ସରିଲା 'ଏଣ୍ଟରପ୍ରାଇଜ ଓଡ଼ିଶା ୨୦୨୧’; ଶିଳ୍ପକ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଠି ହୋଇଛି କହିଲେ ଏକ୍ସପର୍ଟ

ଉଦ୍‌ଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ସମେତ ମୁଖ୍ୟ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଅସିତ୍ ତ୍ରିପାଠୀ, ଆଇଟି ସଚିବ ମନୋଜ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତିତ୍ୱ ଯୋଗ ଦେଇ ସିଆଇଆଇର ଉଦ୍ୟମକୁ ପ୍ରଂଶସା କରିଥିଲେ ।

ସରିଲା 'ଏଣ୍ଟରପ୍ରାଇଜ ଓଡ଼ିଶା ୨୦୨୧’

ସରିଲା 'ଏଣ୍ଟରପ୍ରାଇଜ ଓଡ଼ିଶା ୨୦୨୧’

  • Share this:
News18 Odia Digital

ଭୁବନେଶ୍ବର: ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଛୋଟ ବଡ଼ ସବୁ ଶିଳ୍ପଦ୍ୟୋଗୀଙ୍କର ଯେଭଳି ଗୁରୁ ଦାୟିତ୍ୱ ରହିଛି ସେଭଳି ଢ଼ାଞ୍ଚାରେ ରାଜ୍ୟ ପ୍ରଗତି କ୍ଷେତ୍ରରେ ସବୁ ଶିଳ୍ପଦ୍ୟୋଗୀ ଗୁରୁ ଦାୟିତ୍ୱ ବହନ କରି ଆସୁଛନ୍ତି । ବିଶେଷ କରି ଏମଏସଏମଇ କ୍ଷେତ୍ରରେ ଥିବା ଶିଳ୍ପଦ୍ୟୋଗୀମାନେ ନିଯୁକ୍ତି ସୁଯୋଗକୁ ବ୍ୟାପକ କରି ପାରୁଛନ୍ତି । ଶିଳ୍ପଦ୍ୟୋଗୀମାନେ ଅଧିକ ଯତ୍ନବାନ ଓ ଦାୟିତ୍ୱବାନ ହେଲେ କର୍ମ ସଂସ୍ଥାନ ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା ଯୁବକମାନେ ନିଜ ଅଞ୍ଚଳରେ କର୍ମ ନିଯୁକ୍ତି ସୁଯୋଗ ପାଇ ପାରିବେ । ଏଭଳି ଢ଼ାଞ୍ଚାକୁ କ୍ରିୟାଶୀଳ କରିବାରେ କନ୍‌ଫେଡ଼େରେସନ୍ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ୍ (ସିଆଇଆଇ) ନିରନ୍ତର ଉଦ୍ୟମ କରି ଆସୁଛି ।

ଏଣ୍ଟରପ୍ରାଇଜ୍ ଓଡ଼ିଶା-୨୦୨୧ର ଉଦଯାପନୀ ଉତ୍ସବରେ ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ । ପ୍ରଫେସର ଗଣେଶ ଲାଲ କହିଛନ୍ତି, ‘‘ସମସ୍ତ ଘରୋଇ ଶିଳ୍ପାନୁଷ୍ଠାନଗୁଡ଼ିକ ରାଜ୍ୟ ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରି ଆସୁଛନ୍ତି । ସେଥିପାଇଁ ଗୋଟିଏ ପ୍ଲାଟଫର୍ମରେ ଯେଭଳି ଛୋଟବଡ଼ ସବୁ ଶିଳ୍ପାନୁଷ୍ଠାନ ଏକାଠି ହୋଇପାରିବେ ସେଥିପାଇଁ ଉଦ୍ୟମ କରି ଆସୁଛି ସିଆଇଆଇ । ଏହା ଅତି ସ୍ୱାଗତଯୋଗ୍ୟ ଉଦ୍ୟମ । ସୁଖର କଥା ହେଉଛି, ଏଥିପ୍ରତି ଆମେ ସମସ୍ତେ ଦାୟିତ୍ୱବାନ ହେବା ଉଚିତ୍।’’

ପ୍ରାୟ ଗୋଟେ ମାସ ଧରି ଉଭୟ ଭର୍ଚୁଆଲ ଓ ଅଫ ଲାଇନ୍‌ରେ ଚାଲିଥିଲା ଏହି ୨୩ତମ ଓଡ଼ିଶା ଏଣ୍ଟରପ୍ରାଇଜ୍ -୨୦୨୧ କାର୍ଯ୍ୟକ୍ରମ। ନଭେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ଡ଼ିସେମ୍ବର ୧୭ରେ ଉଦ୍‌ଯାପିତ ହୋଇଛି। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଓ ବିଦେଶରୁ ବହୁ ସଂଖ୍ୟକ ଶିଳ୍ପଦ୍ୟୋଗୀ ଯୋଗ ଦେଇ ସାମ୍ପ୍ରତିକ ସ୍ଥିତିରେ ବ୍ୟବସାୟିକ ଅଗ୍ରଗତି ତଥା ସାମାଜିକ ଦାୟିତ୍ୱବୋଧ ଉପରେ ମତ ରଖିଥିଲେ।

ଉଦ୍‌ଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ସମେତ ମୁଖ୍ୟ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଅସିତ୍ ତ୍ରିପାଠୀ, ଆଇଟି ସଚିବ ମନୋଜ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତିତ୍ୱ ଯୋଗ ଦେଇ ସିଆଇଆଇର ଉଦ୍ୟମକୁ ପ୍ରଂଶସା କରିଥିଲେ ।

ଅସିତ୍ ତ୍ରିପାଠୀ କହିଥିଲେ, ‘‘ନିରନ୍ତର ଭାବେ ଓଡ଼ିଶା ଶିଳ୍ପକ୍ଷେତ୍ରରେ ଅନେକ ଉନ୍ନତି କରିବାରେ ସଫଳ ହୋଇପାରିଛି । ଏ କ୍ଷେତ୍ରରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ବହୁତ ଅଧିକ । ଗ୍ରୀନ୍ ଫିଲ୍ଡ ରୋଡ଼ ତିଆରି ସହିତ ଭିତ୍ତିଭୂମି ବିକାଶ କରିବାରେ ମୁଖ୍ୟ ମନ୍ତ୍ରୀ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଆଉ ଏ ସବୁ ସମ୍ଭବ ହୋଇପାରିଛି ଶିଳ୍ପଦ୍ୟୋଗୀମାନଙ୍କ ସମର୍ଥନ କାରଣରୁ । ଏହି ଧାରା ଆଗକୁ କାଏମ୍ ରହିବ ବୋଲି ମୁଁ ଆଶା କରୁଛି।’’

ସେହିଭଳି ଆଇଟି ସଚିବ କହିଥିଲେ ଯେ ଗତ କିଛି ବର୍ଷ ଭିତରେ ରାଜ୍ୟରେ ପ୍ରଯୁକ୍ତି ବିଦ୍ୟାର ବହୁତ ବିକାଶ ସମ୍ଭବ ହୋଇପାରିଛି । ଗ୍ରାମାଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି। ତେଣୁ ଲୋକଙ୍କ ଅର୍ଥନୈତିକ ଉନ୍ନତି ପାଇଁ ଆଗକୁ ଶିଳ୍ପଦ୍ୟୋଗୀଙ୍କ ସହାୟତାରେ ଉଦ୍ୟମ ଜାରି ରଖିବେ ବୋଲି ସେ ଆଶା ରଖିଛନ୍ତି।

ଉତ୍ସବରେ ସିଆଇଆଇର ପ୍ରମୁଖ ସଚିବ ମନିଷ ଖରବନ୍ଦା କହିଥିଲେ ଯେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ପ୍ରଯୁକ୍ତି ବିଦ୍ୟାର ଉପଯୋଗିତାକୁ ଗୁରୁତ୍ୱ ଦେଉଥିବାରୁ ସାରା ଦେଶରେ ରାଜ୍ୟରେ ମଧ୍ୟ ଲୋକଙ୍କ ଆର୍ଥିକ ଉନ୍ନତି ଓ ସାମୂହିକ ପ୍ରଗତି ସମ୍ଭବ ହୋଇପାରିଛି । ଆଗକୁ ଏଦିଗରେ ସିଆଇଆଇ ଉଦ୍ୟମ କରିବ ବୋଲି ସେ ମତ ରଖିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲ ପରିସରରେ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ । ଯାହାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।
Published by:Lipina Das
First published:
)}