News18 Odia Digital
ଭୁବନେଶ୍ୱର: ନକଲି ଟିଭିରେ ଅସଲି ବ୍ରାଣ୍ଡର ଲୋଗୋ ଲଗାଇ ବିକ୍ରି କରିବା ଅଭିଯୋଗରେ ଚାରି ଜଣ ଟିଭି ଦୋକାନିଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ଼ । ଭୁବନେଶ୍ୱରର ଥିବା ଚାରିଟି ଦୋକାନ ଉପରେ ଚଢ଼ାଉ କରି ୧୨୨ଟି ଏଲ୍.ଇ.ଡି. ଟିଭି ଜବତ କରିଛି ପୋଲିସ ।
ଗିରଫ ହୋଇଥିବା ଚାରି ଜଣ ହେଉଛନ୍ତି ଲଷ୍ମୀସାଗର ନେତାଜୀ ମାର୍କେଟରେ ଥିବା ଖୁସି ଇଲୋକଟ୍ରନିକ୍ସର ମାଲିକ ଟି. ପ୍ରଭାକର ରାଓ, ମଞ୍ଚେଶ୍ବର ଇଡକୋ କଲୋନୀରେ ଥିବା ୟୁନିଟେକ୍ ଇଲେକଟ୍ରୋନିକ୍ସର ମାଲିକ ସମୀମ୍ ଖାନ୍, କାର୍ଗିଲ୍ ବସ୍ତିରେ ଥିବା ଗଣପତି ଇଲେକ୍ଟ୍ରୋନିକ୍ସର ମାଲିକ ମାନସ ଜେନା ଓ ଟଙ୍କପାଣି ଅଞ୍ଚଳରେ ଥିବା ସାଇ ଇଲେକ୍ଟ୍ରୋନିକ୍ସ ଦୋକାନର ମାଲିକ ଶିବ ପ୍ରସାଦ ସାହୁ ।
ଏହା ବି ପଢ଼ନ୍ତୁ | CBSE 12th Exam ବାତିଲ୍ ହେଲା; PMଙ୍କ ବୈଠକରେ ନିଷ୍ପତ୍ତି ହେଲା; ଓଡ଼ିଶା +୨ ପରୀକ୍ଷା ବାତିଲ୍ ହେବ କି?
‘‘ଆମ ପାଖରେ ଗୁପ୍ତ ଖବର ଥିଲା । ଆମ ଟିମ୍ ପ୍ରଥମେ ଲଷ୍ମୀସାଗରେ ରହୁଥିବା ଟି. ପ୍ରଭାକର ରାଓକୁ ଗିରଫ କରିଥିଲା । ପରେ ପ୍ରଭାକରକୁ ପଚରାଉଚରା ବେଳେ ପୂରା ଘଟଣା ସାମ୍ନାକୁ ଆସିଥିଲା । ଜବତ ସବୁ ଏଲ୍.ଇ.ଡି. ଗୁଡିକ ନକଲି । କୋଲକାତାରୁ ଏ ସବୁକୁ ଅଣାଯାଉଥିଲା । ଭୁବନେଶ୍ୱରରେ ବ୍ରାଣ୍ଡେଡ୍ କମ୍ପାନୀର ଲୋଗୋ ଲଗାଇ ବିକ୍ରି କରାଯାଉଥିଲା । ବିଶେଷ କରି ବ୍ରାଣ୍ଡେଡ୍ ଟିଭିର ଦର ଯାହା ରହିଛି ତା’ର ଅଧା ଦରରେ ଏ ସବୁକୁ ବିକ୍ରି କରୁଥିଲେ ଏମାନେ । ସାଧାରଣତଃ ଗରିବ ଶ୍ରେଣୀର ଲୋକେ କିମ୍ବା ଆର୍ଥିକ ସ୍ଥିତି ଭଲ ନ ଥିବା ଲୋକେ ଏ ସବୁ ଟିଭିକୁ କିଣିଥାନ୍ତି । କୌଣସି ଟିଭିର କାଗଜପତ୍ର ସଠିକ ନ ଥିଲା,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।
ଏହା ବି ପଢ଼ନ୍ତୁ | ମୋଦି-ମମତା କଳହ: ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ନୋଟିସ୍ ଜାରି ହେଲା; ତାଙ୍କୁ ଜେଲ୍ ସଜା ମିଳିପାରେ

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ
ଗିରଫ ହୋଇଥିବା ଟି. ପ୍ରଭାକର ପୂରା ରାକେଟର ମାଷ୍ଟରମାଇଣ୍ଡ୍ ବୋଲି ତଦନ୍ତରୁ ଜଣାପଡ଼ିଛି । ସେ ହିଁ ପ୍ରଥମେ ଏହି ବ୍ୟବସାୟ ଆରମ୍ଭ କରିଥିଲା । ବିଶେଷ କରି ବିନା ଜି.ଏସ୍.ଟି.ରେ ସେମାନେ ଟିଭିଗୁଡି଼କୁ ବିକ୍ରି କରୁଥିଲେ । ସବୁଠୁ ବଡ କଥା ହେଉଛି କୌଣସି ଗ୍ରାହକ ଏହାକୁ ନକଲି ବୋଲି ଜାଣି ପାରୁ ନ ଥିଲେ, କାରଣ ଅସଲି ବ୍ରାଣ୍ଡରେ ଯେମିତି ପ୍ରିଣ୍ଟିଂ ରହେ ଠିତ୍ ସେହି ସମାନ ଢଙ୍ଗରେ ଟିଭି ଓ ଖୋଳ ଉପରେ ପ୍ରିଣ୍ଟିଂ ଥିଲା । ପ୍ରିଣ୍ଟିଂ କରିବାରେ ଧୁରନ୍ଧର ଥିଲା ଗିରଫ ହୋଇଥିବା ମାନସ ଜେନା ।
ଏହା ବି ପଢ଼ନ୍ତୁ | RBI ଶସ୍ତାରେ ସୁନା କିଣିବା ସୁଯୋଗ ଦେଉଛି; ୫ ଦିନ ପାଇଁ ସୋଭରେନ୍ ଗୋଲ୍ଡ ବଣ୍ଡ୍ ସବ୍ସ୍କ୍ରିପ୍ସନ୍ ଖୋଲିଲା
‘‘ଅଭିଯୁକ୍ତମାନଙ୍କ ପାଖରୁ ଏବେ ୧୨୨ଟି ଏଲ୍.ଇ.ଡି. ଟିଭି ଜବତ କରାଯାଇଛି । ଏ ସବୁକୁ ଅଧା ଦରରେ ସେମାନେ ବିକ୍ରି କରୁଥିଲେ । ଦୀର୍ଘ ଦିନ ହେବ ଏମାନେ ଏଭଳି ବ୍ୟବସାୟ କରି ଆସୁଛନ୍ତି । ଏବେ ସୁଦ୍ଧା କେତେ ନକଲି ଟିଭି ବଜାରରେ ଛଡ଼ା ଯାଇଛି ତାହା କହିବା ମୁସ୍କିଲ୍ । ମାଷ୍ଟରମାଇଣ୍ଡ ପ୍ରଭାକରକୁ ରିମାଣ୍ଡ ଆଣିବାକୁ ଯୋଜନା କରାଯାଇଛି,’’ କହିଛନ୍ତି ଡିସିପି ।
ଏହା ବି ପଢ଼ନ୍ତୁ | କରୋନାରେ ପିତାମାତାଙ୍କୁ ହରେଇଥିବା ପିଲାଙ୍କ ପାଇଁ କେନ୍ଦ୍ର ସରକାର ବଢ଼ାଇଲେ ସାହାଯ୍ୟର ବଡ଼ ହାତ
ସ୍ପେଶାଲ୍ ସ୍କ୍ୱାର୍ଡ଼ ଅଧିକାରୀ ସଞ୍ଜୀବ ଶତପଥୀ କହିଛନ୍ତି, ‘‘ଏହି ଚାରି ଜଣ ଅଭିଯୁକ୍ତ ଗିରଫ ହେବା ପରେ ସେମାନଙ୍କ ଦୋକାନରୁ ଅନେକ କିଛି କାଗଜପତ୍ର ଜବତ କରାଯାଇଛି । ଯେଉଁମାନେ ଏ ସବୁ ଟିଭି କିଣୁଥିଲେ ସେମାନଙ୍କୁ କୌଣସି ସଠିକ୍ କାଗଜପତ୍ର ଦିଆ ଯାଉ ନ ଥିଲା। ବିଶେଷ କରି ଜି.ଏସ୍.ଟି. ଫାଙ୍କିବାର ପୂରା ଉପାୟ ଏମାନଙ୍କୁ ଭଲ ଭାବେ ଜଣା ଥିଲା ।’’
ଏତେ ସଂଖ୍ୟାରେ ସୋନି କମ୍ପାନୀର ଟିଭି ଜବତ କରିବା ପରେ ପୋଲିସ ସୋନିର ଭୁବନେଶ୍ୱରରେ ଥିବା ମାର୍କେଟିଂ ମୁଖ୍ୟଙ୍କ ସହ ଯୋଗାଯୋଗ କରିଥିଲା । ସେ ଏ ସବୁକୁ ନକଲି ବୋଲି କହିବା ପରେ ପୋଲିସ ଚଢ଼ାଉ ଜୋର କରିଥିଲା । ରାଜଧାନୀ ବାହାରେ ଏହି ନକଲି ଟିଭି ବିକ୍ରି ହୋଇଛି କି ନାହିଁ ଏବେ ପୋଲିସ ତାହା ଜାଣିବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ଶତପଥୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।