପ୍ରାଣ ବଞ୍ଚାଇ ଥିଲେ ।

ମାନବ ସେବାକୁ ସଲାମ: ପୁରୀର ଦୁଇ ମତ୍ସ୍ୟଜୀବୀଙ୍କୁ ମିଳିଲା ଆଣ୍ଡାମାନ ଓ ନିକୋବରର ଦ୍ୱୀପ ସେବା ପୁରସ୍କାର
ପୁରସ୍କାର ଗ୍ରହଣ କରୁଛନ୍ତି କାଳୁ ଓ କନ୍ଧ (ମଝି ଓ ଡାହାଣ); ବାମ ପଟେ କୁଜୁର
  • News18 Odia
  • Last Updated: February 3, 2020, 12:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଆଣ୍ଡାମାନ ଓ ନିକୋବର ଦ୍ବୀପର ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ ସମୟରେ ସାହାଯ୍ୟ କରିଥିବା ଯୋଗୁଁ ଓଡ଼ିଶାର ଦୁଇ ଜଣ ଲୋକଙ୍କୁ ସେଠାକାର ଏକ ପୁରସ୍କାର ଓ ସେ ବାବଦରେ କିଛି ଧନରାଶି ମିଳିଛି ।

ବ୍ରହ୍ମଗିରି ଖିରିସାହିର ମତ୍ସ୍ୟଜୀବୀ ଦ୍ୱୟ କାଳୁ ବେହେରା ଓ କନ୍ଧ ବେହେରାଙ୍କୁ ଆଣ୍ଡାମାନ ଓ ନିକୋବରର ‘ଦ୍ୱୀପ ସେବା ପୁରସ୍କାର’ ମିଳିଛି । ସେ ଦୁହେଁ ବହୁଚର୍ଚ୍ଚିତ ଆଣ୍ଡାମାନ ନାବିକ ଅମ୍ରିତ କୁଜୁରଙ୍କୁ ଉଦ୍ଧାର କରିଥିବା ଯୋଗୁଁ ଏ ପୁରସ୍କାର ପାଇଛନ୍ତି । ସେମାନଙ୍କୁ ଚାଳିଶି ହଜାର ଟଙ୍କା ଲେଖାଏଁ ଚ଼େକ୍‌ ଦ୍ୱାରା ଦିଆଯାଇ ଦ୍ବୀପ ତରଫରୁ ସମ୍ମାନିତ କରାଯାଇଛି ।

ଆଣ୍ଡାମାନ ବାସିନ୍ଦା ଅମ୍ରିତ କୁଜୁର ଦିଗହରା ହୋଇ ଦୀର୍ଘ ଦୁଇ ମାସ ଧରି ସମୁଦ୍ର ଭିତରେ ଯାତ୍ରା କରିବା ପରେ ଯେତେବେଳେ ଖିରିସାହି ନିକଟ ସମୁଦ୍ରରେ ପହଞ୍ଚି ଥିଲେ, ଏହି ଦୁଇ ମତ୍ସ୍ୟଜୀବୀ ତାଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । କୁଜୁର ନୂଆ ଜୀବନ ପାଇ ଆଣ୍ଡାମାନ ଫେରିଥିଲେ ।

ଆଣ୍ଡାମାନ ଓ ନିକୋବର ଦ୍ବୀପର ପରମ୍ପରା ଅନୁଯାୟୀ ସେ ଦ୍ୱୀପର କୌଣସି ବ୍ୟକ୍ତିଙ୍କୁ ଦ୍ୱୀପ ବାହାରର କୈାଣସି ବ୍ୟକ୍ତି ଯଦି ସାହାଯ୍ୟ କରନ୍ତି, ତେବେ ଆଣ୍ଡାମାନ ଓ ନିକୋବର ଆଇଲ୍ୟାଣ୍ଡ ପ୍ରୋଟେକ୍ସନ ଫୋରମ ସେହି ସାହାଯ୍ୟକାରୀଙ୍କୁ ‘ଦ୍ୱୀପ ସେବା ପୁରସ୍କାର’ ପ୍ରଦାନ କରିଥାଏ ।

ଆଣ୍ଡାମାନର ନାବିକ ଅମ୍ରିତ କୁଜୁର ଅଗଷ୍ଟ ମାସରେ ଆଣ୍ଡାମାନର ପୋର୍ଟ ବ୍ଲେୟାରରୁ ସହିଦ ଦ୍ବୀପ ଅଭିମୁଖେ ବାହାରିଥିଲେ । ହେଲେ ସେଠାରେ ନ ପହଞ୍ଚି ସାମୁଦ୍ରିକ ଝଡରେ ସେ ସମୁଦ୍ରରେ ନିଖୋଜ ହୋଇ ମିଆଁମାର ଓ ଶେଷରେ ପୁରୀ ନିକଟସ୍ଥ ଏକ ବେଳାଭୂମିରେ ଅଚେତ ହୋଇ ପଡ଼ିଯାଇଥିଲେ । ତାଙ୍କ ସହ ଥିବା ତାଙ୍କ ବନ୍ଧୁ ରଞ୍ଜନ ବିଶ୍ବାସଙ୍କର ମୃତ୍ୟୁ ଘଟିଥିଲା ।

‘‘ବଙ୍ଗୋପ ସାଗରରେ ଦିଗହରା ହୋଇ ଘୁରି ବୁଲିବା ସମୟରେ ମୁଁ ବହୁ ବାର ମୃତ୍ୟୁର ସାମ୍ନା କରିଥିଲି । ମୁଁ ଏକ ଭଙ୍ଗା ଦଦରା ଡଙ୍ଗାରେ ଦୁଇ ମାସ ଧରି ସମୁଦ୍ର ଭିତରେ ଲୁଣିପାଣି ପିଇ ବୁଲିବା ପରେ ଶେଷରେ ପୁରୀ ନିକଟସ୍ଥ ଏକ ବେଳାଭୂମି ନିକଟରେ ଅଚେତ ଅବସ୍ଥାରେ ଭାସୁଥିଲି । ସେତିକି ବେଳେ ମୋତେ ଏହି ବାପ ପୁଅ ଦ୍ୱୟ ବଞ୍ଚେଇଥିଲେ,’’ ଉଦ୍ଧାର ହେବାର କିଛି ଦିନ ପରେ ନ୍ୟୁଜ୍‌ ୧୮ ଓଡ଼ିଆ ଡିଜିଟାଲକୁ କହିଥିଲେ କୁଜୁର ।

ଉଦ୍ଧାର ହେବା ପରେ ପୁରୀରେ ଚ଼ିକିତ୍ସିତ ହେଉଛନ୍ତି ଅମ୍ରିତ କୁଜୁର । (ଫାଇଲ୍ ଫଟୋ)


ଗତ ଅକ୍ଟୋବର ୨୫ ତାରିଖରେ ଖିରିସାହିର କନ୍ଧ ବେହେରା ଓ ତାଙ୍କ ପୁଅ ଡଙ୍ଗାରେ ମାଛ ମାରି ଫେରୁଥିବା ବେଳେ କୁଜୁରକୁ ଦେଖିଥିଲେ । ସେ ଯେଉଁ ସ୍ଥାନରେ ପଡ଼ିଥିଲେ ସେଠାକୁ କ୍ବଚିତ କେହି ଯାଆନ୍ତି । ସେଠାରୁ କୁଜୁରଙ୍କୁ ଉଦ୍ଧାର କରି ନିଜ ଘରକୁ ନେଇ ଖାଇବା ପିଇବାକୁ ଦେଇଥିଲେ ସେମାନେ । ପରେ ପୁରୀ ଜିଲ୍ଲା ପ୍ରଶାସନର ପକ୍ଷରୁ ତାଙ୍କର ଚିକିତ୍ସା କରାଯାଇଥିଲା । ଅତିଥି ରୂପେ ତାଙ୍କର ଚର୍ଚ୍ଚା ବି କରାଯାଇଥିଲା।

ତା’ପରେ ଆଣ୍ଡାମାନର ନାବିକ ଅମ୍ରିତ କୁଜୁରଙ୍କ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଥିଲା । ଖିରିସାହିର ଲୋକେ ବହୁତ ସାହାଯ୍ୟ କରିବା ସହ ଫୋନ ଯୋଗେ ତାଙ୍କ ଘରକୁ ସେ ବଞ୍ଚିଥିବା ଜଣାଇଥିଲେ । ଓଡ଼ିଶା ସରକାରଙ୍କ ଚେଷ୍ଟାରେ କୁଜୁର ଘରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ କାହାଣୀ ବଖାଣିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସେ ବଞ୍ଚିଥିଲେ ବୋଲି କହିଥିଲେ ।

ଏ ଘଟଣା ଜାଣିବା ପରେ ଆଣ୍ଡାମାନ ଓ ନିକୋବରର ଆଇଲ୍ୟାଣ୍ଡ ପ୍ରୋଟେକ୍ସନ ଫୋରମ ପକ୍ଷରୁ ପୁରୀର ଏହି ଦୁଇ ମତ୍ସ୍ୟଜୀବୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ଜାନୁଆରୀ ୨୬ରେ ପୁରସ୍କାର ଦିଆଯିବ ବୋଲି ନିମନ୍ତ୍ରଣ କରାଯାଇଥିଲା  । ସେଦିନ ଖିରିସାହିର କାଳୁ ବେହେରା ଓ କନ୍ଧ ବେହେରାଙ୍କୁ ଆଇଲ୍ୟାଣ୍ଡ ପ୍ରୋଟେକ୍ସନ ଫୋରମ ପକ୍ଷରୁ ଦିଆଗଲା ସମ୍ଭର୍ଦ୍ଧନା ।

ଆଇଲ୍ୟାଣ୍ଡ ପ୍ରୋଟେକ୍ସନ ଫୋରମର ସଭାପତି ଏମ୍‌.ଟି. ମୁସ୍ତାଫା ଦୁଇ ମତ୍ସ୍ୟଜୀବୀଙ୍କୁ ଦ୍ୱୀପ ସେବା ପୁରସ୍କାରରେ ସମ୍ମାନିତ କରିଥିଲେ । ପୁରସ୍କାର ପାଇବା ପରେ କନ୍ଧ ବେହେରା କହିଛନ୍ତି ଯେ ଜଣେ ଭାରତୀୟ ଓ ସଚ୍ଚୋଟ ନାଗରିକ ସହ ମତ୍ସ୍ୟଜୀବୀ ଭାବେ ସେ ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି ।

ପରେ ଏହି ଦୁଇ ମତ୍ସ୍ୟଜୀବୀ କୁଜୁରଙ୍କୁ ଭେଟିବା ସହ ତାଙ୍କ ସ୍ତ୍ରୀ ଲିଲି ଓ ଦୁଇ ଝିଅଙ୍କ ସହ ଖୁସିର ସଂସାର ଦେଖି ଭାରି ଆନନ୍ଦିତ ବୋଲି କହିଛନ୍ତି । ତେବେ ଖୁଜୁରଙ୍କର ଏଭଳି ଅଦମ୍ୟ ସାହସ ତାଙ୍କୁ ନୂଆ ଜୀବନ ଦେଇଛି । ବର୍ତ୍ତମାନ ସେ ନିଜ ଘରେ ପହଞ୍ଚି ପିଲାଛୁଆଙ୍କୁ ଦେଖି ବେଶ ଖୁସିରେ ଅଛନ୍ତି । ସେଠି ପହଞ୍ଚିବା ପରେ ନୌକାରେ କାମ କରିବା ଛାଡି ସେ ଏକ ତେଜରାତି ଦୋକାନ କରି ଜୀବିକା ନିର୍ବାହ କରୁଛନ୍ତି ।
First published: February 3, 2020, 12:06 AM IST