ଘରୋଇ କମ୍ପାନୀର ପାଣି ପ୍ରକଳ୍ପ ପାଇଁ ବିପଦରେ ୧୫ ଖଣ୍ଡ ଗାଁ; କମ୍ପାନୀକୁ କାରଣ ଦର୍ଶଅ ନୋଟିସ ଜାରି

କମ୍ପାନୀ ଏହି ପ୍ରକଳ୍ପକୁ ନେଇ ନା ଜିଲ୍ଲା ପ୍ରଶାସନର ଅନୁମତି ନେଇଛି ନା ଗ୍ରାମବାସୀଙ୍କ ସହ ଆଲୋଚନା କରିଛି। ଓଲଟା ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ନିକଟରେ କରାଯାଇଥିବା ପଥରବନ୍ଧକୁ ମଧ୍ୟ ଭାଙ୍ଗି ପ୍ରକଳ୍ପ କରୁଛି।

ଘରୋଇ କମ୍ପାନୀର ପାଣି ପ୍ରକଳ୍ପ ପାଇଁ ବିପଦରେ ୧୫ ଖଣ୍ଡ ଗାଁ

ଘରୋଇ କମ୍ପାନୀର ପାଣି ପ୍ରକଳ୍ପ ପାଇଁ ବିପଦରେ ୧୫ ଖଣ୍ଡ ଗାଁ

  • News18 Odia
  • Last Updated :
  • Ganjam | Odisha (Orissa)
  • Share this:
News18 Odia Digital

ବ୍ରହ୍ମପୁର: ଘରୋଇ କମ୍ପାନୀ ଆଣିଲା ଗ୍ରାମବାସୀଙ୍କ ପାଇଁ ବିପଦ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକର କାଇଁଚପୁର ପଞ୍ଚାୟତରେ। କାଇଁଚପୁର ପଞ୍ଚାୟତର କଲ୍ୟାଣପୁର ଗାଁ ଦେଇ ଯାଇଥିବା ଋଷିକୂଲ୍ୟା ନଦୀ କୂଳରେ ଏକ ପାଣି ପ୍ରକଳ୍ପ କରୁଛି ଗ୍ରାସିମ୍‌ କମ୍ପାନୀ।

ତେବେ କମ୍ପାନୀ ଏହି ପ୍ରକଳ୍ପକୁ ନେଇ ନା ଜିଲ୍ଲା ପ୍ରଶାସନର ଅନୁମତି ନେଇଛି ନା ଗ୍ରାମବାସୀଙ୍କ ସହ ଆଲୋଚନା କରିଛି। ଓଲଟା ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ନିକଟରେ କରାଯାଇଥିବା ପଥରବନ୍ଧକୁ ମଧ୍ୟ ଭାଙ୍ଗି ପ୍ରକଳ୍ପ କରୁଛି। ଏଭଳି ଜାଣିବା ପରେ ଗ୍ରାମବାସୀମାନେ ପ୍ରକଳ୍ପ କାମକୁ ବିରୋଧ କରିବା ସହ ଗଞ୍ଜାମ ଥାନାରେ ଲିଖିତ ଭାବେ ଅଭିଯୋଗ ଦେଇ କାମକୁ ବନ୍ଦ କରିଥିଲେ।

ସେପଟେ ଏନେଇ ଖବର ପାଇବା ପରେ ଗଞ୍ଜାମ ତହସିଲଦାର ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ବେଆଇନ ଭାବେ ଏଭଳି ପାଣି ପ୍ରକଳ୍ପ କରାଯାଉଥିବା ଯୋଗୁଁ କମ୍ପାନୀକୁ କାରଣ ଦର୍ଶଅ ନୋଟିସ ଦିଆଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ତହସିଲଦାର।

ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ପାଣି ଉଠାଣ ପାଇଁ ହେଉଛି ପ୍ରକଳ୍ପ। ପାଣି ପ୍ରକଳ୍ପ ନିମନ୍ତେ ନା କୌଣସି ଜିଲ୍ଲା ପ୍ରଶାସନର ଅନୁମତି ନା ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା। ଏଭଳି ନିୟମକୁ ଉଲ୍ଲଂଘନ କରି ବେଆଇନ ଭାବେ ଗଞ୍ଜାମ ସହରରେ ରହିଥିବା ଗ୍ରାସିମ୍‌ କମ୍ପାନୀ ଗଞ୍ଜାମ ବ୍ଳକର କାଇଁଚପୁର ପଞ୍ଚାୟତର କଲ୍ୟାଣପୁର ଗାଁ ଦେଇ ଯାଇଥିବା ଋଷିକୂଲ୍ୟା ନଦୀରେ ପାଣି ପ୍ରକଳ୍ପ କରୁଥିବା ଅଭିଯୋଗ ହୋଇଛି।

ଦୀର୍ଘ ମାସ ହେଲା କମ୍ପାନୀ ପକ୍ଷରୁ ଗାଁ ନିକଟରେ ପାଣି ପ୍ରକଳ୍ପ କରୁଛି କମ୍ପାନୀ। ଗାଁ ନିକଟସ୍ଥ ନଦୀରୁ ବୋର ଯୋଗେ ନିଜ କମ୍ପାନୀରେ କାମ ନିମନ୍ତେ ପାଣି ଉଠାଣ ନିମନ୍ତେ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଚାଲିଛି।

ଗତ ଦୁଇ ଦିନ ପୂର୍ବରୁ କମ୍ପାନୀ ପକ୍ଷରୁ କାର୍ଯ୍ୟରତ ଥିବା ଠିକାଦାର ଗାଁ ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ପଥରବନ୍ଧକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଥିଲା। ଏନେଇ ସ୍ଥାନୀୟ ବାସିନ୍ଦା ଜାଣିବା ପରେ ସମ୍ପୃକ୍ତ କମ୍ପାନୀକୁ ପଚାରିଥିଲେ। କିନ୍ତୁ କମ୍ପାନୀ କୌଣସି ତଥ୍ୟ ଦେବା ନିମନ୍ତେ ପ୍ରସ୍ତୁତ ନଥିବା ବେଳେ ବେଆଇନ ଭାବେ ପଥରବନ୍ଧ ଭାଙ୍ଗିଥିବା ନେଇ ଗଞ୍ଜାମ ଥାନାରେ ଲିଖିତ ଭାବେ ଅଭିଯୋଗ ଦେଇଥିଲେ ସ୍ଥାନୀୟ ବାସିନ୍ଦା। ଏହା ସହିତ ପାଣି ପ୍ରକଳ୍ପକୁ ମଧ୍ୟ ବନ୍ଦ କରିଥିଲେ। କମ୍ପାନୀ ଗ୍ରାମବାସୀଙ୍କ ସହ କୌଣସି ଆଲୋଚନା ନ କରି ଏଭଳି ପଥରବନ୍ଧ ଭାଙ୍ଗିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ତେଣୁ ଭାଙ୍ଗିଥିବା ପଥର ବନ୍ଧକୁ ତୁରନ୍ତ ନିର୍ମାଣ କରିବା ସହିତ ଗ୍ରାମବାସୀଙ୍କ ସହ ଆଲୋଚନା ଓ ଜିଲ୍ଲା ପ୍ରଶାସନର ଅନୁମତି ପରେ ହିଁ ପାଣି ପ୍ରକଳ୍ପ କମ୍ପାନୀ କରିବ ବୋଲି ଦାବି କରିଛନ୍ତି କାଇଁଚପୁର ସରପଞ୍ଚ ଭାଗିରଥି ରେଡ୍ଡି।

‘‘ପ୍ରତି ବର୍ଷ ଗଞ୍ଜାମ ଜିଲ୍ଲାକୁ ବାତ୍ୟା ଓ ବନ୍ୟାର ଭୟ ରହିଥାଏ। ଏହାକୁ ଦୃଷ୍ଟିରେ ରଖି କିଭଳି ନଦୀ କୂଳିଆ ଗାଁ ଲୋକେ ବନ୍ୟାରୁ ସାମାନ୍ୟତମ ମୁକୁଳିପାରିବେ ସେନେଇ ବାରମ୍ବାର ଦାବି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଲ୍ୟାଣପୁର ଗାଁ ନିକଟରେ ନଦୀ ବନ୍ଧ ନିର୍ମାଣ କରାଯାଇଥିଲା। ନଦୀ ବନ୍ଧ ନିର୍ମାଣ ହେବା ପରେ ଗ୍ରାମବାସୀମାନେ ଆସ୍ବସ୍ତି ଲାଭ କରିଥିଲେ। କିନ୍ତୁ ବର୍ତ୍ତମାନ କମ୍ପାନୀ ଯେଉଁଭଳି ଭାବେ ନିଜର ପାଣି ପ୍ରକଳ୍ପ ପାଇଁ ନଦୀବନ୍ଧକୁ ଭାଙ୍ଗି ଦେଇଛି ଯାହାଫଳରେ କେବଳ ଯେ କଲ୍ୟାଣପୁର ଗାଁ ପାଇଁ ବିପଦ ତାହା ନୁହେଁ ବରଂ କାଇଁଚପୁର ପଞ୍ଚାୟତ, ହୁମା ପଞ୍ଚାୟତ, ପାଳିବନ୍ଧ ପଞ୍ଚାୟତ ସମେତ ଗଞ୍ଜାମ ବ୍ଳକରେ ଅନେକ ଗାଁ ପାଇଁ ମଧ୍ୟ ବିପଦ। ତେଣୁ ତୁରନ୍ତ ପଥର ବନ୍ଧ ପୁନଃ କାର୍ଯ୍ୟ କରିବା ସହିତ କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ,’’ ଏମିତି ଦାବି କରିଛନ୍ତି କଲ୍ୟାଣପୁର ବାସିନ୍ଦା ପଦ୍ମନାଭ ପ୍ରଧାନ।

ସେପଟେ ଏଭଳି ଅଭିଯୋଗ ପାଇବା ପରେ ଗଞ୍ଜାମ ତହସିଲଦାର କ୍ଷେତ୍ର ପରିଦର୍ଶନ କରିଛନ୍ତି। କଲ୍ୟାଣପୁର ନିକଟରେ ଚାଲୁ ରହିଥିବା ପାଣି ପ୍ରକଳ୍ପକୁ ବୁଲି ଦେଖିବା ସହିତ ସ୍ଥାନୀୟ ବାସନ୍ଦାଙ୍କ ଆଲୋଚନା କରିଛନ୍ତି।

କମ୍ପାନୀ ଯେଉଁ ପାଣି ପ୍ରକଳ୍ପ କରିଛି ସେଥିରେ କିଛି ନିୟମକୁ ସେ ଉଲ୍ଲଂଘନ କରିଛି। ଜିଲ୍ଲା ପ୍ରଶାସନ ସହ କୌଣସି ପ୍ରକାରର ଯୋଗାଯୋଗ କରିନାହାନ୍ତି ଓ ବିଭାଗୀୟ କ୍ଲିୟରାନ୍ସ ମଧ୍ୟ ନଥିଲା। ତେଣୁ କିଭଳି ଏହି ପାଣି ପ୍ରକଳ୍ପ କଲେ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ପଥର ବନ୍ଧ କଣ ପାଇଁ ଭାଙ୍ଗିଲେ ସେ ନେଇ କାରଣ ଦର୍ଶଅ ନୋଟିସ କମ୍ପାନୀକୁ ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ।

ଶ୍ରାବଣ ମାସ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାରେ ଲଗାଣ ବର୍ଷା ମଧ୍ୟ ଆରମ୍ଭ ହୋଇଛି। ଏହି ସମୟରେ ଯଦି ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ହୁଏ ତେବେ ୩ଟି ପଞ୍ଚାୟତର ପ୍ରାୟ ୧୫ରୁ ଅଧିକ ଗାଁ ପ୍ରତି ବିପଦ। ତେଣୁ ବେଳ ଥାଉ ଥାଉ ପଥର ବନ୍ଧ ପୁନଃ ବାନ୍ଧିବା ଏବେ ଜରୁରୀ ହୋଇପଡ଼ିଛି।
Published by:Lipina Das
First published: