ପୋତି ହେଉଛି ସାତକୋଶିଆ ଗଣ୍ଡ; ଚିନ୍ତା ପ୍ରକଟ କଲେ ପରିବେଶବିତ୍

ମହାନଦୀର ସାତକୋଶିଆ ଗଣ୍ଡ ପରି ଏକ ପ୍ରାକୃତିକ ଜଳାଶୟ ଖୁବ ବିରଳ। ଏହି ଗଣ୍ଡ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିନିକେଇ ଠାରୁ ଆରମ୍ଭ ହୋଇ ନୟାଗଡ଼ ଜିଲାର ବଡ଼ମୂଳ ପର୍ଯ୍ୟନ୍ତ ବ୍ୟାପିଛି। ଏହାର ଦୈଘ୍ୟ ୭ କୋଷ ଅର୍ଥାତ ୧୪ ମାଇଲ ପର୍ଯ୍ୟନ୍ତ ବିସ୍ତାର କରିଛି। ହେଲେ ଏବେ ଏହା ପୋତି ହେବାରେ ଲାଗିଛି।

ପୋତି ହେଉଛି ସାତକୋଶିଆ ଗଣ୍ଡ

ପୋତି ହେଉଛି ସାତକୋଶିଆ ଗଣ୍ଡ

  • Share this:
News18 Odia Digital

ଅନୁଗୁଳ: ପୋତି ହେଉଛି ସାତକୋଶିଆ ଗଣ୍ଡ। ଦିନ ଥିଲା ଜଳ ସ୍ତରରୁ ଗଣ୍ଡର ଗଭୀରତା ପ୍ରାୟ ୧୫୦ ଫୁଟ ଥିଲା। ହେଲେ ଏବେ ୧୦୦ ଫୁଟ ତଳକୁ ରହୁଛି। ପ୍ରତିବର୍ଷ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ପ୍ରବାହିତ ହେବା ଓ ଗଣ୍ଡରେ ମିଶିଥିବା ପ୍ରାକୃତିକ ନାଳ ଗୁଡ଼ିକ ବ୍ୟାପକ ପଟୁମାଟି ଆଣି ଗଣ୍ଡରେ ଛାଡ଼ିବା ଯୋଗୁ ଧୀରେ ଧୀରେ ଗଣ୍ଡ ପୋତି ହେଉଛି। ଏହାଦ୍ୱାରା ସାତକୋଶିଆ ଗଣ୍ଡ ତାର ସତ୍ତା ହରାଉଛି। ବହୁ ସଂଖ୍ୟାରେ ବୃକ୍ଷଲତା ମଧ୍ୟ ଗଣ୍ଡରେ ଲୀନ ହେଉଛନ୍ତି। ଏଭଳି ହେଲେ ସାତକୋଶିଆ ଜୈବ ବିବିଧତା ହରାଇବାର ସମ୍ଭାବନା ରହିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍।

ମହାନଦୀର ସାତକୋଶିଆ ଗଣ୍ଡ ପରି ଏକ ପ୍ରାକୃତିକ ଜଳାଶୟ ଖୁବ ବିରଳ। ଏହି ଗଣ୍ଡ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିନିକେଇ ଠାରୁ ଆରମ୍ଭ ହୋଇ ନୟାଗଡ଼ ଜିଲାର ବଡ଼ମୂଳ ପର୍ଯ୍ୟନ୍ତ ବ୍ୟାପିଛି। ଏହାର ଦୈଘ୍ୟ ୭ କୋଷ ଅର୍ଥାତ ୧୪ ମାଇଲ ପର୍ଯ୍ୟନ୍ତ ବିସ୍ତାର କରିଛି। ଗଣ୍ଡର ନାମ ଅନୁସାରେ ଅବବାହିକାରେ ଥିବା ଅଭୟରଣ୍ୟକୁ ସାତକୋଶିଆ ଅଭୟାରଣ୍ୟ କୁହାଯାଉଛି। ଏହି ଗଣ୍ଡର ବିସ୍ତୃତ ନୀଳ ଜଳ ରାଶି ଓ ଅବବହିକାରେ ଥିବା ବ୍ୟାପକ ଘଞ୍ଚ ଜଙ୍ଗଲ ଏକ ବିରଳ ଜୈବ ବିବିଧାତାର ଉଦାହରଣ।

ଏଥିରେ ଆକୃଷ୍ଟ ହୋଇ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସନ୍ତି। ଶହ ଶହ ବିରଳ ଘଡ଼ିଆଳ ଓ ମଗର କୁମ୍ଭୀରମାନଙ୍କ ଆବାସସ୍ଥଳୀ ହେଉଛି ଏହି ସାତକୋଶିଆ ଗଣ୍ଡ। କିନ୍ତୁ ଦୁଃଖର କଥା ଏହି ଗଣ୍ଡ ଏବେ ତାର ସତ୍ତା ହରାଇବାକୁ ଯାଉଛି। ପ୍ରତିବର୍ଷ ଗଣ୍ଡଟି ପୋତି ହୋଇ ଯାଉଛି। ଏହାଛଡ଼ା ଛତିଶଗଡ଼ରେ ବହୁତ ଗୁଡିଏ ବନ୍ଧ ବନ୍ଧା ଯାଇଥିବାରୁ ଜଳ ସ୍ରୋତ ପୂର୍ବାପେକ୍ଷା କମି ଯାଇଛି। ପୂର୍ବରୁ ଯେଉଁଠି ଅକାତକାତ ପାଣି ଥିଲା ଏବେ ସେଠାରେ ବାଲି ଚରି ଗଲାଣି। ଗଣ୍ଡର ଉଭୟ ପାର୍ଶ୍ୱରେ କୁଲ ଖାଇ ମାଟି ଅତଡା ଖସୁଛି। ଧୀରେ ଧୀରେ ପୋତି ହେବାରେ ଲାଗିଛି।

ଏଭଳି ହେଲେ ଆଉ କିଛି ବର୍ଷ ପରେ ଗଣ୍ଡ ଆଉ ଗଣ୍ଡ ହୋଇ ରହିବ ନାହିଁ। ଏହାଦ୍ୱାରା ବ୍ୟାପକ ବୃକ୍ଷଲତା ଓ ବନ୍ୟଜନ୍ତୁ ପ୍ରଭାବିତ ହେବେ। ସ୍ଥାନୀୟ ଅଧିବାସୀମାନଙ୍କ ଜୀବନ ଜୀବିକା ଉପରେ ମଧ୍ୟ ଏହାର ଘୋର ପ୍ରଭାବ ପଡ଼ିବ। ତେଣୁ ଗଣ୍ଡର ସୁରକ୍ଷା କରାଯିବା ନିହାତି ଆବଶ୍ୟକ ରହିଛି। ହେଲେ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରା ଯାଉ ନାହିଁ। ସାତକୋଶିଆ ଗଣ୍ଡର ଗୋଟିଏ ପର୍ଶ୍ୱରୁ ଅନ୍ୟ ପର୍ଶ୍ୱକୁ ଗଲେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ ମାଟି ଅତଡା ଖସି ଯାଇଥିବାର ଦୃଶ୍ୟ। ଅନେକ ଅଞ୍ଚଳ ଅଭୟାରଣ୍ୟର କୋର ଏରିଆ ଭିତରେ ରହିଛି। ସେଠାରେ ବହୁ ପ୍ରଜାତିର ବନ୍ୟ ଜନ୍ତୁ ବିଚରଣ କରନ୍ତି। କିନ୍ତୁ ଏବେ ଅନେକ ସ୍ଥାନରେ ବୃକ୍ଷ ଶୂନ୍ୟ ଦେଖା ଯାଉଛି। ଫଳରେ ବନ୍ୟଜନ୍ତୁ ଦେଖା ଯାଉନାହାଁନ୍ତି।

କୁମ୍ଭୀରମାନେ କୂଳରେ ଖରାରେ ଶୋଇ ରହିଥିବାର ଦୃଶ୍ୟ


କୁମ୍ଭୀରମାନେ କୂଳରେ ଖରାରେ ଶୋଇ ରହିଥିବାର ଦୃଶ୍ୟ ମଧ୍ୟ ଆଉ ସେତେଟା ଦେଖାଯାଉ ନାହିଁ। ତେଣୁ ଗଣ୍ଡର ସୁରକ୍ଷା ଏକାନ୍ତ ଆବଶ୍ୟକ ହୋଇ ପଡ଼ିଛି। ପ୍ରାୟ ଦୁଇ ବର୍ଷ ପୂର୍ବେ ସରକାର ସବୁଜ ମହାନଦୀ ଯୋଜନାରେ ନଦୀର ଉଭୟ ପାର୍ଶ୍ୱରେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଗଣ୍ଡଟି କୋର ଏରିଆ ଭିତରେ ଥିବାରୁ କଟକଣା ଯୋଗୁ ମୃତ୍ତିକା ସଂରକ୍ଷଣ ବିଭାଗ ହେଉ କିମ୍ବା ଅନ୍ୟ କୌଣସି ବିଭାଗ ତାହା କରି ପାରୁ ନାହିଁ। ବନ ବିଭାଗ ତରଫରୁ ନିଜସ୍ୱ ଉଦ୍ୟମରେ ମଧ୍ୟ ବୃକ୍ଷ ରୋପଣ ହେଉ ନାହିଁ। ବ୍ୟାପକ ବୃକ୍ଷରୋପଣ ହିଁ ମୃତ୍ତିକା ସଂରକ୍ଷଣ କରି ପାରିବ। ଗଣ୍ଡ ପୋତି ହେବାରୁ ରକ୍ଷା ପାଇ ପାରିବ। ତେବେ କୋର ଏରିଆ ବାହାରେ ଯେଉଁ ନାଳ ଗୁଡିକ ଗଣ୍ଡରେ ମିଶିଛି ସେହି ନାଳ ଉପରେ କେତେକ ସ୍ଥାନରେ ଆଡି ବନ୍ଧ କରା ଯାଇଛି। ବୃକ୍ଷ ରୋପଣ କରାଯାଇଛି। କିନ୍ତୁ ସାତକୋଶିଆ ଗଣ୍ଡ ଅବବହିକାରେ ସେଭଳି କୌଣସି ପଦକ୍ଷେପ ନିଆ ଯାଇନାହିଁ ବୋଲି ଜଣା ପଡ଼ିଛି।

ସାତକୋଶିଆ ଅଭୟାରଣ୍ୟର ପରିଚୟ ହେଉଛି ମହାନଦୀ ସାତକୋଶିଆ ଗଣ୍ଡ। ଏହି ଗଣ୍ଡ ତା ସତ୍ତା ହରାଇଲେ ଅଭୟାରଣ୍ୟ ନିଜ ପରିଚୟ ହରାଇବ। ଏଠାରେ ଥିବା ହଜାର ହଜାର ପ୍ରଜାତିର ବୃକ୍ଷଲତା ଓ ବନ୍ୟଜନ୍ତୁ ଲୋପ ପାଇଯିବେ। ତେଣୁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ବୈଜ୍ଞାନିକ ପଦ୍ଧତିରେ ଗଣ୍ଡର ସୁରକ୍ଷା କରିବା ଆବଶ୍ୟକ ବୋଲି ପରିବେଶବିତ୍ ମତ ଦେଇଛନ୍ତି।

“ମହାନଦୀ ହେଉଛି ଆମ ଜାତୀୟ ସମ୍ପତ୍ତି। ଏହା କୌଣସି ରାଜ୍ୟର ନିଜସ୍ୱ ସମ୍ପତ୍ତି ନୁହେଁ। ତେଣୁ ଉପର ମୁଣ୍ଡରେ ମନଇଚ୍ଛା ଅବଶ୍ୟକରୁ ଅଧିକ ବ୍ୟାରେଜ ନିର୍ମାଣ କରାଯିବା ଫଳରେ ସାତକୋଶିଆ ଭଳି ଏକ ପ୍ରାକୃତିକ ପରିବେଶ ପ୍ରଭାବିତ ହେଉଛି। ଧୀରେ ଧୀରେ ଏହା ଶୁଖି ଯାଉଛି। ଏଭଳି ହେଲେ ଜୈବ ବିବିଧତା ନଷ୍ଟ ହେବ। ଶତାଧିକ ମତ୍ସ୍ୟଜୀବୀ ସେମାନଙ୍କ ଜୀବିକା ହରାଇବେ,’’ କହିଛନ୍ତି ପରିବେଶବିତ୍ ସ୍ୱପ୍ନା ଷଡ଼ଙ୍ଗୀ।

“ଆମ ରାଜ୍ୟ ତଥା ଦେଶର ଗୌରବ ହେଉଛି ସାତକୋଶିଆ ଗଣ୍ଡ। ଜଳବାୟୁକୁ ନିୟନ୍ତ୍ରଣ କରିବାରେ ଏହା ବେସ ସହାୟକ ହୋଇଥାଏ। ଏଠାରେ ବିରଳ ଘଡ଼ିଆଳ, ମଗର, ବିଭିନ୍ନ ପ୍ରଜାତିର କଇଁଛ ଓ ଜଳଚର ପ୍ରାଣୀ ଅଛନ୍ତି। ଏଠାକୁ ଶୀତ ଋତୁରେ ବହୁ ସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସୁଛନ୍ତି। କିନ୍ତୁ ଏବେ ଏହି ଗଣ୍ଡ ଶୁଖିବାକୁ ଯାଉଛି। ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ ଯୋଗୁ ଜଳ ସ୍ତର କମି ଯାଉଛି। ଏଭକି ହେଲେ ଆଗକୁ ଜୈବ ବିବିଧାତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ,’’ କହିଛନ୍ତି ସାତକୋଶିଆ ସୁରକ୍ଷା ସମିତିର ସମ୍ପାଦକ ବିରାଜ ଜାନୀ।

ଆଗରୁ ଯେଉଁଠି ପ୍ରାୟ ୧୫୦ଫୁଟ ପାଣି ଥିଲା ଏବେ ସେଠାରେ ୧୦୦ ଫୁଟ ତଳକୁ ରହୁଛି। ଆମେ ନଦୀରୁ ମାଛ ଧରି ଜୀବିକା ନିର୍ବାହ କରୁ। କିନ୍ତୁ ଏବେ ଆଜି ଭଳି ମାଛ ମିଳୁ ନାହାଁନ୍ତି। ଆମେ ହାତବାନ୍ଧି ବସିଛୁ। ଆଗକୁ ଆମ ଜୀବିକା ଉଜୁଡି ଯିବ। ନଦୀର ଗଣ୍ଡରେ ପାଣି କମିବା ଯୋଗୁ ଏଭକି ଅବସ୍ଥା ସୃଷ୍ଟି ହୋଇଛି ବୋଲି କହିଛନ୍ତି ଜଣେ ମତ୍ସ୍ୟଜୀବୀ ଦଣ୍ଡଧର ପଲେଇ।
Published by:Lipina Das
First published: