ଆହାର ମୁହଁରେ ପ୍ରହାର; ତୁଆକୁ ତୁଆ ବର୍ଷାରେ କିଆରୀ କିଆରୀ ଫସଲ ପାଣିରେ

ବଢ଼ିଲା ଚାଷୀମାନଙ୍କ ସମସ୍ୟା । ବର୍ଷା ଯୋଗୁ ନଷ୍ଟ ହେବାରେ ଲାଗିଛନ୍ତି ଧାନ ଓ ପନିପରିବାର । ଯାହାକୁ ନେଇ ଚିନ୍ତାରେ ସମସ୍ତେ ।

ତୁଆକୁ ତୁଆ ବର୍ଷାରେ କିଆରୀ କିଆରୀ ଫସଲ ପାଣିରେ

ତୁଆକୁ ତୁଆ ବର୍ଷାରେ କିଆରୀ କିଆରୀ ଫସଲ ପାଣିରେ

  • Share this:
News18 Odia Digital

ଭୁବନେଶ୍ବର: ଆହାର ମୁହଁରେ ପ୍ରହାର ପକାଇଛି ବର୍ଷା। ତୁଆକୁ ତୁଆ ବର୍ଷାରେ କିଆରୀ କିଆରୀ ଫସଲ ପାଣିରେ ଏବେ ବି ଭାସୁଛି। ଧାନ ମୂଳରୁ ଅଗ ପଚି ଯାଇ ନଷ୍ଟ ହୋଇଯାଇଛି। ଫସଲ ମାଟିରେ ମିଶିଛି। ଏବେ ଚିନ୍ତାରେ ଚାଷୀକୁଳ। ବର୍ଷକର ଗୋଟିଏ ଫସଲ ଯାହା ପେଟ ପୁରାଇଦିଏ ତାହା ଯେତେବେଳେ ଉଜୁଡ଼ି ଯାଉଛି ସେଠି ତାକୁ ବଞ୍ଚାଇବା ଲଗି ଚାଷୀ ଅବା କ'ଣ କରିପାରିବ ? ମନକୁ ବୁଝାଇବା ଲାଗି ସେଇ ନଡ଼ା ମୂଳକୁ ଧରି ଧାନକୁ ପାଣିରୁ ଛାଣିବାରେ ବ୍ୟସ୍ତ। ପ୍ରତେକ ଚାଷୀର ଚାଷ ଆରମ୍ଭରୁ ହିଁ ବୁନ୍ଦାଏ ବର୍ଷା ପାଣି ଉପରେ ଥାଏ ଆଶା ଆଉ ବିଶ୍ୱାସ।

ଯାହାକୁ ଚାଷୀଟି ଚାଷର ଉର୍ବରତା ପାଇଁ ଚାହିଁ ରହିଥାଏ। କିନ୍ତୁ ସେହି ବର୍ଷା ପାଣି ଯେତେବେଳେ ଚାଷୀର ତଣ୍ଟି ଚିପି ଦିଏ ସେତେବେଳେ ଅବା ଚାଷୀ କ'ଣ କରିପାରିବ? ପ୍ରତ୍ୟେକ ବର୍ଷ ବାତ୍ୟା ଆସିଛି ଆଉ ସାଙ୍ଗରେ ନେଇଯାଇଛି ଜୀବନ ଆଉ ଜୀବିକା। ଚାଳଛପର ହେଉକି ଅବା ବଡ଼ ବଡ଼ କୋଠା, ଦାରୁଗଛ ହେଉ କି ଫସଲ ସବୁକିଛି ଧୂଳିସାତ କରିଦେଇଥାଏ। କିନ୍ତୁ ବାତ୍ୟା ଜୱାଦ ସିନା ଦୁର୍ବଳ ହୋଇ ତା ବାଟରେ ଗଲା ହେଲେ ବର୍ଷା କିନ୍ତୁ ସବୁ ଧୋଇନେଲା।

ଏମିତି ଦୃଶ୍ୟ ଏବେ ନିମାପଡା, ଜୟଦେବ ବିଶ୍ଵନାଥ ପୁର, ବାଲି ପାଟଣା, ବାଲିଅନ୍ତା, ବେଗୁନିଆ, ଆଠାନ୍ତର ଓ କୋଣାର୍କ ସବୁଠି ଏଭଳି ଅବସ୍ଥା। ଜୀବନକୁ ବାଜି ଲଗାଇ, ବର୍ଷା ଓ ପବନକୁ ଖାତିର ନକରି ଆମେ ଧାନଙ୍କୁ ବଞ୍ଚାଇବାକୁ ଲାଗି ପଡ଼ିଲୁ। କିନ୍ତୁ ପାଗ ସାଥ ଦେଲାନି ବୋଲି ଏଭଳି କୋହଭରା କଣ୍ଠରେ କହିଛନ୍ତି ନିମାପଡାର ଚାଷୀ ଜମ୍ବେଶ୍ଵର କାଣ୍ଡି। ଧାନର ଅଗ୍ରଭାଗକୁ ଧରି ଚାରୋଟି ବୁଦାକୁ ଏକାଠି କରି ବାନ୍ଧି ବାରେ ବ୍ୟସ୍ତ ଚାଷୀ।

ବଢ଼ିଲା ଚାଷୀମାନଙ୍କ ସମସ୍ୟା


ଧାନ ପାଚି ଅମଳ ହେବା ବେଳକୁ ବର୍ଷା ସାଜିଛି ବାଧକ। ପାଣିରେ ପଚୁଚି ଧାନ। ଖଳାକୁ ଯାଇଥାନ୍ତା, ବେଙ୍ଗୁଳା ହୋଇ ଅମଳ ହୋଇଥାନ୍ତା । ଚାଷୀର ଏଭଳି ସ୍ବପ୍ନ ଚୁରମାର ହୋଇଯାଇଛି। ସେଥି ପଇଁ କିଛି ପାଇବା ଆଶାରେ ଚାଷୀ ଆସିଛି ବିଲ ମୁଣ୍ଡାକୁ। ଫସଲକୁ ବଞ୍ଚାଇବା ଲାଗି କରୁଛି କଡ଼ା କସରତ। ନିମାପଡ଼ାରୁ କୋଣାର୍କ ସବୁଠି ପ୍ରବଳ ବର୍ଷା। ଯାହା ଭିତରେ ଚାଷ ବୁଡ଼ିଛି । କେବଳ ଧାନ ନୁହେଁ ପରିବା ଚାଷ ବି ଉଜୁଡ଼ି ଯାଇଛି। ଋତୁ କାଳୀନ ଫସଲ କରି ପରିବାର ପ୍ରତିପୋଷଣ ଓ ବେପାର କରୁଥିବା ଜୟଦେବ ନିର୍ବାଚନ ମଣ୍ଡଳୀ ବିଶ୍ଵ ନାଥ ପୁରର ରବୀନ୍ଦ୍ର ବାରିକ ଏବେ ଚିନ୍ତାରେ। ଲୋନ କରି ଶାଗ, କଦଳୀ, ପୋଟଳ, କୁନ୍ଦୁରି, ବିନ୍, ଭେଣ୍ଡି ଓ କୋବି ଚାଷ କରିଥିଲେ।

ସେ ସବୁ ବର୍ତ୍ତମାନ ନଷ୍ଟ ହୋଇଯାଇଛି । ସେପଟେ ଅନନ୍ତ କୁମାରଙ୍କ ଚାରା ଚାଷ ବି ନଷ୍ଟ ହୋଇଛି। ଛପର ଉଡ଼ିଯାଇଛି। ପାଣିରେ ପଚି ଯାଇଛି ଚାରା । ଯାହା ବି କିଛି ଅଛି ତାକୁ ବଞ୍ଚାଇବା ଲାଗି ଆପ୍ରାଣ ଉଦ୍ୟମ କରୁଛନ୍ତି ନିଜ ସହଯୋଗୀଙ୍କ ସହ ଅନନ୍ତ। ସବୁ ବିଲରେ କିଆରୀ କିଆରୀ ପାଣି। ଯାହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି।
Published by:Lipina Das
First published:
)}