ବନ୍ଧା ହେଲା ନକଲି ବିଏମସି କର୍ମଚାରୀ; ଦୋକାନ ଘର ଦେବାକୁ କହି ମହିଳାଙ୍କୁ ଠକି ଥିଲା

ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଦୋକାନ ଘର ଦେବାକୁ କହି ଠକେଇ। ଜଣେ ମହିଳାଙ୍କୁ ୧ ଲକ୍ଷ ୨୪ ହଜାର ଠକେଇ ଅଭିଯୋଗରେ ଜଣକୁ ଗିରଫ କରିଛି ସହିଦନଗର ଥାନା ପୋଲିସ।

ବନ୍ଧା ହେଲା ନକଲି ବିଏମସି କର୍ମଚାରୀ

ବନ୍ଧା ହେଲା ନକଲି ବିଏମସି କର୍ମଚାରୀ

  • Share this:
News18 Odia Digital

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଦୋକାନ ଘର ଦେବାକୁ କହି ଠକେଇ। ଜଣେ ମହିଳାଙ୍କୁ ୧ ଲକ୍ଷ ୨୪ ହଜାର ଠକେଇ ଅଭିଯୋଗରେ ଜଣକୁ ଗିରଫ କରିଛି ସହିଦନଗର ଥାନା ପୋଲିସ।

ଗିରଫ ଅଭିଯୁକ୍ତ ସହିଦନଗର ଅଞ୍ଚଳର ବିକାଶ ସ୍ଵାଇଁ ବୋଲି ଜଣା ପଡ଼ିଛି। ପୂର୍ବରୁ ବିକାଶ ନାମରେ ୪ଟି ଠକେଇ ମାମଲା ଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି। ଗିରଫ ପରେ ଅଭିଯୁକ୍ତ ନିକଟରୁ ବିଏମସିର ଜାଲ କାଗଜପତ୍ର ଓ ଆଇଡି କାର୍ଡ଼ ଜବତ କରିଛି ପୋଲିସ।

ପୋଲିସ ସୂଚନା ଅନୁସାରେ, ବିକାଶ ଜଣେ କୁଖ୍ୟାତ ଠକ। ନିଜକୁ ସେ ବିଏମସିର ମାର୍କେଟିଂ ମ୍ୟାନେଜର ପରିଚୟ ଦେଇ ବୁଲୁଥାଏ। ନକଲି କାଗଜପତ୍ର ଜରିଆରେ ସେ ଅସଲ ଠକେଇ କରୁଥିଲା। ଲୋକଙ୍କୁ ଭୁଆଁ ବୁଲାଇ ଠକ ଦେଉଥିଲା ବିଏମସିର ଦୋକାନ ଘର। ପ୍ରଥମେ ଉଠା ଦୋକାନୀଙ୍କ ସହ ସମ୍ପର୍କ ବାନ୍ଧିବ। ତାଙ୍କ ଦୋକାନକୁ ବାରମ୍ବାର ଯିବା ଆସିବା କରିବା ସହ ଉଠା ବସା କରୁଥିଲା। ସମୟ ସୁବିଧା ଦେଖି ଦୋକନ ଘର ଦେବାକୁ କହି ବଡ଼ ବାବୁଙ୍କ ସହ ଆଲୋଚନା କରିବାକୁ ଲୋଭ ଦେଖାଉଥିଲା । ଯିଏ ତା'ର କଥାରେ ରାଜି ହୋଇଯାଉଥିଲେ ତାଙ୍କୁ ଚୂନ ଲଗାଇ ଛୁ ମାରୁଥିଲା।

ସହିଦନଗର ଅଞ୍ଚଳରେ ଦୋକାନ କରିଥିବା ପ୍ରତିମା ସାହୁ ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି,"ବିକାଶ ନିଜକୁ ବିଏମସିର କର୍କେଟିଂ ମ୍ୟାନେଜର କହିଥିଲା। ମୋ ଦୋକାନକୁ ବାରମ୍ବାର ଆସି କଥାବାର୍ତ୍ତା କରୁଥିଲା। କିଛି ଦିନ ପୂର୍ବରୁ ମତେ ବିଏମସିର ଦୋକାନ ଘର ଦେବାକୁ କହି ବିଭିନ୍ନ କିସ୍ତିରେ ନେଇଥିଲା ୧ ଲକ୍ଷ ୨୦ହଜାର ଟଙ୍କା। ଆଉ ବିଶ୍ୱାସ ଜନ୍ମାଇବା ପାଇଁ ଘରକୁ ପଠାଉଥିଲା ଜାଲ କାଗଜପତ୍ର। ଯେଉଁଥିରେ ପୋଷ୍ଟ ଅଫିସର ମଧ୍ୟ ଲଗୋ ଥାଏ। ସେହି କାଗଜପତ୍ରରେ ବିଏମସି ବଡ଼ ବଡ଼ ବାବୁଙ୍କ ଦସ୍ତଖତ ରହିଛି। ହେଲେ ଟଙ୍କା ଦେବାପରେ ତା' ଉପରେ ସନ୍ଦେହ ହବାରୁ ବିଏମସି ଅଫିସ ଯାଇ ଅଭିଯୋଗ କରିଥିଲି। ହେଲେ ବିକାଶ ନାମରେ କେହି ବିଏମସିର କର୍ମଚାରୀ ନଥିବା ଜାଣିବାପରେ ମୁଁ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଲି। ଏନେଇ ସହିଦନଗର ଥାନାରେରେ ଅଭିଯୋଗ କରିଛି।’’

"ଗିରଫ ପରେ ଠକ ବିକାଶ ପାଖରୁ ଜବତ ହୋଇଛି ବିଏମସିର ନକଲି ଆଇଡି କାର୍ଡ଼, କାଗଜପତ୍ର, ମୋବାଇଲ ଫୋନ। ଅଭିଯୁକ୍ତ ବିକାଶ ନାମରେ ପୂର୍ବରୁ ୪ଟି ମାମଲା ରହିଛି। ପୂର୍ବରୁ ମଧ୍ୟ ସେ ସମାନ ତରିକାରେ ଲୋକଙ୍କୁ ଠକି ଥିବା ଜଣା ପଡ଼ିଛି। ତେଣୁ ଏବେ ଅଭିଯୁକ୍ତର ପୁରୁଣା କ୍ରାଇମ ହିଷ୍ଟ୍ରି ଖୋଲି ତଦନ୍ତ କରାଯିବ,’’ କହିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ।

ପ୍ରଶ୍ନ ଉଠୁଛି, ଦୋକାନ ଘର ଦେବାକୁ କହି କେତେ ଜଣଙ୍କୁ ଠକିଛି କିକାଶ? କେଉଁଠୁ ପାଇଲା ବିଏମସିର ଜାଲ କାଗଜପତ୍ର? ବିଏମସି ଅଧିକାରୀଙ୍କ ଦସ୍ତଖତ ଅଭିଯୁକ୍ତ ପାଖକୁ ଆସିଲା କେମିତି? କେହି ବିଏମସିର କର୍ମଚାରୀ ଠକ ବିକାଶକୁ ସହଯୋଗ କରୁନି ତ? ଏଭଳି ଏନେକ ପ୍ରଶ୍ନର ଉତ୍ତର ଖୋଜୁଛି ସହିଦନଗର ଥନା ପୋଲିସ। ଏଥିପାଇଁ ଅଭିଯୁକ୍ତ ବିକାଶକୁ ରିମାଣ୍ଡରେ ଆଣି ଜେରା କରାଯିବାକୁ ଲକ୍ଷ ରଖିଛି ପୋଲିସ।
Published by:Lipina Das
First published: