News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଥିବା ଠକ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଫିଟୁଛି କେଳେଙ୍କାରୀ ଗୁମର। ୧୪ ନୁହେଁ ୧୭ ପତ୍ନୀଙ୍କ ସ୍ୱାମୀ ଥିଲା ରମେଶ। ଯେଉଁଥିରେ ସାମିଲ ଥିଲେ ଡାକ୍ତର ଚାଟାର୍ଡ ଆକାଉଣ୍ଟାଣ୍ଡ ଓ ଉଚ୍ଚ ଶିକ୍ଷିତା। ଏହି ଘଟଣାର ତଦନ୍ତ ପାଇଁ ଏବେ ପୋଲିସ ଗଠନ କରିଛି ସ୍ୱତନ୍ତ୍ର ଟିମ୍। ମହିଳା ଥାନା ଅଧିକାରୀଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ତଦନ୍ତ କରିବ। କେବଳ ସ୍ତ୍ରୀଙ୍କୁ ଠକିବା କାମରେ ମାଷ୍ଟର ନଥିଲା ରମେଶ। ଜଗତସିଂହପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏମ.ବି.ବି.ଏସରେ ନାମ ଲେଖାଇ ଦେବା ନାରେ ୧୮ ଲକ୍ଷ ଟଙ୍କା ନେଇ ଚମ୍ପଟ ମଧ୍ୟ ମାରିଥିଲେ।
ଗିରର ପରେ ଫିଟୁଛି ପ୍ରେମିକ ପ୍ରବର ରମେଶଙ୍କ କଳା କାରନାମା। ରମେଶ ଗିରଫ ପରେ ପୋଲିସ ପାଖରେ ଅଭିଯୋଗ ମଧ୍ୟ ବୃଦ୍ଧି ପାଇଛି। ତଦନ୍ତ ବେଳେ ଜଣାପଡିଛି, ରମେଶ ପତ୍ନୀଙ୍କ ଠାରୁ ଟଙ୍କା ହଡ଼ପ କରି ବଡ଼ ବଡ଼ ହୋଟେଲରେ ଅଏସ କରୁଥିଲା। ତେଣୁ ଅଧିକ ତଦନ୍ତ ପାଇଁ ଠକ ରମେଶକୁ ରିମାଣ୍ଡରେ ଆଣି ଜେରା କରିବାକୁ ଅଣ୍ଟା ଭିଡିଛି କମିଶନରେଟ ପୋଲିସ।
"ଅଭିଯୁକ୍ତ ରମେଶ ନାଁରେ ପୁଣି ତିନୋଟି ଅଭିଯୋଗ ଯୋଡି ହୋଇଛି। ଗୌହାଟିର ଜଣେ ଡାକ୍ତରଙ୍କୁ, ଓଡ଼ିଶାର ଜଣେ ଉଚ୍ଚ ଶିକ୍ଷିତା ଓ ଛତିଶଗଡର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଡକୁ ବିବାହ କରିଥିଲା ରମେଶ। ମୋଟ ଏବେ ସୁଦ୍ଧା ୧୭ ଜଣଙ୍କୁ ବିବାହ କରିଥିବା କଥା ସାମ୍ନାକୁ ଆସିଛି। ଅଭିଯୋଗ ବଢୁଥିବାରୁ, ତଦନ୍ତ ପାଇଁ ଆମେ ସ୍ୱତନ୍ତ୍ର ଟିମ୍ ଗଠନ କରିଛୁ। ମହିଳା ଥାନା ଆଇ.ଆଇ.ସି.ଙ୍କ ତ୍ତ୍ୱବାଧାନରେ ଦୁଇ ଜଣ ଏସ.ଆଇ ଓ ଜଣେ ଏନଜିଓ ର କାଉସିଲର ଦ୍ୱାରା ତଦନ୍ତ କରାଯିବ," କହିଛନ୍ତି ଭୁବନେଶ୍ୱର ଡ଼ି.ସି.ପି ଉମା ଶଙ୍କର ଦାଶ।
କେବଳ ପତ୍ନୀଙ୍କୁ ଠକିବାରେ ସିମିତ ନଥିଲା ରମେଶର ଠକେଇ। ଜଗସିଂହପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଏମ.ବି.ବି.ଏସ.ରେ ସିଟ୍ ଦେବାକୁ କହି ନେଇଥିଲା ୧୮ ଲକ୍ଷ ଟଙ୍କା । ପୋଲିସ ରମେଶକୁ ଗିରଫ ପରେ ଏନେଇ ଅଭିଯୋଗ ହୋଇଛି। ତେଣୁ ଟଙ୍କା ନେବା ପଛରେ କାରଣ କଣ ଥିଲା ଓ ସେ ଏକୁଟିଆ ନା ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ମଧ୍ୟ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
"ଜଣେ ଯୁବକକୁ MBBSରେ ସିଟ ଦେବାକୁ କହି ଟଙ୍କା ନେଇଛି ଠକ ରମେଶ। ସେହିଭଳି ପାତ୍ରପଡ଼ାରେ ୨୦୨୧ରେ ନକଲି ପରିଚୟ ଦେଇ ଘର ଭଡା ରହିଥିବା ନେଇ ମହିଳା ଅଭିଯୋଗ କରିଛନ୍ତି। ତେଣୁ ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଆଣି ଜେରା କରାଯିବ। ଗିରଫ ପରେ ତା ନିକଟରୁ ଏନେକ କାଗଜପତ୍ର ଜବତ କରାଯାଇଛି। ସେଗୁଡିକ ଏବେ ଯାଞ୍ଚ କରାଯାଉଛି। ରମେଶ ଏକୁଟିଆ ନା ତାକୁ ଏ ସବୁ ଜାଲ କରିବା ପଛରେ ଆଉ କାହାର ହାତ ଅଛି ସେନେଇ ମଧ୍ୟ ତଦନ୍ତ କରାଯାଉଥିବା,’’ କହିଛନ୍ତି ଡ଼ି.ସି.ପି ଶ୍ରୀ ଦାଶ।
ସୂଚନାଯୋଗ୍ୟ, ରମେଶକୁ ଗତ ରବିବାର ଦିନ ଭୁବନେଶ୍ୱରରୁ ଗିରଫ କରିଥିଲା କମିଶନରେଟ ପୋଲିସର ସ୍ପେସାଲ ସ୍କ୍ୱାର୍ଡ଼। ତଦନ୍ତ ବେଳେ ଜଣାପଡ଼ିଲା ରମେଶର ୧୪ ଜଣ ସ୍ତ୍ରୀ। ୧୯୮୨ ମସିହାରେ କେନ୍ଦ୍ରାପଡା ଅଞ୍ଚଳରେ ପ୍ରଥମେ ବିବାହ କରିଥିଲା। ୨୦୦୨ ମସିହାରେ ଦ୍ୱିତୀୟ ବିବାହ କରିଥିଲା। ଏହାପରେ ରମେଶକୁ ଘାରିଥିଲା ବିବାହ ନିଶା। ୭ଟି ରାଜ୍ୟରେ ୧୪ଜଣଙ୍କୁ ବିବାହ କରିଛି ଠକ ରମେଶ। ସାଦି ଡଟ୍ କମ୍, ମାଟ୍ରିମୋନିରେ ନିଜର ବୟସ ଲୁଚାଇ ସିଙ୍ଗଲ ପରିଚୟ ଦେଇ ପ୍ରୋଫାଇଲ କରିଥିଲା। କେତେବେଳେ ନିଜକୁ ଡାକ୍ତର କହୁଥିଲା, ଆଉ କେତେବେଳେ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିଥିବା ପରିଚୟ ଦେଉଥିଲା। ସମ୍ଭ୍ରାନ୍ତ ଘରର ଯୁବତୀ ଓ ଏକୁଟିଆ ରହୁଥିବା ଧନୀ ମହିଳାମାନଙ୍କୁ ଟାର୍ଗେଟ କରି ବିବାହ କରୁଥିଲା। ଯିଏ ବିବାହ କରୁଥିଲା, ତା'ସହ ରହିବା ପରେ ତାର ଟଙ୍କା ନେଇ ଚମ୍ପଟ ମାରୁଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।