ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଏଣ୍ଟରପ୍ରାଇଜ ଓଡିଶା ୨୦୨୧; ଯୋଗ ଦେବେ ଛୋଟ ବଡ଼ ଶିଳ୍ପୋଦ୍ୟୋଗୀ

ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଏଣ୍ଟରପ୍ରାଇଜ ଓଡିଶା ୨୦୨୧; ଯୋଗ ଦେବେ ଛୋଟ ବଡ଼ ଶିଳ୍ପୋଦ୍ୟୋଗୀ

ରାଜ୍ୟରେ ଉଭୟ ଛୋଟ ଓ ବଡ଼ ଶିଳ୍ପାନୁଷ୍ଠାନକୁ ପ୍ରୋତ୍ସାହିତ କରିବା ତଥା ଶିଳ୍ପାୟନ ପରିବେଶକୁ ବ୍ୟାପକ କରିବା ଲକ୍ଷ୍ୟରେ ଗୁରୁବାର ଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୧।

ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଏଣ୍ଟରପ୍ରାଇଜ ଓଡିଶା ୨୦୨୧; ଯୋଗ ଦେବେ ଛୋଟ ବଡ଼ ଶିଳ୍ପୋଦ୍ୟୋଗୀ
ଗୁରୁବାରରୁ ରାଜଧାନୀରେ ଆରମ୍ଭ ହେବ ଏଣ୍ଟରପ୍ରାଇଜ ଓଡିଶା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 17, 2021, 6:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଉଭୟ ଛୋଟ ଓ ବଡ଼ ଶିଳ୍ପାନୁଷ୍ଠାନକୁ ପ୍ରୋତ୍ସାହିତ କରିବା ତଥା ଶିଳ୍ପାୟନ ପରିବେଶକୁ ବ୍ୟାପକ କରିବା ଲକ୍ଷ୍ୟରେ ଗୁରୁବାର ଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୧। ରାଜ୍ୟ ସରକାର ତଥା କନଫେଡ଼ରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ବା ସିଆଇଆଇର ମିଳିତ ଉଦ୍ୟମରେ ଆରମ୍ଭ ହେଉଥିବା ଏଣ୍ଟରପ୍ରାଇଜ୍ ଓଡ଼ିଶାର ହେଉଛି ୨୩ତମ ସଂସ୍କରଣ ।

ମୁଖ୍ୟତଃ ଷ୍ଟାର୍ଟଅପ୍ ଓ ଯୁବ ଶିଳ୍ପୋଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହିତ ଗୋଟିଏ ଫୋରମରେ ପରସ୍ପର ଭିତରେ ଭାବର ଆଦାନପ୍ରଦାନ ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଉଭୟ ଫିଜିକାଲ ଓ ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ମାସାଧିକ କାଳ ଡ଼ିସେମ୍ବର ୧୭ ପର୍ଯ୍ୟନ୍ତ ଚାଲିବ ।

ରାଜ୍ୟରେ ଶିଳ୍ପାୟନ ବାତାବରଣକୁ ପରିବ୍ୟାପ୍ତ କରିବା ତଥା ଅଧିକରୁ ଅଧିକ ଯୁବ ଶିଳ୍ପୋଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି, ଯାହା ପ୍ରଶଂସାଯୋଗ୍ୟ । ଏହିକ୍ରମରେ ମେକ୍‌ଇନ୍ ଓଡ଼ିଶା, ଷ୍ଟାର୍ଟଅପ୍ ଓଡ଼ିଶା ଭଳି କାର୍ଯ୍ୟକ୍ରମ ରାଜ୍ୟ ସରକାର ଆୟୋଜିତ କରି ଆସୁଛନ୍ତି । ସେହି ଧାରାରେ କୋଭିଡ଼ ମହାମାରୀ କାରଣରୁ ଗତବର୍ଷ ବନ୍ଦ ରହିଥିବା ‘ଏଣ୍ଟରପ୍ରାଇଜ ଓଡ଼ିଶା-୨୦୨୧’ କାର୍ଯ୍ୟକ୍ରମକୁ ଏଥର ବ୍ୟାପକ ଭାବେ ଆୟୋଜନ କରିବା ପାଇଁ ମିଳିତ ଭାବେ ଅଂଟା ଭିଡ଼ିଛନ୍ତି ଓଡ଼ିଶା ସରକାର ଓ କନଫେଡ଼ରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ବା ସିଆଇଆଇ ।

ଏହି କାର୍ଯ୍ଯକ୍ରମରେ ରାଜ୍ଯର ଛୋଟ ବଡ଼ ଶିଳ୍ପଦ୍ଯୋଗୀ ଯୋଗ ଦେବେ (ପ୍ରତୀକାତ୍ମକ ଛବି)


ନଭେମ୍ବର ୧୭ ତାରିଖରୁ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମ ଡ଼ିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୭ ତାରିଖ ବୁଧବାର ସନ୍ଧ୍ୟାରେ ଏହାକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ପରେ ପରେ ଉଭୟ ଫିଜିକାଲ ଓ ଭର୍ଚୁଆଲ ମୋଡ଼ରେ ମାସକ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ବିଶେଷକରି ଓଡ଼ିଶାର ଶିଳ୍ପ ବାତାବରଣକୁ ଗୁୁରୁତ୍ୱ ଦେବା ଓ ଏହା ଜରିଆରେ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସିଆଇଆଇର ପୂର୍ବତନ ଅଧ୍ୟକ ତଥା ବରିଷ୍ଠ ଶିଳ୍ପପତି ସଞ୍ଜୀବ ପଟ୍ଟନାୟକ କହିଛନ୍ତି,"ଏହି କାର୍ଯ୍ୟକ୍ରମ ଦ୍ୱାରା ଯୁବ ଶିଳ୍ପୋଦ୍ୟୋଗୀ ଓ ଷ୍ଟାର୍ଟଅପ୍ ଇଣ୍ଡିଷ୍ଟ୍ରି ତଥା ଏମଏସଏମଇ କ୍ଷେତ୍ରରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବା ଶିଳ୍ପୋଦ୍ୟୋଗୀମାନେ ବଡ଼ ବଡ଼ ଶିଳ୍ପାନୁଷ୍ଠାନର ଅଧିକାରୀଙ୍କ ସହ ମତ ବିନିମୟ କରିବାକୁ ସୁଯୋଗ ପାଇବେ" ।

କୋଭିଡ଼ ମହାମାରୀ କାରଣରୁ ପ୍ରାୟ ଦେଢବର୍ଷ ହେଲା ରାଜ୍ୟର  ଶିଳ୍ପୋଦ୍ୟୋଗଗୁଡ଼ିକ ଗଭୀର ଭାବେ ପ୍ରଭାବିତ ହୋଇଥିବାବେଳେ ଶିଳ୍ପ ଉପରୁ ମୁହଁ ଫେରାଇ ନେଇଥିଲେ ରାଜ୍ୟର ବହୁ ଛୋଟ ବଡ଼ ବ୍ୟବସାୟୀ । ତେବେ ସେ ସ୍ଥିତିକୁ ସଜାଡ଼ିବାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଯାଉଛି ବୋଲି ଅନେକ ଶିଳ୍ପୋଦ୍ୟୋଗୀ ମତ ରଖିଛନ୍ତି ।

ସିଆଇଆଇର ମେଟାଲ ଓ ମାଇନିଂ ପୂର୍ବାଂଚଳ ସବକମିଟି ଜୋନ୍‌ର ଅଧ୍ୟକ୍ଷ   ଶଶାଙ୍କଶେଖର ମହାନ୍ତି କହିଛନ୍ତି,"ଏଭଳି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ଷ୍ଟିଲ ସେକ୍ଟରକୁ ଆଗକୁ ବଢିବା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବ । ବିଶେଷକରି ଦେଶରେ ୩ଶହ ମିଲିୟନ ଟନ୍ ଷ୍ଟିଲ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଣ୍ଟରପ୍ରାଇଜ ଓଡ଼ିଶା ଭଳି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ଷ୍ଟିଲ ଶିଳ୍ପକୁ ଅଧିକ ଗୁରୁତ୍ୱ ମିଳିବ ।

ମୋଟ ଉପରେ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ଛୋଟବଡ଼ ସମସ୍ତ ଶିଳ୍ପୋଦ୍ୟୋଗୀ ଗୋଟିଏ ଛାତ ତଳେ ପରସ୍ପର ଭିତରେ ଭାବର ଆଦାନପ୍ରଦାନ ସହିତ ଶିଳ୍ପ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରିବେ ବୋଲି ଶିଳ୍ପ ବିଶେଷଜ୍ଞମାନେ ମତ ରଖିଛନ୍ତି ।
Published by: Soumya Das
First published: November 17, 2021, 6:13 PM IST