News18 Odia Digital
ପୁରୀ: ଏକ ଆଶ୍ଚର୍ଯ୍ୟଜନକ ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ହୁକୁମ ଦେବା ଆଳରେ ଜଣେ ମହିଳା ଭକ୍ତଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଭଣ୍ଡ ବାବା ଜେଲ ଯାଇଛି। ଏ ସମ୍ପର୍କରେ ମହିଳା ଭକ୍ତଙ୍କ ଠାରୁ ଅଭିଯୋଗ ପାଇବା ପରେ ପୁରୀ ଜିଲ୍ଲାର ସତ୍ୟବାଦୀ ପୋଲିସ ମାମଲା ରୁଜୁ କରି ୪୦ ବର୍ଷୀୟ ଭଣ୍ଡ ବାବା ଶିବ ପ୍ରସାଦ ଭୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଖୋର୍ଦ୍ଧା ଜିଲ୍ଲାର ୪୮ ବର୍ଷୀୟା ମହିଳା ଭକ୍ତ ଛଦ୍ମନାମ ଲିଲିଙ୍କ କହିବା ଅନୁଯାୟୀ, "ପାରିବାରିକ ସମସ୍ୟାର ସମାଧାନ ନେଇ ଗତ ତିନି ମାସ ହେବ ସତ୍ୟବାଦୀ ଥାନା ବିଶ୍ୱନାଥପୁର ଦଳିତ ସାହିର ଶିବ ପ୍ରସାଦ ଭୋଇ ନାମକ ଜଣେ ବାବାଙ୍କ ଆଶ୍ରୟ ନେଇଥିଲେ। ବାବା କୁଆଡ଼େ ହୁକୁମ ଦ୍ୱାରା ଏସବୁ ସମାଧାନ କରିଦିଅନ୍ତି ବୋଲି ଶୁଣି ଆମେ ତାଙ୍କ ନିକଟକୁ ହୁକୁମ ନେବା ପାଇଁ ଆସୁଥିଲୁ। ନିଜ ଘରେ କରିଥିବା ତନ୍ତ୍ରପାଠରେ ପୂଜାର୍ଚ୍ଚନା କରିବା ନିମନ୍ତେ ଭଣ୍ଡ ବାବା ଜାନୁଆରୀ ସାତ ତାରିଖରେ ମୋତେ ଡାକିଥିଲେ। ମୁଁ ଓ ମୋ ସ୍ୱାମୀ ସେଠାରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା। ନୂଆ ଲୁଗା ପିନ୍ଧି ମୁଁ ପୂଜାରେ ଶୁଦ୍ଧପୁତ ଭାବେ ବସିଲି । ମୋ ସ୍ୱାମୀ ବାହାରେ ବସିଥିଲେ। ସନ୍ଧ୍ୟା ସମୟରେ ପୂଜା ଚାଲୁଥିବା ବେଳେ ଭଣ୍ଡ ବାବା ମୋତେ ପୂଜାରେ ବସାଇ କେହି ଯେଭଳି ଆଉ ବାଧା ସୃଷ୍ଟି ନ କରନ୍ତି ସେ ନେଇ ମୋ ସ୍ୱାମୀକୁ ତାଗିଦ କରାଇବା ସହ ତାଙ୍କୁ କିଛି ପୂଜା ସାମଗ୍ରୀ ଆଣିବା ପାଇଁ ସାକ୍ଷୀଗୋପାଳ ବଜାରକୁ ପଠାଇଥିଲେ। ଏହା ମଧ୍ୟରେ ସେ ମୋ ସହ ଅଶ୍ଲୀଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ। ତେବେ ତାହା ପୂଜାର ଅଂଶବିଶେଷ ଭାବି ମୁଁ ନୀରବ ରହିଥିଲି। ପରେ ପୂଜା ସରିବା ପରେ ପୂଜା ସାମଗ୍ରୀ ସାକ୍ଷୀଗୋପାଳର ଏକ ନିର୍ଦ୍ଧିଷ୍ଟ ପୁଷ୍କରିଣୀରେ ବିସର୍ଜନ ପାଇଁ ମୋ ସ୍ୱାମୀକୁ ପଠାଇଥିଲେ । ସେହି ସମୟରେ ବାବା ନିଜେ କରିଥିବା ମଙ୍ଗଳାମନ୍ଦିର ପଛପଟକୁ ପୁନର୍ବାର ପୂଜା କରିବା ବାହାନାରେ ଡାକି ନେଇ ନିର୍ବସ୍ତ୍ର ହେବାକୁ କହି ପୂଜା କରାଯିବ ଆଦି କହି ମୋ ସହ ଦୁଷ୍କର୍ମ କରିଥିଲେ।’’
ସେପଟେ ଏହି ମାମଲାରେ ସତ୍ୟବାଦୀ ଥାନା ଅଧିକାରୀ ଦେବୀ ପ୍ରସାଦ ପାତ୍ର କହିଛନ୍ତି, ‘‘ମହିଳାଙ୍କ ଅଭିଯୋଗ ମିଳିବା ପରେ ତୁରନ୍ତ ସେହି ଦିନ ଭଣ୍ଡ ବାବା ଶିବ ପ୍ରସାଦ ଭୋଇକୁ ଗିରଫ କରାଯାଇଥିଲା । ଆଉ ମହିଳାଙ୍କ ଅଭିଯୋଗ କ୍ରମେ ୩୭୬ ଧାରାରେ ମକଦ୍ଦମା ରୁଜୁ କରାଯାଇ ସାକ୍ଷୀଗୋପାଳ ଡାକ୍ତରଖାନାରେ ମହିଳା ଓ ଭଣ୍ଡ ବାବା ଶିବ ପ୍ରସାଦ ଭୋଇଙ୍କ ଡାକ୍ତରୀ ମାଇନା କରାଯାଇଛି । ଆଉ ଭଣ୍ଡ ବାବାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ମଞ୍ଜୁର ନହେବାରୁ ପୁରୀ ଜେଲକୁ ପଠାଇଦିଆଯାଇଛି।’’
ବିଜ୍ଞାନ ଯୁଗରେ ଆଜି ବି ଅନ୍ଧ ବିଶ୍ୱାସ ଓ ଗୁଣି ଗାରେଡିରେ ବିଶ୍ୱାସ କରି ଏଭଳି ଶିକାର ହେବା ଘଟଣା ନୂଆ ନୁହେଁ। ହେଲେ କେବେ ସମାଜରେ ଏଭଳି ଘୃଣ୍ୟ ଚିନ୍ତାଧାରା ଦୂରେଇ ଯିବ ଓ ସମସ୍ତେ ସଚେତନ ହେବେ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।