News 18 Odia Digital
ସୁବର୍ଣ୍ଣପୁର; ସମୟ ବଡ ବଳବାନ । ସମୟ ସୁଅରେ କେତେବେଳେ କଣ ହୋଇଥାଏ ମଣିଷ ନିଜେ ମଧ୍ୟ ଜାଣିନଥାଏ । ଦୀର୍ଘ ୧୫ ବର୍ଷ ପରେ ଘରକୁ ଫେରିଛି ହଜିଲା ପୁଅ (Missing son) । ଗତ ୨୦୦୮ ମସିହାରୁ ମାନସିକ ଭାରସାମ୍ୟ ହରାଇ ଘରୁ ଚାଲିଯାଇଥିଲା ପୁଅ । ଯେତେ ଖୋଜିଲେ ବି ମିଳିଲାନି । ବଞ୍ଚିଛି କି ନାହିଁ ତାହା ବି କେହି ଜାଣିନଥିଲେ । କାହାରି ଆଶା ବି ନଥିଲା ପୁଅ ଆଉ ଘରକୁ ଫେରିବ । ଯେତେବେଳେ ପୁଅ ଆସୁଛି ବୋଲି ଖବର ଆସିଲା ସାରା ପରିବାର ସମେତ ପଡୋଶୀଙ୍କ ପାଦ ସତେ ଯେମିତି ମାଟିରେ ଲାଗୁନଥିଲା । ଚାତକ ପରି ଚାହିଁ ରହିଥିଲେ ପରିବାର ଏବଂ ସାରା ଗାଁ ଲୋକେ । ସୁବର୍ଣ୍ଣପୁର (Subarnapur) ଜିଲ୍ଲା ତରଭା ବ୍ଲକ ନୂଆଁପାଲି ଗାଁରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା ।

ବାଜା ବଜାଇ, ନାଚ ଗୀତର ସହ ଯୁବକଙ୍କୁ ସ୍ୱାଗତ କରାଯାଇଥିଲା । ଫୁଳମାଳ ପିନ୍ଧି ପ୍ରତ୍ୟେକ ଲୋକଙ୍କୁ ପ୍ରଣାମ କରି ଗାଁକୁ ପ୍ରବେଶ କରୁଥିଲେ ଯୁବକ । ଏହି ଦୃଶ୍ୟ ଦେଖିଲେ ଯେ କେହି ବି କହିବ ହୁଏତ ଏଠାରେ କୌଣସି ନିର୍ବାଚନ ପ୍ରଚାର ପାଇଁ ନେତା ଆସୁଛନ୍ତି । ନେତାର ଭ୍ରମ ସୃଷ୍ଟି ହେଉଥିବା ଚିତ୍ର କିନ୍ତୁ କୌଣସି ଇଲେକ୍ସନ କିମ୍ବା ନେତାଙ୍କର ନୁହେଁ । ଦିର୍ଘ ୧୫ ବର୍ଷ ପୂର୍ବରୁ ମାନସିକ ଭାରସାମ୍ୟ ହରାଇ ଘରୁ ହଜିଯାଇଥିବା ପୁଅ ଘରକୁ ଫେରୁଛି ଯେଥିପାଇଁ ସାରା ଗାଁରେ ଏ ଉତ୍ସବର ମାହୋଲ । ଖୁସିରେ ଆତ୍ମହରା ପରିବାର ଓ ଗାଁ ଲୋକେେ । ପୂର୍ଣ୍ଣକୁ ପାଇ ସାହି ଭାଇ ସମସ୍ତେ ଖୁସି । ବାପା ମାଆଙ୍କ ଆଖିରେ ଖୁସିର ଲୁହ । କେଉଁଠି ଥିଲା, କେମିତି ଥିଲା, ଦିର୍ଘ ୧୫ ବର୍ଷ ପରେ ବର୍ତ୍ତମାନ କେମିତି ଦିଶୁଛି ପୂର୍ଣ୍ଣ ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ । ଆଉ ଏ ସବୁର ଗୋଟାଏ ଉତ୍ତର ଯାହାବି ହେଉ ଗାଁକୁ ଫେରିଲା ପୁଅ । ଗାଁକୁ ଫେରିବାପରେ ନୂଆଁପାଲି ଗାଁରେ ପୂର୍ଣ୍ଣଙ୍କ ଘରେ ଲାଗିଛି ପ୍ରବଳ ଭିଡ ।

୨୦୦୮ ମସିହାରେ ମାନସିକ ଭାରସାମ୍ୟ ହରାଇ ଘରୁ କୁଆଡେ ଚାଲିଯାଇଥିଲା ନୂଆଁପାଲି ଗାଁର ଲଛମନ ବାଗଙ୍କ ପୁଅ ପୂର୍ଣ୍ଣ । ଦୀର୍ଘଦିନ ଖୋଜାଖୋଜି ପରେ ପୁଅକୁ ନପାଇ ତୁନି ରହିଯାଇଥିଲେ ପରିବାର ଲୋକେ । ଆଉ ୧୫ ବର୍ଷ ପରେ ନିକଟସ୍ଥ ବଡଭଇଁରୋ ଗାଁର ସମାଜସେବୀ ମନୋଜଙ୍କଠୁ ଖବର ପାଇଥିଲେ ଯେ, ତାଙ୍କ ପୁଅ ପୂର୍ଣ୍ଣ ତାମିଲନାଡୁ ରାଜ୍ୟର ରାମନାଦପୁରମ ସ୍ଥିତ ଏକ ଏନଜିଓରେ ଅଛି । ଖବର ପାଇ ମନୋଜଙ୍କ ସହିତ ପୂର୍ଣ୍ଣଙ୍କ ଭାଇ ପହଞ୍ଚିଥିଲେ ସେଠାରେ । ସେଠାକାର ଜିଲ୍ଲାପାଳ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ପରିବାରକୁ ହସ୍ଥାନ୍ତର କରିଥିଲେ ପୂର୍ଣ୍ଣଙ୍କୁ ।
ରିପୋର୍ଟ- ସୁବର୍ଣ୍ଣପୁରରୁ ସତ୍ୟବାନ ପୁରୋହିତ
ଅଧିକ ଖବର ପଢ଼ନ୍ତୁ-
http://ଚିତ୍ରରେ ଲୁଚିଥିବା ଅଙ୍କକୁ ଖୋଜିବାରେ ଅନେକ ହୋଇଛନ୍ତି ବିଫଳ; ତୀକ୍ଷ୍ଣ ନଜର ବ୍ୟକ୍ତି ହିଁ ଏହା ପାଇପାରିବେPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।