କଟକ: କ୍ୟାସ୍ଲେସ୍ ଟୋଲ୍ ଆଦାୟ ସହ ଟୋଲ୍ ପ୍ଲାଜାରେ ଗାଡି଼ଗୁଡି଼କର ରହଣି ସମୟ କମ୍ କରିବା ପାଇଁ ଜାତୀୟ ରାଜପଥଗୁଡି଼କରେ ଫାସ୍ଟ୍ୟାଗ୍ ବ୍ୟବସ୍ଥା ଲାଗୁ କରାଯାଇଛି । ତେବେ ଏହି ବ୍ୟବସ୍ଥା ଲାଗୁ ହେବା ଦିନ ହିଁ ସମସ୍ୟା ଦେଖା ଦେଇଛି ।
ମଙ୍ଗୁଳି ଟୋଲ୍ ଗେଟ୍ରେ ଗାଡି଼ଚ଼ାଳକ ଓ ଟୋଲ୍ ଗେଟ୍ କର୍ମଚ଼ାରୀଙ୍କ ମଧ୍ୟରେ ଉଚ୍ଚବାଚ଼ ହେବା ସହ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଚ଼ାଲିଛି । ଉପକୂଳ ଓଡ଼ିଶାର ପ୍ରାୟ ସବୁ ଟୋଲ୍ ଗେଟ୍ରେ ଏମିତି ହିଁ ସ୍ଥିତି ଦେଖିବାକୁ ମିଳିଛି ।
ମଙ୍ଗୁଳି ଟୋଲ୍ ଗେଟ୍ରେ ଅପ୍ ଓ ଡାଉନ୍ ମିଶି ଥିବା ମୋ’ଟ ୧୦ଟି ଲେନ୍ ମଧ୍ୟରୁ ମାତ୍ର ଚ଼ାରିଟି ଲେନ୍କୁ ଫାସ୍ ଟ୍ୟାଗ୍ଯୁକ୍ତ କରାଯାଇଥିବା ବେଳେ ବାକି ଛଅଟି ଲେନ୍କୁ ହାଇବ୍ରିଡ୍ (ମିଶ୍ରିତ) ଲେନ୍ ରଖାଯାଇଛି । ଫାସ୍ ଟ୍ୟାଗ୍ ଲାଗାଇଥିବା ଗାଡି ଚ଼ାଳକମାନେ ଫାସ୍ ଟ୍ୟାଗ୍ ଲେନ୍ରେ ଓ ଯେଉଁମାନେ ଫାସ୍ ଟ୍ୟାଗ୍ ଲଗାଇ ନହାଁନ୍ତି ସେମାନେ ହାଇବ୍ରିଡ୍ ଲେନ୍ ଦେଇ ଯିବା ପାଇଁ ବ୍ୟବସ୍ଥା ହୋଇଛି । ଏ ନେଇ ଗାଡି଼ ଚ଼ାଳକମାନଙ୍କୁ ଅବଗତ କରାଇବା ପାଇଁ ବ୍ୟାରିକେଡ଼ିଂ କରାଯିବା ସହ ଟୋଲ୍ କର୍ମଚାରୀମାନଙ୍କୁ ମଧ୍ୟ ନିଯୋଜିତ କରାଯାଇଛି ।
କିନ୍ତୁ ଅନ୍ୟ ଲେନ୍ରେ ଭିଡ଼ ଥିବା ଦେଖି ଗାଡିଚ଼ାଳକମାନେ ଫାସ୍ ଟ୍ୟାଗ୍ ଲେନ୍ରେ ଗାଡି଼ ଭର୍ତ୍ତି କରି ଦେଉଛନ୍ତି । ଫଳରେ ସେମାନଙ୍କୁ ଟୋଲ୍ ଗେଟ୍ର କର୍ମଚାରୀମାନେ ତାଗିଦ୍ କରିବା ଏବଂ କ୍ୟାସ୍ରେ ଦେୟ ସଂଗ୍ରହ କରିବା ଯୋଗୁଁ ଗାଡି଼ଗୁଡ଼ିକ ସେଠାରେ ଦୀର୍ଘ ସମୟ ଅଟକି ରହୁଛନ୍ତି । ଫଳରେ ତାଙ୍କ ପଛକୁ ଥିବା ଫାସ୍ ଟ୍ୟାଗ୍ ଗାଡି଼ଚାଳକମାନଙ୍କୁ ଅଯଥା ଅପେକ୍ଷା କରିବାକୁ ପଡୁଛି ।
ଏହା ବ୍ୟତୀତ ଫାସ୍ ଟ୍ୟାଗ୍ରେ ଆବଶ୍ୟକୀୟ ବାଲାନ୍ସ ନ ରଖି ଚ଼ାଳକମାନେ ସେହି ଲେନ୍ରେ ଗାଡି଼ ଲଗାଇବା ଯୋଗୁଁ ମଧ୍ୟ ସେଠାରେ ଅପ୍ରୀତିକର ପରସ୍ଥିତି ସୃଷ୍ଟି ହେଉଛି ।
‘‘ମୁଁ ଫାସ୍ ଟ୍ୟାଗ୍ ଲଗେଇଛି । ମୋ’ ଆକାଉଣ୍ଟରେ ବାଲାନ୍ସ ମଧ୍ୟ ରହିଛି । କିନ୍ତୁ ଅନ୍ୟ ଗାଡି଼ଚାଳକମାନଙ୍କ ଯୋଗୁଁ ମୋତେ ଅଯଥାରେ ୨୦ ମିନିଟ ଅପେକ୍ଷା କରିବାକୁ ପଡିଲା,’’ କହିଛନ୍ତି କଟକ ବାସିନ୍ଦା ପରମିତ୍ ।
ଫାସ୍ ଟ୍ୟାଗ୍ ବ୍ୟବସ୍ଥାକୁ ନେଇ ଅନେକ ଗାଡି଼ଚାଳକ ଅଜ୍ଞ ଥିବା ବେଳେ କିଛି ଏହାକୁ ହାଲୁକାଭାବେ ଗ୍ରହଣ କରିଥିଲେ । ଫଳ ସ୍ବରୂପ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଓ ନିର୍ଦ୍ଧିଷ୍ଟ ଦେୟ ଦେବା ପରେ ହାଇବ୍ରିଡ୍ ଲେନ ଦେଇ ସେମାନଙ୍କୁ ଯିବାକୁ ଦିଆଯାଇଥିଲା ।
“ଏହି ଫାସ୍ ଟ୍ୟାଗ୍ ବ୍ୟବସ୍ଥାରେ ସମସ୍ୟା ଥିବାରୁ ଏହାକୁ ମୁଁ ଲଗାଇ ନାହିଁ,’’ କହିଛନ୍ତି ପଶ୍ଚିମବଙ୍ଗର ଜଣେ କାର୍ ଚାଳକ । ତେବେ କଣ ସବୁ ସମସ୍ୟା ଅଛି, ତାହା ବୁଝାଇ କହି ପାରିଲେ ନାହିଁ ସେ ।
ସେପଟେ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କ ଠାରୁ ଦୁଇଗୁଣା ଫାଇନ୍ ଆଦାୟ କରୁଛନ୍ତି ଟୋଲ୍ ଗେଟ୍ ଅଧିକାରୀ । ଗାଡି଼ର ସାମନା କାଚ଼ର ସଠିକ ସ୍ଥାନରେ ଫାସ୍ ଟ୍ୟାଗ୍ ନ ଲଗାଇବା, ଫାସ୍ ଟ୍ୟାଗ୍ରେ ଧୂଳି ଜମିବା ଏବଂ ଟୋଲ୍ର ସେନସର୍ ଫାସ୍ ଟ୍ୟାଗ୍କୁ ନରୀକ୍ଷଣ ନ କରିପାରିବାରୁ ସମସ୍ୟା ସୃଷ୍ଟି ହେଉଛି ।
‘‘କେବଳ ଦୁଇଟି ଲେନ୍କୁ ବାଦ ଦେଇ ସମସ୍ତ ଲେନକୁ ଫାସଟ୍ୟାଗ କରିବା ପାଇଁ ଭାରତ ସରକାରଙ୍କ ଆଡଭାଇଜରି ରହିଥିଲା । କିନ୍ତୁ ସ୍ଥାନୀୟ କତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଆମେ ଫାସ୍ ଟ୍ୟାଗ୍ ଲେନ୍ ସଂଖ୍ୟାକୁ କମ୍ କରିଥିଲୁ । ହେଲେ ଲୋକେ ସଚେତନ ନ ଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି,’’ କହିଛନ୍ତି ମଙ୍ଗୁଳି ଟୋଲ୍ ପ୍ଲାଜାର ଡିଜିଏମ ଲଲିତ୍ ସହେୱାଲ୍ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।