ଜନସେବା କେନ୍ଦ୍ରରେ ଚାଲିଥିଲା ଜାଲ ନୋଟ କାରଖାନା; ଚଢ଼ାଉ ପରେ ଜବତ ହେଲା ୧୫ ଲକ୍ଷ ଜାଲ ନୋଟ୍

ଜନସେବା କେନ୍ଦ୍ରରୁ ୧୫ ଲକ୍ଷ ୧୨ ହଜାର ଜାଲ ନୋଟ ଜବତ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ। ଗିରଫ ହୋଇଛନ୍ତି ଦୁଇ ଆନ୍ତଃରାଜ୍ୟ ମାଫିଆ। ତଦନ୍ତ ବେଳେ ଜଣା ପଡ଼ିଛି ଜନ ସେବା କେନ୍ଦ୍ରରେ ଦୁଇ ଅଭିଯୁକ୍ତ ଛାପୁଥିଲେ ଜାଲ ଟଙ୍କା।

ଜନସେବା କେନ୍ଦ୍ରରେ ଚାଲିଥିଲା ଜାଲ ନୋଟ କାରଖାନା

ଜନସେବା କେନ୍ଦ୍ରରେ ଚାଲିଥିଲା ଜାଲ ନୋଟ କାରଖାନା

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରୁ ପୁଣି ଜାଲ ନୋଟ ଜବତ। ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ନୂଆ ଅଧପୋଡ଼ା ଜନସେବା କେନ୍ଦ୍ରରୁ ୧୫ ଲକ୍ଷ ୧୨ ହଜାର ଜାଲ ନୋଟ ଜବତ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ।

ଗିରଫ ହୋଇଛନ୍ତି ଦୁଇ ଆନ୍ତଃରାଜ୍ୟ ମାଫିଆ। ତଦନ୍ତ ବେଳେ ଜଣା ପଡ଼ିଛି ଜନ ସେବା କେନ୍ଦ୍ରରେ ଦୁଇ ଅଭିଯୁକ୍ତ ଛାପୁଥିଲେ ଜାଲ ଟଙ୍କା। ଆଡ଼ବୋ ପେଜ ମେକର ଜରିଆରେ ଟଙ୍କା ତିଆରି କରୁଥିବା ବେଳେ ଅଧିକ ତଦନ୍ତ ପାଇଁ NIA ଓ CIBଙ୍କୁ ଅବଗତ କରିଛି ତଦନ୍ତକାରୀ ସଂସ୍ଥା।

ଏସଟିଏଫ ସୂଚନା ଅନୁସାରେ, ଜନସେବା କେନ୍ଦ୍ରରେ ଜାଲ ନୋଟ କାରଖାନା ଚାଲିଥିଲା। ଘର ଆଗରେ ଜନ ସେବା କେନ୍ଦ୍ରର ଲଗୋ ଲଗାଇ, ଭିତରେ ହେଉଥିଲା ଜାଲ ନୋଟ ତିଆରି। ଆଡ଼ବୋ ପେଜ ମେକରରେ ତିଆରି ହେଉଥିଲେ ଜାଲ ନୋଟ। ୟୁଟ୍ୟୁବରୁ ଶିଖିଥିଲେ, ଯୁଜୁମୁରାରେ କାରଖାନା କରିଥିଲେ। ଚଢ଼ାଉ ପରେ ପର୍ଦ୍ଦା ଫାସ ହେଲା ଜନ ସେବାକେନ୍ଦ୍ରର ସତ।

"ଗିରଫ ଦୁଇ ଅଭିଯୁକ୍ତ ହେଲେ, ପୋଦାର ପ୍ରସାଦ ସାହୁ, ଜନ୍ମେଜୟ ବାଗ। ଯୁଜୁମୁରା ଥାନା ନୂଆ ଅଧପୋଡ଼ା ଜନସେବା କେନ୍ଦ୍ରରେ ତିଆରି ହେଉଥିଲା ଏହି ଟଙ୍କା। ଅଭିଯୁକ୍ତ ପୋଦାର ପ୍ରସାଦ ସାହୁ ସେହି ଜନସେବା କେନ୍ଦ୍ରର କର୍ମଚାରୀ। ଉଭୟ ୟୁଟ୍ୟୁବରୁ ଟଙ୍କା ତିଆରି ଶିଖିଥିଲେ। ଆଡ଼ବୋ ପେଜ ମେକର ଜରିଆରେ ଟଙ୍କାର ନକଲ କରୁଥିଲେ। ଅଧିକ ତଦନ୍ତ ପାଇଁ NIA ଓ CIB ସହ ଯୋଗାଯୋଗ କରାଯାଇଛି," କହିଛନ୍ତି ଏସଟିଏଫ ଡ଼ିଏସପି ଏସ.ଏନ ରଥ।

ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁରରେ ଜିଲ୍ଲାରେ ବୁଲୁଛି ଏହି ଜାଲ ନୋଟ। ୧ ଲକ୍ଷ ନକଲି ଟଙ୍କା ବଦଳରେ ମିଳୁଥିଲା ୨୦ ହଜାର ଅସଲି ଟଙ୍କା। ତଦନ୍ତ ବେଳେ ଜଣା ପଡ଼ିଛି ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର, ବରଗଡ଼ରେ ଅଧିକ ଟଙ୍କା ତିଆରି ହେଇ ବଜାରକୁ ଆସିଛି। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଛି, ୨ ଲ୍ୟାପଟପ୍, ଗୋଟିଏ କିବୋର୍ଡ଼, ୧୦ଟି ସିମ କାର୍ଡ, କଲର ପ୍ରିଣ୍ଟର, ଏଟିଏମ କାର୍ଡ଼। ତେବେ ପ୍ରଶ୍ନ ଉଠୁଛି, କେବେଠାରୁ ଦୁଇ ଅଭିଯୁକ୍ତ ତିଆରି କରୁଥିଲେ ଜାଲ ନୋଟ? କେଉଁ କେଉଁ ଜିଲ୍ଲାକୁ ସପ୍ଲାଏ ହେଇଛି ଏହି ନକଲି ଟଙ୍କା? ରାଜ୍ୟ ତଥା ଦେଶ ବାହାରେ ଏମାନଙ୍କ ଲିଙ୍କ ରହିଛି କି?

ସୂଚନାଯୋଗ୍ୟ ଓଡ଼ିଶାରେ ଜାଲ ନୋଟର ଜାଲ ଧନ୍ଦା ନୂଆ ନୁହେଁ। ଏସଟିଏଫ ସୂଚନା ଅନୁସାରେ, ଗତ ୧୦ ବର୍ଷରେ ୧୦ କୋଟି ୪୦ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇସାରିଛି। ଜାଲ ନୋଟକୁ ନେଇ ଓଡ଼ିଶା ପୋଲିସ ୧୮୦ ରୁ ଉର୍ଦ୍ଧ୍ବ ମାମଲା ରୁଜୁ କରିଥିବା ବେଳେ ଗିରଫ ହୋଇଛନ୍ତି ୩୨୩ ଅଭିଯୁକ୍ତ। ୧୧୦ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । ୨୦୧୬ରେ ୪୦ ଲକ୍ଷ, ୨୦୧୭ରେ ୪୧ ଲକ୍ଷ, ୨୦୧୯ରେ ୨୮ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଥିବା ବେଳେ ୨୦୨୧ରେ ପଟ୍ଟାଙ୍ଗିରୁ ସର୍ବାଧିକ ୭ କୋଟି ୯୦ ଲକ୍ଷ ୩ ହଜାର ୫୦୦ ଟଙ୍କାର ଜାଲ ନୋଟ ଜବତ କରିଥିଲା ଏସଟିଏଫ।
Published by:Lipina Das
First published: