CM ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ

ଏହି ଉପସ୍ଥାପନା ଅନୁଯାୟୀ ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଓ ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

CM ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ

CM ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ

  • Share this:
News18 Odia Digital

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭାଗର ପରିବର୍ତ୍ତନଶୀଳ ପଦକ୍ଷେପ ସମ୍ପର୍କରେ ଏକ ଉପସ୍ଥାପନା ରଖିଥିଲେ।

ଏହି ଉପସ୍ଥାପନା ଅନୁଯାୟୀ ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଓ ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହିସବୁ ପ୍ରକଳ୍ପରେ ପ୍ରଯୁକ୍ତି ବିଦ୍ୟା, ଟିମ୍‌ ୱାର୍କ, ଦାୟିତ୍ବବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ କରାଯାଇଛି। ଏହାଦ୍ବାରା ଓଡ଼ିଶାର ଜଳ ସମ୍ପଦ କ୍ଷେତ୍ରରେ ଏକ ରୂପାନ୍ତର ଆସିପାରିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସେଚନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ୫-ଟି କାର୍ଯ୍ୟକ୍ରମର ସଫଳ ପ୍ରୟୋଗ କରି ବହୁ ଦିନର ପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନେଇଥିବାରୁ ଜଳ ସମ୍ପଦ ବିଭାଗର ପ୍ରଶଂସା କରିଥିଲେ ଓ ବିଭାଗୀୟ ଇଞ୍ଜିନିୟରମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟ ସବୁ ବିଭାଗ ଏହିପରି ଅଭିନବ ପ୍ରୟୋଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବଲାଙ୍ଗୀର, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାର ଜିଲ୍ଲାପାଳମାନେ ସେଠାରେ ଚାଲିଥିବା ଜଳସେଚନ ପ୍ରକଳ୍ପ ଗୁଡିକରେ ବିସ୍ଥାପନ ପ୍ରକ୍ରିୟାକୁ କିପରି ତ୍ବରାନ୍ବି କରାଯାଇଛି, ସେ ସମ୍ପର୍କରେ ସୂଚନା ଦେଇଥିଲେ। ଆଲୋଚନା ପର୍ଯ୍ୟାଲୋଚନା, ସମ୍ବେଦନଶୀଳ ବ୍ୟବସ୍ଥା ଓ ଲୋକଙ୍କ ଭିତରେ ଭରସା ସୃଷ୍ଟି ଜରିଆରେ ବିସ୍ଥାପନ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଏହି ଉପସ୍ଥାପନରେ ଦେଓ ପ୍ରକଳ୍ପ, ଲୋୟର ସୁକତେଲ ପ୍ରକଳ୍ପ, ସୁବର୍ଣ୍ଣରେଖା, କାନୁପୁର, ଛେଳିଗଡ, ରେଙ୍ଗାଲି ଦକ୍ଷିଣ କେନାଲ, ରେଙ୍ଗାଲି ବାମ କେନାଲ ଓ ଆହୁରି ଅନେକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦିଆଯାଇଥିଲା। ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରୟୋଗ ଯଥା, ଭୂତଳ ପାଇପ ଲାଇନ ବ୍ୟବସ୍ଥାର ପ୍ରୟୋଗ, Geo Synthetic Mattress Lining, ସ୍କାଡା, ସ୍ବୟଂକ୍ରିୟ ଜଳ ପରିଚାଳନା ଆଦି ବିଭିନ୍ନ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଇଞ୍ଜିନିୟରିଂ ଜ୍ଞାନକୌଶଳ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସର୍ବନିମ୍ନ ସ୍ତର ପର୍ଯ୍ୟନ୍ତ ତୁରନ୍ତ ନିଷ୍ପତ୍ତି ଓ ଟିମ୍‌ ୱାର୍କ, ଦାୟିତ୍ବବାନ ପୁନର୍ବାସ, ସମ୍ବେଦନଶୀଳ ଯୋଗାଯୋଗ ସମ୍ପର୍କରେ ଉପସ୍ଥାପନା ରଖାଯାଇଥିଲା।

ପ୍ରାରମ୍ଭିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀ ସାଧାରଣ ଜୀବନରେ ସବୁବେଳେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଆସିଛନ୍ତି। ସ୍ବଚ୍ଛତାର ସହ ବିଭିନ୍ନ ଅଭିନବ ଉପାୟରେ ରାଜ୍ୟର ବିକାଶ ପାଇଁ ପଦକ୍ଷେପ ନେଲେ, ମୁଖ୍ୟମନ୍ତ୍ରୀ ସବୁବେଳେ ତାଙ୍କର ସହଯୋଗ ଓ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ।

ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପଗୁଡିକ ଯେଭଳି ଭାବରେ ଅଗ୍ରଗତି କରୁଛି, ଆଗାମୀ ୨-୩ ବର୍ଷ ମଧ୍ୟରେ ଏହା ଏକ ଶସ୍ୟଶ୍ୟାମଳା ଜିଲ୍ଲା ଭାବରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ସେ କହିଥିଲେ।

ଯାଜପୁର ଜିଲ୍ଲାରେ ୫-ଟି ସ୍କୁଲ ରୂପାନ୍ତରର ସହଯୋଗ ନେଇ ସ୍କୁଲ ଗୁଡିକରେ ମିଶନ ଶକ୍ତିର ମହିଳାମାନଙ୍କୁ ଅଭିନବ ଉପାୟରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହାଦ୍ବାରା ମିଶନ ଶକ୍ତିର ମହିଳାମାନେ ଡିଜିଟାଲ ଶିକ୍ଷା ପାଇପାରୁଛନ୍ତି। ବୈଠକରେ ଏହି ଅଭିନବ କାର୍ଯ୍ୟକ୍ରମର ପ୍ରଶଂସା କରାଯାଇଥିଲା।

ବୈଠକରେ ଅର୍ଥମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ନଗର ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ଜଳ ସମ୍ପଦ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।
Published by:Lipina Das
First published: