ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକରେ ମାରାତ୍ମକ ନକଲୀ ପନିର୍ ରାକେଟ୍‌ର ପର୍ଦ୍ଧାଫାସ; ଜବତ ହେଲା ୧ କ୍ୱିଣ୍ଟାଲ୍ ପନିର୍

କଟକରେ ମାରାତ୍ମକ ନକଲୀ ପନିର୍ ରାକେଟ୍‌ର ପର୍ଦ୍ଧାଫାସ; ଜବତ ହେଲା ୧ କ୍ୱିଣ୍ଟାଲ୍ ପନିର୍

ନକଲୀ ବା ସିନ୍ଥେଟିକ୍ ପନିରରେ ଅସଲ ପନିରର କାଣିଚାଏ ବି ନ ଥାଏ । ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରି ଏହା ତିଆରି ହୋଇଥାଏ । ଏହାକୁ ଖାଉଥିବା ବ୍ୟକ୍ତିଙ୍କ ପାଚନ ତନ୍ତ୍ର ଓ ଯକୃତ ଉପରେ ଗୁରୁତର ପ୍ରଭାବ ପଡ଼ିଥାଏ ।

କଟକରେ ମାରାତ୍ମକ ନକଲୀ ପନିର୍ ରାକେଟ୍‌ର ପର୍ଦ୍ଧାଫାସ; ଜବତ ହେଲା ୧ କ୍ୱିଣ୍ଟାଲ୍ ପନିର୍
କଲିକତାରୁ କଟକ ଆସୁଥିବା ଏକ ଯାତ୍ରୀବାହୀ ବସରୁ ଏହି ସିନ୍ଥେଟିକ୍ ପନିର ଜବତ ହୋଇଥିଲା ।
  • News18 Odia
  • Last Updated: December 30, 2020, 9:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଲିକତାରୁ କଟକ ଚାଲଣ ହେଉଥିବା ଏକ ସିନ୍ଥେଟିକ୍ ବା ନକଲି ପନିର୍‌ ରାକେଟକୁ ଠାବ କରିଛି କଟକ କମିଶନରେଟ ପୋଲିସ ଓ ଜିଲ୍ଲା ପ୍ରଶାସନର ଏକ ମିଳିତ ଟିମ୍‌ । ଏହି କ୍ରମରେ ଏକ କ୍ୱିଣ୍ଟାଲ ସିନ୍ଥେଟିକ୍ ପନିର୍‌ ଜବତ କରିବା ସହ ଏହି ପନିରକୁ ଆମଦାନୀ କରୁଥିବା କଟକ ଖାନନଗର ଅଞ୍ଚଳର ବ୍ୟବସାୟୀ ସୁକଦେବ ସାହୁକୁ ମଧ୍ୟ ପୋଲିସ ଗିରଫ କରିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତବକ କଟକର କିଛି ଅସାଧୁ ବ୍ୟବସାୟୀ କଲିକତାରୁ ଅପମିଶ୍ରିତ ପନିର ବା ସିନ୍ଥେଟିକ୍ ପନିର ଆଣି ତାକୁ କଟକରେ ବିକ୍ରି କରୁଥିବା ନେଇ ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଖବର ମିଳିଥିଲା । ଏହା ପରେ ପୋଲିସ ଓ ଜିଲ୍ଲା ପ୍ରଶାସନର ପକ୍ଷରୁ ନକଲି ସାମଗ୍ରୀ ଉପରେ ଚଢ଼ାଉ ପାଇଁ ଗଠିତ ହୋଇଥିବା ଟିମ୍‌ ପ୍ରାୟ ଏକ ସପ୍ତାହ ହେଲା ଏହି ପନିର ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଟ୍ରାକ୍ କରିଥିଲା । ବୁଧବାର ସକାଳୁ କଲିକତାରୁ କଟକ ଆସୁଥିବା ଏକ ଯାତ୍ରୀବାହୀ ବସରୁ ଏହି ସିନ୍ଥେଟିକ୍ ପନିର ଜବତ ହୋଇଥିଲା ।

ଏହା ବି ପଢ଼ନ୍ତୁ | ବିବାହର ସପ୍ତମ ଦିନରେ ସ୍ୱାମୀର ଗଳା କାଟି ହତ୍ୟା କଲା ପତ୍ନୀ, ଶବ ସହ ରାତି ସାରା ଶୋଇରହିଲା

‘‘ଏକ ବସରେ ବିପୁଳ ପରିମାଣର ସିନ୍ଥେଟିକ୍ ପନିର ଆସୁଥିବା ଖବର ପାଇବା ପରେ ଆମେ ଚାଉଳିଆଗଞ୍ଚ ନିକଟରେ ବସଟିକୁ ଅଟକାଇଲୁ ଓ ସେହି ସବୁ ପନିରକୁ ଜବତ କଲୁ । ବସରେ ପନିର ନେଇ ଆସୁଥିବା ଜଣେ ଲୋକକୁ ବି ଆମେ ଗିରଫ କରିଛୁ । ସେହି ଲୋକକୁ ଏବେ ପଚରା ଉଚରା କରାଯାଉଛି । ପ୍ରାଥମିକ ତଦନ୍ତରୁ କଟକର ତିନି ଜଣ ବ୍ୟବସାୟୀଙ୍କ ବାବଦରେ ଆମକୁ ସୂଚନା ମିଳିଛି । ସେମାନେ ଫେରାର ହୋଇଯାଇଥିବାରୁ ସେମାନଙ୍କ ଧରିବା ପାଇଁ ଉଦ୍ୟମ କରାଯାଉଛି । ଗିରଫ ହୋଇଥିବା ବ୍ୟକ୍ତି ପନିର କାହାକୁ ବିକ୍ରି କରୁଥିଲା ଓ ଅନ୍ୟ କେଉଁମାନେ ଏହି ବ୍ୟବସାୟରେ ଅଛନ୍ତି ତାହା ଖୁବ ଶୀଘ୍ର ଜଣା ପଡ଼ିବ,’’ କହିଛନ୍ତି କଟକ କମିଶନରେଟ ପୋଲିସର ଜୋନ ୧ ଏସିପି ଅମରେନ୍ଦ୍ର ପଣ୍ଡା ।

ବସରେ ପନିର ନେଇ ଆସୁଥିବା ଜଣେ ଲୋକ ଗିରଫ ହୋଇଛି ।


ମିଳିଥିବା ଆଉ ଏକ ସୁଚନା ମୁତାବକ ସିନ୍ଥେଟିକ୍‌ ପନିରକୁ କେଜି ପିଛା ମାତ୍ର ୫୦ରୁ ୬୦ ଟଙ୍କାରେ କଲିକତାରୁ କିଣା ଯାଇଥାଏ । କଟକ ବଜାରରେ ଏହାକୁ କେଜି ପ୍ରତି ୨୩୦ରୁ ୨୪୦ ଟଙ୍କାରେ ବିକ୍ରି କରାଯାଇଥାଏ । ବଜାର ଦର ଠାରୁ କୋଡ଼ିଏ ଟଙ୍କା କମରେ ମିଳୁଥିବାରୁ ମୁଖ୍ୟତଃ ମିଠା ବ୍ୟବସାୟୀ ମାନେ ଏହି ପନିରକୁ କିଣିଥାନ୍ତି ।

ଏହା ବି ପଢ଼ନ୍ତୁ | ଟାଇଗର୍ ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ ନିଜ ପ୍ରେମିକ ସହ ସମ୍ପର୍କ ଭାଙ୍ଗିଲେ; ଏବେ ନିଜ ମୁହଁ ଖୋଲିଲେ

ଏହି ସିନ୍ଥେଟିକ୍ ପନିରରେ ଅସଲ ପନିରର କାଣିଚାଏ ଅଂଶ ବି ବ୍ୟବହାର ହୋଇ ନ ଥାଏ । ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥକୁ ବ୍ୟବହାର କରି ଏହି ସିନ୍ଥେଟିକ୍ ପନିର ପ୍ରସ୍ତୁତ ହୋଇଥାଏ । ସେଥିରେ ୟୁରିଆ, ସଲ୍‌ଫୁରିକ୍‌ ଏସିଡ୍‌, କୋଲ୍‌ଟାର୍‌ ଡାଏ, ଜ୍ଲିସରିନ୍‌ ମୋନୋଷ୍ଟେରଏଟ୍‌ ପାଉଡର, ଡିଟରଜେଣ୍ଟ୍, ପାମୋଲିଭ୍‌ ତେଲ, ମଇଦା ଓ ନଷ୍ଟ ହୋଇଯାଇଥିବା କ୍ଷୀର ରହିଥାଏ ବୋଲି ଜଣାପଡ଼ିଛି ।

ପ୍ରଥମେ ମଇଦା ଓ ନଷ୍ଟ ହୋଇ ଯାଇଥିବା କ୍ଷୀରକୁ ମିଶାଇ ଏକ ଘୋଳ ତିଆରି ହୁଏ । ସେହି ଘୋଳକୁ ଫୁଲାଇବା ପାଇଁ ସେଥିରେ ୟୁରିଆ, ସଲ୍‌ଫୁରିକ୍‌ ଏସିଡ୍‌, କୋଲ୍‌ଟାର୍‌ ଡାଏ ମିଶାଯାଇଥାଏ । ପରେ ତେଲିଆ ଅଶଂ ସୃଷ୍ଟି କରିବା ପାଇଁ ସେଥିରେ ଗ୍ଲିସେରିନ୍‌ ମୋନୋଷ୍ଟେରଏଟ୍‌ ପାଉଡର ଓ ପାମୋଲିଭ୍‌ ତେଲ ମିଶା ଯାଏ । ତା’ପରେ ସେହି ମିଶ୍ରଣକୁ ଧଳା ରଙ୍ଗରେ ପରିବର୍ତ୍ତିତ କରିବା ପାଇଁ ସେଥିରେ ଡିଟରଜେଣ୍ଟ୍ ମିଶା ଯାଇଥାଏ ବୋଲି କହିଛନ୍ତି ବିଶେଷଜ୍ଞମାନେ।

ଏହା ବି ପଢ଼ନ୍ତୁ | ମୁମ୍ବାଇର ମଡେଲ୍ କହିଲେ ଝାଡ଼ଖଣ୍ଡ CM ହେମନ୍ତ ସୋରେନ ତାଙ୍କୁ ବଳତ୍କାର କରିଥିଲେ

‘‘ଏହି ସିନ୍ଥେଟିକ୍ ପନିରରେ ୟୁରିଆ, ସଲ୍‌ଫୁରିକ୍‌ ଏସିଡ୍‌ ଆଉ କୋଲ୍‌ଟାର୍‌ ଡାଏ ମିଶା ଯାଉଥିବାର ଏହା ଶରୀର ପାଇଁ ବହୁତ କ୍ଷତିକାରକ । ଏହାକୁ ଖାଉଥିବା ବ୍ୟକ୍ତିଙ୍କ ପାଚନ ତନ୍ତ୍ର ଓ ଯକୃତ ଉପରେ ଗୁରୁତର ପ୍ରଭାବ ପଡ଼ିଥାଏ । ଏହି ବ୍ୟବସାୟ ସହରର କେଉଁ କେଉଁ ସ୍ଥାନକୁ ବ୍ୟାପିଛି ଓ କେଉଁମାନଙ୍କ ପାଖକୁ ଏହି ସିନ୍ଥେଟିକ୍ ପନିର ଯାଏ ତା’ର ଯାଞ୍ଚ ଆରମ୍ଭ ହୋଇଛି,’’ କହିଛନ୍ତି ନକଲି ଧରପକଡ଼ ପାଇଁ ଗଠିତ ହୋଇଥିବା ଟିମର ଅନ୍ୟତମ ସଦସ୍ୟ ତଥା ସିଏମସିର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ।

ଦୀର୍ଘ ଦିନ ଧରି କଟକ ସହରରେ କଲିକତାରେ ତିଆରି ସିନ୍ଥେଟିକ୍ ପନିର ବ୍ୟବସାୟ ହେଉଥିବା ଅଭିଯୋଗ ହୋଇଆସୁଥିଲା । କଲିକତାରୁ କଟକ ଆସୁଥିବା ଯାତ୍ରୀବାହୀ ବସରେ ଏହାକୁ ପରିବହନ କରାଯାଇଥାଏ । କଟକରେ ପହଞ୍ଚିବା ପରେ ସହରର କେତେକ ନିର୍ଦ୍ଦିଷ୍ଟ ମିଠା ତିଆରି ଦୋକାନର ମାଲିକ ଏହାକୁ କିଣି ସେଥିରେ ବିଭିନ୍ନ ପ୍ରକାରର ମିଠା ତିଆରି କରିଥାନ୍ତି । ଏହି ରାକେଟରେ କଟକର ଅନେକ ଅସାଧୁ ବ୍ୟବସାୟୀ ସମ୍ପୃକ୍ତ ଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡ଼ିଛି ।

ଏହା ବି ପଢ଼ନ୍ତୁ | ରାଖୀ ସାନ୍ତ ଜାଲିଆତିର ଶିକାର ହେଲେ; ପାଖରେ ଟଙ୍କାଟିଏ ନାହିଁ ନିଜ ଦୁଃଖ କହିଲେ

‘‘କଟକରେ ପାଖାପାଖି ୧୦ ବର୍ଷ ହେଲା ସିନ୍ଥେଟିକ୍ ପନିର ବ୍ୟବସାୟ ଚାଲିଛି । ବିଭିନ୍ନ ବାଟ ଦେଇ ଦିନକୁ ପ୍ରାୟ ୧୦ ଟନ ପନିର କଟକ ସହରକୁ ବିକ୍ରି ପାଇଁ ଆସୁଛି । ଏହି ପନିର ଆସିବା ପରେ ଆମ ବ୍ୟବସାୟ ପୂରା ଠପ୍‌ ହୋଇଯାଇଛି । ଦୁଗ୍ଧ ଚାଷୀମାନେ ପନିରର ପ୍ରକୃତ ଅର୍ଥ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ରେକିବା ପାଇଁ ଆମେ ଜିଲ୍ଲାପାଳ ଓ ସିଏମସି କମିଶନରଙ୍କୁ ବି ଲିଖିତ ଭାବେ ଜଣାଇଛୁ । ଏହା ପଛରେ ଗୋଟିଏ ବଡ଼ ରାକେଟ କାମ କରୁଛି । ସଠିକ ତଦନ୍ତ ହେଲେ ସମସ୍ତଙ୍କ ମୁଖା ଖୋଲିବ,’’ କହିଛନ୍ତି ରାଜ୍ୟ ଦୁଗ୍ଧ ବ୍ୟବସାୟୀ ମହାସଙ୍ଘର ସାଧାରଣ ସମ୍ପାଦକ ପ୍ରଦୀପ ବେହେରା ।



ସିନ୍ଥେଟିକ୍ ପନିରକୁ ଚିହ୍ନିବା ଅତି ସହଜ । ପ୍ରକୃତ ପନିରର ରଙ୍ଗ ଇଶତ୍‌ ହଳଦିଆ ହୋଇଥିବା ବେଳେ ସିନ୍ଥେଟିକ୍ ପନିରର ରଙ୍ଗ ଧଳା ହୋଇଥାଏ । ସାମନ୍ୟ ଚାପ ପ୍ରୟୋଗ ହେଲେ ଅସଲି ପନିରରେ କିଛି ପରିବର୍ତ୍ତନ ଆସେ ନାହିଁ, କିନ୍ତୁ ନକଲି ପନିର ଖଣ୍ଡଖଣ୍ଡ ହୋଇ ଭାଙ୍ଗିବା ସହିତ ହାତରୁ ଝଡ଼ି ପଡ଼ିଥାଏ ।
Published by: Anand Shankar Thankur Das
First published: December 30, 2020, 9:36 PM IST