ପାଠପଢ଼ା ନାମରେ ନକଲି ସାର୍ଟିଫିକେଟ; ଥାନାର ଦ୍ବାରସ୍ଥ ହେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ପାଠପଢ଼ା ନାମରେ ନକଲି ସାର୍ଟିଫିକେଟ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ। ଥାନାର ଦ୍ବାରସ୍ଥ ହେଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠ ଗ୍ରହଣ କରାଯିବ କହିଲେ ଏସପି।

ପାଠପଢ଼ା ନାମରେ ନକଲି ସାର୍ଟିଫିକେଟ

ପାଠପଢ଼ା ନାମରେ ନକଲି ସାର୍ଟିଫିକେଟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ଏକ ଘରୋଇ ଶିକ୍ଷାନୁଷ୍ଠାନ ପାଠପଢ଼ା ଆଳରେ ଛାତ୍ରଛାତ୍ରୀଙ୍କୁ ନକଲି ସାର୍ଟିଫିକେଟ ଦେଇ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବ୍ରହ୍ମପୁର ଧର୍ମନଗର ଠାରେ ରହିଥିବା ଏସଏନଏସଏକ୍ସ ନାମକ ଏକ ଘରୋଇ ବିଦ୍ୟାଳୟ ବିରୁଦ୍ଧରେ।

ଗୋଟିଏ ଶିକ୍ଷାନୁଷ୍ଠାନରେ ବିଦ୍ୟାଳୟ ଚଲାଉଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଆଉ ଏକ ବିଦ୍ୟାଳୟର ସାର୍ଟିଫିକେଟ ଦେଉଛନ୍ତି। ସେହି ସାର୍ଟିଫିକେଟ ଉଚ୍ଚଶିକ୍ଷା ଲାଭ କରିବାରେ କାମ ଦେଉନାହିଁ। ଏଭଳି ଅଭିଯୋଗ ନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର କିଛି ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରଥମେ ଟାଉନ ଥାନାର ଦ୍ବାରସ୍ଥ ହେବା ପରେ ବର୍ତ୍ତମାନ ଉପ-ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଘଟଣାର ତଦନ୍ତ କରାଯାଇ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ସେପଟେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଲିଖିତ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ବିଭିନ୍ନ ଦିଗକୁ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବ୍ରହ୍ମପୁର ଏସପି।

ବ୍ରହ୍ମପୁରରୁ ପାଠପଢ଼ା, ପରୀକ୍ଷା କେନ୍ଦ୍ର ମଧ୍ୟ ବ୍ରହ୍ମପୁରରେ କିନ୍ତୁ ପରୀକ୍ଷାରେ ପାସ୍ ହେବା ପରେ ଛାତ୍ରଛାତ୍ରୀଙ୍କୁ ମିଳିଲା କର୍ଣ୍ଣାଟକର ସାର୍ଟିଫିକେଟ। ଆଉ ଏହି କର୍ଣ୍ଣାଟକର ସାର୍ଟିଫିକେଟ ମଧ୍ୟ ଉଚ୍ଚଶିକ୍ଷା ଲାଭ ପାଇଁ କାମ ଦେଲାନି। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକିନେଇ ନକଲି ସାର୍ଟିଫିକେଟ ଦେଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ହୋଇଛି ବ୍ରହ୍ମପୁର ଧର୍ମନଗର ଠାରେ ରହିଥିବା ଏସଏନଏସଏକ୍ସ ପବ୍ଳିକ ସ୍କୁଲ ବିରୁଦ୍ଧରେ।

ଏହି ସ୍କୁଲରେ ଅଧ୍ୟୟନ କରିବା ପରେ ପାଠ ଶେଷ କରିଥିବା ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଏବେ ଚିନ୍ତାରେ। କାରଣ ସେମାନେ ସମ୍ପୃକ୍ତ ସ୍କୁଲରେ ପାଠପଢ଼ି ଥିବାବେଳେ ସେମାନଙ୍କୁ ମିଳିଛି ଏବେ କର୍ଣ୍ଣାଟକର ସାର୍ଟିଫିକେଟ। ସେହି ସାର୍ଟିଫିକେଟ ଦ୍ବାରା କୌଣସି କଲେଜରେ ତାଙ୍କୁ ସିଟ୍‌ ମିଳୁନାହିଁ। କାରଣ କର୍ଣ୍ଣାଟକର ଏହି ସାର୍ଟିଫିକେଟ ନକଲି ରହିଛି। ଯାହାଫଳରେ ଏବେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇ ରହିଥିବା ଅଭିଯୋଗ କରିଛନ୍ତି ଜଣେ ଛାତ୍ରୀ ଲିଜା ରାଉଳ।

ନକଲି ସାର୍ଟିଫିକେଟକୁ ନେଇ ସ୍କୁଲର ମୁଖ୍ୟଙ୍କୁ ଜଣାଇବା ବେଳେ ସେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଧମକ ଚମକ ଦେଉଥିବା ନେଇ କହିଛନ୍ତତି ଅଭିଭାବକମାନେ। ଛାତ୍ରଛାତ୍ରୀଙ୍କ ଏଭଳି ଅବସ୍ଥାକୁ ନେଇ ଏବେ ଏକଜୁଟ ହୋଇଛନ୍ତି କିଛି ଅଭିଭାବକ। ଛାତ୍ରଛାତ୍ରୀଙ୍କୁ ଏଭଳି ନକଲି ସାର୍ଟିଫିକେଟ ଦେଇଥିବା ନେଇ ଅଭିଭାବକ ଓ କିଛି ଛାତ୍ରଛାତ୍ରୀ ଟାଉନ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ସମ୍ପୃକ୍ତ ସ୍କୁଲର ମୁଖ୍ୟଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରାଯାଉଛି। ଏହାପରେ ସେମାନେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜ ଦାବି ପତ୍ର ପ୍ରଦାନ କରିବା ସହିତ ସ୍କୁଲର ମୁଖ୍ୟଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଏଭଳି ଖେଳ ବନ୍ଦ କରିବାକୁ ଦାବି କରାଯାଉଛି ବୋଲି କହିଛନ୍ତି ଅଭିଭାବକ ପ୍ରମିଳା ପାତ୍ର।

‘‘କେବଳ ଯେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନକଲି ସାର୍ଟିଫିକେଟ ଦିଆଯାଇଛି ତାହା ନୁହେଁ ବରଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ନକଲି ସାର୍ଟିଫିକେଟ ଦିଆଯାଇଛି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ୨୦୦୮ ମସିହାରୁ ବ୍ରହ୍ମପୁର ସହରରେ ଚାଲିଆସୁଅଛି। ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ହେଲେ ସରକାରଙ୍କ ନିର୍ଦ୍ଧିଷ୍ଟ ମାନଦଣ୍ଡ ରହିଛି। ଆବଶ୍ୟକ ଭିତ୍ତିଭୂମି ସହ ସିବିଏସସି ବୋର୍ଡ଼ର ଏଫିଲେସନ ଓ ସରକାରଙ୍କ ଠାରୁ ରେକଗନାଇଜେସନ ଆଣିବାକ କଥା। ହେଲେ ସମସ୍ତ ନିତିନିୟମକୁ ଜଳାଞ୍ଜଳି ଦେଇ ଶିକ୍ଷାନୁଷ୍ଠାନକୁ ଚଲାଇବା ସହିତ ଛାତ୍ରଛାତ୍ରୀଙ୍କୁ ନକଲି ସାର୍ଟିଫିକେଟ ଦେଉଛି। ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ପୋଲିସ ଏହାର ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରନ୍ତୁ,’’ ଦାବି କରିଛନ୍ତି ଶିକ୍ଷାବିତ ଉତ୍ତମ ପାଣିଗ୍ରାହୀ।

ଏଭଳି ନକଲି ସାର୍ଟିଫିକେଟ ଛାତ୍ରଛାତ୍ରୀଙ୍କୁ ଦେଉଥିବା ନେଇ ଅଭିଯୋଗ ହେବା ପରେ ଏନେଇ ତଦନ୍ତ ଆରମ୍ଭ ହୋଇଛି। ସମ୍ପୃକ୍ତ ସ୍କୁଲର ମୁଖ୍ୟଙ୍କୁ ଏନେଇ ପଚାରଉଚୁରା କରାଯିବା ସହିତ ସେଠାରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ ମଧ୍ୟ ପଚରାଉଚୁରା କରାଯିବ। କେତେ ବର୍ଷ ଧରି ଏଭଳି ନକଲି ସାର୍ଟିଫିକେଟ ଦେଉଥିଲା ସ୍କୁଲ ଓ ଏହା ପଛରେ କାହାର କାହାର ହାତ ରହିଛି ସେ ନେଇ ତଦନ୍ତ କରାଯିବା ପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ।

ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ ଖେଳିଥିବା ସ୍କୁଲର ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଉପରେ ରହିଛି ସମସ୍ତଙ୍କ ନଜର।
Published by:Lipina Das
First published: