ଅନଲାଇନ ଆପ ଚିଟଫଣ୍ଡ ଘଟଣା; ୬.୫୭ କୋଟି ଟଙ୍କା ଅଚଳ କଲା ଇଓଡ଼ବ୍ଲ୍ୟ

ଆର. ବି.ଆଇ ନିୟମ ଅଧୀନ ଏନ୍.ବି.ଏଫ.ସିରେ ପଞ୍ଜୀକୃତ ହୋଇନଥିବା କିଛି ଆପ୍ ବ୍ୟବହାର କରିବା ଲୋକଙ୍କୁ ମହଙ୍ଗା ପଡ଼ିଛି। ଏନେଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି ।

୬.୫୭ କୋଟି ଟଙ୍କା ଅଚଳ କଲା ଇଓଡ଼ବ୍ଲ୍ୟ (ପ୍ରତୀକାତ୍ମକ ଛବି)

୬.୫୭ କୋଟି ଟଙ୍କା ଅଚଳ କଲା ଇଓଡ଼ବ୍ଲ୍ୟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ଆର. ବି.ଆଇ ନିୟମ ଅଧୀନ ଏନ୍‌.ବି.ଏଫ.ସିରେ ପଞ୍ଜୀକୃତ ହୋଇନଥିବା କିଛି ଆପ୍ ବ୍ୟବହାର କରିବା ଲୋକଙ୍କୁ ମହଙ୍ଗା ପଡ଼ିଛି। ଋଣ ପାଇବା ଆଶାରେ ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଲୋକ କୋଟି କୋଟି ଟଙ୍କା ହରାଇଛନ୍ତି। ଏନେଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇ.ଓ.ଡବ୍ଲ୍ୟୁ)ରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି ।

ଲୋକଙ୍କ ଟଙ୍କା ହଡ଼ପ କରିଥିବା ଗୁରୁଗ୍ରାମର ମହାଗ୍ରାମ୍ ପେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରାୟ ୬.୫୭କୋଟି ଟଙ୍କା ଅଚଳ କରିଦେଇଛି ଇଓଡ଼ବ୍ଲ୍ୟୁ। ଏହା ସହ ଲୋକଙ୍କୁ ଋଣପ୍ରଦାନକାରୀ ଅଣପଞ୍ଜୀକୃତ ଆପ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ଇଓଡ଼ବ୍ଲ୍ୟ ସୂଚନା ଅନୁସାରେ, ଋଣ କାରବାର ପାଇଁ କୋକୋ ଓ ଜୋଜୋ ନାଁରେ ୨ଟି ଆପ୍ ପ୍ଲେ-ଷ୍ଟୋରର୍‌ରେ ରହିଛି। ଏହି ଦୁଇଟି ସଂସ୍ଥା ଏନ୍‌.ବି.ଏଫ୍‌.ସି ପଞ୍ଜୀକୃତ ନୁହେଁ କିମ୍ବା ଆର୍‌ବିଆଇ ଅଧୀନରେ ଆସୁନାହିଁ । ଏହି ଆପ୍ ଡାଉନଲୋଡ୍ କରିବା ପରେ ଆକାଉଣ୍ଟକୁ ୩ ହଜାରରୁ ୫ହଜାର ପର୍ଯ୍ୟନ୍ତ ଟଙ୍କା ଆକାଉଣ୍ଟରେ କ୍ରେଡ଼ିଟ୍ ହେଉଥିଲା। ଟଙ୍କା କ୍ରେଡ଼ିଟ୍ ହେବାର ମାତ୍ର ସପ୍ତାହେ ମଧ୍ୟରେ ୫ଗୁଣ ସୁଧ ଓ ମୂଳ ସହିତ ଟଙ୍କା ଫେରସ୍ତ କରିବା ପାଇଁ ମେସେଜ୍ ଆସୁଥିଲା । ଟଙ୍କା ନିର୍ଧାରିତ ସମୟରେ ଫେରସ୍ତ କରା ନଗଲେ ହାଟ୍ସଆପ୍ ଜରିଆରେ ଭିଡିଓ କଲ୍ କରାଯାଇ ଲୋକଙ୍କୁ ଧମକ ଦିଆଯାଉଥିଲା। ଏ ସଂପର୍କରେ ଠକେଇର ଶିକାର ହୋଇଥିବା ସସ୍ମିତା ସାହୁ ନାମକ ଜଣେ ଅଭିଯୋଗକାରିଣୀ ଇଓଡବ୍ଲ୍ୟ ପାଖରେ ଅଭିଯୋଗ କରିଥିଲେ ।

ମହାଗ୍ରାମ୍ ଲୋନ୍‌ ଆପ୍ ଓ ଏହାର କଷ୍ଟମର୍ କେୟାର୍ କାର୍ଯ୍ୟାଳୟ ଆଇଟିଡ଼ବ୍ଲ୍ୟୁ ଇଣ୍ଡିଆରେ ଚଢ଼ଉ କରାଯାଇ ୬କୋଟି ୫୭ଲକ୍ଷ ଅଚଳ କରାଯାଇଛି। ଏହା ସହିତ ଇଓଡ଼ବ୍ଲ୍ୟ ୩ଟି ସ୍ବତନ୍ତ୍ର ଟିମ୍ କରି ଉତ୍ତରପ୍ରଦେଶ ସମେତ ମହାରାଷ୍ଟ୍ର, ବିହାର ଓ ନୂଆଦିଲ୍ଲୀରେ ଚଢ଼ଉ କରିଛି।

ଏହି ପ୍ରରିପେକ୍ଷିରେ ଇଓଡବ୍ଲ୍ୟୁ ମାର୍ଗଦର୍ଶିକା ଜାରି କରିବା ସହ ଏସ.ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି, "ମୋବାଇଲ ପ୍ଲେ ଷ୍ଟୋର୍‌ରୁ ଋଣପ୍ରଦାନକାରୀ ଅଣପଂଜୀକୃତ ଆପ୍ ବ୍ୟବହାର କରନ୍ତୁ ନାହିଁ। ଆପ୍‌ ଗୁଡ଼ିକ ହେଲା ଆଇ.ଏନ.ଏସ୍ ଲୋନ, ବିଲୋନ୍ ଆପ୍, ଫ୍ଲିପକ୍ୟାସ୍‌, ଗୋ କ୍ୟାସ୍‌, ଲୋନ୍ ଇଣ୍ଡିଆ, ଲୋନ୍ ଲୋନ୍, ପାମ୍ ଟ୍ରି, କ୍ୟାସ୍ କୋଲା, କ୍ରେଡିଟବି, ଆସାନ୍ ଲୋନ୍, ରୁପି ୱାଲେଟ୍, ଫାଷ୍ଟ୍ ରୁପି, ଇଜି କ୍ରେଡିଟ୍ ଲୋନ୍‌ ଆପ୍ ସନସାଇନ୍ ଲୋନ୍, ରୁପିକିଙ୍ଗ୍ ଲୋନ୍ ଭଳି ମୋଟ ୧୩୭ଟି ଆପ୍ ରହିଛି"।

ସୂଚନାଯୋଗ୍ୟ, ଏହି ଅଣପଂଜୀକୃତ ଆପ୍ ମୋବାଇଲରେ ଡାଉନଲୋଡ୍ କରିବା ମାତ୍ରେ ମୋବାଇଲ୍‌ରେ ଥିବା ବ୍ୟକ୍ତିଗତ ତଥ୍ୟ, ଫଟୋ ସମେତ ସମସ୍ତ କଣ୍ଟାକ୍ଟ ନମ୍ବର ଆଦି ହ୍ୟାକ୍ ହେବାର ଆଶଙ୍କା ରହିଥାଏ। ଅପରପକ୍ଷେ ସପ୍ତାହେ ମଧ୍ୟରେ ମୂଳ ଟଙ୍କା ଫେରସ୍ତ କରିବା ସହିତ ୫ଗୁଣା ଅଧିକ ସୁଧ ନ ଦେଲେ ନାନା ଉପାୟରେ ହଇରାଣ କରାଯାଉଛି।
Published by:Soumya Das
First published: