ବ୍ରହ୍ମପୁରର ପ୍ରସିଦ୍ଧ କଣ୍ଢେଇ ଯାତ୍ରା; କଣ୍ଢେଇ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼

ବ୍ରହ୍ମପୁରର ପ୍ରସିଦ୍ଧ କଣ୍ଢେଇ ଯାତ୍ରାରେ କଣ୍ଢେଇ କିଣିବାକୁ ଜମିଛି ଲୋକଙ୍କ ଭିଡ଼। ମାଟି କଣ୍ଢେଇ ଅପେକ୍ଷା ଇଲେକଟ୍ରୋନିକ୍ସ, କପଡ଼ା ଓ ପ୍ଳାଷ୍ଟିକ କଣ୍ଢେଇ ଲୋକଙ୍କ ଚାହିଦା ପାଲଟିଛି।

ବ୍ରହ୍ମପୁରର ପ୍ରସିଦ୍ଧ କଣ୍ଢେଇ ଯାତ୍ରା

ବ୍ରହ୍ମପୁରର ପ୍ରସିଦ୍ଧ କଣ୍ଢେଇ ଯାତ୍ରା

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ପାରମ୍ପରିକ କଣ୍ଢେଇ ଯାତ୍ରା ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଖାସ୍ପା ସାହିରେ ଅନୁଷ୍ଠିତ ଏହି କଣ୍ଢେଇ ଯାତ୍ରାରେ ବ୍ରହ୍ମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସୁଅଛୁଟିଥିଲା ଶ୍ରଦ୍ଧାଳୁମାନଙ୍କର।

୩୦୦ ବର୍ଷ ପୁରୁଣା ଏହି କଣ୍ଢେଇ ଯାତ୍ରାକୁ ଆସି ଲୋକେ ଖାସ୍ପା ସାହି ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ଶ୍ରୀରାମଙ୍କ ପଟ୍ଟାଭିଷେକ ଓ ମା' ବୁଢୀ ଠାକୁରାଣୀଙ୍କୁ ଅନ୍ନପୂର୍ଣ୍ଣା ବେଶ ଦେଖିଥିଲେ। ଏହାପରେ କଣ୍ଢେଇ କିଣିବାରେ ମଜିଯାଇଥିଲେ ଲୋକେ। ଏହି ନିଆରା କଣ୍ଢେଇ ଯାତ୍ରାରେ ଶତାଧିକ ବ୍ୟବସାୟୀ କଣ୍ଢେଇ ବିକ୍ରି କରୁଥିବା ବେଳେ ମାଟି କଣ୍ଢେଇ ପରିବର୍ତ୍ତେ ଇଲେକଟ୍ରନିକ୍ସ ଓ ପ୍ଲାଷ୍ଟିକ କଣ୍ଢେଇ ଅଧିକ ପରିମାଣରେ ବିକ୍ର ହୋଇଥିଲା।

ବ୍ରହ୍ମପୁର ଖାସ୍ପା ସାହିରେ ପବିତ୍ର ଆଶାଢ଼ ପୂର୍ଣ୍ଣିମା ତିଥିରେ ପାଳିତ ହୁଏ ପ୍ରସିଦ୍ଧ କଣ୍ଢେଇ ଯାତ୍ରା। ଏହି ଦିନ ଖାସ୍ପା ସାହି ଠାରେ ଥିବା ଗଡ଼ ଜଗନ୍ନାଥ ଓ ବଡ଼ ଜଗନ୍ନାଥଙ୍କୁ ପ୍ରଭୁ ଶ୍ରୀରାମଙ୍କ ପଟ୍ଟାଭିଷେକ ଓ ମା' ବୁଢୀ ଠାକୁରାଣୀଙ୍କୁ ମା' ଅନ୍ନପୂର୍ଣ୍ଣ ବେଶରେ ଭୁଷିତ କରାଯିବା ପରମ୍ପରା କାଇଁ କେଉଁ କାଳରୁ ପାଳିତ ହୋଇଆସୁଛି। ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଲୋକେ ଭିଡ଼ ଜମାଇଥିଲେ କଣ୍ଢେଇ ଯାତ୍ରାରେ। ବିଭିନ୍ନ କଣ୍ଢେଇ ଷ୍ଟଲ ଓ ପସରାକୁ ଯାଇ ବିଭିନ୍ନ ରକମର କଣ୍ଢେଇ କିଣିଥିଲେ ଲୋକେ। ଏହି ନିଆରା ପରମ୍ପରା ଦେଖିବାକୁ ବ୍ରହ୍ମପୁର କାହିକିଁ ସମଗ୍ର ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା।

କଣ୍ଢେଇ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼


‘‘ରାଜାରାଜୁଡା କାଳରୁ ଏହି ନିଆରା ପରମ୍ପରା ଖାସ୍ପା ସାହିରେ ପାଳିତ ହୋଇଆସୁଛି। ରଥଯାତ୍ରାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଏହି ନବଦିନାତ୍ମକ ଯାତ୍ରାକୁ ମନେରଖିବା ପାଇଁ ଜଗନ୍ନାଥଙ୍କୁ ପଟ୍ଟାଭିଷେକ ବେଶରେ ସଜ୍ଜିତ କରାଯାଇଥାଏ। ମହୁରୀରାଜଙ୍କ ମହୁରୀଗଡ଼ ଭାଙ୍ଗିବା ପରେ ବ୍ରହ୍ମପୁରରେ ରାଜବାଟି ନିର୍ମାଣ କରି ପହଞ୍ଚିବା ପରେ ସହରରେ ଆରମ୍ଭ ହୋଇଥିଲା ଏହି କଣ୍ଢେଇ ଯାତ୍ରା। ମହାରଣା, କାରିଗର, କୁମ୍ଭାର ପରିବାରମାନେ କଣ୍ଢେଇ ନିର୍ମାଣ କରି ବିକ୍ରି କରିବା ସହିତ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ହେଉଛି କଣ୍ଢେଇ ଯାତ୍ରାର ମୂଳ ଉଦେଶ୍ୟ,’’ କହିଛନ୍ତି ବିଶେଷଜ୍ଞ ପ୍ରଫେସର ଜଗନ୍ନାଥ ପଣ୍ଡା।

‘‘କଣ୍ଢେଇ ଯାତ୍ରାରେ ପୂର୍ବର ସହରର ବିଭିନ୍ନ ସ୍ଥାନରୁ କଣ୍ଢେଇ ଆଣି ବିକ୍ରି କରୁଥିଲେ କାରିଗରମାନେ। କିନ୍ତୁ ବର୍ତ୍ତମାନ ମାଟି କଣ୍ଢେଇ ଅପେକ୍ଷା ପ୍ଲାଷ୍ଟିକ, ଇଲେଟ୍ରୋନିକ୍ସ, କପଡ଼ା ନିର୍ମିତ କଣ୍ଢେଇର ଚାହିଦା ରହିଛି। ତେଣୁ ଅନେକ ବ୍ୟବସାୟୀମାନେ କେବଳ ଗଞ୍ଜାମ ନୁହେଁ ବରଂ କଲିକତାରୁ ମଧ୍ୟ ବ୍ୟବସାୟୀମାନେ କଣ୍ଢେଇ ଯାତ୍ରାକୁ ଆସି କଣ୍ଢେଇ ବିକ୍ରି କରୁଛନ୍ତି। ବିଭିନ୍ନ ଠାକୁର ଠାକୁରାଣୀଙ୍କ କଣ୍ଢେଇ, ଘର ସଜ୍ଜିତ କରିବା ନିମନ୍ତେ ସାମଗ୍ରୀ ସହ ବିଭିନ୍ନ କଳାକୃତି ମଧ୍ୟ ବିକ୍ରି କରାଯାଉଛି। ୫୦ ଟଙ୍କାରୁ ଆରମ୍ଭ କରି ୮୦୦ ଟଙ୍କା ପର୍ଯ୍ୟନ୍ତ କଣ୍ଢେଇ ବିକ୍ରି କରାଯାଉଥିବା ବେଳେ ଗ୍ରାହକମାନେ ମଧ୍ୟ ବେଶ୍ ଖୁସୀର ସହିତ କଣ୍ଢେଇ କିଣି ନେଉଥିବା,’’ କହିଛନ୍ତି କଣ୍ଢେଇ ବ୍ୟବସାୟୀ ପ୍ରଶାନ୍ତ ମିତ୍ର।

‘‘ପ୍ରାୟ ୩୦୦ ବର୍ଷ ପୁରୁଣା ଏହି କଣ୍ଢେଇ ଯାତ୍ରା। ମହୁରୀ ରାଜା ଆନ୍ଧ୍ର ପ୍ରଦେଶର କିଛି ବ୍ୟବସାୟୀଙ୍କୁ ଆଣି ବ୍ରହ୍ମପୁରରେ ଆଶାଢ଼ ପୂର୍ଣ୍ଣିମାରେ ଜଗନ୍ନାଥଙ୍କ ଶ୍ରୀରାମଙ୍କ ପଟ୍ଟାଭିଷେକ ବେଶ ପାଳନ ଅବସରରେ କଣ୍ଢେଇ ଯାତ୍ରାର ଆୟୋଜନ କରିଥିଲେ। ତେବେ ଆସ୍ତେ ଆସ୍ତେ ଏହି କଣ୍ଢେଇ ଯାତ୍ରା ଲୋପ ପାଇବାକୁ ବସିଥିବା ବେଳେ ୨୦୦୫ରୁ ଏକ କମିଟି ଗଠନ କରାଯାଇ ପୁଣି ଏହି ପ୍ରସିଦ୍ଧ ଯାତ୍ରାକୁ ଉଦଜିବିତ କରାଯାଇଛି। ତେବେ ଅଣକୁଶଳୀ, ଅର୍ଦ୍ଧ କୁଶଳୀ ଓ କୁଶଳୀ କାରୀଗରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜାରାଜୁଡା ଅମଳରୁ ଏହି କଣ୍ଢେଇ ଯାତ୍ରା ପାଳିତ ହୋଇ ଆସୁଛି,’’ କହିଛନ୍ତି ସଂସ୍କୃତି ଗବେଷକ ସନ୍ୟାସୀ ମହାରଣା।

‘‘ପୂର୍ବରୁ କେବଳ ମାଟି, ଗୋବର ଓ କାଠରେ ନିର୍ମିତ କଣ୍ଢେଇ ଏହି ଯାତ୍ରାରେ ଦେଖିବାକୁ ମିଳୁଥିଲା। ବର୍ତ୍ତମାନ ଯୁଗ ସହ ଲୋକଙ୍କ ପସନ୍ଦ ମଧ୍ୟ ବଦଳିଛି। ତେଣୁ ସେସବୁର ଏବେ ସ୍ଥାନ ନେଇଛି ଇଲେକ୍‌ଟ୍ରୋନିକ୍ସ, ରବର ଓ ପ୍ଳାଷ୍ଟିକରେ ନିର୍ମିତ କଣ୍ଢେଇ। କଣ୍ଢେଇ ଯାତ୍ରାରେ ପୂର୍ବ ଭଳି ଯଦିଓ ମାଟି କଣ୍ଢେଇ ବିକ୍ରି ବଟା ହେଉନାହିଁ ସତ କିନ୍ତୁ ତଥାପି ମଧ୍ୟ କଣ୍ଢେଇ ଯାତ୍ରାକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି। ତେଣୁ ସାଧରଣ ଲୋକେ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ମଧ୍ୟ ଏହି କଣ୍ଢେଇ ଯାତ୍ରା ଭଳି ପାରମ୍ପାରିକ ଯାତ୍ରାକୁ ଆହୁରି ଆଗକୁ ନେବାକୁ ପ୍ରାୟସ କରିବାର ଆବଶ୍ୟକତା ରହିଛି,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ରାମେଶ୍ବରୀ ନନ୍ଦ।

ପ୍ରକାଶ ଥାଉକି କଣ୍ଢେଇ ଯାତ୍ରା ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଥିବା ବେଳେ ଶତାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା।
Published by:Lipina Das
First published: