ନିଶା ବେପାରୀଙ୍କ ସହ ମଧୁଚନ୍ଦ୍ରିକାରେ ପୁରୀ ପୋଲିସ; ଅବକାରୀ ଇନିସପେକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କ ଅଭିଯୋଗ

ପୁରୀ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନସପେକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କ ଅଭିଯୋଗ, "ନିଶା ମାଫିଆଙ୍କ ଠାରୁ ମାସିକିଆ ବଟି ନେଉଛି ପୁରୀ ପୋଲିସ। ଆଉ ଏହାଦ୍ବାରା ଅବକାରୀ ବିଭାଗ ଜିଲ୍ଲାରେ ନିଜର ସ୍ଥିତି ହରାଇବାକୁ ବସିଛି।’’

ଅବକାରୀ ଇନିସପେକ୍ଟର ସଞ୍ଜୟ କୁମାର ପଣ୍ଡା

ଅବକାରୀ ଇନିସପେକ୍ଟର ସଞ୍ଜୟ କୁମାର ପଣ୍ଡା

  • Share this:
News18 Odia Digital

ପୁରୀ: ପୋଲିସ ବିରୁଦ୍ଧରେ ଅଭିଯୋଗ କରି ମୋବାଇଲ ସ୍କ୍ୱାର୍ଡ ଇନିସପେକ୍ଟର ସଞ୍ଜୟ କୁମାର ପଣ୍ଡା ନିଜକୁ ସଠିକ ବୋଲି କହୁଥିବା ବେଳେ ସେପଟେ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ କିନ୍ତୁ ଓଲଟା ସଞ୍ଜୟଙ୍କୁ ଦୋଷାରୋପ କରୁଛନ୍ତି। ଆଉ ଏ ସଂକ୍ରାନ୍ତରେ ଅବକାରୀ କମିଶନରଙ୍କୁ ଅବଗତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରାଯାଇଥିବା ଅବକାରୀ ସୁପରିଟେଣ୍ଡେଣ୍ଟ କହିଛନ୍ତି।

ପୁରୀ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନସପେକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କ ଅଭିଯୋଗ, "ନିଶା ମାଫିଆଙ୍କ ଠାରୁ ମାସିକିଆ ବଟି ନେଉଛି ପୁରୀ ପୋଲିସ। ଆଉ ଏହାଦ୍ବାରା ଅବକାରୀ ବିଭାଗ ଜିଲ୍ଲାରେ ନିଜର ସ୍ଥିତି ହରାଇବାକୁ ବସିଛି। ନିଶା କାରବାର କରୁଥିବା ଦୁର୍ବୁତ୍ତମାନେ ଅବକାରୀ ବାଲାଙ୍କୁ ଖାତିର କରୁନାହାଁନ୍ତି ବୋଲି ଏଭଳି ଚାଞ୍ଚଲ୍ୟକର ଚିଠି ନଂ ୧୨ ଓ ଜୁନ ୪ ତାରିଖରେ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ଜରିଆରେ କଟକ ଅବକାରୀ କମିଶନରଙ୍କୁ ଲେଖିଛି । ଆଉ ଏହି ଖୋଲା ଚିଠିକୁ ନେଇ ଅବକାରୀ ବିଭାଗରେ ହୁଲୁସ୍ତୁଲ ହେବା ସହ ଓଡ଼ିଶା ପୋଲିସରେ ହଟଚମଟ ହେଲାଣି। ଆଉ ଜୁନ ୪ ତାରିଖରେ ଦେଇଥିବା ଚିଠିରେ ପୁରୀ ପୋଲିସ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛି।’’

‘‘ନିଶା ମାଫିଆଙ୍କ ଠାରୁ ମାସିକିଆ ନେଉଛି ପୁରୀ ପୋଲିସ। ଯାହାଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି। ତେବେ ଅବକାରୀ ବିଭାଗରେ ପୁରୀରେ ଏକବର୍ଷ ଧରି କାର୍ଯ୍ୟ କରିବା ସମୟରେ ପ୍ରତିଟି ନିଶା ଅପରାଧି ଜେରା ସମୟରେ ପୋଲିସକୁ ବଟି ଦେଉଥିବା କହୁଛନ୍ତି। ଯାହା ଫଳରେ ତଦନ୍ତ ପ୍ରକ୍ରିୟାରେ ବାଧାସୃଷ୍ଟି ସହ ମାମଲା ରୁଜୁ କରିବାରେ ସମସ୍ୟା ଓ ଅନ୍ୟପଟେ ଏହାଦ୍ୱାରା ଅଳ୍ପ ସଂଖ୍ୟକ ଅବକାରୀ ମାମଲା ଠାବ ହେଉଛି। ତେଣୁ ବିଭାଗର ଜଣେ ଦାୟିତ୍ୱବାନ ଅଫିସର ହିସାବରେ ପୋଲିସ ତୁଳନାରେ ଅଳ୍ପ କର୍ମଚାରୀ, ଅଳ୍ପ ଦରମା, ବିନା ଗାଡି, ବିନା ମେଡାଲରେ ହତୋତ୍ସାହିତ ଅନୁଭବ କରୁଛି। ତେଣୁ ପୋଲିସର ଏଭଳି ଅସାଧୁ କାର୍ଯ୍ୟ କଳାପକୁ ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଆମକୁ କଠିନ ପରିଶ୍ରମ ସଚ୍ଚୋଟତା ପାଇଁ ପୁରସ୍କୃତ କରାଯିବା ନେଇ ଏକ୍ସାଇଜ କମିଶନରଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛି। ଆଉ ଆଶା ଅଛି ଏହି ଚିଠି ପରେ ଓଡ଼ିଶା ପୋଲିସ ଓ ଅବକାରୀ ବିଭାଗ ସଠିକ ଆଭିମୁଖ୍ୟ ଗ୍ରହଣ କରିବେ। ତେବେ ସତ କଥା ଲୋକ ଲୋଚନକୁ ଆସିବା ସହ ମୁଁ ଦୁର୍ନୀତିକୁ ପ୍ରଶୟ କି ସାଲିସ କରେନାହିଁ,’’ କହିଛନ୍ତି ସଞ୍ଜୟ କୁମାର ପଣ୍ଡା।

ଇନିସପେକ୍ଟର ସଞ୍ଜୟ କୁମାର ପଣ୍ଡା ଚିଠି


"କାର୍ଯ୍ୟକ୍ଷେତ୍ରରେ ମୋତେ ସହଯୋଗ କରାଯାଉ। ମୋ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ଯାହାଯାହା ଆବଶ୍ୟକ ତାହା ଯୋଗାଇ ଦିଆଯାଉ ବୋଲି ଜୁନ୍ ୧ରେ ଇନିସପେକ୍ଟର ସଞ୍ଜୟ ପଣ୍ଡା ଜିଲ୍ଲା ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଅବଗତ କରିଥିଲେ। ମାତ୍ର ଗତ ୪ ତାରିଖରେ ଅବକାରୀ ବିଭାଗ କମିଶନରଙ୍କୁ ଯେଉଁ ଚିଠି ଲେଖିଲେ ତାହା ଏବେ କେବଳ ସୁପରିଟେଣ୍ଡେଣ୍ଟ ନୁହେଁ କି ପୋଲିସ ବିଭାଗ ନୁହଁ ସରକାରଙ୍କୁ ବି ଅଡୁଆରେ ପକାଇଦେଇଛି। ଇନିସପେକ୍ଟରଙ୍କ ଏହି ଚାଞ୍ଚଲ୍ୟକର ଚିଠି ଉପରେ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ। ତାଙ୍କ କହିବା କଥା ହେଉଛି ସଞ୍ଜୟ ପଣ୍ଡାଙ୍କ ମାନସିକ ସ୍ଥିତି ଠିକ ନଥିବା ତାଙ୍କ ପରିବାର ଜଣାଇଛନ୍ତି। ଆଉ ଏହି ଘଟଣାକୁ ନେଇ ଅବକାରୀ କମିଶନରଙ୍କୁ ଅବଗତ କରିଛି,’’ କହିଛନ୍ତି ପୁରୀ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ଅମରେନ୍ଦ୍ର କୁମାର ଜେନା।

"ସେପଟେ ଘଟଣାକୁ ବିଭାଗ ଗୁରୁତର ସହ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟି ବ୍ୟବସ୍ଥାରେ ସ୍ୱଚ୍ଛ ଶାସନକୁ ଗୁରୁତ୍ୱ ଦିଆଯାଇଛି। ଆଉ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ। ଚିଠି ପହଞ୍ଚିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାସ୍ତବିକ ଘଟଣା କଣ ବୋଲି ତାହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି,’’ କହିଛନ୍ତି ନୂଆ ଭାବେ ଦାୟିତ୍ୱ ନେଇଥିବା ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର।

ପଦାରେ ପଡ଼ିଲା ବିଭାଗୀୟ ସମନ୍ବୟ। ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ରହୁନାହିଁ ତାଳମେଳ। ଆଉ ଅବକାରୀ ଇନିସପେକ୍ଟର ସଞ୍ଜୟଙ୍କ ଚିଠି ବିଭାଗରେ କଳେବର ଆଣିବ କି ତାଙ୍କ ପାଇଁ ବୁମେରାଂ ପାଲଟିବ ତଦନ୍ତ ପରେ ସ୍ପଷ୍ଟ ହେବ।
Published by:Lipina Das
First published: