ଭୁବନେଶ୍ୱର ପେଟ୍ରୋଲ ପମ୍ପ Blast: ଏବେ ବି ଇଞ୍ଜିନିଅର୍ ନିଖୋଜ; ହାଡ଼ ଓ ମାଂସର DNA ଟେଷ୍ଟ ହେବ
ଗ୍ୟାସ୍ ଟାଙ୍କି ମରାମତି ପାଇଁ ଇଞ୍ଜିନିଅର ସୀମାଞ୍ଚଳ ପରିଡ଼ା କଲିକତାରୁ ଭୁବନେଶ୍ଵର ଆସିଥିଲେ l ବୁଧବାର କାମ ସରିବା ପରେ ରାତାରାତି କୋଲକାତା ଫେରିଯାଇଥାନ୍ତେ l ହେଲେ ବିସ୍ଫୋରଣ ପର ଠାରୁ ତାଙ୍କର କୌଣସି ପତ୍ତା ମିଳୁ ନାହିଁ ।

ନିଜ ପୁଅ ସହ ଇଞ୍ଜିନିଅର ସୀମାଞ୍ଚଳ ପରିଡ଼ା; (ଡାହାଣ) ଦିନକ ପରେ ବ୍ଲାଷ୍ଟ ସ୍ଥଳ
- News18 Odia
- Last Updated: October 8, 2020, 7:39 PM IST
ଭୁବନେଶ୍ୱର: ରାଜଧାନୀରେ ରାଜ୍ୟପାଳଙ୍କ ଆବାସ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟିବାର ୨୪ ଘଣ୍ଟା ପରେ ବି ସେଠାରେ ଥିବା ଜଣେ ଇଞ୍ଜିନିୟରଙ୍କର ପତ୍ତା ମିଳୁନାହିଁ l ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ା ନିଖୋଜ ଥିବାରୁ ବୁଧବାର ଅପରାହ୍ଣ ଠାରୁ ତାଙ୍କ ପରିବାର ଲୋକେ ବିଭିନ୍ନ ହସ୍ପିଟାଲକୁ ଯାଇ ଖୋଜାଖୋଜି କରୁଛନ୍ତି, ହେଲେ ତାଙ୍କର କୌଣସି ସନ୍ଧାନ ମିଳି ପାରିନି l
ଗ୍ୟାସ୍ ଟାଙ୍କି ମରାମତି ପାଇଁ ସୀମାଞ୍ଚଳ କଲିକତାରୁ ଭୁବନେଶ୍ଵର ଆସିଥିଲେ l ବୁଧବାର କାମ ସରିବା ପରେ ରାତାରାତି କୋଲକାତା ଫେରିଯାଇଥାନ୍ତେ l ହେଲେ ବିସ୍ଫୋରଣ ପର ଠାରୁ ତାଙ୍କର ଆଉ କୌଣସି ପତ୍ତା ମିଳିନି l
‘‘ଗ୍ୟାସ୍ ଟାଙ୍କିରେ ବିସ୍ଫୋରଣ ଘଟିବା ପୂର୍ବରୁ ସୀମାଞ୍ଚଳ IOCLର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଫୋନ୍ କରିଥିଲେ l କିନ୍ତୁ ସେ ଫୋନ ରିସିଭ କରି ନ ଥିଲେ l ବୋଧେ ବିସ୍ଫୋରଣ ପୂର୍ବରୁ ଏଲପିଜି ଟାଙ୍କିରେ କିଛି ସମସ୍ୟା ଥିବା ସେ ଜାଣିପାରି ଅଧିକାରୀଙ୍କୁ ଫୋନ କରିଥିଲେ l ଯଦି ସେ ଫୋନ୍ ଉଠାଇଥାନ୍ତେ, ତେବେ ହୁଏତ ଏମିତି ବଡ଼ ଧରଣର ଅଘଟଣ ଘଟି ନ ଥାନ୍ତା,’’ କହିଛନ୍ତି ସୀମାଞ୍ଚଳଙ୍କ ଭାଇ ମଙ୍ଗତ ପରିଡ଼ା ।

ବିସ୍ଫୋରଣ ସ୍ଥଳରୁ ସୀମାଞ୍ଚଳଙ୍କ ପର୍ସରୁ ମିଳିଥିବା ଫଟୋ ଓ ATM କାର୍ଡ଼
ସୀମାଞ୍ଚଳଙ୍କ ଘର ଗଞ୍ଜାମ ଜିଲ୍ଲା ଆସ୍କାର ବାଲିପଦରରେ l ଡିପ୍ଲୋମା ଇଞ୍ଜିନିୟରିଂ କରିବା ପରେ ଗ୍ୟାସ ପାଇପଲାଇନର ଅସ୍ଥାୟୀ ଠିକା ଇଞ୍ଜିନିୟର ଭାବେ ସେ କାମ କରୁଥିଲେ l ଗତ ୧୦ ଦିନ ହେଲା ଭୁବନେଶ୍ୱରର ଦୁଇଟି ପେଟ୍ରୋଲ ପମ୍ପରେ ନନ୍-ଡିଷ୍ଟ୍ରକଟିଭ ଟେଷ୍ଟ (ଏନଡିଟି) କରାଯାଉଥିଲା l ଏନଡିଟି ପ୍ରତି ୫ ବର୍ଷରେ ଥରେ ହୁଏ l
ଏହା ବି ପଢ଼ନ୍ତୁ | ‘‘ରିପବ୍ଲିକ୍ ଟିଭି ଟଙ୍କା ଦେଇ TRP କିଣୁଥିଲା; ଅନ୍ୟ ୨ ନ୍ୟୁଜ୍ ଚ୍ୟାନେଲର ନାମ ବି ଆସିଛି’’: ମୁମ୍ବାଇ ପୋଲିସ୍
ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା
ବିସ୍ଫୋରଣ ବେଳେ ଏଲପିଜି ଟାଙ୍କିରେ ଚାରି ଜଣ କାମ କରୁଥିଲେ l ସେମାନଙ୍କ ମଧ୍ୟରୁ କଟକ ଏସସିବିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି l ତୃତୀୟ ବ୍ୟକ୍ତି ଜଣକ ସୁସ୍ଥ ଅଛନ୍ତି, ହେଲେ ଚତୁର୍ଥ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି l ଏହି ନିଖୋଜ ଥିବା ବ୍ୟକ୍ତି ଜଣକ ସୀମାଞ୍ଚଳ ପରିଡ଼ା ବୋଲି ସନ୍ଦେହ କରାଯାଉଛି ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ l
‘‘ବିସ୍ଫୋରଣ ସ୍ଥଳରୁ ଜବତ ହୋଇଥିବା ମାଂସ ଓ ହାଡ଼କୁ ଯାଞ୍ଚ ପାଇଁ ଫରେନସିକ ମେଡିସିନ ଟକ୍ସିକୋଲୋଜିକୁ (ଏଫଏମଟି) ପଠାଯିବ l ପରେ ଡିଏନଏ ଟେଷ୍ଟ୍ କରାଯିବ l ଡିଏନଏ ରିପୋର୍ଟରୁ ଜଣାପଡିବ ଜବତ ହୋଇଥିବା ମାଂସ ଓ ହାଡ ସୀମାଞ୍ଚଳଙ୍କର ନା ଆଉ କାହାର,’’ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।