‘ଫେଆର୍ & ଲଭଲି’ ନାଁ ବଦଳାଇ ‘ଗ୍ଲୋ & ଲଭଲି’ ହେଲା; ତା’ ପଛରେ ଅଛନ୍ତି ମୁମ୍ବାଇର ଝିଅ ଚନ୍ଦନା

ମୁମ୍ବାଇ ଝିଅ ଚନ୍ଦନା ବି ଆପଣଙ୍କ ପରି ଟିଭିରେ ସୁନ୍ଦରତା ବଢ଼େଇବା ପାଇଁ ମିଳୁଥିବା କ୍ରିମର ବିଜ୍ଞାପନ ଦେଖି ବଡ଼ ହୋଇଥିଲେ । ହେଲେ ସେ ‘କେବଳ ଗୋରାପଣ ହିଁ କାହିଁକି ସୁନ୍ଦର?’ ବୋଲି କହି ଏକ ଅନଲାଇନ୍ ଆନ୍ଦୋଳନ ଆରମ୍ଭ କରି ସଫଳ ହୋଇଛନ୍ତି ।

ଚନ୍ଦନା ହିରାନ୍; (ଡାହାଣ) ବହୁଳ ବ୍ୟବହୃତ ସ୍କିନ୍ କ୍ରିମ୍ ‘ଫେଆର୍ ଆଣ୍ଡ ଲଭଲୀ’

ଚନ୍ଦନା ହିରାନ୍; (ଡାହାଣ) ବହୁଳ ବ୍ୟବହୃତ ସ୍କିନ୍ କ୍ରିମ୍ ‘ଫେଆର୍ ଆଣ୍ଡ ଲଭଲୀ’

  • Share this:
News18 Odia Digital

ମୁମ୍ବାଇ: ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ବ୍ୟବହୃତ ସ୍କିନ୍ କ୍ରିମ୍‌ ‘ଫେଆର୍‌ ଆଣ୍ଡ ଲଭଲି’ର (Fair & Lovely) ନାଆଁ ବଦଳି ଏବେ ‘ଗ୍ଲୋ ଆଣ୍ଡ ଲଭଲି’ (Glow & Lovely) ହୋଇଛି । ଏହି ବହୁଳ ବ୍ୟବହୃତ କ୍ରିମ୍‌ ବନାଉଥିବା ବହୁରାଷ୍ଟ୍ରୀୟ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ଼୍ (Hindustan Unilever Limited, HUL) ୪୫ ବର୍ଷ ପରେ ଏହାର ସବୁ ଠାରୁ ବଡ଼ ବ୍ରାଣ୍ଡର ନାମ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି । କମ୍ପାନୀର ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଛନ୍ତି । ତେବେ ଏହାର ପ୍ରକୃତ ଶ୍ରେୟ ବର୍ଣ୍ଣଭେଦ ବିରୋଧରେ ସଂଗ୍ରାମ କରୁଥିବା ଲୋକେ ଓ ବିଶେଷ କରି ମୁମ୍ବାଇର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଦିଆଯାଉଛି ।

ମୁମ୍ବାଇର ଚନ୍ଦନା ହିରାନ୍ (Chandana Hiran) ଆପଣଙ୍କ ପରି ଟିଭିରେ ଓ ଖବରକାଗଜରେ ସୁନ୍ଦରତା ବଢ଼େଇବା ପାଇଁ ମିଳୁଥିବା କ୍ରିମର ବିଜ୍ଞାପନ ଦେଖି ବଡ଼ ହୋଇଥିଲେ । ଆମ ମଧ୍ୟରୁ ଅଧିକାଂଶ ନିଜ ଦେହର ରଙ୍ଗ ପାଇଁ ଗର୍ବିତ ନୁହଁନ୍ତି । ଅନେକ ଲୋକ, ବିଶେଷତଃ ଯୁବତୀମାନେ, ଏହି କ୍ରିମ୍‌ ସବୁ ବ୍ୟବହାର କରି ନିଜ ଚର୍ମର ରଙ୍ଗ ଗୋରା କରିବାକୁ ଚେଷ୍ଟା କରିଥାନ୍ତି । ହେଲେ ଚନ୍ଦନା ପ୍ରଶ୍ନ କରିଥିଲେ ଯେ ଫେୟାରକୁ (ଗୋରାପଣକୁ) ହିଁ ଲଭଲି (ସୁନ୍ଦର) କାହିଁକି କୁହାଯାଉଛି ।

ନ୍ୟୁଜ୍ 18 ସହ ଏକ ସାକ୍ଷାତକାରରେ ଚନ୍ଦନା କହିଛନ୍ତି, ‘‘ଆମ ଦେଶ ମୁଖ୍ୟତଃ କୃଷ୍ଣକାୟଙ୍କ ଦେଶ ହୋଇଥିଲେ ମଧ୍ୟ ବଲିଉଡ ଫିଲ୍ମରେ, ଗୀତ ଓ କବିତାରେ ଆଉ ଇଭେଣ୍ଟରେ ଗୌର ବର୍ଣ୍ଣର ଲୋକଙ୍କୁ ପସନ୍ଦ କରାଯାଏ । ଲୋକପ୍ରିୟ ସଂସ୍କୃତିରେ (popular culture) ମୋ ଭଳି ରଙ୍ଗର ଝିଅମାନଙ୍କୁ ପ୍ରତିନିଧିତ୍ୱ କରୁଥିବା କେହି ନାହାଁନ୍ତି । ମୁଁ କୌଣସି ମାଗାଜିନ କିମ୍ବା ବିଜ୍ଞାପନରେ ମୋ’ ପରି ଶ୍ୟାମ ରଙ୍ଗକୁ ସୁନ୍ଦର କୁହାଯାଉଥିବାର ଦେଖି ନାହିଁ । ଏପରିକି ସୋସିଆଲ ମିଡିଆରେ ଥିବା ଫିଲ୍ଟର ଓ ଫଟୋ ଏଡିଟିଂ ସାଇଟରେ ବି ଆପଣ କେମିତି ଦେଖାଯାଉଛନ୍ତି ତାହା ଉପରେ ଧ୍ୟାନ ଦିଆଯାଉଛି!’’

ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ଼୍ ୪୫ ବର୍ଷ ପରେ ନିଜର ସବୁ ଠାରୁ ବଡ଼ ବ୍ରାଣ୍ଡର ନାଁ ବଦଳେଇବାକୁ ବାଧ୍ୟ ହୋଇଛି ।


ଏମିତି ଭାବୁଥିବା ଚନ୍ଦନା ଆମେରିକାର ବ୍ଲାକ୍ ଲାଇଭସ୍ ମ୍ୟାଟର (Black Lives Matter) ଆନ୍ଦୋଳନ ଦ୍ୱାରା ଆହୁରି ଅନୁପ୍ରାଣିତ ହୋଇଥିଲେ । ‘ଫେୟାର ଆଣ୍ଡ ଲଭଲି’ ବିରୁଦ୍ଧରେ ଚନ୍ଦନା Change.org ରେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ଼୍ କମ୍ପାନୀ ବିରୋଧରେ ଏକ ଅନଲାଇନ୍ ଆବେଦନ କରିଥିଲେ । ମାତ୍ର ଦୁଇ ସପ୍ତାହ ମଧ୍ୟରେ ୧୫,୦୦୦ରୁ ଅଧିକ ଲୋକ ଏଥିରେ ଦସ୍ତଖତ କରି ତାଙ୍କୁ ସମର୍ଥନ କରିଥିଲେ ।

‘‘ବହୁ ଭାରତୀୟ ସେଲିବ୍ରିଟି ପାଶ୍ଚାତ୍ୟରେ ହେଉଥିବା ବ୍ଲାକ୍‌ ଲାଇଭସ୍‌ ମ୍ୟାଟର୍‌ (BLM) ଆନ୍ଦୋଳନକୁ ସମର୍ଥନ କରିଥିଲେ । ତା’ପରେ ଭାରତରେ ରଙ୍ଗଭେଦର ପ୍ରଶ୍ନ ଉଠିଥିଲା । କାରଣ ଏହା ସବୁଆଡ଼ ରଙ୍ଗଭେଦ ଅଛି । ଏହି ସଂସ୍କୃତି ଓ ‘ଫେଆର୍‌ ଆଣ୍ଡ ଲଭଲି’ ପରି ଲୋକପ୍ରିୟ ସ୍କିନ୍‌ କ୍ରିମ୍‌ ଆମକୁ ଏହା ବିଶ୍ୱାସ କରିବାକୁ ବାଧ୍ୟ କରୁଥିଲା ଯେ ଫେଆର୍‌ ହିଁ ହେଉଛି ଲଭଲି । ତେଣୁ ମୁଁ ନାମ ପରିବର୍ତ୍ତନ କରିବାକୁ ହିନ୍ଦୁସ୍ତାନ ୟୁନିଲିଭରକୁ ନିବେଦନ କରିଥିଲି । BLM ଆନ୍ଦୋଳନ କମ୍ପାନୀକୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ କରିଛି,’’ କହିଛନ୍ତି ଚନ୍ଦନା ।

ଯୁକ୍ତରାଷ୍ଟ୍ର ଆମେରିକାରେ ଜାତିଭେଦକୁ ନେଇ ବିବାଦ ବଢ଼ିବା ପରେ ଜନସନ ଆଣ୍ଡ ଜନସନ (Johnson & Johnson) କମ୍ପାନୀ ଏହାର ଚର୍ମ ଧଳା କରିବା କ୍ରିମ୍ (skin whitening cream)ର ବିକ୍ରୟ ବନ୍ଦ କରିବ ବୋଲି ଘୋଷଣା କରିଥିଲା । ତା’ ପରେ ହିନ୍ଦୁସ୍ତାନ ୟୁନିଲିଭର ଏହି ପଦକ୍ଷେପ ନେଇଥିଲା ।

‘‘ମୁଁ ମୋ’ର ଆବେଦନରୁ ଆଉ କିଛି ଆଶା କରୁ ନାହିଁ । ଶେଷରେ ‘ଫେଆର୍‌ ଆଣ୍ଡ ଲଭଲି’ ବର୍ଷ ବର୍ଷ ଧରି ରହିଆସିଛି । କିନ୍ତୁ ଏଭଳି ଏକ ଅତି ଲୋକପ୍ରିୟ ବ୍ରାଣ୍ଡର ନାମ ବଦଳାଇବା ସଠିକ୍ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ,’’ କହିଛନ୍ତି ଚନ୍ଦନା ।
Published by:Anand Shankar Thankur Das
First published: