ଦୁଇଜଣଙ୍କୁ ପୁଣି ଗିରଫ କଲା EOW (ପ୍ରତୀକାତ୍ମକ ଛବି )
News18 Odia Digital
ଭୁବନେଶ୍ୱର: ଓଡ଼ିଶାର ୧୯ଟି ଜିଲ୍ଲାରେ କୃଷି ଯନ୍ତ୍ରପାତି ତିଆରି ଓ ଯୋଗାଣ ନାଁରେ ୬ କୋଟି ୮୧ ଲକ୍ଷ ଚଳୁ କରିବା ଅଭିଯୋଗରେ ଆଉ ଜଣେ ଡିଲରଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟ । ତାଙ୍କୁ ଗିରଫ କରାଯିବା ପରେ ଜଗତସିଂହପୁର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଛି।
ଗିରଫ ଅଭିଯୁକ୍ତ ହେଲେ ଶୀତଲ ଆଗ୍ରୋ ଇନ୍ପୁଟ୍ ପ୍ରାଇଭେଟ୍ ଲିମିଟେଡ୍ର ଡିଲର ବିଜୟ କୁମାର ନାୟକ। ସେ ବାଲେଶ୍ବରରେ ଥିବା ମର୍ଡନ ଆଗ୍ରୋ ଟେକ୍ର ମାଲିକ। ବୁଧବାର ଏହି ଠକେଇ ମାମଲାରେ ସିଏସ୍ ଟେକ୍ନୋଲୋଜିସ୍ ମାଲିକ ଚନ୍ଦନ ସାହୁଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟ । ଶୀତଲ ଆଗ୍ରୋ ଇନ୍ପୁଟୁ ପ୍ରାଇଭେଟ୍ ଲିମିଟେଡ୍ର ଦୁଇ ଭାଇ ମାନସ ରଞ୍ଜନ ଦାଶ ଓ ତାପସ କୁମାର ଦାଶକଙ୍କୁ ଇଓଡବ୍ଲ୍ୟୁ ପୂର୍ବରୁ ଗିରଫ କରାଯାଇଥିଲା। ଏହି କୃଷି ଯନ୍ତ୍ରପାତି ସବ୍ସିଡି ଠକେଇରେ ଏପର୍ଯ୍ୟନ୍ତ ୪ଜଣ ଗିରଫ ହେଲେଣି। ଅଭିଯୁକ୍ତ ବିଜୟ କୁମାର ଜଗତସିଂହପୁର ତରଡ଼ପଡ଼ାରେ ଥିବା ଶୀତଲ ଆଗ୍ରୋ ଇନ୍ପୁଟୁ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାରେ ମଧ୍ୟ କାମ କରୁଥିଲେ ବୋଲି ଇଓଡବ୍ଲ୍ୟ ପକ୍ଷରୁ କୁହାଯାଇଛି ।
ତଦନ୍ତ ବେଳେ ଜଣା ପଡ଼ିଛି, ଦୁଇ ଭାଇ ମାନସ ରଞ୍ଜନ ଦାଶ ଓ ତାପସ କୁମାର ଦାଶ କରିଥିବା କମ୍ପାନୀରେ ନା ପ୍ରସ୍ତୁତ ହେଉଥିଲା କୃଷି ଉପକରଣ ମେସିନ, ନା ବିକ୍ରି ହେଉଥିଲା । ସରକାରୀ ଅର୍ଥକୁ ଆତ୍ମସାତ କରିବା ପାଇଁ ଦୁଇ ଭାଇ ଏହି ସଂସ୍ଥା ଖୋଲିଥିଲେ । ଶେଷରେ ଅଭିଯୋଗ ପାଇବା ପରେ ଦୁଇ ଭାଇକୁ ବାନ୍ଧିଛି ଇଓଡବ୍ଲ୍ୟ । ଦୁଇଭାଇ ସରକାରୀ ଅର୍ଥକୁ କରୁଥିଲେ ଆତ୍ମସାତ । ଜଣେ ଠକୁଥିଲା, ଆଉ ଜଣେ ସାଥ ଦେଉଥିଲା । ସରକାରୀ ଅର୍ଥକୁ ଠକିବା ପାଇଁ ଠକ କରିଥିଲେ ଅଫିସ । ଆଉ ଏହି ଦୁଇ ଭାଇଙ୍କୁ ଚନ୍ଦନ ଓ ବିଜୟ ମଧ୍ୟ ସହଯୋଗ କରୁଥିଲେ। ଉଭୟଙ୍କ ନାମରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଇଓଡବ୍ଲ୍ୟ ।
କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟ ଏସପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି,"ଶୀତଳ ଆଗ୍ରୋ ଇନପୁଟସ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀ ଖୋଲି ଅଭିଯୁକ୍ତ ମାନେ ଟଙ୍କା ଠକେଇ କରିଥିଲ। ତଦନ୍ତ ବେଳେ ଜଣା ପଡ଼ିଛି, ରାଜ୍ୟର ୧୯ ଟି ଜିଲ୍ଲାରେ ଚାଷୀଙ୍କୁ ୫୦୪ଟି ଟ୍ରାନ୍ସପ୍ଲାଣ୍ଟର ଯୋଗାଇଥିବା କହି କୃଷି ଉପକରଣର ସବସିଡି ଟଙ୍କା ଏମାନେ ଠକିଥିବା ଅଭିଯୋଗ ରହିଛି । ମିଛ ବିଲ୍ ଓ ଦସ୍ତାବିଜରେ କୃଷି ଉପକରଣ ବିକ୍ରି କରାଯାଇଥିବା ଦର୍ଶାଇ ସରକାରୀ ସବସିଡି ଟଙ୍କା ହଡ଼ପ କରୁଥିଲେ ଦୁଇଭାଇ" ।
ସୂଚନାଯୋଗ୍ୟ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, କଳାହାଣ୍ଡି, ସମ୍ବଲପୁର ଆଦି ଜିଲ୍ଲାରେ ଜାଲ କାଗଜପତ୍ର ଓ ରସିଦ ଦେଇ ଏମାନେ ଠକେଇ କରୁଥିଲେ । ଏବେ ସୁଦ୍ଧା ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତଦନ୍ତକାରୀ ସଂସ୍ଥା। ଏହି ଠକେଇ ଘଟଣାରେ ଆହୁରି କିଛି ଲୋକଙ୍କ ସମ୍ପୃକ୍ତି ଥିବନେଇ ତଦନ୍ତ ଚାଲିଥିବା ଇଓଡବ୍ଲ୍ୟ ପକ୍ଷରୁ କୁହାଯାଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।