ସରକାରଙ୍କ ଦୃଷ୍ଟିରେ ନାହିଁ ଦୃଷ୍ଟିବାଧିତଙ୍କ ସମସ୍ୟା; ବ୍ରେଲି ପ୍ରେସରେ ନାହାଁନ୍ତି କର୍ମଚାରୀ

ଦୃଷ୍ଟିବାଧିତଙ୍କ ନିମନ୍ତେ ବ୍ରହ୍ମପୁର ସହରରେ ରହିଛି ରାଜ୍ୟର ଏକ ମାତ୍ର ବ୍ରେଲି ପ୍ରେସ। ତେବେ ବ୍ରେଲି ପ୍ରେସରେ କର୍ମଚାରୀଙ୍କ ଘୋର ଅଭାବ ଯୋଗୁଁ ପାଠ୍ୟପୁସ୍ତକ ଯୋଗାଇ ପାରୁନାହିଁ ।

ବ୍ରେଲି ପ୍ରେସରେ ନାହାଁନ୍ତି କର୍ମଚାରୀ

ବ୍ରେଲି ପ୍ରେସରେ ନାହାଁନ୍ତି କର୍ମଚାରୀ

  • Share this:
News18 Odia Digital

ବ୍ରହ୍ମପୁର: ଦୃଷ୍ଟିବାଧିତଙ୍କ ନିମନ୍ତେ ବ୍ରହ୍ମପୁର ସହରରେ ରହିଛି ରାଜ୍ୟର ଏକ ମାତ୍ର ବ୍ରେଲି ପ୍ରେସ। ତେବେ ବ୍ରେଲି ପ୍ରେସରେ କର୍ମଚାରୀଙ୍କ ଘୋର ଅଭାବ ଯୋଗୁଁ ପାଠ୍ୟପୁସ୍ତକ ଯୋଗାଇ ପାରୁନାହିଁ । ବ୍ରେଲି ପ୍ରେସରେ ୨୨ ଜଣ କର୍ମଚାରୀଙ୍କ ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ କେବଳ ୬ ଜଣ କର୍ମଚାରୀ ରହିଛନ୍ତି ।

ରାଜ୍ୟରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ନିମନ୍ତେ ରହିଛି ଗୋଟିଏ ମାତ୍ର ବ୍ରେଲି ପ୍ରେସ । ବ୍ରହ୍ମପୁରର ସିଟି ହସପିଟାଲ ନିକଟରେ ଏହି ପ୍ରେସଟି ରହିଛି । ଏହି ପ୍ରେସରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ଦୃଷ୍ଟିବାଧିତ ଛଶତ୍ରଛଶତ୍ରୀଙ୍କ ପାଇଁ ବ୍ରେଲି ପୁସ୍ତକ ଛପା ଯାଉଛି । ବ୍ରେଲି ପୁସ୍ତକ ଛାପିବା ପାଇଁ ବେଲଜିୟମରୁ ୨, ନର୍‌ବେରୁ ଗୋଟିଏ, ଜର୍ମାନୀର ୩ଟି ଅତ୍ୟାଧୁନିକ ମେସିନ ଆଣି ସ୍ଥାପନ କରାଯାଇଛି । ରାଜ୍ୟରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ।

‘‘କର୍ମଚାରୀଙ୍କ ଅଭାବ ଯୋଗୁଁ ୩୨୦୦ ସେଟ ପୁସ୍ତକ ହିଁ ଛପା ଯାଇପାରୁଛି । କାରଣ ଏହି ପ୍ରେସରେ ୨୨ ଜଣଙ୍କ ବଦଳରେ ରହିଛନ୍ତି ମାତ୍ର ୬ ଜଣ କର୍ମଚାରୀ । ଯାହାଫଳରେ ଆବଶ୍ୟକତାର ଅଧା ପୁସ୍ତକ ମଧ୍ୟ ଛାପିବା ଏକ ପ୍ରକାରର କଷ୍ଟକର ବ୍ୟାପାର ହୋଇପଡ଼ୁଛି କର୍ମଚାରୀଙ୍କ ପାଇଁ । କର୍ମଚାରୀଙ୍କ ଅଭାବ ରହିଥିବା ବେଳେ ବର୍ତ୍ତମାନ ଯେତେ ଜଣ କର୍ମଚାରୀ କାମ କରୁଛନ୍ତି ବେତନ କମ ମିଳୁଥିବା ଅଭିଯୋଗ କରିଛନ୍ତି,’’ କହିଛନ୍ତି ବ୍ରେଲି ପ୍ରେସର କର୍ମଚାରୀ ଦେବେନ୍ଦ୍ର ପ୍ରସାଦ ମହାନ୍ତି।

‘‘ଏହି ପ୍ରେସରେ କୁଶଳୀ ଓ ଅଣକୁଶଳୀ କାରିଗର କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ରାଜ୍ୟ ସରକାରଙ୍କ ପକ୍ଷର ଘୋଷିତ ସର୍ବନିମ୍ନ ମଜୁରୀ ମିଳୁନଥିବା ନେଇ ଅଭିଯୋଗ କରିଛନ୍ତି କର୍ମଚାରୀ ମାନେ । ୨୦୦୬ ମସିହାରୁ ଜିଲ୍ଲାପାଳଙ୍କ ଦ୍ବାରା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗକୁ ନିଜର ଅଭିଯୋଗ ଜଣାଇଥିଲେ ସୁଦ୍ଧା କୌଣସି ସମାଧାନର ବାଟ ବାହାରିପାରିନଥିବା ନେଇ ଦୁଃଖର ସହିତ ପ୍ରକାଶ କରିଛନ୍ତି,‘‘ କହିଛନ୍ତି ବ୍ରେଲି ପ୍ରେସରେ କାର୍ଯ୍ୟରତ କର୍ମଚାରୀ ଆକାଶ କୁମାର ସାହୁ ।

‘‘ଏହି ପ୍ରେସକୁ ଗତ ତିନି ବର୍ଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଏକ ବ୍ରେଲି ମେସିନ୍‌ ଆସିଥିଲା । ଯାହାଫଳରେ ପୁସ୍ତକ ଛପା କାର୍ଯ୍ୟ ଆହୁରି ସୁରୁଖୁରୁରେ ଚାଲିଥିଲା । କିନ୍ତୁ ଦୀର୍ଘ ଦିନ ହେଲା ସେହି ମେସିନ୍‌ ବର୍ତ୍ତମାନ ଖରାପ ହୋଇ ପଡ଼ିରହିଛି । ବାରମ୍ବାର ମରାମତି କଲେ ସୁଦ୍ଧା ତାହା କାମରେ ଲାଗି ପାରୁନାହିଁ । ମେସିନଟି କାର୍ଯ୍ୟ କରୁନଥିବା ଯୋଗୁଁ ପୁସ୍ତକ ଛପାରେ ମଧ୍ୟ ବାଧା ଉପୁଜିବା ସହିତ ବିଳମ୍ବ ମଧ୍ୟ ହେଉଛି । ତେଣୁ ଏହି ମେସିନ ଯଦି ଖୁବଶୀଘ୍ର କାର୍ଯ୍ୟକାରି କରିପାରିଥାନ୍ତା ତେବେ ଅଧିକରୁ ଅଧିକ ପୁସ୍ତକ ଛପା ହୋଇପାରନ୍ତା,‘‘କହିଛନ୍ତି ବ୍ରେଲି ପ୍ରେସରେ କାର୍ଯ୍ୟରତ କର୍ମଚାରୀ ଚିତ୍ରଶେନ ବେହେରା ।
Published by:Soumya Das
First published: