୮ ଲକ୍ଷ ନୁହେଁ ୮୦ ଟଙ୍କାରେ ଡାକ୍ତର ବନିଥିଲେ ଯୁବକ; ଚିକିତ୍ସା ବଦଳରେ କରୁଥିଲେ ଦଲାଲି

ପଢ଼ୁଛନ୍ତି ଇଞ୍ଜିନିୟରିଂ ପାଠ, କିନ୍ତୁ କରୁଛନ୍ତି ଡାକ୍ତରୀ ଚାକିରି । ମେଡ଼ିକାଲକୁ ଯାଇ ବିଭିନ୍ନ ଓ୍ବାର୍ଡ଼ରୁ ଓ୍ବାର୍ଡ଼କୁ ବୁଲି ଦଲାଲି କାମ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ସାନଖେମୁଣ୍ଡିର ଦୀପକ ନାହାକ ।

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରୁ ନକଲି ଡ଼ାକ୍ତର ଗିରଫ (ପ୍ରତୀକାତ୍ମକ ଛବି)

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରୁ ନକଲି ଡ଼ାକ୍ତର ଗିରଫ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବ୍ରହ୍ମପୁର: ବର୍ଷ ବର୍ଷ ଧରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚାଲିଛି ଦଲାଲ ରାଜ। ଗତ କିଛି ଦିନ ପୂର୍ବରୁ ଅଭିନବ ଉପାୟରେ ୬ ଜଣ ଦଲାଲକୁ ଗିରଫ କରିବାରେ ସଫଳ ହୋଇଥିଲା ବ୍ରହ୍ମପୁର ପୋଲିସ। ସେହିପରି ଶୁକ୍ରବାର ଅପରାହ୍ନରେ ଜଣେ ନକଲି ଡ଼ାକ୍ତରଙ୍କୁ କାବୁ କରିଥିଲା ଏମକେସିଜି ମେଡ଼ିକାଲ ଫାଣ୍ଡି ପୋଲିସ। ଉକ୍ତ ନକଲି ଡ଼ାକ୍ତର ଜଣକ ହେଲେ ସାନଖେମୁଣ୍ଡିର ଦୀପକ କୁମାର ନାହାକ।

ଦୀପକ ଶୁକ୍ରବାର ସକାଳେ ଅସ୍ଥିଶଲ୍ୟ ଅନ୍ତଃଚିକିତ୍ସା ବିଭାଗରେ ଜଣେ ରୋଗୀଙ୍କୁ ନେଇ ଯାଉଥିଲେ। ଉକ୍ତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ନେଇ କହିଥିଲେ। ଏହା ସହିତ ସମ୍ପୃକ୍ତ ରୋଗୀଙ୍କ ଠାରୁ କିଛି ଟଙ୍କା ମଧ୍ୟ ନିଜ ପାଇଁ ନେଇଥିଲେ। ଏହି ସମୟରେ ଜଣେ ମେଡ଼ିକାଲ କର୍ମଚାରୀଙ୍କ ମଧ୍ୟରେ ଦୀପକଙ୍କ କୌଣସି କାରଣକୁ ନେଇ ଝଗଡ଼ା ହେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ମେଡ଼ିକାଲ ଫାଣ୍ଡି ପୋଲିସ । ପୋଲିସ ପହଞ୍ଚି ଦୀପକକୁ ଅଟକ ରଖି ପଚରାଉଚୁରା କରିବା ସମୟରେ ତାଙ୍କ ଠାରୁ ଏକ ପରିଚୟ ପତ୍ର ଜବତ ହୋଇଥିଲା। ଏହି ପରିଚୟ ପତ୍ରରେ ଡ଼ାକ୍ତର ଦୀପକ କୁମାର ନାହାକ ବୋଲି ଲେଖାଯାଇଥିବା ବେଳେ ଡ଼େଜିଙ୍ଗ୍‌ନେସନ ଓପିଡ଼ି ସୁପରଭାଇଜର ବୋଲି ଲେଖାଥିଲା । ଯାହାକୁ ନେଇ ପୋଲିସର ଅଧିକ ସନ୍ଦେହ ବଢ଼ିଥିଲା। ଏହାପରେ ଦୀପକଙ୍କୁ ବୈଦ୍ୟନାଥପୁର ଥାନାରେ ଅଟକ ରଖି ଅଧିକ ପଚରାଉଚୁରା କରାଯାଇଥିଲା । ପରେ ପଦାକୁ ଆସିଥିଲା ସମ୍ପୂର୍ଣ୍ଣ ସତ।

‘‘ଦୀପକ ବ୍ରହ୍ମପୁର ନିକଟରେ ରହିଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଡ଼ିପ୍ଲୋମା ପାଠ ପଢ଼ୁଛନ୍ତି। ଶୁକ୍ରବାର ସେ ପ୍ରଥମେ କୋର୍ଟପେଟା ଛକକୁ ଆସି ସେଠାରେ ରହିଥିବା ଏକ ଦୋକାନରେ ୮୦ ଟଙ୍କା ଦେଇ ନକଲି ଡ଼ାକ୍ତରଙ୍କ ପରିଚୟ ପତ୍ର ପ୍ରସ୍ତୁତ କରିଥିଲେ । ଏହାପରେ ମେଡ଼ିକାଲକୁ ଯାଇ ବିଭିନ୍ନ ଓ୍ବାର୍ଡ଼ରୁ ଓ୍ବାର୍ଡ଼କୁ ବୁଲି ଦଲାଲି କାମ କରୁଥିଲେ। ଘଟଣାରେ ଦୀପକଙ୍କୁ ଗିରଫ କରାଯାଇଥିବା ବେଳେ ଏଭଳି ନକଲି ପରିଚୟ ପତ୍ର ପ୍ରସ୍ତୁତ କରିଥିବା ଦୋକାନର ମାଲିକ ରବିନ୍ଦ୍ର କୁମାର ମାଝି ଓ ଦୋକାନରେ କର୍ମଚାରୀ ଏସ.କେ.ଅବଦୁଲ ସୁତାରଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ, ନଗଦ ୫୦୦ ଟଙ୍କା, କମ୍ପ୍ୟୁଟର, ପ୍ରିଣ୍ଟି ମେସିନ, ପରିଚୟ ପ୍ରସ୍ତୁତ କରିଥିବା କିଛି ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛି,"କହିଛନ୍ତି ବ୍ରହ୍ମପୁର ଏସପି ଡ଼.ଶ୍ରବଣ ବିବେକ ଏମ ।
Published by:Soumya Das
First published: