ବରମୁଣ୍ଡା ବସଷ୍ଟାଣ୍ଡରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା; ମାଟିରେ ମିଶିଲା ଅନେକ ଦୋକାନ

ରାଜଧାନୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ। ବରମୁଣ୍ଡ ବସଷ୍ଟାଣ୍ଡରେ ବୁଲୁଛି ବୁଲଡୋଜର। ହଟିଲା ଅନେକ ଜବରଦଖଲରେ ଥିବା ଦୋକାନ ବଜାର।

ପୁଣି ବରମୁଣ୍ଡା ବସଷ୍ଟାଣ୍ଡରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

ପୁଣି ବରମୁଣ୍ଡା ବସଷ୍ଟାଣ୍ଡରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

  • Share this:
News18 Odia Digital

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ଭୁବନେଶ୍ବରରେ ପୁଣି ବୁଲିଲା ବୁଲଡୋଜର। ବୁଧବାର ଦିନ ଶକ୍ତି ଗେଷ୍ଟ ହାଉସ ଉପରେ ଚଢ଼ିଥିଲା ବୁଲଡୋଜର। ମାଟିରେ ମିଶିଯାଇଛି ସବୁଠୁ ପୁରୁଣା ବ୍ୟବସାୟିକ ପ୍ରତିଷ୍ଠାନ। ପାନ ଦୋକାନ ସହ ସେଲୁନ, ହୋଟେଲ ଉପରେ ମେସିନର ରହିଛି ନଜର। ସେତିକି ନୁହେଁ ପ୍ରବେଶ ଓ ପ୍ରସ୍ଥାନ ଦ୍ଵାର ଉପରୁ ହଟିଛି ଜବର୍ ଦଖଲ। ସେପଟେ କୋର୍ଟ ଅର୍ଡରର ଷ୍ଟେ ପେପର ଆଣି ବିଡ଼ିଏ ଅଧିକାରୀଙ୍କୁ ଦେଖାଇଥିଲେ କିଛି ବ୍ୟବସାୟୀ।

ଯାହାର ସତ୍ୟତା ଉପଲବ୍ଧ କରିନଥିଲେ ଉଚ୍ଛେଦକାରି ଟିମ୍। କିଛି ଆପତ୍ତି, ଅଭିଯୋଗ ଓ ପ୍ରତିବାଦ ଭିତରେ ଏହି ବୁଲଡୋଜର ବୁଲୁଛି। ହେଲେ ନିର୍ଦ୍ଧାରିତ ସମୟ ଭିତରେ ସରୁନି ବରମୁଣ୍ଡା ବସ ଷ୍ଟାଣ୍ଡରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା କି ଆଗେଇ ପାରୁନି ଆନ୍ତଃ ରାଜ୍ୟ ବସ ଟର୍ମିନାଲ କାମ।

ଗୋଟିଏ ପରେ ଗୋଟିଏ ଜବରଦଖଲକୁ ବି.ଡି.ଏ. ପକ୍ଷରୁ ଉଚ୍ଛେଦ କରାଯାଉଥିଲେ ବି ଅବରୋଧମୁକ୍ତ ହୋଇପାରୁନି ବସଷ୍ଟାଣ୍ଡ। ଯାହା ଦ୍ବାରା କେବଳ ପ୍ରକଳ୍ପ କାମ ଧିମେଇଯାଉଛି ତା ନୁହେଁ ବରଂ ରାଜ୍ୟର ସର୍ବାଧିକ ବ୍ୟସ୍ତବହୁଳ ଏହି ବସଷ୍ଟାଣ୍ଡରେ ସ୍ଥାୟୀ ସ୍ଥାନ ଅଭାବରୁ ଉଭୟ ବସ ଚଳାଚଳ ଓ ଯାତ୍ରୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି।

ଆଗାମୀ ୪ ଦିନ ଭିତରେ ସବୁ ଜବର ଦଖଲ ହଟିବ ବୋଲି କହିଛି ଏନଫୋର୍ଷମେଣ୍ଟ ଟିମ୍ ଅଧିକାରୀ ପ୍ରମୋଦ ପାତ୍ର।

ବୁଧବାର ବି.ଡି.ଏ., ବି.ଏମ.ସି. ଓ ପୋଲିସର ମିଳିତ ଏନଫୋର୍ସମେଣ୍ଟ ଟିମ୍ ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିବା ପରେ କିଛି ବ୍ୟବସାୟୀଙ୍କ ସହ ବି.ଡି.ଏ. ଅଧିକାରୀଙ୍କ ଯୁକ୍ତିତର୍କ ହୋଇଥିଲା। ଏହା ଭିତରେ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପକୁ ସମର୍ଥନ କରିଥିଲେ ସ୍ଥାନୀୟ ଲୋକଙ୍କ ସହ ଆଉ କିଛି ବ୍ୟବସାୟୀ। ପରେ ଉଚ୍ଛେଦ କାମ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଥିଲା। ଏହି ପ୍ରକଳ୍ପ କାର୍ଯ୍ୟକୁ କିଛି ବ୍ୟବସାୟୀ ସଙ୍ଘ ପକ୍ଷରୁ ସମର୍ଥନ ଦିଆଯାଇଥିବା ବେଳେ ଅସ୍ଥାୟୀ ବସଷ୍ଟାଣ୍ଡରେ ସେମାନଙ୍କୁ ବ୍ୟବସାୟ ଲାଗି ଅନୁମତି ଓ ଥଇଥାନର ଲିଖିତ ପ୍ରତିଶୃତି ଦେବାକୁ ଦାବି କରିଥିଲେ।

ପ୍ରକଳ୍ପ କାର୍ଯ୍ୟ ବି.ଡି.ଏ. ହାତକୁ ନେଇଥିବା ବେଳେ ରାଜ୍ୟ ସରକାରଙ୍କ ଏକ ଡ୍ରିମ୍ ପ୍ରୋଜେକ୍ଟ ଭାବେ ଏହାକୁ ବିଶ୍ବସ୍ତରୀୟ ରୂପ ଦିଆଯାଇ ପୂର୍ବ ଭାରତର ପ୍ରମୁଖ ବସ୍‌ ଟର୍ମିନାଲ ଭାବରେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରହିଛି ।

୧୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୨ ଜୁନ ମଧ୍ୟରେ ସାରିବାକୁ ଟାର୍ଗେଟ ରହିଥିବା ବେଳେ ଏପରି ଅଗ୍ରଗତି ଦ୍ବାରା ନିର୍ଦ୍ଧାରିତ ସମୟରେ ସାରିବା କି ନାହିଁ ତାହା ନେଇ ବର୍ତ୍ତମାନ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କିମାରୁଛି ।

୧୫ ଏକର ଜମିରେ ପରିବ୍ୟାପ୍ତ ଅତ୍ୟାଧୁନିକ ଟର୍ମିନାଲ ସୌରଶକ୍ତିରେ ପରିଚାଳିତ ହେବ। ଫୁଡ୍ କୋର୍ଟ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା। ଅତ୍ୟାଧୁନିକ ଡିଜାଇନ ସହିତ ଯାତ୍ରୀମାନଙ୍କର ସୁବିଧା ସୁଯୋଗ, ବସ୍‌ ମାନଙ୍କର ପ୍ରବେଶ ଓ ପ୍ରସ୍ଥାନ ତଥା ବାଣିଜ୍ୟିକ ସ୍ଥାନ ଆଦି ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଉଛି। ଟର୍ମିନାଲରେ ୨୦୦ ବସ୍ ଓ ୯ ଏକର ବିଶିଷ୍ଟ ସ୍ବତନ୍ତ୍ର ପାର୍କିଂ ସ୍ଥଳରେ ୫୦୦ରୁ ଅଧିକ ବସ୍ ରହିବାର ବ୍ୟବସ୍ଥା କରାଯିବ ।
Published by:Lipina Das
First published: