ସମାଜସେବୀ ପଦ୍ମଶ୍ରୀ ରାଓଙ୍କୁ ଝୁରୁଛି କଟକ; ଅନ୍ତିମ ସଂସ୍କାରରେ ଏକାଠି ହେଲା ଗୋଟା ସହର
ଶ୍ମଶାନରେ ଡି. ପ୍ରକାଶ ରାଓଙ୍କ ଜୁଇ ଜଳୁଥିବା ବେଳେ ବକ୍ସିବଜାରରେ ଥିବା ତାଙ୍କର ସେହି ଚା’ ଦୋକାନର ଆଞ୍ଚ ଶୀତଳ ପଡ଼ିଥିଲା । କେହି ଜଣେ ସହୃଦୟ ବ୍ୟକ୍ତି ତାଙ୍କ ଦୋକାନରେ ଏକ ଗୋଲାପ ଫୁଲ ରଖି ଦେଇ ଯାଇଥିଲେ ।

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଚା’ ଦୋକାନରେ ଗୋଲାପ; (ଡାହାଣ) ସେହି ଚା’ ଦୋକାନରେ ରାଓ
- News18 Odia
- Last Updated: January 14, 2021, 11:20 PM IST
କଟକ: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କଟକର କାଳିଆବୋଦା ଶ୍ମଶାନରେ ଆୟୋଜିତ ହୋଇଥିବା ତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ପୂରା କଟକ ସହର ଏକାଠି ହୋଇଥିଲା ।
ଗୁରୁବାର ସକାଳ ୮ଟା ବେଳେ ବକ୍ସିବଜାରରେରେ ଥିବା ତାଙ୍କ ବାସଭବନରୁ ଏକ ବିରାଟ ଶୋଭାଯାତ୍ରାରେ ରାଓଙ୍କ ପାର୍ଥିବ ଶରୀରକୁ ଶ୍ମଶାନ ପର୍ଯ୍ୟନ୍ତ ଅଣାଯାଇଥିଲା । ପଦ୍ମଶ୍ରୀ ଭଳି ସମ୍ମାନଜନକ ଉପାଧିରେ ଭୂଷିତ ହୋଇଥିବାରୁ ତାଙ୍କୁ ଦିଆଯାଇଥିଲା ଗାର୍ଡ଼ ଅଫ୍ ଅନର୍ । ଏହା ପରେ ତାଙ୍କ ଝିଅ ତାଙ୍କୁ ମୁଖାଗ୍ନି ଦେବା ପରେ ପଞ୍ଚ ମହାଭୁତରେ ବିଲୀନ ହୋଇଯାଇଥିଲା ରାଓଙ୍କ ପାର୍ଥିବ ଶରୀର ।
ଏହା ବି ପଢ଼ନ୍ତୁ | ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ୱ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ

ପଦ୍ମଶ୍ରୀ ରାଓଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ପୂରା କଟକ ସହର ପହଞ୍ଚିଥିଲା ।
ପରୋପକାର ଓ ଦରିଦ୍ର କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିବା ଏହି ଦରଦୀ ମଣିଷଙ୍କର ଶେଷ ଦର୍ଶନ ପାଇଁ ଶ୍ମଶାନରେ ଜମିଥିଲା ଭିଡ଼ । ବିଭିନ୍ନ ବୟସର ଓ ସମାଜର ସବୁ ବର୍ଗର ଲୋକେ ସାମାଜସେବୀ ପଦ୍ମଶ୍ରୀ ରାଓଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କ ଅବର୍ତ୍ତମାନରେ ତାଙ୍କର ଅନୁଷ୍ଠାନକୁ ତାଙ୍କ ନାମରେ ନାମିତ କରିବା ସହିତ ତା’ର ସୁପରିଚାଳନା ପାଇଁ ବ୍ୟବସ୍ଥା କରାଯିବ ବୋଲି ବିଧାୟକ ମହମ୍ମଦ ମୋକିମ କହିଲେ । ରାଓଙ୍କ ଉଦ୍ୟମକୁ ଆଗକୁ ବଢ଼ାଯିବ ବୋଲି କହିଥିଲେ କଟକ ଜିଲ୍ଳାପାଳ ।
ଏହା ବି ପଢ଼ନ୍ତୁ | ବିବାହର ସପ୍ତମ ଦିନରେ ସ୍ୱାମୀର ଗଳା କାଟି ହତ୍ୟା କଲା ପତ୍ନୀ, ଶବ ସହ ରାତି ସାରା ଶୋଇରହିଲା
“ସାମାଜସେବା କ୍ଷେତ୍ରରେ ଯଦି କିଛି ଶିଖିବାର ଥାଏ ତା’ ହେଲେ ଡି. ପ୍ରକାଶ ରାଓଙ୍କ ଠାରୁ ଶିଖିବା ଉଚିତ । ସବୁ ବେଳେ ସେ ନିଜକୁ ଛୋଟ ଦେଖାଉଥିଲେ । ତାଙ୍କ ପାଖରେ କେବେ ବି ଆତ୍ମବଡ଼ିମା ନଥିଲା । ସଦାସର୍ବଦା ସେ ବସ୍ତି ପିଲାମାନେ କିଭଳି ପାଠ ପଢ଼ି ପାରିବେ ସେ ନେଇ ଚିନ୍ତିତ ଥିଲେ । ସେ ଚାଲିଯିବା ପରେ ତାଙ୍କର ସେହି ଅନୁଷ୍ଠାନ କିଭଳି ପୂର୍ବ ପରି ଚାଲିପାରିବ ସେ ନେଇ ଆମେ ପ୍ରୟାସ କରିବୁ,” କହିଛନ୍ତି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ।

ରାଓଙ୍କୁ ଗାର୍ଡ଼ ଅଫ୍ ଅନର୍ ଦିଆଯାଉଛି ।
ଶ୍ମଶାନରେ ପଦ୍ମଶ୍ରୀ ରାଓଙ୍କ ଜୁଇ ଜଳୁଥିବା ବେଳେ ବକ୍ସିବଜାରରେ ଥିବା ତାଙ୍କର ସେହି ଚା’ ଦୋକାନର ଆଞ୍ଚ ଶୀତଳ ପଡ଼ିଥିଲା । ସବୁ ଦିନ ଚଳଚଞ୍ଚଳ ରହୁଥିବା ଏହି ଦୋକାନ ସତେ ଯେମିତି ନିରବି ଯାଇଥିଲା । କେହି ଜଣେ ସହୃଦୟ ବ୍ୟକ୍ତି ତାଙ୍କ ଦୋକାନରେ ଏକ ଗୋଲାପ ଫୁଲ ରଖି ଦେଇ ଯାଇଥିଲେ । କେବଳ ସେହି ସତେଜ ଗୋଲାପ ଫୁଲ ଛଡ଼ା ବାକି ସବୁ କିଛି ନିସ୍ତେଜ ମନେ ହେଉଥିଲା ।
ଏହା ବି ପଢ଼ନ୍ତୁ | ‘‘ମା’ ଦେଖ୍, ମୁଁ ଶିକାର କରିଛି!’’ ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର ଗଭୀର ଶୋକରେ ଅଛନ୍ତି । ମର୍ମାହିତ ହୋଇଛନ୍ତି ସେ ତିଆରି କରିଥିବା ସ୍କୁଲର ଛାତ୍ରଛାତ୍ରୀ, ସ୍ଥାନୀୟ ବସ୍ତି ବାସିନ୍ଦା ଓ ଶିକ୍ଷକ ଶିକ୍ଷୟତ୍ରୀମାନେ । ବସ୍ତି ଅନ୍ଧାରି ମୁଲକରେ ଶିକ୍ଷାର ଆଲୋକ ଜଳାଇଥିବା ନିଜ ଗୁରୁଜୀଙ୍କୁ ଝୁରି ହେଉଛନ୍ତି ସମସ୍ତେ । ‘ଆଶା ଓ ଆଶ୍ୱାସନା’ ନାମରେ ସେ ଆରମ୍ଭ କରିଥିବା ସ୍କୁଲର ପରିବେଶ ଖାଁ ଖାଁ ଥିବା ବେଳେ ତାଙ୍କର ପୂର୍ବତନ ଛାତ୍ରଛାତ୍ରୀ ଓ ବସ୍ତିବାସିନ୍ଦାମାନେ ନିଜ ପ୍ରିୟ ଗୁରୁଜୀଙ୍କୁ ଝୁରି ହେଉଛନ୍ତି ।
‘‘ଗୁରୁଜୀ ଆମ ପାଇଁ ଈଶ୍ବର ଭଳି ଥିଲେ । ମୋ’ ଭଳି ଶହ ଶହ ଗରିବ ବସ୍ତି ପିଲାଙ୍କୁ ସେ ହାତ ଧରି ପାଠ ପଢ଼ାଇଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ଆମେ ଖାଲି ପାଠ ପଢ଼ି ପାରିଲୁ ତାହା ନୁହେଁ, ଏହି ସ୍କୁଲରୁ ପାସ୍ କରିବା ପରେ ମୋ’ ଭଳି ଭଲ ପଢୁଥିବା ପିଲାଙ୍କୁ ସେ ବଡ଼ ସ୍କୁଲରେ ମାଗଣାରେ ଆଡମିସନ୍ କରାଇଥିଲେ,’’ କହିଛନ୍ତି ତାଙ୍କ ସ୍କୁଲର ପୂର୍ବତନ ଛାତ୍ରୀ ଜି. ଦୁର୍ଗା ।
ଏହା ବି ପଢ଼ନ୍ତୁ | ମୁମ୍ବାଇର ମଡେଲ୍ କହିଲେ ଝାଡ଼ଖଣ୍ଡ CM ହେମନ୍ତ ସୋରେନ ତାଙ୍କୁ ବଳତ୍କାର କରିଥିଲେ
କଟକ ସହରର ବସ୍ତି ବାସିନ୍ଦାଙ୍କ ଶିକ୍ଷା ପାଇଁ ପ୍ରକାଶ ରାଓ ନିରନ୍ତର ପ୍ରୟାସ କରୁଥିଲେ । ତାଙ୍କର ସେହି ଚା’ ଦୋକାନରୁ ଯାହା ବି ରୋଜଗାର ହେଉଥିଲା ସେ ସବୁ କିଛି ବସ୍ତି ପିଲାଙ୍କ ପାଠ ପଢ଼ାରେ ବିନିଯୋଗ କରି ଦେଉଥିଲେ । ଅସହାୟ ଲୋକଙ୍କ ସେବା ଥିଲା ତାଙ୍କ ଜୀବନର ଆଉ ଏକ ମୂଳ ମନ୍ତ୍ର । ତାଙ୍କର ଏହି ନିଃସ୍ୱାର୍ଥ କାର୍ଯ୍ୟ ପାଇଁ ସେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ ।
ଗୁରୁତର ଭାବେ ଅସୁସ୍ଥ ହେବା ପରେ ଗତ କିଛି ଦିନ ହେଲା ରାଓଙ୍କୁ ଏସ୍.ସି.ବି. ହସପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ବାସ୍ଥ୍ୟାବସ୍ଥା ଲଗାତାର ଭାବେ ଖରାପ ହୋଇଚାଲିବାରୁ ତାଙ୍କୁ ଆଇ.ସି.ୟୁ.ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶରୀରର ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିଦେବାରୁ ବୁଧବାର ଅପରାହ୍ଣ ୪ଟା ୧୫ ମିନିଟରେ ୬୧ ବର୍ଷ ବୟସରେ ସେ ସବୁ ଦିନ ଲାଗି ଆଖି ବୁଜି ଦେଇଥିଲେ ।