କଟକ ସହରରେ ପ୍ରବେଶ କଲା ପାର୍ବଣ; ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପାଇଁ ସଂଗୃହିତ ହୋଇଛି ମୃତ୍ତିକା
ବିଧି ମୁତାବକ କଟକର ମହାନଦୀ ଓ କାଠ ଯୋଡି ନଦୀ ତଟରେ ଯଥା ରିତିନୀତି ପୂଜାର୍ଚ୍ଚନା ପରେ ସଂଗୃହିତ ହୋଇଛି ପବିତ୍ର ମାଟି । ସଂଗୃହିତ ହୋଇଥିବା ଏହି ମୂଳ ମାଟିକୁ ଆଧାର କରି ଆରମ୍ଭ ହେବ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କାର୍ଯ୍ୟ ।
ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପାଇଁ ସଂଗୃହିତ ହେଲା ମୃତ୍ତିକା
- News18 Odia
- Last Updated: September 1, 2021, 4:40 PM IST
କଟକ: ପୁଣି ଗୋଟିଏ ବର୍ଷ ପରେ ଧରାବତରଣ କରିବାକୁ ଯାଉଛନ୍ତି ଜଗତଜନନୀ ମା' ଦୁର୍ଗା । ଆଉ ମା'ଙ୍କ ଧରାବତରଣ ପୂର୍ବରୁ ମଙ୍ଗଳବାର ଠାରୁ ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ ଥିବା ସାଂସ୍କୃତିକ ସହର କଟକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ପରମ୍ପରା ମୁତାବକ ନନ୍ଦୋତ୍ସବ ଅବସରରେ ସହରର ଅଧିକାଶଂ ପୂଜା କମିଟି ଗୁଡ଼ିକ ପକ୍ଷରୁ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପାଇଁ ମୃତ୍ତିକା ଅନୁକୂଳ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି ।
ବିଧି ମୁତାବକ କଟକର ମହାନଦୀ ଓ କାଠ ଯୋଡ଼ି ନଦୀ ତଟରେ ଯଥା ରିତିନୀତି ପୂଜାର୍ଚ୍ଚନା ପରେ ସଂଗୃହିତ ହୋଇଛି ପବିତ୍ର ମାଟି । ସଂଗୃହିତ ହୋଇଥିବା ଏହି ମୂଳ ମାଟିକୁ ଆଧାର କରି ଆରମ୍ଭ ହେବ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କାର୍ଯ୍ୟ । ବିଭିନ୍ନ ପର୍ଯ୍ୟାୟରେ ମା'ଙ୍କ ମୂର୍ତ୍ତି ତିଆରି ହେବ।
ପ୍ରଥମେ ଏକ ମାଟିଆ ଓ ପରେ ଦୁଇ ମାଟିଆ ନିର୍ମାଣ ହେବା ପରେ ଖଡ଼ି ଲାଗି ଅମାବାସ୍ୟା ଦିନ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡ଼ି ରଙ୍ଗ ଲାଗି କରାଯିବ । ଏହା ପରେ ମା'ଙ୍କ ମୂର୍ତ୍ତିର ସମ୍ପୂର୍ଣ୍ଣ ରଙ୍ଗ କାର୍ଯ୍ୟ ଶେଷ ହେବା ପରେ ବିଜୟା ଦଶମୀର ପଞ୍ଚ ଦିନ ପୂର୍ବରୁ ମା'ଙ୍କୁ ବସ୍ତ୍ର ଓ ଆଭୂଷଣ ଇତ୍ୟାଦି ଲାଗି କରାଯିବ ।

ପୂଜା କମିଟି ଗୁଡ଼ିକ ପକ୍ଷରୁ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପାଇଁ ମୃତ୍ତିକା ଅନୁକୂଳ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି
ତେବେ ଏହି ମୃର୍ତ୍ତିକା ଅନୁକୁଳ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଦୁର୍ଗା ପୂଜାକୁ କଟକଣା ମୁକ୍ତ କରିବା ପାଇଁ ଦାବି ପୁଣି ଥରେ ଉଠିଛି । ବିଶେଷ କରି ମୂର୍ତ୍ତିର ଉଚ୍ଚତା ଚାରି ଫୁଟ ମଧ୍ୟରେ ସୀମିତ ରଖିବା, ପରଦା ଆଢୁଆଳରେ ପୂଜା ସମ୍ପୂର୍ଣ୍ଣ କରିବା ନେଇ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନରେ ସଂଶୋଧନ କରିବା ପାଇଁ ଦାବି କରିଛନ୍ତି ବିଭିନ୍ନ ପୂଜା କମିଟି । ଏହାରି ଭିତରେ ପୂଜାକୁ କଟକଣାରୁ ବାଦ ଦେବା ପାଇଁ ଦାବିରେ ସହରର ବିଭିନ୍ନ ସାମାଜିକ ସଙ୍ଗଠନ ଗୁଡ଼ିକର କର୍ମକର୍ତ୍ତାମାନେ ଏକତ୍ରିତ ହୋଇଥିଲେ।
ହରୀପୁର-ଦୋଳମୁଣ୍ଡାଇ ପୂଜା ମଣ୍ଡପର ସମ୍ପାଦକ ଲିଙ୍ଗରାଜ ହାତୀ କହିଥିଲେ, "କରୋନା ସହିତ ମା'ଙ୍କ ମୂର୍ତ୍ତିର ଉଚ୍ଚତାର ସମ୍ପର୍କ କ'ଣ ତାହା ଆମେ ବୁଝି ପାରୁ ନାହୁଁ । ଏହା ସହିତ ଯଦି ମନ୍ଦିରରେ ଠାକୁର ଦର୍ଶନ ପାଇଁ ସରକାର ଅନୁମତି ଦେଉଛନ୍ତି ତା ହେଲେ ମଣ୍ଡପରେ ଶ୍ରଦ୍ଧାଳୁ ମା'ଙ୍କୁ ଦର୍ଶନ କରି ପାରିବେ ନାହିଁ କାହିଁକି। ସରକାର ଧାର୍ଯ୍ୟ କରିଥିବା ସମସ୍ତ କୋଭିଡ କଟକଣା ମାନି ଆମେ ପୂଜା କରିବୁ । ହେଲେ ମୂର୍ତ୍ତିର ଉଚ୍ଚତା ଆଉ ମଣ୍ଡପରେ ମା'ଙ୍କୁ ଦର୍ଶନ କଟକଣାକୁ କୋହଳ କରିବା ପାଇଁ ଆମେ ସରକାରଙ୍କୁ ନିବେଦନ କରୁଛୁ ।"
ଦୁର୍ଗା ପୂଜାକୁ ନେଇ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା କଟକଣା ମଧ୍ୟରୁ କେବଳ ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପରେ ମା'ଙ୍କ ଦର୍ଶନ କଟକଣାକୁ ବାଦ ଦେବା ପାଇଁ ପୂର୍ବରୁ ମହାନଗର ଶାନ୍ତି କମିଟି ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରି ସାରିଛି । ହେଲେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଏ ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରି ନାହାଁନ୍ତି ।






