ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଅଦିନିଆ ବର୍ଷାକୁ ନେଇ ନିରାଶ ଚାଷୀ; ଗଜପତିରେ ନଷ୍ଟ ହେବାରେ ଲାଗିଛି ଫସଲ

ଅଦିନିଆ ବର୍ଷାକୁ ନେଇ ନିରାଶ ଚାଷୀ; ଗଜପତିରେ ନଷ୍ଟ ହେବାରେ ଲାଗିଛି ଫସଲ

ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ଚାଷ ପାଇଁ ପାଗ ଅନୁକୁଳ ରହିଥିଲା । ଫଳରେ ଚାଷୀମାନେ ଚଳିତ ବର୍ଷ ଭଲ ଅମଳ କରିବା ନେଇ ଆଶା ପ୍ରକାଶ କରିଥିଲେ । ହେଲେ ବର୍ତ୍ତମାନ ଗତ ତିନି ଦିନ ହେଲା ଲାଗି ରହିଥିବା ଅଦିନିଆ ବର୍ଷା ଯୋଗୁଁ ଚାଷ କିଛି ପରିମାଣରେ ପ୍ରଭାବିତ ହୋଇଛି ।

ଅଦିନିଆ ବର୍ଷାକୁ ନେଇ ନିରାଶ ଚାଷୀ; ଗଜପତିରେ ନଷ୍ଟ ହେବାରେ ଲାଗିଛି ଫସଲ
ଅଦିନିଆ ବର୍ଷାକୁ ନେଇ ନିରାଶ ଚାଷୀ
  • News18 Odia
  • Last Updated: November 15, 2021, 2:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digtial

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଗତ ତିନି ଦିନ ହେଲା ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବିଶେଷ କରି ଚାଷୀକୁଳ ଅଧିକ କ୍ଷତିଗ୍ରସ୍ତ ହୋଇପଡ଼ିଛନ୍ତି । ଏହା ସହ ଆସନ୍ତା ୧୭ ତାରିଖରୁ ପୁଣି ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ ଆଉ ଥରେ ଲଗାଣ ବର୍ଷା ହେବା ସମ୍ଭାବନା ସୃଷ୍ଟି ହୋଇଛି। ଏମିତି ହେଲେ ଚାଷ ପ୍ରଭାବିତ ହେବା ଆଶଙ୍କା ରହିଥିବା ଚାଷୀମାନେ କହିଛନ୍ତି ।

ହେଲେ ଲଗାଣ ବର୍ଷାକୁ ନେଇ ପ୍ରଶାସନର କୌଣସି ଚିନ୍ତା ଥିବା ଭଳି ମନେ ହେଉନାହିଁ । କାରଣ ଲଗାଣ ବର୍ଷା ସମ୍ପର୍କରେ କୌଣସି ସଚେତନତା ବାର୍ତ୍ତା ପ୍ରଦାନ କରିବା କିମ୍ବା ଚାଷୀଙ୍କୁ ସତର୍କ କରାଇବା ଦିଗରେ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏପରିକି ୨୪ ଘଣ୍ଟା ମଧ୍ୟରେ କେଉଁ ସ୍ଥାନରେ କେତେ ପରିମାଣର ବର୍ଷା ରେକର୍ଡ ହୋଇଛି ସେ ନେଇ ମଧ୍ୟ କୌଣସି ସୂଚନା ପ୍ରଦାନ କରିବା ଦିଗରେ ପ୍ରଶାସନ ଗୁରୁତ୍ବ ଦେଉନାହିଁ।

ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ଚାଷ ପାଇଁ ପାଗ ଅନୁକୁଳ ରହିଥିଲା । ଫଳରେ ଚାଷୀମାନେ ଚଳିତ ବର୍ଷ ଭଲ ଅମଳ କରିବା ନେଇ ଆଶା ପ୍ରକାଶ କରିଥିଲେ । ହେଲେ ବର୍ତ୍ତମାନ ଗତ ତିନି ଦିନ ହେଲା ଲାଗି ରହିଥିବା ଅଦିନିଆ ବର୍ଷା ଯୋଗୁଁ ଚାଷ କିଛି ପରିମାଣରେ ପ୍ରଭାବିତ ହୋଇଛି । ଏପରିକି କିଛି ସ୍ଥାନରେ ଧାନ ଗଛ ପଡ଼ିଯାଇଥିବା ଦେଖିବାକୁ ମିଳିଛି । ଏହି ବର୍ଷାକୁ ନେଇ ଚାଷୀକୁଳ ଚିନ୍ତାରେ ରହିଥିବା ବେଳେ ରବିବାର ସକାଳ ଠାରୁ ବର୍ଷାର ପରିମାଣ ସାମାନ୍ୟ କମିଛି । ଫଳରେ ଚାଷୀକୁଳ ସାମାନ୍ୟ ଆଶ୍ବସ୍ତ ଅନୁଭବ କରିଛନ୍ତି । ଆସନ୍ତା ୧୭ ତାରିଖରୁ ପୁଣି ଏକ ଲଘୁଚାପ ସୃଷ୍ଟି ହେବ ଓ ଏହାର ପ୍ରଭାବରେ ପୁଣି ଚାରି ଦିନ ବର୍ଷା ବର୍ଷିବ ବୋଲି ଏକ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ଶୁଣିବା ପରେ ଚାଷୀକୁଳ ଆହୁରି ଚିନ୍ତାରେ ପଡ଼ିଛନ୍ତି । କାରଣ ଏହି ବର୍ଷା ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେବାର ଆଶଙ୍କା ରହିଛି ।

ଗଜପତିରେ ନଷ୍ଟ ହେବାରେ ଲାଗିଛି ଫସଲ


କୃଷକ ଗଙ୍ଗାଧର ବାରିକ କହିଛନ୍ତି, “ଅଦିନିଆ ବର୍ଷା ଯୋଗୁଁ ଅନେକ ଫସଲ ବିଶେଷ କରି ଧାନ ଚାଷ ପ୍ରଭାବିତ ହୋଇଛି । ଆହୁରି ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଛି । ଏଭଳି ହେଲେ ଫସଲ ଅମଳ ହେବ କି ନାହିଁ ତାହା ବି ସନ୍ଦେହରେ । ଏଭଳି ସ୍ଥିତିରେ ଚାଷୀମାନେ କରିଥିବା ଋଣ ମଧ୍ୟ ଅମଳ ଶସ୍ୟରୁ ପାଇବେ କି ନାହିଁ ତାହାକୁ ନେଇ ନିରାଶ ହୋଇପଡ଼ିଛନ୍ତି ଚାଷୀ ।”

ଅଦିନିଆ ଲଗାଣ ବର୍ଷାକୁ ନେଇ ଚାଷୀକୁଳ ଚିନ୍ତାରେ ଥିବା ବେଳେ କୃଷି ବିଭାଗ ଓ ପ୍ରଶାସନ କିନ୍ତୁ ଶାନ୍ତିରେ ବସିଛି । ବର୍ଷା ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବା କିମ୍ବା ଏହାର କିଭଳି ମୁକାବିଲା କରିବେ ସେନେଇ କୌଣସି ସଚେତନ କରିବା ତ ଦୂରର କଥା ଗତ ତିନି ଦିନ ମଧ୍ୟରେ ଜିଲ୍ଲାର କେଉଁ ସ୍ଥାନରେ କେତେ ପରିମାଣର ବର୍ଷା ରେକର୍ଡ କରାଯାଇଛି ସେନେଇ ମଧ୍ୟ କୌଣସି ସୂଚନା ପ୍ରଦାନ କରାଯାଉନାହିଁ । ଯାହାକି ପ୍ରଶାସନର ଚାଷୀ ଓ ଚାଷ ପାଇଁ ରହିଥିବା ଦରଦକୁ ପଦାରେ ପକାଇଛି।

ଜିଲ୍ଲା କୃଷକ ସଙ୍ଘ ସଭାପତି ସୂର୍ଯ୍ୟନାରାଯଣ ପଟ୍ଟନାୟକ କହିଛନ୍ତି, “ଅଦିନିଆ ବର୍ଷା ଯୋଗୁଁ ବର୍ତ୍ତମାନ ଗୋଷାଣି ଓ ଗୁମ୍ମା ବ୍ଲକରେ ଚାଷ ସମ୍ପୂର୍ଣ୍ଣ ପ୍ରଭାବିତ ହେବା ସହ ଗୁମ୍ମା ବ୍ଲକର ଅଧାରୁ ଅଧିକ ଅଞ୍ଚଳରେ ଏହି ସମସ୍ୟା ଦେଖା ଦେବ । ସେହିଭଳି ଆଗାମୀ ଦିନରେ ହେବାକୁ ଥିବା ବର୍ଷା ଆହୁରି କ୍ଷତି କରିବ ।”

ପ୍ରତିବର୍ଷ ଏଦିନିଆ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ଚାଷୀ କ୍ଷତିରେ ପଡ଼ିବା କିଛି ନୂଆ କଥା ନୁହେଁ । କିନ୍ତୁ ଏମାନଙ୍କ ସହ ପ୍ରଶାସନ ଛିଡ଼ା ନହେବା ଚାଷୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି ।
Published by: Lipina Das
First published: November 15, 2021, 2:46 PM IST