News18 Odia Digital
କଟକ: ଥାନାରେ ଖୋଲିଲା ଚିଲଡ୍ରେନ୍ ଜୋନ। ରାଜ୍ୟର ପ୍ରଥମ ଥାନା ଭାବେ କଟକ ବିଡାନାସୀ ଥାନାରେ ଆରମ୍ଭ ହୋଇଛି ଏହି ସ୍ବତନ୍ତ୍ର ବ୍ୟବସ୍ଥା। ବିଡ଼ାନାସୀ ଥାନାର ନବନିର୍ମିତ ଅଟାଳିକାକୁ ଉଦଘାଟନ କରିବା ସହ ଥାନାରେ ଥିବା ଏହି ଚିଲଡ୍ରେନକୁ ଉଦଘାଟିତ କରିଛନ୍ତି ପୋଲିସ ଡିଜି ସୁନିଲ ବଶଂଲ।
ବିଭିନ୍ନ ମାମଲାକୁ ନେଇ ଥାନାକୁ ଆସୁଥିବା ମହିଳା ଓ ସେମାନଙ୍କ ସହ ଆସୁଥିବା ଶିଶୁମାନଙ୍କୁ ଏକ ସୁସ୍ଥ ବାତାବରଣ ପ୍ରଦାନ କରିବା ହେଉଛି ଏହି ଚିଲଡ୍ରେନ ଜୋନର ଲକ୍ଷ୍ୟ। ଏଠାରେ କୁନି କୁନି ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ତଥା ସୁନ୍ଦର ଖେଳ ସାମଗ୍ରୀ ରଖାଯାଇଛି। ଏହା ବ୍ୟତୀତ ସ୍ତନ୍ୟପାନ କରାଯାଉଥିବା ମହିଳାମାନଙ୍କ ପାଇଁ ମଧ୍ୟ ଏହି ଥାନାରେ ଏକ ସ୍ବତନ୍ତ୍ର ପ୍ରକୋଷ୍ଠ ରହିଛି।
"ଏହି ଥାନାକୁ ଚାଇଲ୍ଡ ଫ୍ରେଣ୍ଡଲି ପୋଲିସ ଷ୍ଟେସନ ଭାବରେ ଆମେ ନେଇଛୁ। ଯେତେ ବେଳେ କୌଣସି ଅଭିଯୋଗ ନେଇ କୌଣସି ମହିଳା ନିଜ ପିଲାଙ୍କୁ ସାଥିର ଧରି ଥାନାକୁ ଆସୁଛନ୍ତି, ସେହି ସମୟରେ ମହିଳାମାନଙ୍କ ସହ ତାଙ୍କ ସହିତ ଆସିଥିବା କୁନି ପିଲାମାନଙ୍କ ମନରେ ଥାନାକୁ ଦେଖି ଯେପରି କୌଣସି ନକାରାତ୍ମକ ଭାବନା ସୃଷ୍ଟି ନହୁଏ ସେଥିପାଇଁ କି ଏହି ନୂଆ ବ୍ୟବସ୍ଥା କରାଯାଇଛି," କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦଦର୍ଶୀ।

କଟକ ବିଡାନାସୀ ଥାନାରେ ଖୋଲିଲା ରାଜ୍ୟର ପ୍ରଥମ ଚିଲଡ୍ରେନ୍ ଜୋନ
କେବଳ ଚିଲଡ୍ରେନ ନୁହେଁ ବରଂ ନୂଆ କରି ଉଦଘାଟିତ ହୋଇଥିବା କଟକର ବିଡାନାସୀ ଓ ପୁରୀଘାଟ ଥାନାର ଅଟ୍ଟାଳିକାରେ ଏମିତି ବ୍ୟବସ୍ଥା ରହିଛି ଯାହାକି ରାଜ୍ୟରେ ପ୍ରଥମ। ସେଥିମଧ୍ୟରେ ରହିଛି କର୍ପୋରେଟ ଢାଞ୍ଚାରେ ପୋଲିସ କର୍ମଚାରୀଙ୍କ କାମ କରିବା ପାଇଁ ସ୍ବତନ୍ତ୍ର କ୍ୟାବିନ, ଜିମ୍ ଓ ଅତ୍ୟାଧୁନିକ କନଫରେନ୍ସ ରୁମ, ଆଇନ ସହାୟତା କେନ୍ଦ୍ର ଓ ନିଜ ଅଞ୍ଚଳରେ ଲାଗିଥିବା ବିଭିନ୍ନ ସିସିଟିଭିର ଫୁଟେଜକୁ ଅନୁଧ୍ୟାନ କରିବା ପାଇଁ ଏକ ସ୍ବତନ୍ତ୍ର ପ୍ରକୋଷ୍ଠ ଇତ୍ୟାଦି ରହିଛି।
ତେବେ ଏହି ଦୁଇଟି ଥାନାକୁ ଉଦଘାଟନ କରିବା ଅବସରରେ ଡିଜି ସୁନୀଲ ବଶଂଲ କହିଛନ୍ତି, "ପୋଲିସର ବିଭାଗର ଭିତ୍ତିଭୁମିର ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହି କ୍ରମରେ ରାଜ୍ୟରେ ପୋଲିସ ବିଭାଗ ବିଭିନ୍ନ ଭିତ୍ତିଭୂମିର ବିକାଶ କରାଯାଉଛି ନୂଆ ନୂଆ କୋଠାମାନ ତିଆରି ହେଉଛି। ଆପଣ ଦେଖିବେ ଆଗାମୀ କିଛି ବର୍ଷ ମଧ୍ୟରେ ପୋଲିସ ବିଭାଗର ଭିତ୍ତିଭୂମି ଆହୁରି ଭଲ ହେବ।’’
ଏହି ଅବସରରେ ପୋଲିସ ଡିଜି ଓ ପୋଲିସ କମିଶନରଙ୍କ ସହ କ୍ରାଇମ୍ ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା, କଟକ ଡିସିପି ପ୍ରତୀକ ସିଂ, କଟକ ମେୟର ସୁବାଷ ସିଂ ଓ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ପ୍ରମୁଖ ଉପସ୍ଥିତ ଥିଲେ।