ବ୍ରହ୍ମପୁର ସହରରେ ଗଠନ ହେଲା ପ୍ରଥମ ପୁରୁଷ ସ୍ବୟଂ ସହାୟକ ଗୋଷ୍ଠୀ

ବ୍ରହ୍ମପୁର ସହରରେ ଗଠନ ହେଲା ପ୍ରଥମ ପୁରୁଷ ସ୍ବୟଂ ସହାୟକ ଗୋଷ୍ଠୀ । ୧୫୫ତମ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ୧୦୩ ସ୍ବୟଂ ସହାୟକ ଗୋଷ୍ଠୀକୁ ବଣ୍ଟନ କରାହୋଇଛି ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଋଣ ।

ବ୍ରହ୍ମପୁର ସହରରେ ଗଠନ ହେଲା ପ୍ରଥମ ପୁରୁଷ ସ୍ବୟଂ ସହାୟକ ଗୋଷ୍ଠୀ (ପ୍ରତୀକାତ୍ମକ ଛବି)

ବ୍ରହ୍ମପୁର ସହରରେ ଗଠନ ହେଲା ପ୍ରଥମ ପୁରୁଷ ସ୍ବୟଂ ସହାୟକ ଗୋଷ୍ଠୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପାଳନ କରୁଛି ୧୫୫ ତମ ସ୍ବାୟତ୍ତ ଶାସନ ଦିବସ । ବୁଧବାର ସ୍ବାୟତ୍ତ ଶାସନ ଦିବସ ଥିବା ବେଳେ ଆଜି ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲା ବିଏମସି  । ପ୍ରଥମ ଥର ନିମନ୍ତେ ପୁରୁଷଙ୍କ ଦ୍ବାରା ଗଠନ କରାଯାଇଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇଥିଲା । ଯାହକି କାର୍ଯ୍ୟକ୍ରମର ସବୁଠାରୁ ଆକର୍ଷଣୀୟ ରହିଥିଲା ।

ବ୍ରହ୍ମପୁର ସହରରେ ପ୍ରଥମ ଥର ନିମନ୍ତେ ପୁରୁଷ ମାନଙ୍କୁ ନେଇ ଗଠନ ହୋଇଛି ସ୍ବୟଂ ସହାୟକ ଗୋଷ୍ଠୀ । କେବଳ ଗୋଷ୍ଠୀ ଗଠନ କରାଯାଇଛି ତାହା ନୁହେଁ ବରଂ ସେମାନଙ୍କୁ ଆଗକୁ ବଢ଼ିବା ନିମନ୍ତ ସହାୟତାର ହାତ ମଧ୍ୟ ବଢ଼ାଇ ଦିଆଯାଇଛି । ଆଜି ବ୍ରହ୍ମପୁର ମହାନଗର ନିଗମ ସ୍ବାୟତ୍ତ ଶାସନ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲା । ନିଗମର କାର୍ଯ୍ୟାଳୟ ପରିସରରେ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କ ଦ୍ବାରା ଉତ୍ପାଦିତ ହେଉଥିବା ବିଭିନ୍ନ ସାମଗ୍ରୀକୁ ନେଇ ଏକ ମୀନା ବଜାରର ଶୁଭାରମ୍ଭ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆଇଜି ସତ୍ୟବ୍ରତ ଭୋଇ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

‘‘ଦୀର୍ଘ ବର୍ଷ ପରେ ମହାନଗର ନଗମ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ନେଇ ସ୍ବାୟତ୍ତ ଶାସନ ଦିବସ ପାଳନ କରୁଛି । ଯାହାକି ସହରର ଉନ୍ନତି ଦିଗରେ ବେଶ ସହାୟକ ହେବା ସହିତ ସହରକୁ ଆହୁରି ଆଗକୁ ବଢ଼ିବାରେ ସହାୟକ ହୋଇପାରିବ,‘‘ କହିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ।

‘‘ବ୍ରହ୍ମପୁର ସହରରେ ରହିଥିବା ଅସହାୟ ଓ ଗରୀବ ଲୋକଙ୍କ ପାଇଁ ଦୁଇଟି ସ୍ବର୍ଗ ରଥର ମଧ୍ୟ ଏହି ଅବସରରେ ଶୁଭାରମ୍ଭ କରାଯାଇଥିଲା । ଯେଉଁମାନେ ଆର୍ଥିକ ସ୍ବଚ୍ଛଳ ନାହାନ୍ତି ସେମାନେ ନିଜର ଆତ୍ମୀୟ ମାନଙ୍କର ମୃତ୍ୟୁ ହେବା ପରେ ସହର ବାହାରକୁ ଅଥବା ଅନ୍ୟ ସ୍ଥାନକୁ ମୃତଦେହକୁ ଏହି ଯାନ ସାହାଯ୍ୟରେ ନେଇପାରିବେ । ବ୍ରହ୍ମପୁର ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ ଏହି ଦୁଇଟି ସ୍ବର୍ଗରଥ ସହରବାସୀଙ୍କ ନିମନ୍ତେ ଉତ୍ସର୍ଗୀକୃତ କରାଯାଇଛି । ସହରବାସୀଙ୍କୁ ଅଧିକରୁ ଅଧିକ ପ୍ରଶାସନିକ ସ୍ତରରେ ଓ ଜନପ୍ରତିନିଧି ମାନଙ୍କ ଦ୍ବାରା ସୁବିଧା ସୁଯୋଗ ଦେବା ନିମନ୍ତେ ଏଭଳି ସ୍ବାୟତ୍ତ ଶାସନ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ,‘‘କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।

ସହରରେ ରହିଥିବା ମୋଟ ୧୦୩ଟି ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୩ କୋଟି ୭ ଲକ୍ଷ ୯୦ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ବ୍ରହ୍ମପୁର ସହରରେ ପ୍ରଥମ ଥର ନିମନ୍ତେ ପୁରୁଷ ମାନଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି । ସହରର ୧୦ ଜଣ ପଟ୍ଟରିକ୍ସା ଚାଳକ ମାନଙ୍କୁ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ହୋଇଛି ।

‘‘ଏହି ପୁରୁଷ ସ୍ବୟଂ ସହାୟକ ଗୋଷ୍ଠୀକୁ ଆଜି ବିଏମସି ପକ୍ଷରୁ ୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ଯାହାଫଳରେ ପୂର୍ବରୁ ରିକ୍ସା ଚାଳଇ ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ବର୍ତ୍ତମାନ ସେହି ଋଣକୁ ସମସ୍ତେ ଭାଗ ବାଣ୍ଟି ଅଟୋ ଚଳାଇ ଆଗକୁ ବଢ଼ିବା ନିମନ୍ତେ ଚେଷ୍ଟା କରିବୁ । ଏଭଳି ଋଣ ଦ୍ବାରା ନିଶ୍ଚିତ ଭାବେ କିଛି ଗୁଜୁରାଣ ମେଣ୍ଟାଇବାରେ ଏହା ସହାୟକ ହେବ,‘‘ କହିଛନ୍ତି ରିକ୍ସା ଚାଳକ ନବୀନ ସେଠୀ ।
Published by:Soumya Das
First published: