କଟକ: ଏସସିବି ପାଇଁ ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ; ଲୋକେ ଆଗ ଥଇଥାନ ବ୍ୟବସ୍ଥା ଦାବି କରୁଛନ୍ତି

ଏହି ସପ୍ତାହ ଶେଷ ସୁଦ୍ଧା କଟକରେ ଅବ୍ୟବହୃତ ସରକାରୀ ଜମିଗୁଡିକୁ ନିଜ ଅକ୍ତିଆରକୁ ନେବା ପାଇଁ ଲକ୍ଷ ରଖିଛି ଜିଲ୍ଲା ପ୍ରଶାସନ । ଥଇଥାନ ପାଇଁ ଏପର୍ଯ୍ୟନ୍ତ କେବଳ ଜଗତପୁରରେ ୧୦ ଏକର ଜାଗା ଚିହ୍ନଟ ହୋଇଥିବା ବେଳେ ଯୋବ୍ରା ଓ ରାଣୀହାଟ ଅଞ୍ଚଳରେ ଜାଗା ଖୋଜା ଜାରି ରହିଛି ।

କଟକ: ଏସସିବି ପାଇଁ ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ; ଲୋକେ ଆଗ ଥଇଥାନ ବ୍ୟବସ୍ଥା ଦାବି କରୁଛନ୍ତି
ବୁଲଡୋଜର ସାହାଯ୍ୟରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି ।
  • News18 Odia
  • Last Updated: January 29, 2020, 10:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News 18 Odia Digital

କଟକ: ଶେଷରେ ଏସସିବି ମେଡିକାଲର ନବନିର୍ମାଣ ପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ କାର୍ଯ୍ୟ । ଯୋବ୍ରା ଖଲାସି ଲେନରେ ଥିବା ସରକାରୀ କ୍ବାଟର ପରସରରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଯୋବ୍ରା ସହ ରାଣୀହାଟ ଓ ମଙ୍ଗଳାବାଗର ବ୍ୟାପକ ଅଞ୍ଚଳରେ ଜମି ଅଧିଗ୍ରହଣ କାର୍ଯ୍ୟ କରାଯିବ ବୋଲି ଜଣା ପଡିଛି ।

ଏସସବିର ସମ୍ପ୍ରସାରଣ ପାଇଁ ଯୋବ୍ରା ଖଲାସି ଲେନରେ ବୁଲଡୋଜର ବୁଲିବା ପରେ ଏହି ଦୃଶ୍ୟ ଦେଖି ଚିନ୍ତାରେ ପଡ଼ିଛନ୍ତି ସେଠାକାର ସରକାରୀ କ୍ବାଟରରେ ରହୁଥିବା ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକେ । ବୁଲଡୋଜରର ବିକଟାଳ ଶବ୍ଦ ଖଲାସି ଲେନରେ ରହୁଥିବା ୧୯ଟି ପରିବାରର ହୃଦ୍‌ସ୍ପନ୍ଦନକୁ ବଢାଇ ଦେଇଛି ।

‘‘ଆମେ ଏହି କ୍ବାଟରରେ ୩୫ ବର୍ଷ ହେଲା ରହି ଆସୁଛୁ । ଆଜି ଘର ପାଖରେ ବୁଲଡୋଜର ବୁଲିବା ଓ ଭଙ୍ଗାଭଙ୍ଗି ଦେଖି ଭୟ ଲାଗୁଛି । କେଉଁଠି ବି ଘର ଭଡ଼ା ମିଳୁ ନାହିଁ । ଶେଷରେ କିଛି ନ ହେଲେ ଗାଁକୁ ଫେରିଯିବୁ,’’ କହିଛନ୍ତି ସରକାରୀ କ୍ବାଟରରେ ରହୁଥିବା ଶୈଳବାଳା ଜେନା ।

ଏସସିବି ମେଡିକାଲର ସମ୍ପ୍ରସାରଣ ପାଇଁ ଏହାର ଆଖପାଖର ବ୍ୟାପକ ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟ କରାଯିବ । ଏହି ଉଚ୍ଛେଦ କାର୍ଯ୍ୟ ଯୋବ୍ରା, ରାଣୀହାଟ ଓ ମଙ୍ଗଳାବାଗର ଏକ ବଡ ଭାଗକୁ ଗ୍ରାସ କରିବ । ବିଶେଷ କରି ଏସସିବି ମେଡିକାଲ ଠାରୁ ଶହେରୁ ୩୦୦ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ କରାଯିବ ।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ବୁଧବାର ଦିନ ରାଣୀହାଟ ଅଞ୍ଚଳ ପରିଦର୍ଶନ କରିବା ସହ ବାସିନ୍ଦା ଓ ବ୍ୟବସାୟୀମାନଙ୍କ ସହ ଏ ନେଇ ଆଲୋଚନା ମଧ୍ୟ କରିଛନ୍ତି । ତେବେ ଜିଲ୍ଳାପାଳଙ୍କ ରାଣୀହାଟ ଅଞ୍ଚଳ ପରିଦର୍ଶନ ପରେ ଏହି ଅଞ୍ଚଳରେ ମଧ୍ୟ ଜମି ଅଧିଗ୍ରହଣ କରାଯିବ ବୋଲି ସ୍ପଷ୍ଟ ହୋଇଛି । କେବଳ ରାଣୀହାଟ ନୁହେଁ, ମଙ୍ଗଳାବାଗ ଅଞ୍ଚଳର ଭୁଗୋଳ ମଧ୍ୟ ବଦଳିବ ବୋଲି ଜଣା ପଡିଛି ।

‘‘ଯଦି ଭଲ କାମ ହେଉଛି ଆମେ ମଧ୍ୟ ତାକୁ ସ୍ବାଗତ କରୁଛୁ । କିନ୍ତୁ ଦୋକାନ ଘର ଗୁଡିକ ଭାଙ୍ଗିବା ପୂର୍ବରୁ ବ୍ୟବସାୟୀମାନଙ୍କୁ ଥଇଥାନ କରାଯାଉ ବୋଲି ଆମେ ଜିଲ୍ଲାପାଳଙ୍କ ନିକଟରେ ଦାବୀ ରଖିଛୁ । ଜିଲ୍ଳାପାଳ ମଧ୍ୟ ଆମ ଦାବୀ ପୁରଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି,’’ କହିଛନ୍ତି ରାଣୀହାଟ ପୂଜା କିମିଟି ସଭାପତି ବିଜୟ ସାହୁ।

ଏସସିବି ମେଡିକାଲର ସମ୍ପ୍ରସାରଣର ଅଗ୍ରଗତି ନେଇ ବୁଧବାର ଦିନ କେନ୍ଦ୍ରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ଏକ ରୁଦ୍ଧଦ୍ବାର ବୈଠକ କରାଯାଇଥିଲା । ଆରଡିସିଙ୍କ ଅଦ୍ଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଟକ ଜିଲ୍ଲାପାଳଙ୍କ ସହ ସିଏମସି ଓ ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

‘‘ଏସସିବି ମେଡିକାଲର ସମ୍ପ୍ରସାରଣ ନେଇ ଜମି ଅଧିଗ୍ରହଣ ବାବଦ ଅଗ୍ରଗତି ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଭିତ୍ତିଭୁମିର ବିକାଶ ପାଇଁ ସିଏମସିକୁ ନିର୍ଦ୍ଦେଶ ଦିଆଯିବା ସହ ନିକଟବର୍ତ୍ତୀ ଅଞ୍ଚଳରେ ଖାଲି ଥିବା ସରକାରୀ ଜାଗାଗୁଡିକରେ ଭେଣ୍ଡିଂ ଜୋନକୁ ସ୍ଥାନାନ୍ତରିତ କରାଯିବା ନେଇ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି,’’ କହିଛନ୍ତି କଟକ ଜିଲ୍ଲାପାଳ ।

ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ ଅଭିଯାନ କ୍ରମରେ ଏହି ସପ୍ତାହ ଶେଷ ସୁଦ୍ଧା ଅବ୍ୟବହୃତ ସରକାରୀ ଜମିଗୁଡିକୁ ନିଜ ଅକ୍ତିଆରକୁ ନେବା ପାଇଁ ଲକ୍ଷ ରଖିଛି ପ୍ରଶାସନ । ଥଇଥାନ ପାଇଁ ଏପର୍ଯ୍ୟନ୍ତ କେବଳ ଜଗତପୁରରେ ୧୦ ଏକର ଜାଗା ଚିହ୍ନଟ ହୋଇଥିବା ବେଳେ ଯୋବ୍ରା ଓ ରାଣୀହାଟ ଅଞ୍ଚଳରେ ଜାଗା ଖୋଜା ଜାରି ରହିଛି ।
First published: January 29, 2020, 10:16 PM IST