News18 Odia Digital
ମୁମ୍ବାଇ: ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ଫେସବୁକ ଭାରତର ଡିଜିଟାଲ ବଜାରରେ ନିଜର ଉପସ୍ଥିତି ବଢ଼ାଇବା ପାଇଁ ରିଲାଏନ୍ସ ସହିତ ଏକ ବଡ଼ ଚୁକ୍ତି କରିଛି । ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଡିଜିଟାଲ୍ ଅପରେସନ୍ ରିଲାଏନ୍ସ ଜିଓରେ ମାର୍କ୍ ଜୁକରବର୍ଗଙ୍କ ମାଲିକାନାରେ ଥିବା କମ୍ପାନୀ ଫେସବୁକ୍ ୫.୭ ବିଲିୟନ ଡଲାର୍ (୪୩,୫୭୪ କୋଟି ଟଙ୍କା) ବିନିଯୋଗ କରିଛି । ବୁଧବାର ଫେସବୁକ୍ ଏହା ଘୋଷଣା କରିଛି ।
ଫେସବୁକର ୱେବସାଇଟ୍ ଅନୁଯାୟୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓର ୯.୯୯ ପ୍ରତିଶତ ଅଂଶଧନ ୪୩,୫୭୪ କୋଟି ଟଙ୍କାରେ କିଣିଛି । ଏହି ଡିଲ୍ ଦ୍ୱାରା ଫେସବୁକ୍ ରିଲାଏନ୍ସ ଜିଓର ସବୁଠାରୁ ବଡ ଅଂଶୀଦାର କମ୍ପାନୀ ହୋଇପାରିଛି ।
‘‘ଏହି ବିନିଯୋଗ ଭାରତ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଜିଓ ଭାରତରେ ଆଣିଥିବା ବଡ଼ ପରିବର୍ତ୍ତନ ଦ୍ୱାରା ଆମେ ଉତ୍ସାହିତ ହୋଇଛୁ । ଚାରି ବର୍ଷରୁ କମ୍ ସମୟ ମଧ୍ୟରେ ରିଲାଏନ୍ସ ଜିଓ ୩୮୮ ମିଲିୟନ (୩୮.୮ କୋଟି)ରୁ ଅଧିକ ଲୋକଙ୍କୁ ଅନଲାଇନ୍ ପ୍ଲାଟଫର୍ମକୁ ଆଣିଛି । ଏହା ନବସୃଜନ ଓ ନୂତନ ଉଦ୍ୟୋଗକୁ ପ୍ରୋତ୍ସାହିତ କରୁଛି । ଲୋକଙ୍କୁ ନୂଆ ଉପାୟରେ ସଂଯୋଗ କରୁଛି । ତେଣୁ ଜିଓ ମାଧ୍ୟମରେ ଭାରତରେ ଅଧିକ ଲୋକଙ୍କ ସହ ଯୋଗାଯୋଗ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ,’’ ଫେସବୁକ୍ ଏକ ବିବୃତିରେ କହିଛି ।
ବାସ୍ତବରେ ୨୦୧୬ରେ ଜିଓ ଲଞ୍ଚ ହେବା ପରେ ରିଲାଏନ୍ସ ଦେଶର ଏକ ମାତ୍ର କମ୍ପାନୀ ଭାବରେ ଉଭା ହୋଇଛି ଯାହା ଦ୍ରୁତ ଗତିରେ ବଢ଼ୁଥିବା ଭାରତୀୟ ବଜାରରେ ଆମେରିକୀୟ ଟେକନୋଲୋଜିକାଲ୍ ସମୂହମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସକ୍ଷମ ହୋଇଛି । ମୋବାଇଲ୍ ଟେଲିକମ୍ ଠାରୁ ଆରମ୍ଭ କରି ହୋମ୍ ବ୍ରୋଡବ୍ୟାଣ୍ଡ ପର୍ଯ୍ୟନ୍ତ ସବୁ କିଛିରେ ରିଲାଏନ୍ସ ଇ-ବାଣିଜ୍ୟକୁ ବିସ୍ତାର କରିଛି ।
ଏଥି ସହିତ ଫେସବୁକ୍ ଏବଂ ଏହାର ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ପାଇଁ ଭାରତ ମଧ୍ୟ ଏକ ବଡ ବଜାର । ଭାରତରେ ଫେସବୁକର ୪୦୦ ନିୟୁତ (୪୦ କୋଟି) ବ୍ୟବହାରକାରୀ ଅଛନ୍ତି । ପରାମର୍ଶଦାତା କମ୍ପାନୀ PwC ଅନୁଯାୟୀ ୨୦୨୨ ମସିହାରେ ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୮୫୦ ନିୟୁତ (୮୫ କୋଟି)କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ଡିସକ୍ଲେମର୍: ନ୍ୟୁଜ୍୧୮ ଓଡ଼ିଆ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ୧୮ ମିଡିଆ ଆଣ୍ଡ୍ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।