News18 Odia Digital
ବାଲେଶ୍ଵର: ଶସ୍ତା ହେବ ଇଲିସି, ଚିଙ୍ଗୁଡ଼ି, ଶିଳା ଭଳି ଲୁଣି ମାଛ । ଦୀର୍ଘ ଦୁଇମାସ ବନ୍ଦ ପରେ ଆଜି ସମୁଦ୍ରକୁ ମାଛ ମାରିବାକୁ ବାହାରିଛନ୍ତି ଟ୍ରଲର ।
ଆଜିଠାରୁ ପୁଣି ମାଛ ମାରିବାକୁ ସମୁଦ୍ରକୁ ବାହାରିଛନ୍ତି ଟ୍ରଲର । ଏନେଇ ବଳରାମଗଡ଼ି ଟ୍ରଲର ସଂଘ ପକ୍ଷରୁ ପ୍ରଥମେ ଟ୍ରଲର ପୂଜା କରିବା ପରେ ଜାଲ ଟଣା ଯାଇଥିଲା ଏହାପରେ ପ୍ରଥମ ମାଛ ଉଠାଇ ସାରି ଟ୍ରଲର ମାନେ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ।
ସରକାରଙ୍କ ନିୟମ ଅନୁସାରେ ଏପ୍ରିଲ ୧୫ ରୁ ଜୁନ ୧୫ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଥାଏ । ଏହି ଦୁଇମାସ ମାଛ ମାନଙ୍କର ପ୍ରଜନନ ସମୟ ହୋଇଥିବାରୁ କଟକଣା ଲଗାଇଥାଏ ମତ୍ସ୍ୟ ବିଭାଗ। ତେବେ ବୁଧବାର ସକାଳ ୬ଟାରେ ଏହି କଟକଣା ସମୟ ଶେଷ ହେବା ପରେ ଟ୍ରଲର ଗୁଡ଼ିକ ଜୁଆର ସମୟ ସକାଳ ୧୦ ଟାରୁ ୧୨ ଟା ମଧ୍ୟରେ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ବାହାରି ଯାଇଛନ୍ତି । ଅନ୍ୟପଟରେ ଏବେ ମୌସୁମୀ ବର୍ଷା ଆସିବାକୁ ଥିବାବେଳେ ବର୍ଷା ହେଲେ ଅଧିକ ଇଲିସ ମାଛ ଜାଲରେ ଲାଗିଥାନ୍ତି ଏଣୁ ବର୍ତ୍ତମାନ ମୌସୁମୀ ବର୍ଷା ଆସିବାକୁ ଥିବାବେଳେ ବର୍ଷା ହେଲେ ସମୁଦ୍ର ମଧ୍ୟକୁ ଯାଇଥିବା ଟ୍ରାଲରରେ ଅଧିକ ମାଛ ଧରାପଡିବା ଆଶା ରଖିଛନ୍ତି ମତ୍ସ୍ୟଜୀବୀ । ସେହିପରି ଟ୍ରଲର ଗୁଡିକ ଫେରିଲେ ଦୁଇମାସ ହେବ ଚଢ଼ା ଦରରେ ବିକ୍ରି ହେଉଥିବା ଲୁଣି ମାଛର ଦର ହ୍ରାସ ପାଇବ ବୋଲି ମଧ୍ୟ କୁହାଯାଉଛି ।
"ସରକାରଙ୍କ ନିୟମ ଅନୁସାରେ ଆମେ ଏପ୍ରିଲ ୧୫ ତାରିଖରୁ ମାଛ ଧରା ବନ୍ଦ କରିଥିଲୁ। ସମସ୍ତ ଟ୍ରଲର କୂଳକୁ ଫେରି ଆସିଥିଲେ। ଏହି ସମୟରେ ଆମର ଟ୍ରଲର ଗୁଡିକ ମରାମତି କରଯାଇ ଥାଏ ଓ ରଙ୍ଗ ଦିଆଯାଇଥାଏ । ସେହିପରି ମାଛ ଧରିବା ପାଇଁ ଜାଲ ବନାଇବା , ଶେଷବୁକୁ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଲଗାଇବା ଆଦି କାର୍ଯ୍ୟ କରାଯାଇଥାଏ । ଶେଷରେ ବୁଧବାର ଜୁନ ୧୫ ତାରିଖ କଟକଣା ହଟିବା ପରେ ଏବେ ମାଛ ଧରିବାକୁ ଟ୍ରଲର ବାହାରିଛି। ଏନେଇ ଗତକାଲି ଠାରୁ ଆବଶ୍ୟକୀୟ ତେଲ , ଖାଦ୍ୟ ,ବରଫ ସବୁ ଟ୍ରଲରରେ ଭର୍ତ୍ତି କରାଯାଇଥିଲା,"କହିଛନ୍ତି ବଳରାମ ଗଡ଼ି ଟ୍ରଲର ଆସୋସିଏସନର ସହକାରୀ ସମ୍ପାଦକ ଲକ୍ଷ୍ମୀଧର ସ୍ୱାଇଁ।
"ସାଧାରଣତଃ ଏପ୍ରିଲ ରୁ ଜୁନ ୧୫ ମାଛ ଧରିବା ବନ୍ଦ ହେବା ଫଳରେ ଏହି ସମୟରେ ବଜାରରେ ମାଛର ଆଵଶ୍ୟକତା ପୂରଣ ହୋଇପାରି ନଥାଏ। ତେବେ ଚଳିତ ଥର ମୌସୁମୀ ବାୟୁ ଦୁଇ ଦିନ ଭିତରେ ଆସିଯିବାର ସମ୍ଭାବନା ଥିବାରୁ ଇଲିସ ମାଛ ଅଧିକ ଧରା ପଡ଼ିବା ସମ୍ଭାବନା ରହିଛି । ମୁଖ୍ୟତଃ ବର୍ଷା ହେଲେ ମାଛ ଗଭୀର ସମୁଦ୍ରରୁ ଉପରକୁ ଆସିଥାନ୍ତି ଏଣୁ ବର୍ଷା ହେଲେ ଇଲିସ ଅଧିକ ଆମଦାନୀ ହେବାର ଆଶା ଦେଖା ଦେଉଛି,"କହିଛନ୍ତି ଟ୍ରଲର ମାଲିକ ସଞ୍ଜୟ ଦାସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।