ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»୨୦୧୯-୨୦ ଆର୍ଥିକ ରିପୋର୍ଟ: ରାଜ୍ୟ ସରକାରଙ୍କୁ ସିଏଜିଙ୍କ ଛାଟ; ରିପୋର୍ଟରେ ଖୋଲିଲା ଗୁମର

୨୦୧୯-୨୦ ଆର୍ଥିକ ରିପୋର୍ଟ: ରାଜ୍ୟ ସରକାରଙ୍କୁ ସିଏଜିଙ୍କ ଛାଟ; ରିପୋର୍ଟରେ ଖୋଲିଲା ଗୁମର

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ ଏହା ସରକାରଙ୍କ ଅପାରଗତା । କେବଳ ବଜେଟ ବୃଦ୍ଧି କରି ସରକାର ବାଃ ବାଃ ନେଉଛନ୍ତି କିନ୍ତୁ ସେହି ହିସାବରେ ଆୟ ନାହିଁ । ବିଜେପି ବିଧାୟକ ମୋହନ ମାଝୀ ବି ସମାନ କଥା କହିଛନ୍ତି ।

୨୦୧୯-୨୦ ଆର୍ଥିକ ରିପୋର୍ଟ: ରାଜ୍ୟ ସରକାରଙ୍କୁ ସିଏଜିଙ୍କ ଛାଟ; ରିପୋର୍ଟରେ ଖୋଲିଲା ଗୁମର
ରାଜ୍ୟ ସରକାରଙ୍କୁ ସିଏଜିଙ୍କ ଛାଟ
  • News18 Odia
  • Last Updated: September 11, 2021, 1:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଗୁରୁବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ସରକାରୀ କାର୍ଯ୍ୟର ଗୁମର ଖୋଲିଛି । ରାଜ୍ୟ ସରକାର କିପରି ଆର୍ଥିକ ପରିଚାଳନା କରୁଛନ୍ତି ମହାଲେଖାଗାର ତଥା ସିଏଜି ତାଙ୍କର ଏହି ଅଡିଟ୍ ରିପୋର୍ଟରେ ଦର୍ଶାଇଛନ୍ତି ।

ରିପୋର୍ଟ ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ୩୮, ୯୮୭ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଯୋଗାଇ ଦେଇଥିଲେ । ତେବେ ଏଥି ମଧ୍ୟରୁ ୨୦୨୦ ଜୁନ୍ ୩୦ ସୁଦ୍ଧା ୧୬,୩୦୧ କୋଟି ଟଙ୍କା ରାଜ୍ୟ ସରକାର କିପରି ଓ କେଉଁ ବାବଦରେ ଖର୍ଚ୍ଚ କରିଛନ୍ତି ତାହାର ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିପାରିନଥିବା ଦର୍ଶାଇଛନ୍ତି ସିଏଜି ।

ଖୋଦ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରୁ ୨୦୨୦ ମାର୍ଚ୍ଚ ସୁଦ୍ଧା ୩୬ଟି ବିଭାଗ ୩୬, ୧୯୩ କୋଟି ଟଙ୍କା କିପରି ଓ କେଉଁ ବାବଦକୁ ଖର୍ଚ୍ଚ କରିଛନ୍ତି ତାହାର ହିସାବ ବି ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଭଲ କରି ନଜର ପକାନ୍ତୁ ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିନଥିବା ତଥା ଖିଲାପକାରୀ ମୁଖ୍ୟ ପାଞ୍ଚୋଟି ବିଭାଗ ଉପରେ । ଯେଉଁଥିରେ ସବୁଠୁ ଆଗରେ ରହିଛି ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ୧୩, ୭୫୩ କୋଟି ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗର ୬, ୪୬୩ କୋଟି ଟଙ୍କା, ଯୋଜନା ଓ ସମନ୍ବୟ ବିଭାଗରେ ୨,୯୬୩ କୋଟି ଟଙ୍କା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨,୯୬୧ କୋଟି ଟଙ୍କା ଓ ସ୍ବାସ୍ଥ୍ୟ ବିଭାଗର ୨,୫୫୩ କୋଟି ଟଙ୍କା ।

୨୦୧୯-୨୦ ଆର୍ଥିକ ରିପୋର୍ଟ


ଖାଲି ସେତିକି ନୁହେଁ ଏହି ସବୁ ବିଭାଗ ୧୦ ବର୍ଷର ବିନିଯୋଗ ପ୍ରମାଣ ପତ୍ର ସଠିକ୍ ଭାବେ ଦାଖଲ କରିନିଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ତେବେ ସିଏଜିଙ୍କ ଏପରି ରିପୋର୍ଟ ପରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ ଏହା ସରକାରଙ୍କ ଅପାରଗତା । କେବଳ ବଜେଟ ବୃଦ୍ଧି କରି ସରକାର ବାଃ ବାଃ ନେଉଛନ୍ତି କିନ୍ତୁ ସେହି ହିସାବରେ ଆୟ ନାହିଁ । ବିଜେପି ବିଧାୟକ ମୋହନ ମାଝୀ ବି ସମାନ କଥା କହିଛନ୍ତି ।

୨୦୧୮ରେ ଆରମ୍ଭ ହୋଇଥିବା ସରକାରଙ୍କ ଫ୍ଲାଗସିପ ଯୋଜନା ଖୁସି ଓ ଆଉ ଏକ ଯୋଜନା ଆମ ଘର ଏଲିଡି ଲାଇଟ ଯୋଜନା ବାବଦରେ ବ୍ୟୟବରାଦ ହୋଇଥିବା ଅର୍ଥ ରାଶୀରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଏହା ବାଦ କଣ୍ଟିଜେନସି ଫଣ୍ଡରେ ମଧ୍ୟ ମିଳିଥିବା ୧୯୮ କୋଟି ଟଙ୍କାର ଅର୍ଥରାଶୀକୁ ୧୨ଟି ବିଭାଗ କିପରି ଖର୍ଚ୍ଚ କରିଛନ୍ତି ତାହାର ହିସାବ ନାହିଁ ।

ଯାହାକୁ ନେଇ ଖୋଦ୍ ସିଏଜି ବି ଏହି ଟଙ୍କା ସବୁ ସଠିକ୍ ଦିଗରେ ଖର୍ଚ୍ଚ ହୋଇନିଥିବାର ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ସିଏଜିଙ୍କ ରିପୋର୍ଟକୁ ନେଇ ଶାସକ ଦଳ ବିଧାୟକ ଅମର ଶତପଥୀ କହିଛନ୍ତି ଯେ ଏହା ଉପରେ ସରକାର ନଜର ରଖିଛନ୍ତି ।ଆର୍ଥିକ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଉଛି । ସିଏଜି ରିପୋର୍ଟ ପିଏସିରେ ଆଲୋଚନା ହେବ ।

ଏ ତ ଥିଲା ସରକାରଙ୍କ ଆର୍ଥିକ ପରିଚାଳନାର ରିପୋର୍ଟ । ଏହା ବାଦ ଉଚ୍ଚଶିକ୍ଷାକୁ ନେଇ ସିଏଜି ଦେଇଥିବା ରିପୋର୍ଟ ଶିକ୍ଷା କ୍ଷେତ୍ରକୁ ନେଇ ସରକାରଙ୍କ ଅନ୍ତରିକତା ଉପରେ ଉଠାଇଛି ପ୍ରଶ୍ନବାଚୀ ।
Published by: Lipina Das
First published: September 11, 2021, 1:34 PM IST