• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ‘କିରାସିନି, ପେଟ୍ରୋଲ୍ ରେଡି କରି ରଖ’ ବିବୃତି ପାଇଁ ଅଡ଼ୁଆରେ ପଡ଼ିଲେ କଂଗ୍ରେସ ନେତା ପ୍ରଦୀପ ମାଝି, FIR ହେଲା

‘କିରାସିନି, ପେଟ୍ରୋଲ୍ ରେଡି କରି ରଖ’ ବିବୃତି ପାଇଁ ଅଡ଼ୁଆରେ ପଡ଼ିଲେ କଂଗ୍ରେସ ନେତା ପ୍ରଦୀପ ମାଝି, FIR ହେଲା

ନବରଙ୍ଗପୁରରେ କଂଗ୍ରେସର ବନ୍ଦ ବେଳେ ହିଂସା ଉସ୍‌କେଇବା ଅଭିଯୋଗରେ ପୂର୍ବ ଏମ୍‌ପିଙ୍କ ନାଁରେ ଆଠଟି ଦଫାରେ ନିଜ ଆଡୁ ଏତଲା ରୁଜୁ କରିଛି ପୋଲିସ । ମାଝିଙ୍କ ବିବାଦୀୟ ବୟାନର ପ୍ରତିଟି ଶବ୍ଦ ଭିଡିଓ କ୍ୟାମେରାରେ ରେକର୍ଡ଼ ହୋଇ ରହିଛି ।

ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି

ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି

  • Share this:
ମନୋଜ ଜେନା | News18 Odia Digital

ଭୁବନେଶ୍ବର: ବିବାଦୀୟ ବୟାନ ଦେଇ ଅଡୁଆରେ ଛନ୍ଦି ହୋଇ ପଡ଼ିଛନ୍ତି ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି । ହିଂସାକୁ ଉସ୍‌କାଇବା ଅଭିଯୋଗରେ ତାଙ୍କ ନାଁରେ ଆଠଟି ଦଫା ଆଧାରରେ ନିଜ ଆଡୁ ଏତଲା ଦାୟର କରିଛି ନବରଙ୍ଗପୁର ଟାଉନ୍‌ ଥାନା ପୋଲିସ ।

ନବରଙ୍ଗପୁର ଜିଲ୍ଲାରେ ଜଣେ ନାବାଳିକା ସହ ଧର୍ଷଣ ପରେ ତାକୁ ହତ୍ୟା କରିବା ଘଟଣାର ପ୍ରତିବାଦରେ ଗୁରୁବାର କଂଗ୍ରେସର ବାର-ଘଣ୍ଟିଆ ବନ୍ଦ ଡାକରା ସମୟରେ କର୍ମୀଙ୍କୁ ଉସ୍‌କାଇବା ଭିଡିଓକୁ ନେଇ ଅଡୁଆରେ ପଡିଛନ୍ତି ପ୍ରଦୀପ ମାଝୀ । ଗତ ୧୩ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ୍‌ର ଗୁମଣ୍ଡଳୀ ଗାଁରେ ଘଟିଥିବା ନାବାଳିକାଙ୍କୁ ଧର୍ଷଣ ଏବଂ ହତ୍ୟା ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ଗୁରୁବାର ପ୍ରତିବାଦ କରିଥିଲା ଜିଲ୍ଲା କଂଗ୍ରେସ । ସେହି ସମୟରେ ଦଳୀୟ କର୍ମୀଙ୍କୁ ‘‘କିରାସିନି, ପେଟ୍ରୋଲ୍‌ ରେଡି କରି ରଖ’’ ବୋଲି ପ୍ରଦୀପ କହୁଥିବା ଭିଡିଓରେ ଦେଖିବାକୁ ଓ ଶୁଣିବାକୁ ମିଳିଥିଲା ।

ବନ୍ଦ ସମୟରେ ହିଂସାକୁ ଉସ୍‌କାଇବା ଅଭିଯୋଗରେ ଆଠଟି ଦଫା ଆଧାରରେ ପ୍ରଦୀପଙ୍କ ବିରୋଧରେ ଏତଲା ଦାୟର କରିଛି ନବରଙ୍ଗପୁର ଟାଉନ୍‌ ଥାନା ପୋଲିସ । ଦଫା ୧୨୦(ଖ), ୧୪୭, ୩୪୧, ୨୮୩, ୫୦୬, ୪୩୧, ୪୩୫, ୧୪୯ ଅନୁସାରେ ରୁଜୁ ହୋଇଛି ମାମଲା ।

‘‘ଦୋଷୀକୁ ନ ଧରିପାରିବାର ଅପରାଗତାକୁ ଲୁଚାଇବା ପାଇଁ ପୋଲିସ ଘଟଣାର ପ୍ରତିବାଦ କରୁଥିବା ଲୋକଙ୍କୁ ଦମନ କରିବାକୁ ଚେଷ୍ଟା କରୁଛି । ଏହାକୁ ମୁଁ ସାମ୍ନା କରିବାକୁ ପ୍ରସ୍ତୁତ । ଜଣେ କାହିଁକି, ସମସ୍ତଙ୍କ ବିରୋଧରେ ଏତଲା ଦିଅନ୍ତୁ ପୋଲିସ । ତେବେ ସେଠି ପ୍ରତିବାଦ ସମୟରେ କିଛି ବି ସାଧାରଣ ସମ୍ପତ୍ତି ନଷ୍ଟ ହୋଇନାହିଁ କିମ୍ବା ଏ ନେଇ କିଛି ଏତଲା ହୋଇନାହିଁ,’’ ଏତଲା ହେବା ପରେ ରାଜ୍ୟ ବାହାରେ ଥିବା ପ୍ରଦୀପ ମାଝି ଫୋନ୍‌ରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ


ଚଳିତ ମାସ ୧୩ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକର ଗୁମଣ୍ଡଳୀ ଗାଁରେ ଘଟିଥିଲା ଏକ ନାରକୀୟ ଘଟଣା । ଜଣେ ନାବାଳିକାଙ୍କୁ ଧର୍ଷଣ ଏବଂ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ହେଲେ ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ଉଠିଥିଲା ପ୍ରତିବାଦର ସ୍ବର ।

ଗତ ୨୬ ତାରିଖରେ ପୋଲିସର ଏହି ନିଷ୍କ୍ରିୟତା ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଜିଲ୍ଲା ବନ୍ଦ ଡାକରା ଦେଇଥିଲା । ଏହି ବନ୍ଦ ଡାକରା ସମୟରେ ଦଳୀୟ କର୍ମୀଙ୍କୁ ହିଂସା ପାଇଁ ପ୍ରଦୀପ ମାଝି ଉସ୍‌କାଉଥିବା ଭିଡିଓ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହାକୁ ନେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ।

ଗୋଟିଏ ପଟେ ପ୍ରଦୀପଙ୍କ ପାଇଁ ଅଡୁଆ ବଢୁଥିବା ବେଳେ ଏ ପଟେ ପ୍ରଦୀପଙ୍କ ବୟାନ ପାଇଁ ଦୁଃଖିତ ଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

‘‘ଘଟଣାର ବାସ୍ତବତା କ’ଣ ମୁଁ ଜାଣିନାହିଁ । କେଉଁ ସ୍ଥିତିରେ ପ୍ରଦୀପ ଏଭଳି ବୟାନ ଦେଲେ ତାହା ତଦନ୍ତ ସାପେକ୍ଷ । ବିସ୍ତୃତ ଘଟଣା କଣ ଏ ନେଇ ରିପୋର୍ଟ ମଗାଯିବ । ତେବେ ଘଟଣା ଯାହା ହେଉନା କାହିଁକି, ଦଳର ଜଣେ ବରିଷ୍ଠ କର୍ମକର୍ତ୍ତାଭାବେ ପ୍ରତି ଘଟଣାରେ ସେ ସଂଯମ ବଜାୟ ରଖିବା ଜରୁରୀ,’’ କହିଛନ୍ତି ପିସିସି ସଭାପତି ।

ପଟ୍ଟନାୟକ ଆହୁରି କହିଛନ୍ତି: ‘‘କଂଗ୍ରେସ ଦଳ ଆରମ୍ଭରୁ ଗାନ୍ଧୀଙ୍କ ଅହିଂସା ନୀତିକୁ ଅନୁସରଣ କରିଆସିଛି । ଏହା ହେଉଛି ଦଳର ନୀତି ଓ ଆଦର୍ଶ । ଏଥିରୁ ଦଳ କେବେ ବି ବିଚ୍ୟୁତ ହୋଇନାହିଁ କି ହେବ ନାହିଁ । ତେଣୁ ଦଳ ଭିତରେ ହିଂସାର ସ୍ଥାନ ନାହିଁ’’ ।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି: ‘‘ବଳାତ୍କାର ଓ ହତ୍ୟା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଆନ୍ଦୋଳନ ହେବା ଦରକାର । ତେବେ ହିଂସା ମାର୍ଗରେ ନୁହେଁ, କାରଣ କଂଗ୍ରେସ ଏବେ ବି ଗାନ୍ଧୀ ନୀତିରେ ବିଶ୍ବାସ କରେ ।’’ ବିଧାୟକ ତାରା ବାହିନିପତି କହିଛନ୍ତି: ‘‘ଦଳରେ ଗାନ୍ଧିବାଦୀକୁ ହତ୍ୟା କରାଯାଇ ନାହିଁ । କଂଗ୍ରେସ ସବୁ ବେଳେ ଗାନ୍ଧିବାଦୀ ଆଦର୍ଶରେ ଅନୁପ୍ରାଣିତ । ତେବେ କେଉଁ ସ୍ଥିତିରେ ପ୍ରଦୀପ ମାଝୀ ଏଭଳି ମନ୍ତବ୍ୟ ଦେଇଛନ୍ତି ମୁଁ ଜାଣିନାହିଁ’’ । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି: ‘‘ଦଳର ଜଣେ ଶୃଙ୍ଖଳିତ ସଦସ୍ୟଭାବେ ମୁଁ ହିଂସାକୁ ନାପସନ୍ଦ କରେ । ତେବେ ଏହା ହୁଏତ ପୋଲିସ ନିଷ୍କ୍ରିୟତାର ପ୍ରତିଫଳନ ହୋଇପାରେ ।’’

‘‘ପ୍ରଜାତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ସାରା ଦେଶରେ ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଥିବା କାରଣରୁ କଂଗ୍ରେସ ହତାଶ ହୋଇ ଏଭଳି ବିଚଳିତ ଆଚ଼ରଣ କରୁଛି । ଏହା ଗ୍ରହଣୀୟ ନୁହେଁ,’’ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗତ ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ସମୟରେ କଂଗ୍ରେସ କର୍ମୀମାନେ ଏକ କାର୍‌ରେ ନିଆଁ ଲଗାଇବା ସହିତ ପ୍ରଦୀପ ମାଝୀ ଫୋନରେ ‘ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ କରିଥାଅ, ନିର୍ଦ୍ଦେଶ ଆସିଲେ ବ୍ୟବହାର କରିବ’ ବୋଲି ଫୋନରେ କଥା ହେଉଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଏହାକୁ ନେଇ ସାରା ରାଜ୍ୟରେ କଂଗ୍ରେସ ଦଳର ଆଭିମୁଖ୍ୟକୁ ନେଇ ର୍ଚଚ୍ଚା ଲାଗି ରହିଛି ।
Published by:Anand Shankar Thankur Das
First published: