News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ ବସ୍ତି କୁ ଚାଲ ଅଭିଯାନ କ୍ରମରେ ‘ଆମେ ବି ଜିତିବୁ – ବସ୍ତିରେ କ୍ରିଡା ପ୍ରସାରଣ’ ଅବସରରେ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଛି।
ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ବସ୍ତି କୁ ଚାଲ ଅଭିଯାନ କ୍ରମରେ ଓଡ଼ିଶା ସରକାରଙ୍କର କ୍ରିଡ଼ା ତଥା ଯୁବ ବ୍ୟାପାର ବିଭାଗ ଓ ଓଡ଼ିଶା ଖଣି ନିଗମ ଆନୁକୂଲ୍ୟରେ ଗତ ତା ୨୪ ରିଖରୁ ୩୨ଟି ଫୋକସ ବସ୍ତି କୁ ନେଇ ଇଣ୍ଟର ବସ୍ତି କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା।
ବସ୍ତିବାସିନ୍ଦାମାନଙ୍କ ମଧ୍ୟରେ କ୍ରିଡ଼ାର ପ୍ରଚାର ପ୍ରସାର କରିବା ସହିତ ଭାଇଚାରା ବୃଦ୍ଧି କରିବା ପାଇଁ ଏହି ପ୍ରୟାସ ଆରମ୍ଭ କରାଯାଇଥିଲା।
ଏହି ଟୁର୍ନାମେଣ୍ଟରେ ୧୬ଟି ଲିଗ ମ୍ୟାଚ, ୮ଟି ପ୍ରି କ୍ଵାର୍ଟର ଫାଇନାଲ, ୪ଟି କ୍ଵାର୍ଟର ଫାଇନାଲ ତଥା ୨ଟି ସେମି ଫାଇନାଲ ମ୍ୟାଚର ଆୟୋଜନ କରାଯାଇଥିଲା। ଫାଇନାଲ ମ୍ୟାଚରେ ଖଣ୍ଡଗିରି ତପୋବନ ବସ୍ତିକୁ ଲିଙ୍ଗରାଜ ଥାନା ଅଧିନ ରାମେଶ୍ୱରପାଟଣା ବସ୍ତି ପରାସ୍ତ କରି ଚମ୍ପିୟାନ ହୋଇଥିଲା।
ଏହି କ୍ରିକେଟ ମ୍ୟାଚରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୋଲିସ କମିଶନର ନୀତି ଶେଖର, ଭୁବନେଶ୍ୱର ଡ଼ି.ସି.ପି. ଡ଼ଃ. ଉମାଶଙ୍କର ଦାଶ, ଓଡ଼ିଶା ଖଣି ନିଗମର ନିର୍ଦ୍ଦେଶକ ବଲୱନ୍ତ ସିଂ, ଓଡ଼ିଶା ସରକାରଙ୍କର କ୍ରିଡା ତଥା ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ଆନ୍ତର୍ଜାତିୟ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି, ପୂର୍ବତନ ରଣଜୀ ଖେଳାଳି ଅଶୋକ ପଣ୍ଡା, ରଶ୍ମୀରଞ୍ଜନ ପରିଡ଼ା, ଅବକାଶ ଖଟୁଆ ଓ ବର୍ତମାନର ରଣଜୀ କ୍ୟାପଟେନ ବିପ୍ଲବ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
"ବସ୍ତିରୁ ଅପରାଧ ନିୟନ୍ତ୍ରଣ କରିବା ଦିଗରେ ଆମେ ବସ୍ତି କୁ ଚାଲ ଅଭିଯାନ ଆରମ୍ଭ କରିଥିଲୁ। ପରେ ବସ୍ତି ର କିଛି ଲୋକଙ୍କୁ ନେଇ ବସ୍ତି ମିତ୍ର ଗଠନ କରିଥିଲୁ। ଏହାର ଉଦ୍ଦେଶ୍ୟ ହେଉଛି ବସ୍ତିରେ ବଢୁଥିବା ଅପରାଧକୁ ରୋକିବା ଓ ବସ୍ତିରେ ଲୁଚି ରହୁଥିବା ଅପରାଧିଙ୍କୁ ଚିହ୍ନଟ କରିବା। ବସ୍ତିକୁ ଚାଲ ଅଭିଯାନରେ ଆମେ ବେଶ ସଫଳ ହୋଇଛୁ । ଏହି ପରିପ୍ରେକ୍ଷୀରେ ପୂର୍ବରୁ ବସ୍ତିରେ ଲୁଚି ରହିଥିବା ପ୍ରତିଭାକୁ ଆମେ ଲୋକଲୋଚନକୁ ଆଣିଥିଲୁ। ପରେ ଆମେ ଖେଳ ମାଧ୍ୟମରେ ଭାଇଚାରା ସୃଷ୍ଟି କରିବା ସହ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଛୁ," କହିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
ବୁଧବାର ସକାଳ ୮ ଘଟିକାରୁ ଭୁବନେଶ୍ୱର ରିଜର୍ଭ ପୋଲିସ ପଡ଼ିଆଠାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ରାମେଶ୍ଵରପାଟଣା ବସ୍ତି ଟସ ଜିତି ବୋଲିଂ କରିବା ନିଷ୍ପତ୍ତି ନେଇଥିଲେ। ତପୋବନ ବସ୍ତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୫ଟି ୱିକେଟ ହରାଇ ୧୨୬ ରନ କରିଥିବାବେଳେ ରାମେଶ୍ଵର ପାଟଣା ବସ୍ତି ମାତ୍ର ୧୦ ଓଭରରେ ୩ଟି ୱିକେଟ ବିନିମୟରେ ୧୨୭ ରନ କରି ବିଜୟ ଲାଭ କରିବା ସହ ଚାମ୍ପିଆନ ଟ୍ରଫି ହାସଲ କରିଥିଲେ।
ସୂଚନଯୋଗ୍ୟ ଯେ, ବସ୍ତିବାସିନ୍ଦାଙ୍କ ପରିମଳ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବସ୍ତି ମିତ୍ର ଓ ପୋଲିସ୍ ମିତ୍ରଙ୍କ ସହାୟତାରେ ଫୋକସ୍ ବସ୍ତି ମାନଙ୍କରେ ସପ୍ତାହର ପ୍ରତି ରବିବାର ଦିନ ସଫେଇ କାର୍ଯ୍ୟକ୍ରମ କରାଯିବା ସହ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଶିକ୍ଷା ଓ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରାଯିବା ସହ ବସ୍ତିରେ ରହୁଥିବା ପ୍ରତିଭାମାନଙ୍କର କଳାକୁ ପ୍ରସ୍ଫୁଟିତ କରିବାରେ ବସ୍ତି କୁ ଚାଲ ଯୋଜନା ପ୍ରମୁଖ ଭୂମିକା ଗ୍ରହଣ କରିଛି।
ବିଭିନ୍ନ ସମୟରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ୍ ଜିଲ୍ଲା ପକ୍ଷରୁ ବସ୍ତିର ପିଲାମାନଙ୍କୁ ନେଇ ନାଚ,ଗୀତ, ଚିତ୍ରାଙ୍କନ ତଥା କ୍ରିଡା ପ୍ରତିଯୋଗିତାମାନ ଆୟୋଜନ କରାଯାଉଛି। ଭବିଷ୍ୟତରେ ଏହି କାର୍ଯ୍ୟକ୍ରମକୁ ଆହୁରି ତ୍ଵରାନିତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।