ବାଲେଶ୍ୱରର ଇମାମି ପେପର ମିଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେଲା

ଅଗ୍ନିଶମ ବିଭାଗ ଓ ଏନ୍.ଡି.ଆର୍.ଏଫ୍.ର କର୍ମୀମାନଙ୍କୁ ନିଆଁକୁ ଆୟତ୍ତ କରିବାକୁ ଚ଼ାରି ଘଣ୍ଟା ସମୟ ଲାଗିଥିଲା । ନିଆଁ ଲାଗିବାର କାରଣ କମ୍ପାନୀ କତ୍ତୃପକ୍ଷଙ୍କ ଅବହେଳା ନା ଆଉ କିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ବାଲେଶ୍ୱରର ଇମାମି ପେପର ମିଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେଲା
ନିଆଁ ଲିଭେଇବା ପ୍ରୟାସ ଚ଼ାଲିଛି ।
  • News18 Odia
  • Last Updated: March 11, 2020, 12:22 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଜିଲ୍ଲାର ବାଳଗୋପାଳପୁର ସ୍ଥିତ ଇମାମି ପେପର ମିଲରେ ଆଜି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟହୋଇଯାଇଛି । ଅଗ୍ନିଶମ ବିଭାଗ ଓ ଏନ୍.ଡି.ଆର୍‌.ଏଫ୍‌. ମିଶି ଚ଼ାରି ଘଣ୍ଟାର କସରତ ପରେ ନିଆଁ ଆସିଥିଲା ଆୟତ୍ତକୁ । ନିଆଁ ଲାଗିବାର କାରଣକୁ ନେଇ କତ୍ତୃପକ୍ଷ କିଛି ସ୍ପଷ୍ଟ କରିନାହାନ୍ତି ।

ମିଲର ପଶ୍ଚିମ ପାର୍ଶ୍ଵରେ ଥିବା ଷ୍ଟକ ରୁମରୁ ଧୂଆଁ ବାହାରିବା ଦେଖି କମ୍ପାନୀରେ କାର୍ଯ୍ୟରତ କର୍ମଚାରୀମାନେ ଅଗ୍ନିଶମ ଅଧିକାରୀଙ୍କୁ ଖବର ଦେଇଥିଲେ । ବାଲେଶ୍ୱର ଜିଲ୍ଲା ଅଗ୍ନିଶମ ବିଭାଗର ଚ଼ାରିଟି ଦମକଳ ଗାଡ଼ି ଓ ଇମାମି ମିଲର ଗୋଟିଏ ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଥିଲେ । ବଡ଼ ଷ୍ଟକ ରୁମ ସହିତ ଚ଼ାରି ପାଖ ଆବଦ୍ଧ ରହିଥିବାରୁ ଦୁଇ ପାର୍ଶ୍ଵରେ ଥିବା ଦିସ୍ତା କ୍ରେନ ସାହାଯ୍ୟରେ ଭାଙ୍ଗିବା ପରେ ପାଣି ସ୍ପ୍ରେ ଆରମ୍ଭ ହୋଇଥିଲା । NDRF ର ଗୋଟିଏ ଟିମ ମଧ୍ୟ ପହଞ୍ଚିଥିଲା ।

‘‘ନିଆଁ ଲାଗିବା ନେଇ ଶ୍ରମିକ ଖବର ଦେଇଥିଲେ । ସେମାନେ ପ୍ରଥମେ ଧୂଆଁ ଦେଖି ଖବର ଦେବାପରେ ଆମେ ଦମକଳକୁ ଖବର ଦେଇ ନିଆଁ ଲିଭାଇବା କାମରେ ଲାଗିଥିଲୁ । ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ହେଲେ ସ୍ପଷ୍ଟ ହୋଇନି କଣ ପାଇଁ ଲାଗିଲା ନିଆଁ । ପଶ୍ଚିମ ପଟରେ ଥିବା ୩ ନମ୍ବର ଷ୍ଟକ ରୁମରେ ପ୍ରଥମେ ନିଆଁ ଲାଗିଥିଲା । ସେଠାରେ ଥିବା କାଗଜ ତିଆରି ପାଇଁ ଲକ୍ଷାଧିକ ଟଙ୍କାର କଞ୍ଚାମାଲ ନଷ୍ଟ ହୋଇଯାଇଛି,’’ କହିଛନ୍ତି ଇମାମି ପେପର ମିଲର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମୋନାଜ ପାଢ଼ୀ ।

ଅଗ୍ନିଶମ ବିଭାଗ ଓ ଏନ୍.ଡି.ଆର୍‌.ଏଫ୍‌. ମିଶି ନିଆଁକୁ ଆୟତ୍ତ କରିଥିଲେ ।


ଘଟଣାର ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଘଟଣା ସ୍ଥଳରେ ଉପଜିଲ୍ଲାପାଳ, ରେମୁଣା ତହସିଲଦାର ଓ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପହଞ୍ଚି ତଦାରଖ କରିଥିଲେ ।

‘‘ପ୍ରକୃତରେ କଣ ପାଇଁ ନିଆଁ ଲାଗିଲା ସେ ନେଇ ପ୍ରଶାସନ ତଦନ୍ତ କରିବ । ହେଲେ ସବୁଠାରୁ ବଡ଼ କଥା ଯେ ଏତେ ଜୋରରେ ନିଆଁ ଲାଗିଥିଲେ ବି କୌଣସି ଜନଜୀବନ କ୍ଷତି ହୋଇନି । କାମ କରୁଥିବା ସମସ୍ତ ଅଧିକାରୀ ଓ ଶ୍ରମିକ ସୁରକ୍ଷିତ ଅଛନ୍ତି,’’ କହିଛନ୍ତି ଉପଜିଲ୍ଲାପାଳ ନିଲୁ ମହାପାତ୍ର ।

ଜିଲ୍ଲା ଅଗ୍ନିଶମ ବିଭାଗରର ଅତିରିକ୍ତ ଅଧିକାରୀଙ୍କ ମତରେ ସର୍ଟ ସର୍କିଟ ଯୋଗୁଁ ଏ ଭଳି ନିଆଁ ଲାଗି ଥାଇପାରେ । ପୂର୍ବରୁ ଅନେକ ସମୟରେ ବଡ଼ ବଡ଼ ଫେକ୍ଟ୍ରି ରେ ଏଭଳି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । କମ୍ପାନୀର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲା ହେଲେ ଏହା କାମ କରୁଥିଲା ନା ନାହିଁ ତାହା ଯାଞ୍ଚରେ ଜଣା ପଡ଼ି ବୋଲି ସେ କହିଛନ୍ତି ।
First published: March 11, 2020, 12:22 AM IST
corona virus btn
corona virus btn
Loading