ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚୂଡାନ୍ତ ସଂରକ୍ଷଣ ତାଲିକା; ମହିଳାଙ୍କ ପାଇଁ ସଂରକ୍ଷଣ ବଢ଼ିଥିବା ବେଳେ ପଛୁଆବର୍ଗଙ୍କ ପାଇଁ କମିଛି

ଚୂଡାନ୍ତ ସଂରକ୍ଷଣ ତାଲିକା; ମହିଳାଙ୍କ ପାଇଁ ସଂରକ୍ଷଣ ବଢ଼ିଥିବା ବେଳେ ପଛୁଆବର୍ଗଙ୍କ ପାଇଁ କମିଛି

ଚୂଡାନ୍ତ ସଂରକ୍ଷଣ ତାଲିକାକୁ ନେଇ ଶାସିତ ଦଳ ବିଜେଡିକୁ ଟାର୍ଗେଟ କରୁଥିବାର ନଜର ଆସୁଛନ୍ତି ବିରୋଧୀ ଦଳ । ପଛୁଆବର୍ଗ ସଂରକ୍ଷଣ ହ୍ରାସ ପାଇବାରୁ ନେଇ କ୍ରୋଧିତ ସମସ୍ତେ ।

ଚୂଡାନ୍ତ ସଂରକ୍ଷଣ ତାଲିକା; ମହିଳାଙ୍କ ପାଇଁ ସଂରକ୍ଷଣ ବଢ଼ିଥିବା ବେଳେ ପଛୁଆବର୍ଗଙ୍କ ପାଇଁ କମିଛି
ମହିଳାଙ୍କ ପାଇଁ ସଂରକ୍ଷଣ ବଢ଼ିଥିବା ବେଳେ ପଛୁଆବର୍ଗଙ୍କ ପାଇଁ କମିଛି
  • News18 Odia
  • Last Updated: November 18, 2021, 5:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚୂଡାନ୍ତ ସଂରକ୍ଷଣ ତାଲିକା। ମହିଳାଙ୍କ ପାଇଁ ଅଧାରୁ ଅଧିକ ସଂରକ୍ଷଣ ଥିବା ବେଳେ ପଛୁଆବର୍ଗ ସଂରକ୍ଷଣ ହ୍ରାସ ପାଇଛି। ସଂରକ୍ଷଣ ନେଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ପଞ୍ଚାୟତରେ ବଢ଼ିବ ମହିଳାଙ୍କ ପ୍ରତିନିଧିତ୍ୱ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଅଧାରୁ ଅଧିକ ହେବେ ମହିଳା ସରପଞ୍ଚ। ଚୂଡାନ୍ତ ସଂରକ୍ଷଣ ତାଲିକାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ଲାଗି ରହିଛି ୫୦ ପ୍ରତିଶତରୁ ଅଧିକ ସିଟ୍।

ମୋଟ ୬,୭୯୪ ସରପଞ୍ଚ ପଦରୁ ୩,୫୦୦ ସିଟରେ ଲଢ଼ିବେ ମହିଳା। ୧,୧୭୦ ସାଧାରଣ ବର୍ଗ ପାଇଁ ସଂରକ୍ଷିତ ଥିବା ବେଳେ ପଛୁଆବର୍ଗ ମହିଳାଙ୍କ ପାଇଁ ୪୨୯, ଅନୁସୂଚିତ ଜାତି ୫୨୫ ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ୧,୩୭୬ ଆସନ।
ସେହିଭଳି ଜିଲ୍ଲା ପରିଷଦ ସଦସ୍ୟରେ ୮୫୩ରୁ ୪୩୩ ମହିଳାଙ୍କ ପାଇଁ ଥିବା ବେଳେ ୯୧, ୯୧୬ ୱାର୍ଡରୁ ନିର୍ବାଚିତ ହେବେ ୪୯,୪୬୯ ମେମ୍ବର । ୬, ୭୯୩ ସମିତି ସଭ୍ୟରୁ ୩,୫୩୮ ରହିବେ ମହିଳା। ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଳାଙ୍କ ଲାଗି ୫୦ ପ୍ରତିଶତ ସଂରକ୍ଷଣ ନିୟମ ଥିଲେ ବି ଅଧିକ ସିଟ୍ ସଂରକ୍ଷଣକୁ ସ୍ୱାଗତ କରିଛି ବିଜେଡି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, "ମୁଖ୍ୟ ମନ୍ତ୍ରୀ ସବୁବେଳେ ମହିଳାଙ୍କୁ ଗୁରୁତ୍ୱ ଦେଇଆସୁଛନ୍ତି ।’’ ବିଜେପି ମୁଖପାତ୍ର ସୋନାଲି ସାହୁ କହିଛନ୍ତି,"ମହିଳାମାନେ ରାଜନୀତିରେ ସକ୍ରିୟ ଭାବରେ ଯୋଗ ଦେବା ଗଣତନ୍ତ୍ର ପାଇଁ ଶୁଭଙ୍କର କିନ୍ତୁ ମହିଳାଙ୍କୁ ଆଳକରି କ୍ଷମତାଶାଳୀ ପୁରୁଷମାନେ ନିଜ ସ୍ତ୍ରୀ, ଭଉଣୀ ଓ ସମ୍ପକ୍ରିୟମାନଙ୍କୁ ଢ଼ାଲ କରି କ୍ଷମତା ହରଣ କରବା ଗଣତନ୍ତ୍ର ପାଇଁ ବିପଦ।’’

କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର କହିଛନ୍ତି ଯେ ମହିଳାଙ୍କ ପାଇଁ ଅଧିକ ସଂରକ୍ଷଣ ସ୍ୱାଗତ ଯୋଗ୍ୟ। ଏହା ଦ୍ୱାରା ମହିଳାଙ୍କ ପ୍ରତିନିଧିତ୍ୱ ଅଧିକ ବଢ଼ିବ। କଂଗ୍ରେସ ବି ଦଳୀୟ ଭିତ୍ତିରେ ଅଧିକ ମହିଳାଙ୍କୁ ପ୍ରାଧାନ୍ୟ ଦେବ ।

ମହିଳାଙ୍କ ପାଇଁ ସଂରକ୍ଷଣ ଅଧିକ ରହିଥିଲେ ବି ପଛୁଆବର୍ଗଙ୍କ ସଂରକ୍ଷଣ ହ୍ରାସ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ସୀମିତ ରହିବା ପରେ ଜିଲ୍ଲା ପରିଷଦରେ ପଛୁଆବର୍ଗ ପାଇଁ ରହିଛି ୧୨ ପ୍ରତିଶତ । ମହିଳାଙ୍କୁ ମିଶାଇ ମୋଟ ୧୦୪ଟି ସଂରକ୍ଷଣ ରହିଛି। ଚୂଡାନ୍ତ ସଂରକ୍ଷଣ ତାଲିକା ଆସିବା ପରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି।

ବିଜେପି ଓ.ବି.ସି. ମୋର୍ଚ୍ଚା ସଭାପତି ସୁରତ ବିଶ୍ୱାଳ କହିଛନ୍ତି, "ଆମେ ପ୍ରଥମରୁ ଯେଉଁ ଆଶଙ୍କା ଓ ଅଭିଯୋଗ କରିଥିଲୁ ରାଜ୍ୟ ସରକାର ପଛୁଆବର୍ଗଙ୍କ ପ୍ରତି ଷଡ଼ଯନ୍ତ୍ର କରି ଧୋକା ଦେଉଛନ୍ତି। କ୍ରମାଗତ ଭାବେ ସମ୍ବିଧାନିକ ଅଧିକାରରୁ ବଞ୍ଚିତ କରୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇଥିଲା। ଏବେ ୫୦ ପ୍ରତିଶତ ସଂରକ୍ଷଣ ନାଁରେ ୮ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଶୂନ ରହିଛି। ଓ.ବି.ସି. ୧୨୬ ସିଟ୍ ହରାଇଛନ୍ତି। ୫୨ ପ୍ରତିଶତରୁ ଉର୍ଦ୍ଧ୍ବ ପଛୁଆ ବର୍ଗଙ୍କୁ କ୍ରମାଗତ ଭାବେ ରାଜ୍ୟ ସରକାର ଧୋକା ଦେଇଆ ସୁଛନ୍ତି। ଆମେ ଜାତୀୟ ପଛୁଆବର୍ଗ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବୁ । ୨୦୧୭ରେ ୨୩୦ ଜିଲ୍ଲା ପରିଷଦ ଆସନ ଓ.ବି.ସି. ପାଇଁ ଥିବା ବେଳେ ୨୦୨୨ରେ ମାତ୍ର ୧୦୪ ମିଳିଛି।’’

ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ କହିଛନ୍ତି, "ଓ.ବି.ସି.ଙ୍କ ପାଇଁ ସମସ୍ତେ ଲୁହ ଗଡ଼ାଉଥିଲେ ବି ସେମାନଙ୍କ ପ୍ରତି ସବୁବେଳେ ଅବହେଳା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ୫୦ ପ୍ରତିଶତ ସଂରକ୍ଷଣ ନେଇ କୋର୍ଟ କଟକଣା ଥିଲେ ବି ନୂଆ ଆଇନ ଆଣି ପଛୁଆବର୍ଗଙ୍କୁ ଦେଇ ପାରିଥାନ୍ତେ କେନ୍ଦ୍ର। କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର କିଛି ପଦକ୍ଷେପ ନ ନେଇ ଖାଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।’’

ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ‘‘ଆଇନଗତ ବ୍ୟବସ୍ଥା ଭିତରେ ସଂରକ୍ଷଣ ହୋଇଛି। ଦଳ ଟିକେଟ ଦେଲା ପରେ ଓ.ବି.ସି.କୁ ଗୁରୁତ୍ୱ ଦେବ। ପୂର୍ବରୁ ମହିଳାଙ୍କୁ ଦଳ ପ୍ରାଥମିକତା ଦେଇଛି। ବିଜେଡି ଓ.ବି.ସି. ବର୍ଗକୁ ପ୍ରାଥମିକତା ଦେବ। ଯେଉଁମାନେ ଅବହେଳା କଥା କହୁଛନ୍ତି ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଓ.ବି.ସି.ଙ୍କ ପ୍ରତି ଯାହାର ଟିକେ ବି ଶ୍ରଦ୍ଧା ନାହିଁ ରାଜନୀତିକରଣ କରିବା ପାଇଁ କହୁଛନ୍ତି।’’

ପୌରାଞ୍ଚଳରେ ପଞ୍ଚାୟତ ମିଶିଥିବାରୁ ୨୦୧୭ ନିର୍ବାଚନ ତୁଳନାରେ ଚଳିତ ଥର ୭ଟି ପଞ୍ଚୟତ ହ୍ରାସ ପାଇଛି। ଚଳିତ ଥର ୬,୭୯୪ ପଞ୍ଚାୟତ ଓ ୯୧,୯୧୬ ୱାର୍ଡ଼ ପାଇଁ ହେବ ଭୋଟ ଗ୍ରହଣ।
Published by: Lipina Das
First published: November 18, 2021, 5:21 PM IST