IT ଇଞ୍ଜିନିୟରଙ୍କ ନାଁରେ ସାଂଘାତିକ ଅଭିଯୋଗ: ବୀମା କରାଇବାକୁ କହି ୧୧ ଲକ୍ଷ ହଡପ

ଶସ୍ତାରେ ଗାଡିର ବୀମା କରୁଛନ୍ତି କି ? ସାବଧାନ ହୋଇଯାଆନ୍ତୁ । କାରଣ ଏପରି କିଛି କାରନାମା ସାମ୍ନାକୁ ଆସିଛି ଯାହା ଜାଣିବା ପରେ ଆପଣଙ୍କ ବୀମା ଉପରୁ ହୁଏତ ଭରଷା ଉଠିଯିବ ।

IT ଇଞ୍ଜିନିୟରଙ୍କ ନାଁରେ ସାଂଘାତିକ ଅଭିଯୋଗ: ବୀମା କରାଇବାକୁ କହି ୧୧ ଲକ୍ଷ ହଡପ

IT ଇଞ୍ଜିନିୟରଙ୍କ ନାଁରେ ସାଂଘାତିକ ଅଭିଯୋଗ: ବୀମା କରାଇବାକୁ କହି ୧୧ ଲକ୍ଷ ହଡପ

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ: ନିଜର ବୈଷୟିକ ଜ୍ଞାନର ଅପବ୍ୟବହାର କରି ଲୋକଙ୍କୁ ଠକେଇ ଅଭିଯୋଗରେ ଜେଲ ଗଲେ ଜଣେ ଆଇଟି ଇଞ୍ଜିନିୟର (IT Engineer)  । ଘଟଣାଟି ଘଟିଛି କଟକ (cuttack) ସହରରେ । ଗାଡ଼ି ଚାଳକଙ୍କୁ ସୁବିଧାରେ ଓ ଶସ୍ତାରେ ବୀମା (insurance) କରାଇଦେବା ଆଳରେ ଲୋକଙ୍କ ଠାରୁ ପାଖାପାଖି ୧୧ ଲକ୍ଷ ଟଙ୍କା ହଡପ କରିବା ଅଭିଯୋଗରେ ଚୌଦ୍ବାର ଥାନା (chowdwar police station) ପୋଲିସ ବିପ୍ଳବ ପରିଡ଼ା ନାମକ ଜଣେ ଆଇଟି ଇଞ୍ଜିନିୟରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କଟକ ବୟାଳିଶ ମୌଜା ବାସିନ୍ଦା ତଥା ଆଇଟି ଇଞ୍ଜିନିୟର ବିପ୍ଳବ ସ୍ଥାନୀୟ ଅଞ୍ଚଳରେ ଏକ ଜନ ସେବା କେନ୍ଦ୍ର ଚଳାଉଥିଲା । କିନ୍ତୁ ବିପ୍ଳବର ଏହି ଜନ ସେବା କେନ୍ଦ୍ରରେ ସେ ଲୋକଙ୍କୁ ଅନ୍ୟ ସେବା କମ ଏବଂ ଗାଡ଼ି ବୀମା ସେବା ଅଧିକ ପ୍ରଦାନ କରୁଥିଲା । ଇନ୍ସୁରାନ୍ସ କମ୍ପାନୀ ଗୁଡ଼ିକ ଅପେକ୍ଷା ବହୁତ କମ ଦରରେ ଗାଡ଼ିର ବୀମା କରୁଥିବାରୁ ତା ପାଖରେ ବୀମା କରାଇବା ପାଇଁ ଗାଡ଼ି ମାଲିକମାନେ ଆଗ୍ରହ ଦେଖାଉଥିଲେ ।

ବିଶେଷ କରି ଗାଡ଼ି ଗୁଡ଼ିକର ବୀମା ରିନ୍ୟୁଆଲ କରାଇବା ସମୟରେ ସେ ନିଜର ଆଇଟି ଅର୍ଜିତ ଜ୍ଞାନର ଅପବ୍ୟବହାର କରୁଥିଲା । ସେ ଚୌଦ୍ବାର ସ୍ଥିତ ନିୟୁ ଇଣ୍ଟିଆନ ଆସୋରାନ୍ସ ବୀମା କାର୍ଯ୍ୟାଳୟର ଇ-ପୋର୍ଟାଲର ଅଧିକୃତ ବ୍ୟବହାରକାରୀ ଥିଲା । ଲୋକଙ୍କ ଗାଡ଼ି ବୀମା ନବିକରଣ କରିବା ସମୟରେ ସେ ଗାଡ଼ି ଗୁଡ଼ିକର ଇଞ୍ଜିନ ଓ ଚେଚିସ ନମ୍ବରକୁ ସମାନ ରଖୁଥିଲା । କିନ୍ତୁ ୪ ଚକିଆ ଗାଡ଼ି ଗୁଡ଼ିକୁ ମୋପେଡ ଓ ଦୁଇ ଚକିଆ ଗାଡ଼ି ଗୁଡ଼ିକୁ ୭୫ ସିସିରୁ କମ କ୍ଷମତା ସମ୍ପର୍ଣ୍ଣ ଇଞ୍ଜିନ୍ ଦର୍ଶାଉଥିଲା । ଏହି ଭଳି ତଥ୍ୟ ଭରି ପଲିସି ପ୍ରସ୍ତୁତ ହୋଇସାରିବା ପରେ ସେହି ପଲିସିରେ ଟାମ୍ପରିଂ କରୁଥିଲା ।

ଏଭଳି କରିବା ଫଳରେ ବିପ୍ଳବର ଆକାଉଣ୍ଟରୁ ବହୁତ କମ ଟଙ୍କା ପ୍ରିମିୟମ ଆକାରରେ କଟୁଥିଲା । କିନ୍ତୁ ୨୦ ପ୍ରତିଶତ ଡିସକାଉଣ୍ଟ ଦର୍ଶାଇ ସେ ଗ୍ରାହକମାନଙ୍କ ଠାରୁ ପ୍ରିମିୟମ ବାବଦ ପୁରା ଅର୍ଥ ଅସୁଲ କରୁଥିଲା । ଏନେଇ ନିୟୁ ଇଣ୍ଟିଆନ ଆସୋରାନ୍ସ କର୍ତ୍ତୁପକ୍ଷ ଜାଣିବା ପରେ ଚୌଦ୍ବାର ଥାନାରେ ଅଭିଯୋଗ କରିଥିଲେ । ମାମଲାର ତଦନ୍ତ କରି ପୋଲିସ ବୀମା ସେବା ନାଁ ବିପ୍ଳବ ଦ୍ବାରା କରାଯାଇଥିବା ଏକ ବହୁତ ବଡ଼ ଠକେଇ ବାବଦରେ ଜାଣିବାକୁ ପାଇଥିଲା ।

'ଗତ ବର୍ଷ ଏପ୍ରିଲ ୧ ତାରିଖରୁ ଚଳିତବର୍ଷ ମାର୍ଚ୍ଚ ୧୬ ତାରିଖ ମଧ୍ୟରେ ବିପ୍ଳବ ତିନି ଚକିଆ ଓ ଚାରି ଚକିଆ ଗାଡ଼ିକୁ ଦୁଇ ଚକିଆ ଦର୍ଶାଇ ମୋଟ ୧୭୦ ଟି ନକଲି ବୀମା କରିଥିଲା । ଗାଡ଼ି ପିଛା ମାତ୍ର ୫୧୦ ଟଙ୍କା ପ୍ରିମିୟମ ଦେଇ ଗ୍ରାହକଙ୍କ ଠାରୁ ୭୫୦୦ ଟଙ୍କା ଲେଖାଏଁ ଆଦାୟ କରି ପ୍ରାୟ ୧୧ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜଣା ପଡ଼ିଛି' ।  ମାମଲାର ତଦନ୍ତ କରୁଥିବା ଜଣେ ପୋଲିସ ଅଧିକାରୀ  ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ପୋଲିସ ଏହି ମାମଲାରେ ଅଭିଯୁକ୍ତ ବିପ୍ଳବକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତା ପାଖରୁ ନକଲି ବୀମା ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଲ୍ୟାପଟପ (laptop) ସହିତ କିଛି ନକଲି ସରକାରୀ କାଗଜପତ୍ର ଓ ଷ୍ଟାମ୍ପ ମଧ୍ୟ ଜବତ କରିଛି ।

ଏହି ଖବର ପଢ଼ନ୍ତୁ -  ରାମମନ୍ଦିର ପାଇଁ ଦାନ କରିଥିଲେ ୧ କୋଟି: ଯଜ୍ଞ ପାଇଁ କରୁଥିଲେ ପ୍ରସ୍ତୁତି, ଦୁର୍ଘଟଣାରେ ମୃତ୍ୟୁ
Published by:Soubhagya Mishra
First published: