News18 Odia Digital
ବ୍ରହ୍ମପୁର: ଗଞ୍ଜାମ (Ganjam) ଜିଲ୍ଲାରେ ପ୍ରଥମ ଟଙ୍କା ସଂଗ୍ରହାଳୟ (Money Museum) ଖୋଲିଛନ୍ତି ଭଞ୍ଜନଗରର ବାଲାଜୀ ସୁବୁଦ୍ଧି। ସମସ୍ତଙ୍କ ରୁଚି ଥାଏ ଭିନ୍ନ ଭିନ୍ନ। ଠିକ ସେହିପରି ଗଞ୍ଜାମ ଭଞ୍ଜନଗରର ବ୍ୟବସାୟୀ ବାଲାଜୀ ସୁବୁଦ୍ଧିଙ୍କ ମଧ୍ୟ ରୁଚି ରହିଛି ନିଆରା। ଦୀର୍ଘ ୨୫ ବର୍ଷ ହେଲା ବାଲାଜୀ ବିଭିନ୍ନ ଦେଶର କଏନ୍ ଓ ନୋଟ ସଂଗ୍ରହ କରି ରଖିଛନ୍ତି।
ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦ଟି ଦେଶର ନୋଟ ସାଙ୍ଗକୁ ୧୫୦୦ ରୁ ୨ ହଜାରରୁ ଅଧିକ କଏନ୍ ରହିଛି। ଏହାସହିତ ଭାରତରେ ବର୍ତ୍ତମାନ ଅଚଳ ହୋଇ ପଡ଼ିଥିବା ୧ ଟଙ୍କା ଠାରୁ ଆରମ୍ଭ କରି ୧ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ ଓ କଏନ୍ ମଧ୍ୟ ରହିଛି।
ଆଉ ଏଭଳି ଟଙ୍କା ସଂଗ୍ରହାଳୟ ନିହାତି ଭାବେ ଲିମକା ବୁକ୍ ଅଫ ରେକର୍ଡ଼ରେ ସାମିଲ ହେବ ବୋଲି ଆଶାବାଦୀ ଅଛନ୍ତି ବାଲାଜୀ ସୁବୁଦ୍ଧି।

ଟଙ୍କା ସଂଗ୍ରହାଳୟ
ବର୍ତ୍ତମାନ ଡ଼ିଜିଟାଲର ଯୁଗ। ଲୋକେ ଟଙ୍କା ନେଣଦେଣ ପାଇଁ ଆଉ ନୋଟ ଓ କଏନ୍ର ବ୍ୟବହାର ନ କରି ଅନଲାଇନର ଅତ୍ୟାଧିକ ବ୍ୟବହାର କରୁଛନ୍ତି। କେବଳ ଏଥିକି ନୁହେଁ ବରଂ ଭାରତରେ ଦିନକୁ ଦିନ ଅନେକ କଏନ୍ ଓ ନୋଟ ଅଚଳ ହେଉଥିବା ବେଳେ ଏହାର ପ୍ରତିବଦଳରେ ନୂଆ ନୂଆ ନୋଟ ଓ କଏନ୍ ବଜାରକୁ ଆସୁଛି।
ଏହି ସମୟରେ କିଭଳି ଭାବେ ଅଚଳ ହୋଇଥିବା ନୋଟ ଓ କଏନକୁ ସଂଗ୍ରହ କରାଯାଇ ଆଗାମୀ ପିଢ଼ି ପାଇଁ ସ୍ମତି କରି ରଖାଯାଇପାରିବ ସେ ନେଇ ଏକ ନିଆରା ଉଦ୍ୟମ କରିଛନ୍ତି ଗଞ୍ଜାମ ଭଞ୍ଜନଗର ଅଞ୍ଚଳର ବାଲାଜୀ ସୁବୁଦ୍ଧି।

ଗଞ୍ଜାମ ଜିଲ୍ଲାରେ ପ୍ରଥମ ଟଙ୍କା ସଂଗ୍ରହାଳୟ
ବାଲାଜୀ ଭଞ୍ଜନଗରରେ ବ୍ୟବସାୟ କରୁଥିବା ବେଳେ ବ୍ରହ୍ମପୁର ପ୍ରେମ ନଗର ସ୍ଥିତ ନିଜ ବଡ଼ ଭଉଣୀଙ୍କ ଘରେ ଆସି ରହୁଛନ୍ତି । ବାଲାଜୀଙ୍କ ରୁଚି ମଧ୍ୟ ଏକ ନିଆରା ଓ ସମସ୍ତଙ୍କ ଠାରୁ ଭିନ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ । ବାଲାଜୀ ଦୀର୍ଘ ୨୫ ବର୍ଷ ହେଲା ନୋଟ ଓ କଏନ୍ ସଂଗ୍ରହ କରି ରଖି ଆସୁଛନ୍ତି ।
ବନ୍ଧୁ, ଆତ୍ମୀୟ କିମ୍ବା ସମ୍ପକୀୟମାନେ ଯଦି କୌଣସି ଦେଶ ପରିଭ୍ରମଣ ଅଥବା କାମରେ ଯାଇଥିବା ନେଇ ଖବର ମିଳେ ତେବେ ସେମାନଙ୍କୁ ସେହି ଦେଶର ନୋଟ କିମ୍ବା କଏନ ଆଣିବା ନିମନ୍ତେ କହିଥାଏ ସୁବୁଦ୍ଧି।
ଆଉ ସେହି କଏନ ଓ ନୋଟକୁ ଆଣି ସଂଗ୍ରହାଳୟରେ ରଖୁଛନ୍ତି ସେ। ଅନେକ ଲୋକେ ଏହି ଟଙ୍କାର ସଂଗ୍ରହାଳୟକୁ ଆସୁଥିବା ବେଳେ କିଛି ଲୋକେ ନିଜ ପାଖରେ ରହିଥିବା ଭିନ୍ନ ନୋଟ ଓ କଏନକୁ ମଧ୍ୟ ସଂଗ୍ରହାଳୟରେ ରଖିବା ନିମନ୍ତେ ଦେଇଥାନ୍ତି ବୋଲି କହିଛନ୍ତି ବାଲାଜୀ ସୁବୁଦ୍ଧି।

ବାଲାଜୀ ସୁବୁଦ୍ଧି ଟଙ୍କା ମ୍ୟୁଜିୟମ
ପିଲାଟି ଦିନରୁ ବାଲାଜୀଙ୍କ ରୁଚି ଥିଲା ଟଙ୍କାର ସଂଗ୍ରହାଳୟ କରିବା। ତେବେ ନୋଟ ଓ କଏନ ସଂଗ୍ରହ କରି ବର୍ତ୍ତମାନ ଏତେ ପରିମାଣରେ ସଂଗ୍ରହ କରି ରଖିବ ବୋଲି କେହି ଭାବି ପାରିନଥିଲେ। ନିଜ ବନ୍ଧୁ ପରିଜନଙ୍କ ଠାରୁ ବିଭିନ୍ନ ଦେଶରୁ କଏନ ଓ ନୋଟ ସଂଗ୍ରହ କରି ରଖିଛି।
ତାଙ୍କର ଏହି ଟଙ୍କା ସଂଗ୍ରହାଳୟକୁ ଦେଖିବା ନିମନ୍ତେ ଲୋକଙ୍କ ଭିଡ଼ ଲାଗିଥାଏ । ଆଉ ଏହି ସଂଗ୍ରହାଳୟକୁ ଯେଉଁମାନେ ଦେଖନ୍ତି ସେମାନେ ବାଲାଜୀଙ୍କ ପ୍ରଶଂସା କରିଥାନ୍ତି। ଏଭଳି ଆଗକୁ ଅଧିକ କଏନ ଓ ନୋଟ ରଖନ୍ତୁ ଯାହାକି ଆଗାମୀ ଦିନର ପିଢ଼ି ପାଇଁ ଏକ ଉଦାହରଣ ହେବ ବୋଲି କହିଛନ୍ତି ବାଲାଜୀଙ୍କ ବଡ଼ ଭଉଣୀ ଟି.ଅନୁରାଧା।
ବାଲାଜୀଙ୍କ ଏଭଳି ରୁଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହାତରେ ଟଙ୍କା ପଡ଼ିଲେ ଯେକେଭି ତାକୁ ଖର୍ଚ୍ଚ କରିବାକୁ ଚାହିଁଥାଏ। କିନ୍ତୁ ତାହାକୁ ଖର୍ଚ୍ଚ ନ କରି ବିନା ସ୍ବାର୍ଥରେ ଆଗାମୀ ପିଢ଼ି ପାଇଁ ରଖିବା ଅତ୍ୟନ୍ତ କଷ୍ଟକର ବ୍ୟାପାର।

ଟଙ୍କା ସଂଗ୍ରହାଳୟକୁ ଦେଖିବା ନିମନ୍ତେ ଲୋକଙ୍କ ଭିଡ଼
ବାଲାଜୀ କେବଳ ଯେ ଟଙ୍କା ସଂଗ୍ରହ କରନ୍ତି ତାହା ନୁହେଁ ବରଂ ଚାଉଳ ବିଭିନ୍ନ ନାମ, ଚିତ୍ର ସହ ଅନ୍ୟାନ୍ୟ କଳାକୃତି ଦେବାରେ ମଧ୍ୟ ମାହିର ଅଛନ୍ତି ବାଲାଜୀ। ଆଉ ବାଲାଜୀଙ୍କୁ ନିଜ ପରିବାରର ସଦସ୍ୟ ରୂପେ ପାଇ ବେଶ ଗର୍ବିତ ବୋଲି କହିଛନ୍ତି ବାଲାଜୀଙ୍କ ଭିଣେଇ ଲକ୍ଷ୍ମୀ ନାରାୟଣ।
ଦୀର୍ଘ ୨୫ ବର୍ଷ ଧରି ଏଭଳି ନିଆରା ଓ ବିଭିନ୍ନ ଦେଶର ନୋଟ ଏବଂ କଏନ ସଂଗ୍ରହ କରି ଆସୁଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଭଳି ପ୍ରୟାସ ଜାରି ରହିବ। ଟଙ୍କା ସଂଗ୍ରହାଳୟ ନିଶ୍ଚିତ ଭାବେ ଲିମକା ବୁକ ଅଫ ରେକର୍ଡ଼ରେ ସାମିଲ ହେବ ବୋଲି ଆଶାବାଦୀ ଅଛନ୍ତି ବାଲାଜୀ ସୁବୁଦ୍ଧି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।