News18 Odia Digital
ବ୍ରହ୍ମପୁର: ବ୍ରହ୍ମପୁର (Brahnapur) ଏମ୍କେସିଜି ମେଡିକାଲରେ ମହିଳାଙ୍କ ହାଇଡ୍ରାମା (Woman High Drama)। ନବଜାତ ଶିଶୁ ଚୋରି ଅଭିଯୋଗରେ ୩ ଘଣ୍ଟା ଧରି ପୋଲିସ ହେଲା ନାକେଦମ। ଶେଷରେ ସାମ୍ନାକୁ ଆସିଲା ମହିଳାଙ୍କ ସାଙ୍ଘାତିକ ତଥ୍ୟ।
ମିଛ ଗର୍ଭବତୀ ହେବାର ଅଭିନୟ ସହ ମିଛରେ ଛୁଆ ଜନ୍ମ ଦେଇଥିବା ପୂରା ଡ୍ରାମା କରିଥିଲେ ମହିଳା। ହେଲେ ପୂରା ଘଟଣା ଧରପଗଡ଼ ହେବା ପରେ ପଦାକୁ ଆସିଥିଲା ସତ। ହାଇଡ୍ରାମା କରିଥିବା ମହିଳାଙ୍କ ବାପା ଘର ବ୍ରହ୍ମପୁରରେ ହୋଇଥିବା ବେଳେ ସେ ଇଚ୍ଛାପୁରରେ ବିବାହ କରିଥିଲେ।
କିଛି ମାସ ତଳେ ସେ ଗର୍ଭବତୀ ହେବା ନେଇ ଶାଶୂଙ୍କୁ କହିଥିଲେ। ଶାଶୂଘର ଲୋକେ ଖୁସି ବ୍ୟକ୍ତ କରିବା ସହ ସେଠାରେ ଡାକ୍ତରଙ୍କୁ ଦେଖାଇବାକୁ କହିଥିଲେ। ହେଲେ ମହିଳା ଜଣକ କହିଥିଲେ କି ତିନିମାସ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଦେଖାଇବାକୁ। ଏହାପରେ ବାପା ଘରକୁ ଚାଲି ଆସିଥିଲେ। କିଛି ଦିନ ରହି ପୁଣି ଶାଶୂଘରକୁ ଯାଇଥିଲେ। ଶାଶୂଘର ଲୋକେ ମେଡିକାଲ ସମ୍ପର୍କିତ କାଗଜପତ୍ର ମାଗିବାରୁ ସେସବୁ ମା’ଘରେ ରଖି ଦେଇଥିବା କହିଥିଲେ । ମା’ଘର ଲୋକଙ୍କୁ ମଧ୍ୟ ସେ ଅନ୍ଧାରରେ ରଖିଥିଲେ ।
୧୦ ମାସ ହେବାରୁ ଶାଶୂ ଓ ସମ୍ପର୍କୀୟମାନେ ବାରମ୍ବାର ପଚାରିଥିଲେ। ତେଣୁ ବାହାନା କରି ସେ ପୁଣି ବାପଘରକୁ ଚାଲି ଆସିଥିଲେ। ଶନିବାର ରାତିରେ ଗର୍ଭଯନ୍ତ୍ରଣା ହେଉଥିବାର ଅଭିନୟ କରିଥିଲେ। ଜଣେ ସମ୍ପର୍କୀୟ ଭାଇଙ୍କ ଅଟୋରେ ବଡ଼ ଡାକ୍ତରଖାନା ଆସିଥିଲେ।
ରାତି ପ୍ରାୟ ସାଢ଼େ ୩ଟାରେ ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି ହୋଇଥିଲେ। ମୁଣ୍ଡ ବୁଲାଉଥିବା ଓ ଅଣ୍ଟା ପିଠି ଯନ୍ତ୍ରଣା ବୋଲି କହିବା ପରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। ରବିବାର ସକାଳ ୮ଟାରେ ସେ ମହିଳା ଓ ପ୍ରସୂତି ୱାର୍ଡ଼କୁ ଯାଇଥିଲେ। ସେଠାରେ ତାଙ୍କର ଶିଶୁ ଜନ୍ମ ହୋଇଥିବା ନେଇ ସମ୍ପର୍କୀୟଙ୍କୁ ଫୋନ୍ କରି ଜଣାଇଥିଲେ।
କିଛି ସମୟ ପରେ ପୁଣି ତାଙ୍କ ପିଲାଟି ମରି ଯାଇଥିବା କହିଥିଲେ। କିନ୍ତୁ ମହିଳାଙ୍କ ଶାଶୂ ଘରର ଜଣେ ସମ୍ପର୍କୀୟ ମୃତ ଛୁଆକୁ ଦେଖିବାକୁ ଆସି ତା’ର ସତ୍କାର କରିବେ ବୋଲି କହିବାରୁ ମହିଳା ଜଣକ ପୁଣି ନୂଆ ନାଟକ କରିଥିଲେ। ଶିଶୁ ଜନ୍ମ ହେବାପରେ ସେ ଗୁରୁତର ହୋଇଯାଇଥିବା କହିଥିଲେ। ତେଣୁ ତାଙ୍କୁ ଅନ୍ୟତ୍ର ନିଆଯାଇଥିଲା। ସେତିକି ବେଳେ ଡାକ୍ତର ତାଙ୍କ ନବଜାତ ଶିଶୁକୁ ମରିଯାଇଥିବା କହିବା ସହ କିଏ ନେଇଯାଇଥିବା ଅଭିଯୋଗ କରିଥିଲେ ।
ଏହାପରେ ପୁଣି କହିଥିଲେ କି ମେଡିକାଲର ସମସ୍ତ କାଗଜପତ୍ର ଆଶାକର୍ମୀ ନେଇଯାଇଛନ୍ତି । ଅଭିଯୋଗ ଶୁଣିବା ପରେ ମେଡ଼ିକାଲ ଫାଣ୍ଡି ପୁଲିସ ପ୍ରସୂତି ୱାର୍ଡ଼ର ଆଡମିସନ୍ ରେଜିଷ୍ଟର ଯାଞ୍ଚ କରିବା ସହ ସମ୍ପୃକ୍ତ ଆଶା ଦିଦିଙ୍କୁ ଯୋଗାଯୋଗ କରିଥିଲା। ପ୍ରସୂତି ୱାର୍ଡ଼ରେ ଏଭଳି କୌଣସି ମହିଳା ଆଡ୍ମିଟ୍ ହୋଇନଥିବା ଏବଂ ସମ୍ପୃକ୍ତ ଆଶାଦିଦି ମେଡିକାଲ ଆସିନଥିବା ଜାଣିବାକୁ ପାଇଥିଲା ।
ପଢ଼ନ୍ତୁ ଏହି ଖବର: କାଲିଠୁ ମହଙ୍ଗା ହେବ ପାହାଳ ମିଠା; ଛେନାପୋଡ଼ କେଜି ହେବ ୨୮୦ ଟଙ୍କାମମତା କାର୍ଡ଼ ଓ ଅନ୍ୟାନ୍ୟ କାଗଜପତ୍ର ମାଗିବାରୁ ତାହା ମଧ୍ୟ ମହିଳା ଜଣକ ଦେଖାଇ ପାରିନଥିଲେ। ଶେଷରେ ଜଣେ ନର୍ସ ଆସି ମହିଳାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବାରୁ ମହିଳାଙ୍କ ମିଛ ଧରାପଡ଼ିଥିଲା । ଏହାପରେ ପୁଲିସ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିବାରୁ ମହିଳା ଜଣକ ମିଛ ଡ୍ରାମା କରିଥିବା ସ୍ବୀକାର କରିଥିଲେ। ସମ୍ପୃକ୍ତ ମହିଳା ଓ ତାଙ୍କ ପରିବାର ଲୋକଙ୍କ ଠାରୁ ଅଣ୍ଡରଟେକିଂ ରଖିବା ପରେ ପୋଲିସ ତାଙ୍କୁ ଛାଡିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।