ଢେଙ୍କାନାଳ: ବୁଲା କୁକୁରକୁ ପିଟିବାରୁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ନାଁରେ FIR ହେଲା; ଘରୁ ପଳେଇଲେ

ବୁଲା କୁକୁରଟିକୁ ଏକ ଲୁହା ରଡ଼ରେ ସେ ଏମିତି ପିଟିଥିଲେ ଯେ ତା’ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ତା’ ପରେ ସେ ତାକୁ ଦଉଡି଼ରେ ବାନ୍ଧି ଘୋଷାଡି଼ ଘୋଷାଡି଼ ନେଉଥିବା ଦୃଶ୍ୟ ସି.ସି.ଟି.ଭି. କ୍ୟାମେରାରେ ବି କଏଦ ହୋଇଥିଲା ।

ଢେଙ୍କାନାଳ: ବୁଲା କୁକୁରକୁ ପିଟିବାରୁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ନାଁରେ FIR ହେଲା; ଘରୁ ପଳେଇଲେ
ସି.ସି.ଟି.ଭି. ଫୁଟେଜରୁ ଏକ ଦୃଶ୍ୟ; (ଡାହାଣ) ମୃତ ବୁଲା କୁକୁର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ବର୍ଷା ଦାଉରୁ ରକ୍ଷା ପାଇବାକୁ ଗୋଟିଏ ବୁଲା କୁକୁର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପୋର୍ଟିକୋରେ ଶୋଇଥିଲା । ତାକୁ ସେଇଠି ଶୋଇଥିବା ଦେଖି ରାଗରେ ଜର୍ଜରିତ ହୋଇ ସେ ଏକ ଲୁହା ରଡ଼ରେ ଏମିତି ପିଟିଲେ ଯେ ତା’ ମେରୁଦଣ୍ଡ ଭାଙ୍ଗିଗଲା । ତା’ ପରେ ତାକୁ ଏକ ବୁଦାରେ ଫିଙ୍ଗିଦେଲେ ସେ । ଏହି ଅମାନୁଷିକ କାର୍ଯ୍ୟ ପାଇଁ ଏବେ ଅଡ଼ୁଆରେ ପଡ଼ିଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ଅରଣ୍ୟ ପାଣି ।

ଢେଙ୍କାନାଳ ଟାଉନ୍‌ ଥାନା ଅନ୍ତର୍ଗତ ଶ୍ୟାମାଚରଣପୁର ଶୁଣ୍ଢିତଇଲା ଅଞ୍ଚଳରେ ବୁଲା କୁକୁରଟିକୁ ଦଉଡି଼ରେ ବାନ୍ଧି ଘୋଷାଡି଼ ଘୋଷାଡି଼ ନେଉଥିବାର ଦୃଶ୍ୟ ସି.ସି.ଟି.ଭି. କ୍ୟାମେରାରେ ବି କଏଦ ହୋଇଥିଲା । ଏହାକୁ ଆଧାର କରି ଢେଙ୍କାନାଳର ‘ବଜରଙ୍ଗ କ୍ଲବ୍‌’ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ଯୁବକମାନେ ଅରଣ୍ୟ ପାଣିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଟାଉନ୍‌ ଥାନାରେ ଏକ ଏତାଲା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ତୃଣମୂଳ କଂଗ୍ରେସର ଗର୍ଭବତୀ MP ନୁସରତ୍ ଜହାଁ କହିଲେ ସ୍ୱାମୀ ନିଖିଲ୍ ଜୈନଙ୍କ ସହ ତାହା ତାଙ୍କର ‘‘ବିବାହ ଥିଲା’’

କିଛି ଦିନ ତଳେ ସକାଳ ସମୟରେ ଘଟିଥିବା ଏହି ଘଟଣାରେ ବୁଲା କୁକୁରଟିକୁ ଲୁହା ରଡ଼ରେ ନିସ୍ତୁକ ମାଡ଼ ମାରିବା ପରେ ତାକୁ ଘର ବାହାରକୁ ଆଣି ପ୍ରଥମେ ଏକ ଡ୍ରେନରେ ପକେଇଦେଇଥିଲେ ପାଣି । ହେଲେ ମେରୁଦଣ୍ଡ ଭାଙ୍ଗିଯାଇଥିବାରୁ କୁକୁରଟି ଜୋର୍‌ ଆର୍ତ୍ତନାଦ କରୁଥିବାରୁ ସେ ତାକୁ ଡ୍ରେନରୁ ଉଠାଇ ଘୋଷାଡି଼ ଘୋଷାଡି଼ ନେଇଥିଲେ ଓ ଘରଠାରୁ ପାଖାପାଖି ୫୦ ମିଟର ଦୂରରେ ଥିବା ଏକ ବୁଦା ଭିତରେ ଫିଙ୍ଗିଦେଇ ଆସିଥିଲେ ।

ଥାନାରେ ଏତାଲା ଦେବାକୁ ଯାଇଥିବା ସ୍ୱେଚ୍ଛାସେବୀ ଯୁବକମାନେ


କିଛି ସମୟ ପରେ ଆଖପାଖ ଅଞ୍ଚଳର କିଛି ଲୋକ କୁକୁରଟିର ଅବସ୍ଥା ଦେଖି ‘ବଜରଙ୍ଗ କ୍ଲବ୍‌’କୁ ଖବର ଦେଇଥିଲେ । ସେହି ଅନୁଷ୍ଠାନର କିଛି ଯୁବକ ସେଠାରେ ପହଞ୍ଚି ମୁମୁର୍ଷୁ କୁକୁରଟିକୁ ଉଦ୍ଧାର କରି ସେଠି ଜଣେ ବ୍ୟକ୍ତିଙ୍କ ଘରେ ରଖିଥିଲେ । କୁକୁରଟିର ଅବସ୍ଥା ଭଲ ନ ଥିବାରୁ ପାଞ୍ଚ ଦିନ ଯାଏଁ ଜଣେ ପଶୁ ଚିକିତ୍ସକଙ୍କ ସହ ଯୋଗାଯୋଗ କରି ଔଷଧ ଓ ଇଞ୍ଜେକସନ ବି ଦେଇଥିଲେ ସେମାନେ । ହେଲେ ଏତେ ଚିକିତ୍ସା ପରେ ବି ଅବସ୍ଥା ସଙ୍ଗୀନ ଥିବାରୁ କୁକୁରଟି ମରିଯାଇଥିଲା ।

ଏହା ବି ପଢ଼ନ୍ତୁ | ଏବେ ହଜାରେ ବର୍ଷ ବଞ୍ଚିବ ମଣିଷ! ବୈଜ୍ଞାନିକ କହିଲେ ଲ୍ୟାବରେ ତିଆରି ହେବ ଅମରତ୍ୱର ଇଞ୍ଜେକ୍ସନ୍

‘‘ସହରର ବହୁ ଜାଗାରେ ‘ବଜରଙ୍ଗ କ୍ଲବ’ର ସଦସ୍ୟମାନେ ଗୋରୁ ଗାଇ ଓ କୁକୁରମାନଙ୍କୁ ଖାଇବାକୁ ଦେବାଠୁ ନେଇ ଚିକିତ୍ସା କରନ୍ତି । ଏହି କୁକୁରଟି ବୁଦା ଭିତରେ ସୁକୁସୁକୁ ହେଉଥିବା ଦେଖି ଆମେ ତାଙ୍କୁ ଖବର କରିଥିଲୁ । ଅନୁଷ୍ଠାନର ଯୁବକମାନେ ଏହି ବୁଲା କୁକୁରଟିକୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିଥିଲେ । ତା’ ଚିକିତ୍ସା ବାବଦରେ ପାଖାପାଖି ୧୫,୦୦୦ ଟଙ୍କା ବି ଖର୍ଚ୍ଚ କରିଛନ୍ତି । କିନ୍ତୁ କୁକୁରଟିର ଅବସ୍ଥା ଏତେ ଖରାପ ହୋଇପଡି଼ଥିଲା ଯେ ତାକୁ ବଞ୍ଚାଇବାର ସବୁ ଚେଷ୍ଟା ବିଫଳ ହେଲା । କଥା କହି ପାରୁ ନ ଥିବା ସାଧାରଣ ପଶୁ ଉପରେ ସମାଜର ଜଣେ ରକ୍ଷକସ୍ଥାନୀୟ ବ୍ୟକ୍ତି ଏଭଳି ଅମାନୁଷିକ ହିଂସା ଦେଖାଇବା ଖୁବ୍‌ ନିନ୍ଦନୀୟ,’’ କହିଛନ୍ତି ଶ୍ୟାମାଚରଣପୁର ବାସିନ୍ଦା ସମ୍ଭବ ସମ୍ବିତ ମିଶ୍ର ।

ଏହା ବି ପଢ଼ନ୍ତୁ | ଚୀନ୍ ଚାଲ୍ବାଜି ଜାରି ଅଛି; ଲଦ୍ଦାଖରେ LAC ଉପରେ ନିଜ ସୈନିକମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଲା

ଅରଣ୍ୟ ପାଣିଙ୍କ ଘର ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସି.ସି.ଟି.ଭି. ଫୁଟେଜ୍‌ ଦେଖାଇ ଢେଙ୍କାନାଳ ଟାଉନ୍‌ ଥାନାରେ ତାଙ୍କ ନାଁରେ ଏକ ଅଭିଯୋଗ କରିଛନ୍ତି ‘ବଜରଙ୍ଗ କ୍ଲବ’ର ସଭାପତି ଅମରେନ୍ଦ୍ର ସାମଲ । ‘‘ତାଙ୍କ ସହ ଏ ବିଷୟରେ ଆଲୋଚନା ପାଇଁ ଆମ ଅନୁଷ୍ଠାନର କିଛି ଯୁବକ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ସି.ସି.ଟି.ଭି. ଫୁଟେଜ ଭାଇରାଲ୍‌ ହେବା ଜାଣି ସେ ଘରୁ କେଉଁଆଡ଼େ ପଳାଇ ଯାଇଥିବା ତାଙ୍କ ପଡୋଶୀ ଆମକୁ କହିଥିଲେ,’’ କହିଛନ୍ତି ସାମଲ ।



‘‘ଏତାଲା ପାଇବା ପରେ ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ଟାଉନ୍‌ ଥାନାର ଆଇ.ଆଇ.ସି. ନମିତା ନାୟକ ।
Published by: Anand ST Das
First published: June 27, 2021, 11:52 PM IST