ଭୁବନେଶ୍ୱର ଏମ୍ସରେ ପ୍ରଥମ ସଫଳ କିଡ୍‌ନୀ ପ୍ରତିରୋପଣ; ଯୋଡ଼ି ହେଲା ସଫଳତାର ଆଉ ଏକ ମାଇଲଖୁଣ୍ଟ

ଏମ୍ସରେ ହୋଇଥିବା ପ୍ରଥମ ପ୍ରତିରୋପଣ ପିତା ପୁତ୍ରଙ୍କ ମଧ୍ୟରେ ହୋଇଥିଲା । ଅସୁସ୍ଥ ପୁଅଙ୍କୁ ପିତା ନିଜ କିଡ୍‌ନୀ ଦାନ କରିଥିଲେ । ତେବେ ପ୍ରତିରୋପଣ ପରେ ଉଭୟ ପିତା ପୁତ୍ର ସୁସ୍ଥ ଅଛନ୍ତି ।

ଭୁବନେଶ୍ୱର ଏମ୍ସରେ ପ୍ରଥମ ସଫଳ କିଡ୍‌ନୀ ପ୍ରତିରୋପଣ; ଯୋଡ଼ି ହେଲା ସଫଳତାର ଆଉ ଏକ ମାଇଲଖୁଣ୍ଟ

ଭୁବନେଶ୍ୱର ଏମ୍ସରେ ପ୍ରଥମ ସଫଳ କିଡ୍‌ନୀ ପ୍ରତିରୋପଣ; ଯୋଡ଼ି ହେଲା ସଫଳତାର ଆଉ ଏକ ମାଇଲଖୁଣ୍ଟ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ୱରରେ ସଫଳତାର ସହିତ ବହୁ ପ୍ରତିକ୍ଷୀତ ପ୍ରଥମ କିଡ୍‌ନୀ ପ୍ରତି‌ରୋପଣ ସମ୍ପନ୍ନ ହୋଇଛି । ଗତମାସ ୩୦ରେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ କିଡ୍‌ନୀ ପ୍ରତିରୋପଣ ସଫଳ ହୋଇଛି। ଏମ୍ସରେ ହୋଇଥିବା ପ୍ରଥମ ପ୍ରତିରୋପଣ ପିତା ପୁତ୍ରଙ୍କ ମଧ୍ୟରେ ହୋଇଥିଲା । ଅସୁସ୍ଥ ପୁଅଙ୍କୁ ପିତା ନିଜ କିଡ୍‌ନୀ ଦାନ କରିଥିଲେ । ତେବେ ପ୍ରତିରୋପଣ ପରେ ଉଭୟ ପିତା ପୁତ୍ର ସୁସ୍ଥ ଅଛନ୍ତି । କିଡ୍‌ନୀ ଦାତାଙ୍କୁ ପ୍ରତିରୋପଣର ତୃତୀୟ ଦିନରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା ।



ସେହିପରି କିଡ୍‌ନୀ ପ୍ରତିରୋପଣ ହୋଇଥିବା ଯୁବକଙ୍କୁ ମଧ୍ୟ ଇତିମଧ୍ୟରେ ଡିସ୍‌ଚାର୍ଜ କରାଯାଇଛି । ଡିସ୍‌ଚାର୍ଜ ପରେ ଯୁବକଙ୍କ ପରିସ୍ରା ଫଳାଫଳ, ରକ୍ତ ପରୀକ୍ଷା ଫଳ ଏବଂ କ୍ରିଏଟିନାଇନ୍‌ ସ୍ତର ସାଧାରଣ ରହିଥିବା ଚିକିତ୍ସକମାନେ ପ୍ରକାଶ କରିଛନ୍ତି । ଉଭୟ ସୁସ୍ଥ ଥିବାରୁ ଏହି ପ୍ରତିରୋପଣରେ ସାମିଲ ଡାକ୍ତରୀ ଦଳ ସନ୍ତୋଷ ପ୍ରକାଶ କରିଛନ୍ତି ।  ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡ ଆଶୁତୋଷ ବିଶ୍ୱାସ ପ୍ରଥମ ସଫଳ କିଡ୍‌ନୀ ପ୍ରତିରୋପଣରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଏଥିରେ ସଂପୃକ୍ତ ଡାକ୍ତରୀ ଦଳ ଏବଂ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ଡ. ବିଶ୍ୱାସ କହିଛନ୍ତି ଯେ ମଧୁମେହ(ଡାଇବେଟିସ୍), ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ କିଡ୍‌ନୀ ରୋଗର ବୃଦ୍ଧି ସହିତ ସମାଜରେ କ୍ରୋନିକ୍ କିଡନୀ ରୋଗ (ସିକେଡି) ସଂଖ୍ୟା ବୃଦ୍ଧି ପାଉଛି । ଏଣୁ ପୂର୍ବ ଭାରତରେ ବୃକକ୍‌ ପ୍ରତିରୋପଣ ସେବାର ଆବଶ୍ୟକତା ବୃଦ୍ଧିପାଉଛି । ଘରୋଇ ଡାକ୍ତରଖାନା ଗୁଡ଼ିକରେ ପ୍ରତିରୋପଣ ପ୍ରକ୍ରିୟା ବ୍ୟୟବହୁଳ ହୋଇଥାଏ । ମାତ୍ର ଏମ୍ସରେ ଏହି ସେବା ଆରମ୍ଭ ହେବାରୁ ସମାଜର ସମସ୍ତ ବର୍ଗର ଲୋକ ସୁଲଭ ମୂଲ୍ୟରେ ପ୍ରତିରୋପଣ ସେବାର ଲାଭ ନେବା ସହିତ ସୁସ୍ଥ ରହିପାରିବେ ବୋଲି ଡ. ବିଶ୍ୱାସ ପ୍ରକାଶ କହିଛନ୍ତି । ଏଥିସହିତ ଏମ୍ସ ଭୁବନେଶ୍ୱର ନିକଟ ଭବିଷ୍ୟତରେ ଯକୃତ ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ଆରମ୍ଭ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ଡ. ବିଶ୍ୱାସ ସୂଚନା ଦେଇଛନ୍ତି । କିଡ୍‌ନୀ ପ୍ରତିରୋପଣ ଆରମ୍ଭ କରିଥିବାରୁ ଏମ୍ସ ଭୁବନେଶ୍ୱର ପ୍ରେସିଡେଣ୍ଟ୍‌ ପ୍ରଫେସର (ଡ) ସୁବ୍ରତ ଆଚାର୍ଯ୍ୟ ମଧ୍ୟ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ମେଡିକାଲ୍‌ ଅଧୀକ୍ଷକ ଡ. ଏସ୍ ଏନ୍‌ ମହାନ୍ତି ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି ।

କିଡ୍‌ନୀ ପ୍ରତିରୋପଣ କରିଥିବା ଡାକ୍ତରୀ ଦଳରେ ନେଫ୍ରୋଲୋଜି (ବୃକକ୍‌) ବିଭାଗର ଡ. ସନ୍ଦିପ ପଣ୍ଡା ନେତୃତ୍ୱ ନେଇଥିଲେ । ସେହିପରି ସର୍ଜିକାଲ ଟିମ୍‌ର ମୁଖ୍ୟ ୟୁରୋଲୋଜି ବିଭାଗ ମୁଖ୍ୟ ଡ. ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ. ମନୋଜ ଦାସ, ଡ. ସ୍ୱର୍ଣ୍ଣେନ୍ଦୁ ମଣ୍ଡଳ, ଡ. ସମ୍ବିତ ତ୍ରିପାଠୀ ପ୍ରମୁଖ ଡାକ୍ତରୀ ଦଳର ଅଂଶ ଥିଲେ । ଏଥିସହିତ ଅନ୍ତଃଅନୁଷ୍ଠାନ ସହଯୋଗ ସ୍ୱରୂପ ପିଜିଆଇଏମ୍‌ଇଆର୍‌ ଚଣ୍ଡିଗଡ଼ର ପ୍ରଫେସର ଦୀପେଶ ବେଞ୍ଜାମିନ୍ କେନୱାର ଏମ୍ସରେ ହୋଇଥିବା କିଡନୀ ପ୍ରତିରୋପଣରେ ପରାମର୍ଶ ଦେବା ନିମନ୍ତେ ଉପସ୍ଥିତ ଥିଲେ । ପ୍ରଫେସର ସତ୍ୟଜିତ ମିଶ୍ରଙ୍କ ନେତୃତ୍ୱରେ ଆନାସ୍ଥେସିଆ (ନିଶ୍ଚେତକ) ଦଳରେ ଡ. ଭାସ୍କର ରାଓ ଏବଂ ଡ. ସୌମ୍ୟ ସରକାର ସାମିଲ ଥିଲେ । ପ୍ରତିରୋପଣ ସଂଯୋଜକ ନିରଞ୍ଜନ ପରମାଣିକଙ୍କ ସମେତ ଓଟି ଏବଂ ଟ୍ରାନ୍ସପ୍ଲାଣ୍ଟ୍‌ ଆଇସିୟୁ କର୍ମଚାରୀ ଏହି ପ୍ରତିରୋପଣରେ ସହଯୋଗ କରିଥିଲେ । ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରିଥିବାରୁ ଏମ୍ସ ଭୁବନେଶ୍ୱରର ପ୍ରାଶାସନିକ ଦଳର ଉଦ୍ୟମକୁ ନିର୍ଦ୍ଦେଶକ ଡ. ବିଶ୍ୱାସ ପ୍ରଶଂସା କରିଛନ୍ତି । କିଡ୍‌ନୀ ପ୍ରତିରୋପଣ ନିମନ୍ତେ ଏମ୍ସରେ ସଂଖ୍ୟାଧିକ ରୋଗୀ ପଞ୍ଜିକରଣ କରୁଛନ୍ତି ।
Published by:Soubhagya Mishra
First published: