News 18 Odia Digital
ଭୁବନେଶ୍ୱର; ଓଡ଼ିଶାର ପ୍ରତିଷ୍ଠିତ ରୋଟାରୀ କ୍ଲବ ଏଲିଟର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ରୋଟାରିନ ଚିତ୍ତରଞ୍ଜନ ମିଶ୍ର ସଭାପତି ଓ ରୋଟାରୀଆନ ସସ୍ମିତା ଦାଶ ସମ୍ପାଦିକା ଭାବେ ଦାୟିତ୍ୱ ଗ୍ରହଣ କରିବା ସଂଗେ ସଂଗେ ବିଭିନ୍ନ ବିଭାଗ ପାଇଁ କମିଟି ମଧ୍ୟ ଗଠନ କରାଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ News 18 ର ଏଡିଟର ଶ୍ରୀ ନରେନ୍ଦ୍ର ନାଥ ଜେନା ଯୋଗ ଦେଇ ରୋଟାରୀ କ୍ଲବ ପକ୍ଷରୁ ସମାଜରେ ନିଆଯାଉଥିବା ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ତଥା ସମାଜ ଗଠନ ଦିଗରେ ବିଭିନ୍ନ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ସମ୍ମାନିତ ଅତିଥି ଭାବେ 2024-25 ପାଇଁ ରୋଟାରୀ ପ୍ରାନ୍ତପାଳ ଭାବେ ନିର୍ବାଚିତ ହୋଇ ଥିବା ଯଜ୍ଞାଶିଷ ମହାପାତ୍ର ଦୃଢ ଇଚ୍ଛା ଶକ୍ତି ହିଁ ମଣିଷକୁ ସଫଳତା ଆଡକୁ ନେଇ ଯାଇ ଥାଏ ବୋଲି କହିବା ସହ ବିଗତ କିଛି ବର୍ଷ ମଧ୍ୟରେ କ୍ଲବ ତରଫରୁ ବିଭିନ୍ନ ଜଣକଲ୍ୟାଣ ମୂଳକ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରି ଥିଲେ ।
ସମାଜର ନାରୀ ନିର୍ଯାତନା ବଢ଼ି ଚାଲି ଥୁବା ବେଳେ ଏହି କ୍ଲବ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ସମାଜକୁ ଏକ ଉତ୍ତମ ବାର୍ତା ପ୍ରଦାନ କରୁଅଛି ବୋଲି ଜୋନାଲ ଚେୟାର ରମେଶ ସାହୁ ଓ ଅତିରିକ୍ତ ପ୍ରାନ୍ତପାଳ ଶୁଭେନ୍ଦୁ ମହାନ୍ତି ମତବ୍ୟକ୍ତ କରିଥିଲେ ।
ବରିଷ୍ଠ ସଦସ୍ୟ ବରଦା ଆଚାର୍ଯ୍ୟ କାର୍ଯକ୍ରମ ପରିଚାଳନା କରିବା ସଂଗେ କ୍ଲବର ଆଦିତ୍ୟ ପ୍ରସାଦ ଦାଶ, କମଳାକାନ୍ତ ରଥ, ବେଲା ଜୟସୂୟାଲ , ସୁବ୍ରତ ଦାସ, ଗୋଲକ ମାଝୀ, ନିହାର ମହାପାତ୍ର, ସୌରେନ୍ଦ୍ର ଦାସ, ସଂଗୀତା ଚୌଧୁରୀ, ପୁଷ୍ପିତା ପଟନାୟକ ଯୋଗଦେଇଥିଲେ।
ନୂତନ ସଦସ୍ୟା ଭାବେ ସୁଷମା ସରଙ୍ଗୀ ଓ ଲଷ୍ମୀପ୍ରିୟା ବୋଷ ଦାୟିତ୍ୱ ନେଇଛନ୍ତି ବୋଲି କ୍ଲବର ପବ୍ଲିକ ଇମେଜ ଡିରେକ୍ଟର ରୋଟାରୀଆନ ସରୋଜ ଦାଶ ପ୍ରକାଶ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।