ଇମାମି-କିସ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି

ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୨୦୦ ଗରିବ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରାଯିବ। ପାଠପଢ଼ା ବ୍ୟତୀତ ଏଠାରେ ଛାତ୍ରଛାତ୍ରୀଙ୍କୁ ଅନ୍ୟାନ୍ୟ କ୍ଷେତ୍ର ବିଶେଷ କରି ଉନ୍ନତମାନର କ୍ରୀଡ଼ା ତାଲିମ ପ୍ରଦାନ କରାଯିବ।

ଇମାମି-କିସ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି

ଇମାମି-କିସ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି

  • Share this:
News18 Odia Digital

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‍ ଅନ୍ତର୍ଗତ ଆର୍ମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସର ନୂଆ ଶାଖା ଇମାମି-କିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଛନ୍ତି।

ଏହି ବିଦ୍ୟାଳୟକୁ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କରି ସେ ବହୁତ ଖୁସୀ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲାବାସୀ ବିଶେଷ କରି ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କିସ୍ ଓ ଇମାମିର ଏହି ମିଳିତ ଉଦ୍ୟମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଶିକ୍ଷା ହିଁ ହେଉଛି ଶକ୍ତିଶାଳୀ ମାଧ୍ୟମ। ଶିକ୍ଷା ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ। ରାଜ୍ୟ ସରକାର ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଚାଲିଥିବା ବେଳେ ଏବେ ସୁଦ୍ଧା ସାରା ରାଜ୍ୟରେ ୪ ହଜାର ଉଚ୍ଚ ବିଦ୍ୟାଳୟ ରୂପାନ୍ତର ହୋଇ ସାରିଛି। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହୁତ ଉତ୍ସାହ ସୃଷ୍ଟି କରିଛି। କିସ୍ ପକ୍ଷରୁ ରାଜ୍ୟର ଭୁବନେଶ୍ୱର ସହ ଅନ୍ୟ ଜିଲ୍ଲାରେ ସ୍କୁଲ୍ ଖୋଲାଯାଇଛି। ରାଜ୍ୟର ୩୦ଟି ଜିଲ୍ଲାରେ କିସ୍ ପକ୍ଷରୁ ଜନଜାତି ପିଲାଙ୍କ ପାଇଁ ନିଶୁଳ୍କ ଓ ଆବାସିକ ବିଦ୍ୟାଳୟ ଖୋଲାଯିବାର ପ୍ରୟାସ ଜାରି ରହିଛି। ସବୁ ପିଲାଙ୍କ ନିକଟରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବାରେ ଆମର ଉଦ୍ୟମକୁ ଏହା ଆହୁରି ଶକ୍ତିଶାଳୀ କରିବ।’’

ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱା) ଅଶ୍ୱିନୀ କୁମାର ପାତ୍ର ବକ୍ତବ୍ୟ ଦେଇ କହିଥିଲେ, "ଶିକ୍ଷା କ୍ଷେତ୍ରରେ ଜନଜାତି ପିଲାଙ୍କ ପାଇଁ କିଟ୍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଇତିହାସରେ ଲିପିବଦ୍ଧ ହୋଇ ରହିବ। ସାମନ୍ତ ଶିକ୍ଷା ମାଧ୍ୟମରେ ଗରିବ ଓ ଅବହେଳିତ ପିଲାଙ୍କ ମଧ୍ୟରେ ନୂଆ ଆଲୋକ ସୃଷ୍ଟି କରିଛନ୍ତି।"

ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି, ‘‘ଦଳମତ ନିର୍ବିଶେଷରେ ଆମେ ସମସ୍ତେ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସର ପ୍ରଶଂସା କରିବା ଉଚିତ୍। ସେ ଶିକ୍ଷା ମାଧ୍ୟମରେ ଲକ୍ଷ ଲକ୍ଷ ଗରିବ ଓ ଅବହେଳିତ ପିଲାଙ୍କ ପାଇଁ ଜୀବନର ରାହା ସୃଷ୍ଟି କରିପାରିଛନ୍ତି। ସାମନ୍ତଙ୍କ ଏହି ପ୍ରୟାସକୁ ଆମେ ସମସ୍ତେ ସହଯୋଗ କରିବା ପାଇଁ ଆଗେଇ ଆସିବା ଉଚିତ୍।"

ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କହିଛନ୍ତି, ‘‘ଏହି ବିଦ୍ୟାଳୟ ମୋ ନିର୍ବାଚନ ମଣ୍ଡଳିରେ ପ୍ରତିଷ୍ଠିତ ହୋଇଥିବାରୁ ମୁଁ ବହୁତ ଖୁସୀ। ଏହା ନିର୍ବାଚନ ମଣ୍ଡଳି ପାଇଁ ଗର୍ବ ଓ ଗୌରବର କଥା।’’

କାର୍ଯ୍ୟକ୍ରମରେ ସ୍ୱାଗତ କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ‘‘ଏହି ବିଦ୍ୟାଳୟ ପାଇଁ ଜମି କ୍ରୟଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ସବୁଜ ବଳୟ ସୃଷ୍ଟି, ପାଚେରୀ ନିର୍ମାଣ, ମେକାନାଇଜ୍‍ଡ ରୋଷଶାଳା, ୨୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ଆସବାବପତ୍ର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସମେତ ୧ ଲକ୍ଷ ୨୦ ହଜାର ବର୍ଗଫୁଟ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣରେ ମୋଟ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।’’

ଏଥିରୁ ଇମାମି ଗ୍ରୁପ୍‍ ୧୪ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ବାକି ୩୬ କୋଟି ଟଙ୍କା କିଟ୍‍ ତରଫରୁ ଖର୍ଚ୍ଚ କରାଯାଇଛି। ଇମାମି-କିସ୍‍ ଆବାସିକ ବିଦ୍ୟାଳୟରେ ସିବିଏସ୍‍ଇ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯିବ।

ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୨୦୦ ଗରିବ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରାଯିବ। ପାଠପଢ଼ା ବ୍ୟତୀତ ଏଠାରେ ଛାତ୍ରଛାତ୍ରୀଙ୍କୁ ଅନ୍ୟାନ୍ୟ କ୍ଷେତ୍ର ବିଶେଷ କରି ଉନ୍ନତମାନର କ୍ରୀଡ଼ା ତାଲିମ ପ୍ରଦାନ କରାଯିବ। ଏଠାରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ସ୍ଥିତ କିସ୍‍ କିମ୍ବା କିଟ୍‍ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିପାରିବେ।

ଭୁବନେଶ୍ୱର କିସ୍‍ ଭଳି ଏଠାରେ ସମ୍ପୂର୍ଣ୍ଣ ଆବାସିକ ଓ ବିନାଦେୟରେ ଗରିବ ପିଲାମାନେ ପାଠ ପଢ଼ିପାରିବେ। ସମ୍ପୂର୍ଣ୍ଣ ସବୁଜ, ଇକୋ-ଫ୍ରେଣ୍ଡଲି ଓ ଟେକ୍ନୋଲୋଜି ଉପଯୋଗରେ ଏହି କ୍ୟାମ୍ପସ ପରିଚାଳିତ ହେବ। ଏହା ବାଲେଶ୍ୱରବାସୀଙ୍କ ସମ୍ପତ୍ତି ହୋଇ ରହିବ ବୋଲି ସାମନ୍ତ କହିଥିଲେ।
କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା କେ ସୁଦର୍ଶନ ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇମାମି ଗ୍ରୁପ୍‌ର ପ୍ରତିନିଧି ସୁଶିଲ କୁମାର ଗୋଏଙ୍କା ଉପସ୍ଥିତ ଥିଲେ।
Published by:Lipina Das
First published: