ଅନ୍ଧବିଶ୍ବାସର କରୁଣ ପରିଣିତି; ବାସନ୍ଦ ହେବା ଡରରେ ଝିଅ ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେଲା ବାପା

ସାମ୍ନାକୁ ଆସିଲା ଅଭାବନୀୟ ଘଟଣା। ଗାଁ ଲୋକଙ୍କ ଡରରେ ନିଜ ଝିଅର ମୃତଦେହକୁ ଜଙ୍ଗଲେରେ ଫିଙ୍ଗିଦେଲା ନିଷ୍ଠୁର ବାପା।

ଜଙ୍ଗଲରେ ଝିଅ ଶବକୁ ଫୋପାଡ଼ି ଦେଲା ବାପା

ଜଙ୍ଗଲରେ ଝିଅ ଶବକୁ ଫୋପାଡ଼ି ଦେଲା ବାପା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ସୁବର୍ଣ୍ଣପୁର: ଅନ୍ଧବିଶ୍ବାସର କରୁଣ ପରିଣିତି। ସାହି ପଡ଼ିସାର ବାସନ୍ଦ ଧମକକୁ ଡରି ନିଷ୍ଠୁର ହେଲେ ବାପା। ଯେଉଁ ଝିଅକୁ କୋଳେଇ କାଖେଇ ବଡ଼ କରିଥିଲେ, ତା’ର ମୃତ ଦେହକୁ ଜଙ୍ଗଲ ଭିତରେ ଫିଙ୍ଗି ଦେଲା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳରେ। ତେବେ ମୃତଦେହ ଫିଙ୍ଗିବାର ପ୍ରାୟ ୨୪ ଘଣ୍ଟା ପରେ ସ୍ୱଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ଉଦ୍ଧାର କରି ଶବ ସତ୍କାର କରିଥିବା ଜଣା ପଡ଼ିଛି।

ସୁଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡ଼ଜୋର ଗାଁର ରାଜେନ୍ଦ୍ର ଦୁଆରିଙ୍କ ଝିଅ ସଂଯୁକ୍ତା । ବୟସ ପ୍ରାୟ ୨୯ ହେବ। ତାଙ୍କ ପାଟିରେ ଘାଆ ହୋଇଯାଇଥିଲା।

ପରିବାର ଲୋକେ ତାଙ୍କୁ ତରଭା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ମଧ୍ୟ ତାଙ୍କ ରୋଗ ଭଲ ହୋଇନଥିଲା ବରଂ ପାଟିରେ ହୋଇଥିବା ଘାଆ ଧୀରେ ଧୀରେ ବଢ଼ିବାକୁ ଲାଗିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସଂଯୁକ୍ତାଙ୍କୁ ବଲାଙ୍ଗୀରର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସା ପରେ ମଧ୍ୟ ତାଙ୍କ ରୋଗ ଭଲ ହୋଇନଥିଲା।

ତା’ପରେ ଝିଅକୁ ଧରି ଘରକୁ ପଳାଇ ଆସିଥିଲେ ବାପା ରାଜେନ୍ଦ୍ର। ଝିଅକୁ ଭଲ କରିବା ପାଇଁ ଗୁଣି ଗାରେଡିର ସହାୟତା ନେଇଥିଲେ। ତଥାପି ଝିଅର ରୋଗ ଭଲ ହୋଇନଥିଲା। ସଂଯୁକ୍ତାଙ୍କ ଯନ୍ତ୍ରଣା ଦେଖି ନିରୁପାୟ ହୋଇପଡ଼ିଥିଲେ ବାପା ରାଜେନ୍ଦ୍ର। କିଛି ଉପାୟ ନପାଇ ଧାର ଉଧାର କରି ୧୪ ତାରିଖରେ ଝିଅକୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବସ୍ଥା କରୁଥିଲେ । ହେଲେ ତା’ପୂର୍ବରୁ ଆଖି ବୁଜିଦେଲା ଝିଅ ସଂଯୁକ୍ତା। ଝିଅ ମୃତ୍ୟୁ ପରେ ଗାଁରେ ଗୁଜବ ପ୍ରଚାର ହୋଇଗଲା।

ବସନ୍ତ ରୋଗରେ ସଂଯୁକ୍ତାଙ୍କ ମୃତ୍ୟୁ ହୋଇଥିବା ପ୍ରଚାର ହୋଇଯାଇଥିଲା। ଏହା ପରେ ମୃତଦେହ ସତ୍କାର କରିବା ପାଇଁ କେହି ଆସିଲେନି। ଜ୍ଞାତି, କୁଟୁମ୍ବଙ୍କୁ ଯେତେ ହାରି ଗୁହାରି କଲେ ମଧ୍ୟ କେହି ଶୁଣିଲେ ନାହିଁ ବରଂ ମିଳିଥିଲା ବାସନ୍ଦ ଧମକ।

ଝିଅର ମୃତଦେହକୁ ବାହାରେ ଫିଙ୍ଗି ଦେବା ପାଇଁ ଗାଁ ଲୋକେ କହିଥିଲେ। ଯାହାକୁ ନେଇ ଅଡୁଆରେ ପଡ଼ି ଯାଇଥିଲେ ରାଜେନ୍ଦ୍ର। ଗାଁ ଲୋକଙ୍କ ଭୟ ଆଗରେ ନିଷ୍ଠୁର ହେଲେ ରାଜେନ୍ଦ୍ର। ନିଜର ଦୁଇ ପୁତୁରାଙ୍କ ସହ ମିଶି ଝିଅର ମୃତଦେହକୁ ଖଟରେ ତିନି କିମି ବୋହି ନେଇ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ ବାପା। ମୃତଦେହ ଉପରେ କାଠି ପତର ପକାଇ ଦେଇ ଆସିଥିଲେ।

କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗୀରର କିଛି ସ୍ୱଚ୍ଛାସେବୀ ମୃତଦେହକୁ ବୁଧବାର ଦିନ ଉଦ୍ଧାର କରିଥିଲେ। ପୋଲିସ ଓ ପ୍ରାଶାସନର ଅନୁମତିରେ ସନ୍ଧ୍ୟା ବେଳେ ମୃତଦେହକୁ ବଲାଙ୍ଗୀର ବିଭୂତିପଡ଼ା ଶ୍ମଶାନରେ ସତ୍କାର କରିଥିଲେ। ତେବେ ବସନ୍ତ ହାଡଫୁଟି ରୋଗର ନିରାକରଣ ହେଲାଣି। ତା’ର ଔଷଧ ମଧ୍ୟ ବାହାରିଲାଣି। କିନ୍ତୁ ଆଜି ବି ଗାଁମାନଙ୍କରୁ ଯାଇନି ଅନ୍ଧବିଶ୍ବାସ। ଲୋକଙ୍କୁ ସଚେତନ କରିବାରେ ଫେଲ୍ ମାରିଛନ୍ତି ଜିଲ୍ଲା ପ୍ରସାଶନ ଓ ସରକାର।
Published by:Lipina Das
First published: