ପୁରୀ: ମତ୍ସ୍ୟ ବିଭାଗର ସେ ପିଅନ; ଚାକିରି କରାଇଦେବେ କହି ଠକିନେଲେ ୧୦ ଲକ୍ଷ ଟଙ୍କା, ଗିରଫ ହେଲେ

ପିଅନ ହୋଇ ନିଜକୁ ଅଫିସର ବୋଲି କହିବୁଲୁଥିଲେ ଦିନେଶ ମିଶ୍ର । ଚାକିରି ଓ ଋଣ ଯୋଗାଇଦେବେ କହି ବେକାର ଯୁବକମାନଙ୍କ ଠାରୁ ସେ ଟଙ୍କା ଠକି ଚାଲିଥିଲେ । ଯୁବକମାନେ ଏହି ଠକେଇର ପ୍ରମାଣ ପୋଲିସକୁ ଦେଇଛନ୍ତି ।

ପୁରୀ: ମତ୍ସ୍ୟ ବିଭାଗର ସେ ପିଅନ; ଚାକିରି କରାଇଦେବେ କହି ଠକିନେଲେ ୧୦ ଲକ୍ଷ ଟଙ୍କା, ଗିରଫ ହେଲେ
ଦିନେଶ ମିଶ୍ର ଓ (ଡାହାଣ) ତାଙ୍କ ଠକେଇର ଶିକାର କିଛି ଯୁବକ
  • News18 Odia
  • Last Updated: October 1, 2020, 11:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ନିଜକୁ ମତ୍ସ୍ୟ ବିଭାଗର ସେକେଣ୍ଡ୍‌ ଅଫିସର୍‌ ବୋଲି ପରିଚୟ ଦେଇ କେତେକ ବେକାର ଯୁବକଙ୍କ ଠାରୁ ସେ ଲକ୍ଷାଧିକ ଟଙ୍କା ଠକିନେଇଥିଲେ । ନା ଚାକିରି ଦେଉଥିଲେ ନା ଟଙ୍କା ଫେରାଉଥିଲେ । ସେହି ଠକ ଜଣକ ହେଲେ ପୁରୀ ମତ୍ସ୍ୟ ବିଭାଗ ଅଫିସର ପିଅନ ୩୮ ବର୍ଷୀୟ ଦିନେଶ ମିଶ୍ର । ଖାଲି ଚାକିରି ନୁହେଁ; କିଛି ଯୁବକଙ୍କୁ ମତ୍ସ୍ୟ ଚାଷ ପାଇଁ ଋଣ ଯୋଗାଇ ଦେବାକୁ କହି ବି ସେ ଟଙ୍କା ନେଇଥିଲେ । ସମୁଦାୟ ୧୦ ଲକ୍ଷ ଟଙ୍କା ସେ ଠକିନେଇଥିବା ଅଭିଯୋଗ ହୋଇଛି ।

ଠକେଇର ଶିକାର ହୋଇଥିବା ଯୁବକମାନେ ଠକ ଦିନେଶକୁ ଧରି ପୁରୀ ସଦର ଥାନାରେ ଦେବା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସରକାରୀ ଚାକିରିରେ ରହି ବିଭାଗ ନାଁରେ ଏ ଭଳି ଠକେଇ କରିଥିବାରୁ ଦିନେଶ ମିଶ୍ରଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

ଠକେଇର ଶିକାର ହୋଇଥିବା ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ ୩୦ ବର୍ଷୀୟ ପ୍ରକାଶ କୁମାର ସ୍ୱାଇଁଙ୍କ କହିବା ଅନୁସାରେ ତାଳଚେରର ବାସିନ୍ଦା ଦିନେଶ ମିଶ୍ର ପୁରୀରେ ମୁକୁନ୍ଦ ମିଶ୍ର ନଗରରେ ରହନ୍ତି । ସେ ଏକ ଏସି କିଣିବା ପାଇଁ ଦୋକାନକୁ ଆସି ଫାଇନାନ୍ସ କରିବା ବେଳେ ତାଙ୍କ ସହ ସମ୍ପର୍କ ସ୍ଥାପନ ହୋଇଥିଲା  । ‘‘ସେ ପୁରୀ ସିଟି ରୋଡରେ ଥିବା ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେକେଣ୍ଡ ଅଫିସର ଅଛନ୍ତି ବୋଲି କହିଥିଲେ । ତା’ ପରେ ମୋତେ ଫୋନ କରି ପଚାରିଲେ ତମର ଚାକିରି ଦରକାର କି? ମୋତେ ତାଙ୍କ ବିଭାଗରେ ଚାକିରି କରାଇଦେବେ ବୋଲି କହିଲେ । ତେଣୁ ମୁଁ ଓ Dନ୍ୟ କେତେକ ବ୍ୟକ୍ତି ଚାକିରି ଆଶାରେ ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ଟଙ୍କା ଦେଇଥି୍ଲୁ । ସେ ଫିସରିଜ୍ ଆକ୍ୱାଟିକ କମ୍ପାନୀର ଏକ ଅଫର ଲେଟର ବି ଦେଇଥିଲେ । ତେବେ ଟଙ୍କା ସବୁ ଦେଇସାରିଲେ ଚାକିରି ଦିଆଯିବ ବୋଲି କହିଥିଲେ । ଆଉ କିଛି ପିଲାଙ୍କୁ ମାଛ ଚାଷ ପାଇଁ ୩୦ ଲକ୍ଷ ଟଙ୍କା ଲେଖାଏଁ ଋଣ କରାଇଦେବେ ବୋଲି କହି ସେମାନଙ୍କ ଠାରୁ ମଧ୍ୟ ଟଙ୍କା ସେ ନେଇଥିଲେ,’’ କହିଛନ୍ତି ସ୍ୱାଇଁ ।

ଠକେଇର ଶିକାର ଜଗଦୀଶ ମହାପାତ୍ରଙ୍କ ଅଭିଯୋଗ ଉପରେ ବିଭାଗୀୟ ଚିଠି


ଠକେଇର ଶିକାର ହୋଇଥିବା ୨୮ ବର୍ଷୀୟ ଯୁବକ ମାନସ ବେହେରା କହିଛନ୍ତି ଯେ ଦିନେଶ ମିଶ୍ର ତାଙ୍କର ଚାକିରି କରାଇଦେବାକୁ କହି ଟଙ୍କା ମାଗିଥିଲେ । ‘‘ମୁଁ କିଛି ନଗଦ ଟଙ୍କା ଦେଇଥିଲି ଓ ଆଉ କିଛି ଟଙ୍କା ତାଙ୍କ ଆକାଉଣ୍ଟ ଓ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲି । ଅନ୍ୟ ଅନେକ ପିଲା ବି ଏହି ଭଳି ଟଙ୍କା ଟ୍ରାନ୍ସଫର କରିଛନ୍ତି । ପାଖାପାଖି ୧୦ ଲକ୍ଷ ଟଙ୍କା ସେ ଏହି ଭଳି ଚାକିରି କରାଇଦେବାକୁ କହି ଠକି ନେଇଛନ୍ତି । ଆମେ ତାଙ୍କୁ ଚାକିରି ବିଷୟରେ ପଚାରିଲେ ‘ହଁ ହେବ, ଆରମାସରେ ହେବ’ ବୋଲି କହୁଥିଲେ,’’ ସେ କହିଛନ୍ତି ।

୨୦୧୯ ଜୁଲାଇ ମାସରୁ ଦିନେଶ ମିଶ୍ର ଏମିତି ଟଙ୍କା ନେଇଚାଲିଥିବା ବେଳେ ଫେରାଇବା କି ଚାକିରି ବିଷୟରେ ପଚାରିଲେ କିଛି ନ କହି ଟଙ୍କା ଦେଇଥିବା ଯୁବକମାନଙ୍କୁ ଧମକାଉଥିଲେ ବୋଲି ସେ କହିଛନ୍ତି । ‘‘ଫୋନ କଲେ ବି ସେ ଉଠାଉ ନ ଥିଲେ । ତାଙ୍କ ନାଁରେ ଠକ ବୋଲି ପୋଷ୍ଟର ବି ଲଗାଗଲା । ତାଙ୍କ ଅଫିସ ସମେତ ବିଭିନ୍ନ ଜାଗାରେ ଆମେ ପୋଷ୍ଟର ଲଗାଇଲୁ । ଏହି ପୋଷ୍ଟର ଦେଖି ଅନେକ ପିଲା ଋଣ ପାଇଁ ତାଙ୍କୁ ଟଙ୍କା ଦେଇଥିଲେ ବୋଲି ଆମକୁ ଜଣାଇଲେ,’’ କହିଛନ୍ତି ବେହେରା ।

ଦିନେଶ ମିଶ୍ରଙ୍କୁ ଦିଆଯାଇଥିବା ଟଙ୍କାର ଅନେକ ପ୍ରମାଣରୁ ଗୋଟିଏ


ଠକେଇର ଶିକାର ହୋଇଥିବା ନିମାପଡ଼ା ଶମ୍ଭୁଭାରତୀ ପାଟଣା ଗ୍ରାମର ୨୫ ବର୍ଷୀୟ ଯୁବକ ଜଗଦୀଶ ମହାପାତ୍ର ଦିନେଶଙ୍କ ଠକେଇକୁ ନେଇ ୨୦୨୦ ଜୁଲାଇ ୯ରେ ମୁଖ୍ୟ ଶାସନ ସଚିବଙ୍କୁ ଏକ ଇ-ଅଭିଯୋଗ କରିଥିଲେ । ‘‘ତା’ ପର ଦିନ ଅର୍ଥାତ ଜୁଲାଇ ୧୦ରେ ସେହି ଅଭିଯୋଗକୁ ବିଭାଗୀୟ ତଦନ୍ତ ପାଇଁ ପଠାଯାଇଥିଲା । ହେଲେ ତା’ର କୌଣସି ନିର୍ଯ୍ୟାସ ଏଯାବତ ଆମ ପାଖରେ ପହଞ୍ଚି ନାହିଁ । ତେଣୁ ଆମେ ଦିନେଶଙ୍କ ଠକେଇ କାରନାମାକୁ ନେଇ ଗାଁ ଗହଳିରୁ ଆରମ୍ଭ କରି ସବୁଠି ଏକ ପୋଷ୍ଟର ଲଗାଇଥିଲୁ । ବର୍ତ୍ତମାନ ସେ ଗିରଫ ହୋଇସାରିଥିବା ବେଳେ କିଭଳି ଆମ ସେ ଟଙ୍କା ସବୁ ଫେରିପାଇବୁ ସେ ନେଇ ଚିନ୍ତାରେ ଅଛୁ,’’ କହିଛନ୍ତି ମହାପାତ୍ର ।

ପୂର୍ବରୁ ମଧ୍ୟ ଦିନେଶଙ୍କ ନାଁରେ ମତ୍ସ୍ୟ ବିଭାଗକୁ ଏମିତି ଠକେଇ ନେଇ ଅଭିଯୋଗ କରାଯାଇଥିଲା। ଅଫିସକୁ ଯାଇ ଅଭିଯୋଗ କରିବା ବେଳେ ‘‘ହଁ ଦେଖିବୁ’’ କହି ଅଧିକାରୀମାନେ ଯୁବକମାନଙ୍କୁ ଫେରାଇ ଦେଉଥିଲେ । ଚଳିତ ମାସ ୧୮ ତାରିଖରେ ଦିନେଶ ଅଫିସ ଆସିଥିବା ଖବର ପାଇ ପାଞ୍ଚ ଜଣ ଯୁବକ ସିଧାସଳଖ ସେଠି ପହଞ୍ଚିଥିଲେ । ତାଙ୍କୁ ଅଫିସ ବାହାରକୁ ଡାକି କଥାବାର୍ତ୍ତା କରି ଚାକିରି କଥା ପଚାରିଥିଲେ ।

ଏହା ବି ପଢ଼ନ୍ତୁ | ହାଥରସ ପରେ UPରେ ପୁଣି ଏକ ନାବାଳିକାର ରେପ୍ ପରେ ହତ୍ୟା ହେଲା; ମଥାକୁ ପଥରରେ ଛେଚିଲେ

ଏହା ବି ପଢ଼ନ୍ତୁ | ହାଥରସକୁ ପଦଯାତ୍ରା ବେଳେ ରାହୁଳ ଗାନ୍ଧି ତଳେ ପଡ଼ିଗଲେ, କହିଲେ ପୋଲିସ ଠେଲି ଦେଲା

‘‘ଦିନେଶ ମିଶ୍ର ଆମକୁ ଧମକ ଦେବାରୁ ତାଙ୍କୁ ଗାଡ଼ିରେ ବସାଇ ସିଧାସଳଖ ସଦର ଥାନାକୁ ଆଣି ଜିମା ଦେଲୁ ଓ ଥାନାରେ ଏତାଲା ଦେଲୁ । ସେଥିରେ ସେ ୨୦୧୯ ଜୁଲାଇ ୨୧ରୁ ଡିସେମ୍ବର ମଧ୍ୟରେ ଭିନ୍ନ ଭିନ୍ନ ସମୟରେ ଚୁକ୍ତିନାମା ମାଧ୍ୟମରେ ନଅ ଜଣଙ୍କ ଠାରୁ ୧୦ ଲକ୍ଷ ୨୨ ହଜାର ୪ ଶହ ଟଙ୍କା ଠକି ନେଇଥିବା କଥା ବର୍ଣ୍ଣନା କଲୁ । ସେ ମତ୍ସ୍ୟ ବିଭାଗର ଷ୍ଟାମ୍ପ ବ୍ୟବହାର କରି ନକଲି ଜଏନିଂ ଲେଟର ମଧ୍ୟ ଇସ୍ୟୁ କରିଥିଲେ ବୋଲି ଜଣେଇଲୁ । ତା’ ସହିତ ଟଙ୍କା ନେଇଥିବାର ଭିଡିଓ ଓ ଆକାଉଣ୍ଚକୁ ଟଙ୍କା ଟ୍ରାନ୍ସଫରର ମିନି ଷ୍ଟେଟମେଣ୍ଟ ଓ ସ୍କ୍ରିନସଟ ସବୁ ପୋଲିସକୁ ଦେଇଥିଲୁ,’’ କହିଛନ୍ତି ଠକେଇର ଶିକାର ହୋଇଥିବା ଯୁବକ ଚାରିନଳା ବିଶ୍ୱନାଥ ବିହାରର ପ୍ରଶାନ୍ତ କୁମାର ସ୍ୱାଇଁ ।



ଅତିରିକ୍ତ ମତ୍ସ୍ୟ ଅଧିକାରୀ ରବିନ୍ଦ୍ର ମହାନ୍ତି କହିଛନ୍ତି ଯେ ତାଙ୍କ ଅଫିସରୁ କିଏ ଜଣେ ଷ୍ଟାଫଙ୍କୁ କିଡନାପ କରି ନେଇଗଲା  ବୋଲି ସେ ଖବର ପାଇଥିଲେ । ‘‘ଦିନେଶର ମୋବାଇଲ ଫୋନକୁ କଲ୍‌ କଲେ ସେ ରିସିଭ କରୁ ନ ଥିଲା । ତେଣୁ ଏ ନେଇ ମୁଁ ସମୁଦ୍ରକୁଳ ଥାନାରେ ଏକ ଅଭିଯୋଗ କରିଥିଲି । ଅପରାହ୍ନ ୪ଟା ବେଳକୁ ଦିନେଶ ଫୋନ କରି ସେ ସଦର ଥାନାରେ ଥିବା କଥା କହିଲା । ସେଠି ଘଟଣା ସମ୍ପର୍କରେ ବୁଝିବା ପରେ ଠକେଇ କରିଥିବା ଘଟଣା ଜଣାପଡ଼ିଥିଲା । ଏ ନେଇ ପୋଲିସ ତାକୁ ଗିରଫ କରିଛି । ମୁଁ ଏହା ବିଷୟରେ ପୁରୀ ମତ୍ସ୍ୟ ବିଭାଗର ଅତିରିକ୍ତ ଅଧିକାରୀ ଓ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରିଛି । ସରକାରୀ ଚାକିରିରେ ରହି ବିଭାଗ ନାଁରେ ଏମିତି ଠକେଇ କରିଥିବାରୁ ତା’ ନାଁରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଲେଖାଯାଇଛି,’’ କହିଛନ୍ତି ମହାନ୍ତି ।
Published by: Anand Shankar Thankur Das
First published: October 1, 2020, 11:35 PM IST
corona virus btn
corona virus btn
Loading